ଭୀମା ସୋଦି କହନ୍ତି, “ଆମେ କେବେ ବି ଫେରିବୁ ନାହିଁ, ଶାନ୍ତିରେ ବଞ୍ଚିବା ପାଇଁ ଆମେ ଗାଁ ଛାଡିଦେଲୁ। କାରଣ ଆମର ପୈତୃକ ଗାଁରେ ଉଭୟ ଜଙ୍ଗଲୱାଲେ(ନକ୍ସଲବାଦୀ) ଏବଂ ଜୁଡୁମୱାଲେ(ସଲୱାଜୁଡୁମ ବାହିନୀ) ଆମକୁ ହଇରାଣ କରୁଥିଲେ। ”
ସୋୟମ ଲିଙ୍ଗମା କହନ୍ତି, “ସେ ମଧ୍ୟ ଛତିଶଗଡ ଦାନ୍ତେୱାଡାରେ ସ୍ଥିତ ତାଙ୍କ ଗାଁ ଭଣ୍ଡାରେପଦରକୁ କେବେ ବି ଫେରିବେ ନାହିଁ। ଆମେ ସେଠାରୁ ପଳାଇ ଆସିଛୁ...” ସେ ଏବଂ ଭୀମା ଛତିଶଗଡରୁ ପଳାଇ ଆସିଥିବା ସେହି ୨୭ଟି ପରିବାର ମଧ୍ୟରେ ଅଛନ୍ତି, ଯେଉଁମାନେ ଏବେ ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲା ବୁରଗାମପାଡୁ ମଣ୍ଡଳ ଅଧୀନ ଚିପ୍ରୁପାଡୁରେ ରହୁଛନ୍ତି।
ଏହା ହେଉଛି ଆନ୍ଧ୍ରପ୍ରଦେଶର ପୂର୍ବ ଓ ପଶ୍ଚିମ ଗୋଦାବରୀ ଜିଲ୍ଲା ଏବଂ ତେଲେଙ୍ଗାନାର ଖାମାମ ଓ ୱାରାଙ୍ଗାଲ ଜିଲ୍ଲାରେ ଅନ୍ତରୀଣ ଭାବେ ସ୍ଥାନାନ୍ତର ହୋଇଥିବା ଲୋକଙ୍କୁ ଥଇଥାନ ପାଇଁ ସ୍ଥାପିତ ବସ୍ତି ଗୁଡିକ ମଧ୍ୟରୁ ଗୋଟିଏ।
ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ରହିଛି ହିଂସାତ୍ମକ କାହାଣୀ। ସୁକମା ଜିଲ୍ଲା କୋନ୍ତା ମଣ୍ଡଳ ତାଡମେଟଲା ଗାଁର ବାସିନ୍ଦା ୩୦ ବର୍ଷୀୟ ରବି ସୋଦି କହନ୍ତି, “ଆମ ଘର ଉପରେ ଆକ୍ରମଣ ହେବାରୁ ୨୦୦୫ରେ ଆମେ ଘର ଛାଡିଦେଲୁ। ଗାଁର ସବୁ ଲୋକ ଜଙ୍ଗଲକୁ ପଳାଇଗଲେ। କିନ୍ତୁ ୩୦ ବର୍ଷ ବୟସ୍କ ମୋର କକା ଭିତରେ ରହିଗଲେ। ତାଙ୍କୁ ଧରି ହତ୍ୟା କଲେ ଓ ପୁରା ଗାଁରେ ନିଆଁ ଲଗାଇଦେଲେ। ଭୟରେ ଆମେ ଗାଁ ଛାଡି ଏଠାକୁ ପଳାଇଆସିଲୁ। ସୋଦି ଏବେ ଖାମ୍ମାମ ଜିଲ୍ଲାର ଚିନ୍ତାଲାପାଡୁ ଗାଁରେ ରହୁଛନ୍ତି।”







