ଶେଷଥର ପାଇଁ ଉଷାଦେବୀ ଯେତେବେଳେ ଧର୍ମେନ୍ଦ୍ର ରାମଙ୍କୁ ଦେଖିଥିଲେ, ସେତେବେଳେ ସେ ତାଙ୍କର ଅତି ରୋଗୀଣା ଚେହେରାର ଶୁଷ୍କ ଅବଶେଷ ମାତ୍ର ଥିଲେ। ଉଷାଦେବୀ କୁହନ୍ତି, "ସେ କ୍ଷୀଣଭାବରେ କାନ୍ଦିଲେ, ଧଇଁସଇଁ ହେଲେ ଏବଂ ଶେଷରେ ଚୁପ୍ ହୋଇଗଲେ।"
ଏହିପରି ଭାବରେ ଉଷାଙ୍କ ୨୮ ବର୍ଷ ବୟସ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଲା। ବିନା ରାସନ୍କାର୍ଡରେ ସେ ରୋଗ ଓ ଭୋକରେ ମୃତ୍ୟୁବରଣ କଲେ। ଧର୍ମେନ୍ଦ୍ର ରାମଙ୍କର ସବୁଠାରୁ ଦରକାରୀ ଆଧାର କାର୍ଡ ଥିଲା ଯାହା ରାସନ ଦୋକାନରେ ତାଙ୍କ ପରିଚୟ ପ୍ରମାଣିତ କରିପାରିଥାନ୍ତି। ମାତ୍ର ପ୍ରକୃତ ରାସନ୍ କାର୍ଡ ନଥିବାରୁ ଏହା ଅଦରକାରୀ ହୋଇଗଲା।
୨୦୧୬ ଅଗଷ୍ଟରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଆହ୍ଲାବାଦର ମୌଏମା ବ୍ଲକରେ ଥିବା ତାଙ୍କ ଗାଁ ଧରୌତା ପ୍ରତି ଅନେକ ପର୍ଯ୍ୟଟକଙ୍କୁ ଓ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଗ୍ରାମ ଉନ୍ନୟନ ଅଧିକାରୀ ଓ ଲୋକପାଳ (ଗ୍ରାମ କୋଷାଧ୍ୟକ୍ଷ) ନିଲମ୍ବିତ ହେଲେ। ଅନେକ ପ୍ରକାର ସହାୟତା ଘୋଷିତ ହେଲା (ଏ ମଧ୍ୟରେ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ୩୦,୦୦୦ ଟଙ୍କା ଓ ପାଞ୍ଚ ବିଶ୍ୱା ବା ୫୭୦ ବର୍ଗ ମିଟର ଚାଷଜମି)। ସ୍ଥାନୀୟ ରାଜନେତାମାନେ ମାତ୍ର ୫୦୦ ଘର ଥିବା ଏହି ଗାଁକୁ ଧାଇଁଲେ। ଧର୍ମେନ୍ଦ୍ରଙ୍କ ପତ୍ନୀ ହଠାତ୍ ୫୦୦ ଟଙ୍କାର ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ଭତ୍ତା ପାଇଁ ଯୋଗ୍ୟା ହୋଇଗଲେ।
ଠିକ୍ ଭାବରେ ଶୁଣି ପାରୁନଥିବା ଉଷା ଆଂଶିକ ଦୃଷ୍ଟିହୀନ। ତାଙ୍କ ଡାହାଣ ଗୋଡ଼ ବାମ ଗୋଡ଼ ଅପେକ୍ଷା ଛୋଟ। ସେ ବି ମନେପକେଇ ପାରିଲେନି ହଠାତ୍ ଏସବୁ ଭିନ୍ନକ୍ଷମତା ଜଣାପଡ଼ିଗଲା କେମିତି। ତାଙ୍କର ଏତିକି ମନେ ଅଛି, ସେ ଜଣେ ଅଧିକାରୀ (ବଡ଼ ସାହେବ୍) ଙ୍କ ଗୋଡ଼ ତଳେ ପଡ଼ି କହିଥିଲେ, "କିଛି ତ ସାହାଯ୍ୟ କରନ୍ତୁ।"








