ବିହାର ବୈଶାଳୀ ଜିଲ୍ଲା ରସୁଲପୁର ସୋହନ ଗାଁର ସୁଦାମା ପଣ୍ଡିତ। ମାଟି ହାଣ୍ଡି ଗଢନ୍ତି। ସେ କହନ୍ତି, “ହାଣ୍ଡି ଗଢିବା କେବଳ ଚକ ବୁଲାଇବା ନୁହେଁ; ଆପଣ କଣ କରୁଛନ୍ତି ତା ଉପରେ ଧ୍ୟାନ ରଖିବାକୁ ପଡ଼ିବ। ଗୋଟିଏ ଶିଶୁକୁ ଲାଳନପାଳନ କଲାଭଳି... ପ୍ରଥମେ ଖୁବ ଯତ୍ନର ସହ ମାଟିକୁ ଚକଟିବାକୁ ପଡ଼ିବ। ତା ପରେ ତାକୁ ଏକ ଆକାର ଦେବାକୁ ହେବ। ତା ପରେ ଚୁଲିରେ ପୋଡି ଟାଣ କରିବାକୁ ପଡ଼ିବ। ”
ସୁଦାମା ଙ୍କୁ ବର୍ତ୍ତମାନ ୫୪ ବର୍ଷ। ୧୫ ବର୍ଷ ବୟସରୁ ସେ ମାଟି ପାତ୍ର ଗଢିବାର କଳା ଶିଖି ନେଇଥିଲେ। ସେ ଗର୍ବର ସହ କହନ୍ତି, “ମୋ ଜେଜେବାପା ଏଥିରେ ଖୁବ୍ ଦକ୍ଷ ଥିଲେ, କିନ୍ତୁ ବାପାଙ୍କର ଏଥିରେ ଆଗ୍ରହ ନଥିଲା। ଜେଜେବାପା ମୋତେ ଏସବୁ ଶିଖାଇଛନ୍ତି। ଗାଁ ଲୋକ କହନ୍ତି ମୁଁ ପ୍ରକୃତ ଉତ୍ତରାଧୀକାରୀ ନହେଲେ କୁହନ୍ତି ସୁଦାମା କୁମ୍ଭାର[ମାଟି କାରିଗର]। ”
ଚଢେଇଙ୍କ କଳରବରୁ ସୁଦାମାଙ୍କ ଦିନ ଆରମ୍ଭ ହୁଏ। ତାଙ୍କ ପତ୍ନୀ ସୁନୀତା ଦେବୀ ଝାଡୁ କରି କୁମ୍ଭାର ଶାଳକୁ ସଫାସୁତୁରା କରନ୍ତି। ଚକ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତିରେ ଲାଗିଥିବା ପୂର୍ବ ଦିନର ଶୁଖିଲା କାଦୁଅକୁ ଛଡାଇ ପରିସ୍କାର କରି ଦିଅନ୍ତି। ତା ଭିତରେ ସୁଦାମା ମାଟିକୁ ପ୍ରସ୍ତୁତ କରିନିଅନ୍ତି। ସେ କହନ୍ତି, “ସଅଳ ସଅଳ କାମ ଆରମ୍ଭ କରିଦେଲେ ଭଲ। କାରଣ ଶୁଖିବାକୁ ଅଧିକ ସମୟ ମିଳିବ।”
ମାଟି ପାତ୍ର ଗଢିବା ପାଇଁ ସୁଦାମା ଯେଉଁ ମାଟି ବ୍ୟବହାର କରନ୍ତି ତାକୁ ସେ ତୁର୍କୀ ଗାଁରୁ କିଣନ୍ତି। ପଡୋଶୀ ମୁଜାଫରପୁର ଜିଲ୍ଲା କୁର୍ହାଣୀ ବ୍ଳକର ତୁର୍କୀ ଗାଁ, ଏଠାରୁ ପ୍ରାୟ ୨୫ କିଲୋମିଟର ଦୂର। ସେ କହନ୍ତି, "ଜେଜେବାପାଙ୍କ ସମୟରେ ଘର ପାଖରେ ଭଲ ମାଟି ମିଳିଯାଉଥିଲା। ସେଥିପାଇଁ ଆମକୁ ୩୦ ଫୁଟ ପର୍ଯ୍ୟନ୍ତ ଖୋଳିବାକୁ ପଡ଼ୁଥିଲା। ଏହା କୌଳିକ ବୃତ୍ତି ହୋଇଥିବାରୁ ଘରର ଅଧିକାଂଶ ସଦସ୍ୟ ଏଥିରେ ସହଯୋଗ କରୁଥିଲେ। ଏବେ କିନ୍ତୁ ମାଟି ଖୋଳିବା ପାଇଁ ସେ ଆଉ ସମୟ ଦେଇ ପାରୁନାହନ୍ତି। ହେଉନି । ଏହା ଛଡ଼ା ମାଟି ଖୋଳିବା ଶ୍ରମ ସାପେକ୍ଷ, ବରଂ କିଣି ଆଣିବା ତା ଠାରୁ ସହଜ। ବର୍ତ୍ତମାନ ମେସିନ ମାଟି ତାଡୁଛି ଆଉ ମାଟି ପାଇଁ ଆମକୁ ଟଙ୍କା ଦେବାକୁ ପଡ଼ୁଛି। କିନ୍ତୁ ଏଥିରେ ବହୁତ ପଥର ରହୁଥିବାରୁ ପରିସ୍କାର କରିବାକୁ ସମୟ ଲାଗୁଛି। "










