‘‘ମୁଁ ସ୍କୁଲ୍ରେ ଯାହା ପଢ଼ିଛି ତାହା ମୋ ଘରର ବାସ୍ତବତାର ବିପରୀତ।’’
୧୬ ବର୍ଷ ବୟସ୍କା ପ୍ରିୟା ପାର୍ବତ୍ୟ ରାଜ୍ୟ ଉତ୍ତରାଖଣ୍ଡର ରାଜପୁତ ସମ୍ପ୍ରଦାୟର ଗୋଟିଏ ସ୍କୁଲ୍ ଛାତ୍ରୀ। ସେ ଋତୁସ୍ରାବ ହେବା ସମୟରେ ତାଙ୍କୁ ମାନିବାକୁ ବାଧ୍ୟ କରାଯାଉଥିବା ଦୃଢ଼ ଏବଂ ସ୍ପଷ୍ଟ ନିୟମଗୁଡ଼ିକ ସମ୍ପର୍କରେ କହୁଛନ୍ତି। ସେ କହନ୍ତି, ‘‘ଏହା ପ୍ରାୟ ଦୁଇଟି ଭିନ୍ନ ଭିନ୍ନ ଦୁନିଆରେ ବଞ୍ଚିବା ପରି। ଘରେ ମୋତେ ନିଜକୁ ଅଲଗା ରଖିବାକୁ ଏବଂ ସମସ୍ତ ରୀତିନୀତି ଓ କଟକଣା ମାନିବାକୁ ବାଧ୍ୟ କରାଯାଏ ଏବଂ ସ୍କୁଲ୍ରେ ମୋତେ ଶିଖାଯାଏ ମହିଳାମାନେ ପୁରୁଷଙ୍କ ସହ ସମାନ।’’
୧୧ଶ ଶ୍ରେଣୀର ଛାତ୍ରୀ ପ୍ରିୟାଙ୍କର ସ୍କୁଲ୍ ରହିଛି ନାନକମତ୍ତା ସହରରେ, ଯାହା ତାଙ୍କ ଘରଠାରୁ ସାତ କିଲୋମିଟର ଦୂର। ପ୍ରତିଦିନ ସେ ସାଇକେଲ୍ରେ ସେଠାକୁ ଯାଆନ୍ତି ଏବଂ ଫେରନ୍ତି। ପାଠପଢ଼ାରେ ଆଗୁଆ ଥିବା ପ୍ରିୟା ପ୍ରଥମେ ଏହି ବିଷୟରେ ନିଜକୁ ଶିକ୍ଷିତ କରିବାକୁ ଚେଷ୍ଟା କଲେ। ସେ କହନ୍ତି, ‘‘ମୁଁ ବହି ପଢ଼ିଲି ଏବଂ ଭାବିଲି ମୁଁ ଏମିତି କରିପାରିବି, ସେମିତି କରିପାରିବି; ମୁଁ ବୋଧେ ଦୁନିଆକୁ ବଦଳାଇପାରିବି। କିନ୍ତୁ ମୁଁ ମୋ ପରିବାରକୁ ବୁଝାଇବାକୁ ସକ୍ଷମ ହୋଇପାରିଲିନି ଯେ ଏହିସବୁ ପ୍ରଥାର କୌଣସି ଅର୍ଥ ନାହିଁ। ମୁଁ ସେମାନଙ୍କ ସହ ଦିନରାତି ରହୁଛି କିନ୍ତୁ ମୁଁ ସେମାନଙ୍କୁ ଏହା ବୁଝାଇବାକୁ ଅସମର୍ଥ ଯେ ଏହି କଟକଣାଗୁଡ଼ିକର କୌଣସି ଅର୍ଥ ନାହିଁ।’’
ନୀତିନିୟମ ସହିତ ତାଙ୍କର ପ୍ରାରମ୍ଭିକ ଅସହଜତା ଏବଂ ଅସ୍ୱସ୍ତି ଚାଲିଯାଇନି କିନ୍ତୁ ସେ ବର୍ତ୍ତମାନ ତାଙ୍କ ପିତାମାତାଙ୍କ ଚିନ୍ତାଧାରା ଅନୁଯାୟୀ ଚାଲୁଛନ୍ତି।
ପ୍ରିୟା ଏବଂ ତାଙ୍କ ପରିବାର ରାଜ୍ୟର ସବୁଠାରୁ ଅଧିକ ଅମଳକ୍ଷମ କୃଷି ଅଞ୍ଚଳ ତେରାଇ (ନିମ୍ନାଞ୍ଚଳ) କ୍ଷେତ୍ରରେ ବାସ କରନ୍ତି (ଜନଗଣନା ୨୦୧୧)। ଏହି ଅଞ୍ଚଳରେ ତିନୋଟି ଅମଳ ହୁଏ – ଖରିଫ୍, ରବି ଏବଂ ଜାଇଦ୍ - ଏବଂ ଅଧିକାଂଶ ଜନସଂଖ୍ୟା କୃଷି କାର୍ଯ୍ୟରେ ସଂପୃକ୍ତ ଏବଂ ଗାଈ ଏବଂ ମଇଁଷି ପରି ପଶୁସମ୍ପଦ ରଖନ୍ତି।











