ମିନାକ୍ଷୀ କହିଲେ, ‘‘ତୁମକୁ ୩,୦୦୦ ଥର ପିଟିବାକୁ ପଡ଼ିବ। ଏହା କରିବାକୁ ହିଁ ସେ ପ୍ରସ୍ତୁତ ହେଉଥିଲେ। ଏହା ପୋଡ଼ା ଯାଇନଥିବା ଏକ ମାଟିପାତ୍ର ଯାହା ଅନ୍ୟ ରନ୍ଧନ ପାତ୍ର ଭଳି ଦେଖାଯାଉଛି। ସେ ଏହାକୁ ମାଟିରେ ନିର୍ମିତ ଏକ ବାଦ୍ୟଯନ୍ତ୍ରର ରୂପ ଦେବେ। ଏହାକୁ କୋଳ ଉପରେ ରଖି ତାର ଉଭୟ ପାର୍ଶ୍ୱକୁ ଏକ ବଡ଼ କାଠ ଖଣ୍ଡ ସାହାଯ୍ୟରେ ପିଟିବାକୁ ଲାଗିଲେ। ସଂପୂର୍ଣ୍ଣ ହେଲେ ଏହି ପାତ୍ରଟି ଘଟମ ହେବ। ଘଟମ ଏକ ବାଦ୍ୟଯନ୍ତ୍ର ଯାହା ଦକ୍ଷିଣ ଭାରତର କର୍ଣ୍ଣାଟକୀ ଧୁନ୍ରେ ବ୍ୟବହୃତ ହୁଏ। ମିନାକ୍ଷୀ କେଶବନ ହେଉଛନ୍ତି ଜଣେ ଦକ୍ଷ ଘଟମ୍ କାରିଗର। କେବଳ ୬୩ ବର୍ଷୀୟ ଏହି ମହିଳା ଏବଂ ତାଙ୍କ ପରିବାର ମନମଦୁରାଇରେ ଏକ ସ୍ୱତନ୍ତ୍ର ପ୍ରକାର ଘଟମ ତିଆରି କରନ୍ତି।
ଘଟମ ପାଇଁ ମିନାକ୍ଷୀଙ୍କ ସହର ମନମଦୁରାଇ ବେଶ ପ୍ରସିଦ୍ଧ। ତାମିଲନାଡ଼ୁର ମଦୁରାଇଠାରୁ ମନମଦୁରାଇର ଦୂରତା ଏକ ଘଣ୍ଟାର ବାଟ। ୧୫ ବର୍ଷ ବୟସରେ ‘‘ଯେଉଁ ପରିବାରରେ ମୋର ବାହାଘର ହେଲା ସେହି ପରିବାର ଅତି କମରେ ଚାରି ପୁରୁଷ ଧରି ଏହି ବାଜା ତିଆରି କରିଛନ୍ତି। ’’ ସେ ଏହି କାମ ତାଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କଠାରୁ ଶିଖିଛନ୍ତି। ତାଙ୍କ ପୁଅ ରମେଶ କହିଲେ, ‘‘ଏଥିରେ ପୋଖତ ହେବାକୁ ୬ ବର୍ଷ ଲାଗିବ।’’ ଏହା ହିଁ ସବୁଠୁ ଶୀଘ୍ର। ‘‘ଯଦି ପାରଂପରିକ ଭାବେ ଆପଣ ମାଟି କାରିଗର ହୋଇ ନଥିବେ ତେବେ ଆହୁରି ଅଧିକ ସମୟ ଲାଗିବ।’’
ମିନାକ୍ଷୀ କହିଲେ, ‘‘କୁଶଳ କାର୍ଯ୍ୟଟି ହେଉଛି ଘଟମ କୁ ଟେମ୍ପର ଦେଇ ତାର ସ୍ୱରକୁ ଉଚ୍ଚା କରିବା’’ । ସେ ଡାହଣ ହାତରେ ଘଟମକୁ ଘୂରାଉଥିଲେ। ବାଁ ହାତରେ ଗୋଟିଏ ଗୋଲାକାର ପଥର ଧରି ପାତ୍ର ଭିତରେ ବୁଲାଉଥିଲେ। ସେ କହିଲେ, ‘‘ଯେପରି ଏହାର କାନ୍ଥ ଭାଂଗି ନଯାଏ ତାକୁ ଦୃଷ୍ଟି ଦେବାକୁ ହୁଏ ଏବଂ ଏହାକୁ ଚିକ୍କଣ କରିବାକୁ ହୁଏ। ’’ ସେ କିଛି ସମୟ ପାଇଁ ବିଶ୍ରାମ ଦେଲେ। କାଦୁଅକୁ ଆକୃତି ଦେବାର ଚାରି ଦଶନ୍ଧି ପରେ ଏବେ ତାଙ୍କ ହାତରେ ସବୁବେଳେ ଯନ୍ତ୍ରଣା ଅନୁଭବ ହେଉଛି। ଅବଶ ହୋଇପଡ଼ିଥିବା କାନ୍ଧ ପାଖରୁ ଯନ୍ତ୍ରଣା କିଭଳି ଆଙ୍ଗୁଠିର ଅଗ୍ରଭାଗ ପର୍ଯ୍ୟନ୍ତ ଓହ୍ଲାଇ ଆସେ ସେ କଥା ସେ ବର୍ଣ୍ଣନା କଲେ। କିନ୍ତୁ ଗୋଟିଏ ମିନିଟ୍ ପରେ ସେ ପୁଣି କୋଳ ଉପରେ ପାତ୍ରଟି ରଖି କାଠ ଏବଂ ପଥର ଖଣ୍ଡକ ଧରିଲେ। ପୁଣି ବାଡ଼େଇବା ଆରମ୍ଭ ହୋଇଗଲା।







