ଲମ୍ବା ଲମ୍ବା ଘାସ ଏବଂ ଅନେକଗୁଡ଼ିଏ ଗଛ ଥିବା ପଡ଼ିଆଟିରେ ଆମେ ପାଖାପାଖି ଘଣ୍ଟାଏ ବିତାଇ ଦେଇଥିଲୁ । ତା’ ବି ଏକ ବଣୁଆ ଦନ୍ତା ହାତୀ ସାଙ୍ଗରେ, ଯାହାକୁ କି ଆମେ ଦେଖିପାରି ନଥିଲୁ। କେରଳର ଅତ୍ୟନ୍ତ ଦୁର୍ଗମ ପଞ୍ଚାୟତ ଏଡ଼ାମାଲାକୁଡ଼ିକୁ ବୁଲି ଯାଇଥିବା ଆମର ଏହି ଆଠ ଜଣିଆ ଅଭିଯାତ୍ରୀ ଦଳ କିଛି ହେଲେ ଦେଖିପାରି ନଥିଲା। ଅନ୍ୟ ସମସ୍ତେ ତା’ର ଗତିବିଧିକୁ ସ୍ପଷ୍ଟ ଭାବରେ ଅନୁସରଣ କରିବା ଭଳି ଲାଗୁଥିଲା । ଆମ ଆଖି ଉହାଡ଼ରେ ଥିବା ଗାଁଲୋକମାନେ ଆନାଇ (ହାତୀ) ବୋଲି ପାଟି କରୁଥିବା ଆମେ ଶୁଣିପାରୁଥିଲୁ । ଆଖପାଖ ପଲ୍ଲୀରୁ କେତେକ ଲୋକଙ୍କ କଣ୍ଠସ୍ୱର ଶୁଭୁଥିଲା । କେହି ହେଲେ ପାଣି ପାଖକୁ ଯାଅ ନାହିଁ ବୋଲି ଆମ ସମସ୍ତଙ୍କୁ ପରାମର୍ଶ ଦିଆଯାଉଥିଲା । ଆମେ ସୋସାଇଟିକୁଡ଼ିରୁ ଫେରୁଥିଲୁ ଏବଂ ସେଠାକୁ ଯାଉଥିବା ଯେଉଁ ଆଦିବାସୀମାନଙ୍କ ସହ ରାସ୍ତାରେ ଆମର ଭେଟ ହେଲା ସେମାନେ କହିଲେ, “ସେ ନଈ ପାଖାପାଖି ଅଛି । ଦେଖିଚାହିଁ ଯିବେ ।”
ଏଥିରେ ଆଶ୍ୱସ୍ତ ହେବାର କିଛି ନଥିଲା । କାହିଁକି ନା, ଠିକ୍ ସେଇ ସମୟରେ ଆମେ ମାନାଲାର ନଦୀ ପାର ହେବାକୁ ଚେଷ୍ଟା କରୁଥିଲୁ । ନଈ ଉପରେ ଥିଲା ବାଉଁଶ, ଗଛ ଡାଳ, ଲତା, ରସି ଏବଂ ଅଦରକାରୀ କାଠଖଣ୍ଡରେ ତିଆରି ଏକ ‘ଜୀଅନ୍ତା ପୋଲ’ । ହେଲେ ସେଇଟା ବି ଭାଙ୍ଗିରୁଜି ଯାଇଥିଲା ଏବଂ କେବଳ ବର୍ଷାଦିନେ ବ୍ୟବହାର କରିହେଉଥିଲା । ଆମେ ପଛକୁ ଫେରି ପାଖରେ ଥିବା ପଡ଼ିଆକୁ ଆସିଲୁ । କଣ୍ଠସ୍ୱର ଅବିରତ ଶୁଭୁଥିଲା । ଆମ ସହିତ ଥିଲେ ‘ଜଙ୍ଗଲ ଜଗୁଆଳି’ ଅଚ୍ୟୁତନ୍ ଏମ୍ । ସେ ନିଜେ ଜଣେ ମୁଥାବନ ଆଦିବାସୀ ଏବଂ ଲାଗୁଥିଲା, ଦନ୍ତାହାତୀଟିର ଅବସ୍ଥାନ ସଂପର୍କରେ ତାଙ୍କର ସ୍ପଷ୍ଟ ଧାରଣା ରହିଛି । ହୁଏତ ଦୂରରେ ଥିବା ଲୋକମାନେ ଗଛ ଉପର ମଞ୍ଚାଗୁଡ଼ିକରେ ରହିଥିଲେ । ପୂର୍ବ ଦିନ ଯିବା ବାଟରେ ଆମେ ଏହି ମଞ୍ଚାଗୁଡ଼ିକୁ ଦେଖିଥିଲୁ । ବୋଧହୁଏ ଏମିତି ହିଁ ସେମାନେ ହାତୀର ଗତିବିଧି ଉପରେ ନଜର ରଖନ୍ତି । ଦନ୍ତାହାତୀଟିଏଏକୁଟିଆ ବୁଲିବା ଆଦୌ ଭଲ ଖବର ନୁହେଁ । ହୁଏତ ଏମିତି ହୋଇପାରେ ଯେ ସେ ମସ୍ତ ଅବସ୍ଥାରେ ଥିଲା ଏବଂ ଏଥିରେ ଚିଡ଼ିଯାଇ ଅନ୍ୟ ହାତୀମାନେ ତାକୁ ଦଳରୁ ତଡ଼ି ଦେଇଛନ୍ତି।
ଠିକ୍ ଏଇ ସମୟରେ ହିଁ ଆପଣଙ୍କର ହାତୀ ସଂପର୍କିତ ବାଜେ କଥା ସବୁ ମନେ ପଡ଼େ । ମନେ ପଡ଼େ ଯେ ମସ୍ତ ଅବସ୍ଥାରେ ଥିବା ଦନ୍ତାହାତୀର ଟେଷ୍ଟୋଷ୍ଟେରନ୍ ସ୍ତର ସ୍ୱାଭାବିକ ସ୍ତର ତୁଳନାରେ ୬୦ ଗୁଣ ଅଧିକ ହୋଇପାରେ ଏବଂ ହୁଏତ ସେ ଲଢ଼େଇ କରିବାକୁ ମାତିଥାଏ । ଆମ ଭିତରୁ କେହି ହେଲେ ତା ସହ ଲଢ଼ିବାକୁ ଇଚ୍ଛା କରୁ ନଥିଲେ (ଆମ ଟେଷ୍ଟୋଷ୍ଟେରନ୍ ସ୍ତର ଏତେ ଉପରକୁ ଯାଇ ନଥିଲା) ଏବଂ ଆମେ ଗୋଟିଏ ଗଛ ତଳର ଛାଇକୁ ଫେରି ଆସିଲୁ । ଯେତେବେଳେ ବି ଗଛ ଭିତର ଦେଇ କିଛି ହଲଚଲ ହେଉଥିଲା, ଆମେ ଭାବୁଥିଲୁ:ଏ କ’ଣ ‘ଜଙ୍ଗଲ ଜଗୁଆଳି’? ନା ଦନ୍ତାହାତୀ ? ସେଇ ଘଡ଼ିକ ପାଇଁ ଇଡୁକି ବନାଞ୍ଚଳର ସୌନ୍ଦର୍ଯ୍ୟ ଉପଭୋଗ କଥାକୁ ଆମେ ଭୁଲିଯାଇଥିଲୁ ।
ଶିକ୍ଷା ପାଇଲୁ: ଅଜଣା ଅଞ୍ଚଳରେ ‘ସର୍ଟ-କଟ୍’ ଉପରେ ଭରସା କରିବା କଥା ନୁହେଁ । ଏହା ଦୁର୍ଯୋଗକୁ ଡାକି ଆଣେ ।




