“ମୁଁହେଉଛି ଚାଷୀ, ସେ କିଛି ଚାଷବାସ କରନ୍ତିନି । ସେ କେବଳ ତାଙ୍କ ଗାଈଗୋରୁଙ୍କ କଥା ଭାବନ୍ତି । ସେ ସେଇ ଗାଈମାନଙ୍କୁ ଭଲ ପାଆନ୍ତି (ଯଦିଓ ସେମାନେ ପ୍ରତ୍ୟେକ ଗୋଟିଏ ଲିଟର ଲେଖାଏଁ କ୍ଷୀର ଦିଅନ୍ତି) । ଗାଁର ପୁରୁଷମାନେ ଏଣେତେଣେ ବୁଲୁଥାଆନ୍ତି, ମହିଳାମାନେ କ୍ଷେତରେ କାମ କରନ୍ତି । ୟବତମାଲର ବେଶ୍ ଜଣାଶୁଣା ଚାଷୀଙ୍କ ମଧ୍ୟରୁ ଜଣଙ୍କର କଥା କହୁଛନ୍ତି ଲୀଲାବାଇ। ସେଇ ଜଣକ ହେଲେ ଆଶାନା ଟୋଟାୱାର । କହିବାକୁ ଗଲେ ସେ ଜଣେ କିମ୍ବଦନ୍ତୀ । ୟବତମାଲରେ ଗୁରୁତର ଫସଲହାନି ଘଟିଥିବା ବର୍ଷରେ ବି ସେ କପା ଓ ସୋୟାବିନ୍ ଅମଳରେ ରେକର୍ଡ ସୃଷ୍ଟି କରିଛନ୍ତି । ଆଶାନା ଜଣେ ଭଦ୍ର ଓ ଅଭିଜ୍ଞ ବ୍ୟକ୍ତି । ୫୦ ବର୍ଷ ଧରି ସେ ବିଦର୍ଭ ଅଞ୍ଚଳରେ ଚାଷବାସକୁ ଅତି ନିକଟରୁ ଦେଖିଆସିଛନ୍ତି । ସେ ମଧ୍ୟ ଲୀଲୀବାଇଙ୍କ ସ୍ୱାମୀ । କପା କାରବାର ଲାଗି ଜଣାଶୁଣା ମହାରାଷ୍ଟ୍ରର ୟବତମାଲ ଜିଲ୍ଲା ଅନ୍ତର୍ଗତ ପାଣ୍ଡେରକୌଡ଼ା ସହର ନିକଟବର୍ତ୍ତୀ ପିମ୍ପ୍ରି ଗାଁରେ ଏହି ଦମ୍ପତି ରହନ୍ତି ।
ସ୍ୱାମୀଙ୍କ ପ୍ରତି ଲୀଲାବାଇଙ୍କର ଗଭୀର ସମ୍ମାନ ଓ ଶ୍ରଦ୍ଧା ରହିଛି । ସେ ଅଳ୍ପ ପାଠ ପଢ଼ିଛନ୍ତି, କିନ୍ତୁ ନିଜ ଅନୁଭୂତିରୁ ସେ ଖୁବ୍ ଦକ୍ଷତା ଓ ପ୍ରଶିକ୍ଷଣ ହାସଲ କରିଛନ୍ତି । ଚାଷବାସ ସଂପର୍କରେ ଯାହା ଯେମିତି, ତାକୁ ଠିକ୍ ସେମିତି କହିବାରେ ସେ ବିଶ୍ୱାସ କରନ୍ତି । ବିଶେଷତଃ, ପ୍ରକୃତରେ କିଏ ଚାଷକାମ କରନ୍ତି ବୋଲି କଥା ଉଠିଲେ । ସେ କହନ୍ତି, “ବାଇ (ମହିଳାମାନେ), ‘‘ଏବଂ ସେମାନେ ଏହାକୁ ବେଶୀ ଭଲ ଭାବରେ କରନ୍ତି ।”
ଦଶନ୍ଧି ଦଶନ୍ଧି ଧରି ଏକ ସଫଳ କୃଷିକ୍ଷେତ୍ରର ମୁଖ୍ୟ ଚାଷୀ ଭାବରେ ତାଙ୍କର ଜ୍ଞାନ ଖୁବ୍ ପ୍ରଶଂସନୀୟ । ଏହାର ଆଉ ଏକ କାରଣ ଯେ ଚାଷବାସ ଏବଂ ଅର୍ଥ ଲଗାଣ କ୍ଷେତ୍ରରେ ସେ ନିର୍ଣ୍ଣାୟକ ଭୂମିକାରେ ରହି ଆସିଛନ୍ତି ।
ଲଳିତା ଆନନ୍ଦରାଓ ଗାନ୍ଧେୱାରଙ୍କ ଘରେ ଆମେ ଲୀଲାବାଇଙ୍କୁ ଭେଟିଲୁ । ଏ ବର୍ଷ ମେ ମାସ ୨୦ ତାରିଖରେ ଲଳିତାଙ୍କ ସ୍ୱାମୀ ନାମଦେଓ ଆତ୍ମହତ୍ୟା କରିଥିଲେ । ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟାର ଭୟାନକ ସଂଖ୍ୟାରେ ଆଉ ଏକ ଅଙ୍କ ଯୋଡ଼ି ହୋଇଯାଇଥିଲା । (ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅନୁସାରେ, ଗତ ବର୍ଷ ପାଇଁ ଏହି ସଂଖ୍ୟା ୩,୭୮୬ରୁ କମ୍ ନୁହେଁ ।) ଆଶାନା ମଧ୍ୟ ଗାନ୍ଧେୱାରଙ୍କ ଘରେ ଥିଲେ ।
ନାମଦେଓଙ୍କ ଆତ୍ମହତ୍ୟାର କାରଣ ସଂପର୍କରେ ଲଳିତାଙ୍କ ସହ କଥା ହେଲା ପରେ ଆମେ କିମ୍ବଦନ୍ତୀ କୃଷକ ଆଶାନାଙ୍କ ସହ କଥାବାର୍ତ୍ତା କଲୁ । ଅନ୍ଧାରୁଆ ଘର ଭିତରେ, ପାଖ କୋଠରିର ଚଟାଣରେ ଲୀଲାବାଇ ବସିଥିଲେ। ତେଣୁ ତାଙ୍କୁ ମଧ୍ୟ ଆମେ ଦେଖିପାରୁ ନଥିଲୁ । କିନ୍ତୁ ସେ ତାଙ୍କ କଥା ଶୁଣାଉଥିଲେ, ମଝିରେ ମଝିରେ ଆମ ଅଜ୍ଞତାକୁ ସହଜରେ ସୁଧାରି ନେଉଥିଲେ ।
ଚାଷଜମିରେ
“ଯେତେ ଶୀଘ୍ର ସମ୍ଭବ ଆମେ ଆହୁରି ପ୍ରଭାବଶାଳୀ ଢଙ୍ଗରେ ଚାଷ କରିବା ଦରକାର । ଚାଷବାସର ଖର୍ଚ୍ଚ ଏବଂ ଆମ ଫସଲ ପାଇଁ ଉପଯୁକ୍ତ ମୂଲ୍ୟର ଅଭାବ- ଆମକୁ ବରବାଦ କରୁଛି ।”
ପରେ, ସେମାନଙ୍କ ନିଜ ଘରେ ଆମକୁ ତାଙ୍କ ନିଜକଥା କହିଲେ ଲୀଲାବାଇ ।
“ପ୍ରଥମ କରି ଆମେ ଯେତେବେଳେ ଚାଷକାମ ଆରମ୍ଭ କଲୁ, କେତେକ ଜାଗାରେ ୧୦,୦୦୦ ଟଙ୍କାରେ ୪୦ ଏକର ଜମି କିଣିବା ସମ୍ଭବ ହେଉଥିଲା । ଆଜି ଆପଣ ଯେଉଁଠିକୁ ଯାଆନ୍ତୁ ନା କାହିଁକି ୪୦,୦୦୦ ଟଙ୍କାରେ ଗୋଟିଏ ଏକର ପାଇବେନି ।”
“ଆଜିକାଲି ଆମେ ଯେଉଁ ସାମଗ୍ରୀ ସବୁ ଉପଯୋଗ କରୁଛୁ ସେଥିରେ ବହୁ ଗୁରୁତର ସମସ୍ୟା ରହିଛି । ଉଦାହରଣତଃ, ଅନାବନା ଘାସ ନଷ୍ଟ କରିବାକୁ ଥିବା ଔଷଧ ଘାସ ବଢ଼ିବାକୁ ରୋକୁନାହିଁ, ଗଛ ଓ ମାଟିର କ୍ଷତି କରୁଛି । ଏହା ସହିତ ଅନ୍ୟ ରାସାୟନିକ ଦ୍ରବ୍ୟ ସବୁ ମାଟିର ଉର୍ବରତା କ୍ଷୟ କରୁଛନ୍ତି। ମାଟିକୁ ଆମେ ନଷ୍ଟ କରିଦେଉଛୁ ।
“ଦଶ ବର୍ଷ ତଳେ, ଆମେ ଖୁବ୍ କମ୍ କୀଟନାଶକ ବ୍ୟବହାର କରୁଥିଲୁ । ଏବେ, ଯଦିଓ ବେଶୀ ଅମଳ ହେଉଛି, ଲାଭ କମ୍ ମିଳୁଛି ।
“ଆମେ ଯାହା କରୁଛୁ, ସେଥିରେ ବହୁତ କିଛି ବଦଳାଇବା ଦରକାର । ତା’ ନହେଲେ ଆମେ କୃଷିକୁ ନଷ୍ଟ କରିଦେବା ।”


