ପ୍ରସ୍ତୁତି ପ୍ରଣାଳୀ: ଗୋଟିଏ ପରିତ୍ୟକ୍ତ ଡିଜେଲ ପମ୍ପ ନିଅନ୍ତୁ । ସେଥିରେ ଗୋଟିଏ ଅକାମୀ ଟ୍ରାକ୍ଟରର ଚାରିଟି ଏବଂ ବିଗତ ବିଶ୍ୱଯୁଦ୍ଧରେ ପ୍ରାଣତ୍ୟାଗ କରିଥିବା ଗୋଟିଏ ଜୀପ୍ର ଦୁଇଟି ଯନ୍ତ୍ରାଂଶ ସହିତ ଗୋଟିଏ ବଳଦଗାଡ଼ିର କାଠଖଣ୍ଡଗୁଡ଼ିକୁ ଆବଶ୍ୟକତା ଅନୁସାରେ ଭଲ ଭାବରେ ମିଶାନ୍ତୁ। କେତେକ ବାଉଁଶ ଖୁଣ୍ଟ, କିଛି ରସି ଓ ବଡ଼ ଖଣ୍ଡେଦରି କପଡ଼ା ମିଶିଲେ ଏକ ସ୍ୱତନ୍ତ୍ର ସ୍ୱାଦର ଅନୁଭୂତି ମିଳେ । ତା’ପରେ ଚକଗୁଡ଼ିକୁ ତଳେ ପକାଇ ଦେଖନ୍ତୁ । କିଛିଟା ଭିନ୍ନ ଭିନ୍ନ ଆକାରର ହୋଇଥିଲେ ବି ଚିନ୍ତା କରନ୍ତୁନି, ଯେ କୌଣସି ଚାରିଟି ଚକ ଖୁବ୍ ଭଲ କାମ ଦେବ। ଅନ୍ୟାନ୍ୟ ସାମଗ୍ରୀ ସବୁ ମାଗଣାରେ ଉପଲବ୍ଧ ଏବଂ ଯେତେବେଳେ ଇଚ୍ଛା ନେଇ ଲଗାଇ ହେବ । ଏବେ ଯୁଗାଡ଼ ମାନେ ଏ ସବୁ ଜିନିଷକୁ ଯେ କୌଣସି ଆକୃତିରେ ଯୋଡ଼ନ୍ତୁ ବା ଲଗାନ୍ତୁ । ଯେ କୌଣସି ଆକୃତି ।
ଏବେ ଆପଣ ଗାଡ଼ି ଚଲେଇବାକୁ ପ୍ରସ୍ତୁତ । ଭିଣ୍ଡ-ମୋରେନା (ମଧ୍ୟ ପ୍ରଦେଶ)ରେ, ବୁନ୍ଦେଲଖଣ୍ଡରେ, ରାଜସ୍ଥାନର କେତେକ ସ୍ଥାନରେ ମଧ୍ୟ । କିନ୍ତୁ ହରିୟାଣାରେ ନୁହେଁ ।
ଭାରତୀୟ ପ୍ରଯୁକ୍ତି ବିଦ୍ୟା ଜଗତର ପ୍ରତିଭାଶାଳୀ ବ୍ୟକ୍ତିଙ୍କ ପାଇଁ ଏହା ଏକ କୀର୍ତ୍ତିସ୍ତମ୍ଭ । ଆପଣ ହୁଏତ ବିଶ୍ୱାସ କରିପାରିବେନି ଯେ ସେମାନେ ଏହାକୁ ଚଳନଯୋଗ୍ୟ କରିପାରନ୍ତି ବୋଲି, କିନ୍ତୁ ଏହା ଚାଲେ । ମୁଁ ବି ଏକ ଯୁଗାଡ଼ର ଉପଯୋଗ କରିଛି ଏବଂ ଏହା ମୋ ପାଇଁ ବି କାମରେ ଲାଗିଛି । ଯେମିତିକି ଏହା ଅନେକଙ୍କ କାମରେ ଲାଗେ, ଅନ୍ୟ ଅନେକ ଭାରତୀୟଙ୍କ କାମରେ । ବର୍ଜ୍ୟବସ୍ତୁର ପୁନର୍ବିନିଯୋଗ କ୍ଷେତ୍ରରେ ଏହା ଏକ ଚମତ୍କାରିତା । ଏକଦା ‘ଡିଜେଲ ଇଞ୍ଜିନ୍’ଟି ଜଳସେଚନ ପମ୍ପ୍ ଚଳାଇବାରେ ଲାଗୁଥିଲା । ଏହାକୁ ଏକାଠି କରି ଯୋଡ଼ିବା ବାବଦ ଖର୍ଚ୍ଚ ଖୁବ୍ କମ୍ । ମାତ୍ର କେଇ ହଜାର ଟଙ୍କା । ବେଳେବେଳେ ୨୦,୦୦୦ ଟଙ୍କା । ଏହାଠୁ କମ୍ରେ ମଧ୍ୟ ହୋଇଯାଏ ବୋଲି ମୁଁ ଶୁଣିଛି । ଏହାର ଗତି ଧୀର, କିନ୍ତୁ ଏହା କାମରେ ଲାଗେ । ଚାଷୀମାନେ ସେମାନଙ୍କ ଫସଲକୁ ଏଥିରେ ବୋଝେଇ କରି ବଜାରକୁ ଆଣନ୍ତି । ପୁଣି ଘରକୁ ଜିନିଷପତ୍ର ମଧ୍ୟ ବୋହି ନିଅନ୍ତି । ସୀମାନ୍ତବର୍ତ୍ତୀ ଗାଁରେ ରହୁଥିବା ଲୋକେ ପାଖ ସହରକୁ ଯିବା ଲାଗି ଏହାକୁ ବ୍ୟବହାର କରନ୍ତି । ସ୍କୁଲ୍ ପିଲାମାନେ ଏହାକୁ ବସ୍ ଭଳି କାମରେ ଲଗାନ୍ତି । ମୋରେନାର (ଯେଉଁଠି ଏହି ଫଟୋ ଉଠାଯାଇଥିଲା) ଲୋକଙ୍କ ପାଇଁ ଏହା ସାଧାରଣ ପରିବହନ ବ୍ୟବସ୍ଥାର ଏକ ରୂପ । ଏଥିରେ ଲାଗିଥିବା ଚକଗୁଡ଼ିକ କୌଣସି ଏକ ବାୟୁ ସେନା ଘାଟିର ଅଳିଆଗଦାରୁ ଆସିଥିବା ଭଳି ମନେହୁଏ ।




