ଭାମାବାଈ ନିଜ ଦୋକାନରେ ଏକ ଚପଲ ମରାମତି କରୁଥଲେ। ତାଙ୍କ ସାମ୍ନାରେ ଚଟାଣରେ ମୋଚିମାନଙ୍କ ଲୁହାର ନେହି ଥିଲା। ଗୋଟିଏ ଚାରିକଣିଆ କାଠ ମୁଣ୍ଡାରେ ଭାର ଦେଇ ସେ ଖୋଲା ସ୍ଲିପରକୁ ନିଜ ବୁଢ଼ା ଆଙ୍ଗୁଠିର ଧାରରେ ଧରି ରଖିଲେ। ଏହା ପରେ ସେ ଛୁଞ୍ଚି ଭର୍ତ୍ତି କଲେ ଏବଂ ସୂତାରେ ଗଣ୍ଠି ପକାଇ ଏହାକୁ ବାହାର କରି ଆଣିଲେ। ଛଅଥର ସିଲେଇରେ ଛିଣ୍ଡା ଷ୍ଟ୍ରାପ୍ ଲାଗିଗଲା- ସେ ୫ଟଙ୍କା ରୋଜଗାର କଲେ।


Pune, Maharashtra
|FRI, APR 26, 2019
‘ଯାହା ଭାଙ୍ଗିଯାଏ ମୁଁ ସଜାଡ଼ି ଦିଏ’
ପୁନେରେ ଜଣେ ମହିଳା ଚମଡ଼ା କର୍ମୀ ଏକ ଭଙ୍ଗା ଜୀବନକୁ ଏକାଠି ସିଲେଇ କରିବାକୁ ଚେଷ୍ଟା କରୁଛନ୍ତି।
Author
Translator

Namita Waikar
ପେନୁରି ନିକଟରେ ରହୁଥବା ଭାମାବାଈ ମାସ୍ତୁଦକୁ ଭେଟନ୍ତୁ। ସେ ଜଣେ ଚମଡ଼ା କର୍ମୀ, ସାଧାରଣ ଭାବେ ମୋଚି କୁହାଯାଏ। ଦଶବର୍ଷ ତଳେ ସେ ଏବଂ ତାଙ୍କ ସ୍ୱାମୀ ମରାଠାୱାଡ଼ା ଅଞ୍ଚଳର ଓସମାନାବାଦ ଜିଲ୍ଲାର ଭୂମିହୀନ ଶ୍ରମିକ ଥିଲେ। ଯେତେବେଳେ ୧୯୭୨ ମସିହାର ବିଶାଳ ଦୁର୍ଭିକ୍ଷ ମହାରାଷ୍ଟ୍ରକୁ ଛିନ୍ନଭିନ୍ନ କରିଦେଲା, କୃଷି କାର୍ଯ୍ୟ ନଷ୍ଟ କରିଦେଲା ଏବଂ ସେମାନଙ୍କ ଜୀବିକା ଶୁଷ୍କ କରିଦେଲା, ଉଭୟେ ପୁନେ ଚାଲି ଆସିଲେ।
ସେମାନଙ୍କୁ ମିଳୁଥବା ସମସ୍ତ କାମ ସେମାନେ ଗ୍ରହଣ କଲେ, ରାସ୍ତା ହେଉ କିମ୍ବା ଗୃହ ନିର୍ମାଣ ହେଉ। ସେ ସମୟରେ ପୁନେରେ ଦୁଇଜଣଙ୍କ ପାଇଁ ଗୋଟିଏ ଦିନର ମଜୁରୀ ଥିଲା ୫ଟଙ୍କା। ଭାମାବାଈ କୁହନ୍ତି, ‘‘ମୁଁ ଯାହା ରୋଜଗାର କରୁଥିଲି ସ୍ୱାମୀଙ୍କୁ ଦେଉଥିଲି। ସେ ମଦ ପିଉଥଲେ ଏବଂ ମତେ ପିଟୁଥିଲା।’’ ଭାମାବାଈଙ୍କ ବୟସ ଏବେ ପାଖାପାଖି ୭୦। ସ୍ୱାମୀ କ୍ରମଶଃ ତାଙ୍କୁ ଛାଡ଼ିଦେଲେ ଏବଂ ଏବେ ତା’ର ଅନ୍ୟସ୍ତ୍ରୀ ଏବଂ ପିଲାମାନଙ୍କ ସହ ପୁନେରେ ରହୁଛନ୍ତି। ସେ କୁହନ୍ତି ମୋ ପାଇଁ ସେ ମରିବା ସହ ସମାନ। ସେ ଛାଡ଼ିଥବା ୩୫ ବର୍ଷ ହୋଇଗଲାଣି।’’ ଭାମାବାଈଙ୍କର ଦୁଇଟି ସନ୍ତାନ ଜନ୍ମ ସମୟରେ ହିଁ ମୃତ୍ୟୁବରଣ କରିଥିଲେ। ସେ କୁହନ୍ତି, ‘‘ମୋ ସହିତ କେହି ନାହାନ୍ତି। ମୋର କୌଣସି ସାହାରା ନାହିଁ।’’
ତାଙ୍କ ସ୍ୱାମୀ ଚାଲିଯିବା ପରେ ଭାମାବାଈ ଚପଲ ମରାମତି ପାଇଁ ଏକ ଛୋଟ ଦୋକାନ ଦେଲେ।, ଏହି କୌଶଳ ସେ ତାଙ୍କ ବାପାଙ୍କଠାରୁ ଶିଖିଥଲେ। ଦୋକାନଟି ପୁନେର କାର୍ବେ ରୋଡ଼ରେ ଏକ ହାଉସିଂ କଲୋନୀ ସହ ସଂଯୁକ୍ତ ଛୋଟ ଗଳି ମୁଣ୍ଡରେ ଅଛି। ‘‘ଏହା ମ୍ୟୁନିସିପାଲିଟି କର୍ମୀଙ୍କ ଦ୍ୱାରା ଭଙ୍ଗା ଗଲା, ତେଣୁ ମୁଁ ପୁଣି ତିଆରି କଲି। ସେମାନେ ଏହାକୁ ପୁଣିଥରେ ଭାଙ୍ଗିଲେ।’’
ହତାଶ ହୋଇ ଭାମାବାଈ କଲୋନୀବାସିନ୍ଦାମାନଙ୍କୁ ସାହାଯ୍ୟ ମାଗିଲେ। ‘‘ମୁଁ ସେମାନଙ୍କୁ କହିଲି- ମୋର ଯିବାକୁ କୌଣସି ସ୍ଥାନ ନାହିଁ, କରିବା ପାଇଁ ବି ଅନ୍ୟ କିଛି ନାହିଁ।’’ ସେମାନେ ସାହାଯ୍ୟ କଲେ, ମ୍ୟୁନିସିପାଲ କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କଲେ ଏବଂ ସେ ସେହିଠାରେ କାମ କରିବା ଅବ୍ୟାହତ ରହିଲା।

Namita Waikar
ସେ କୁହନ୍ତି ଜୀବନ କଷ୍ଟକର, ‘‘ଯଦି ମୁଁ ଗୋଟିଏ ଗ୍ରାହକ ପାଏ, ପାଞ୍ଚ କିମ୍ବା ଦଶଟଙ୍କା ପାଏ। ଯଦି କେହି ନ ଆସନ୍ତି ମୁଁ କେବଳ ସନ୍ଧ୍ୟା ପର୍ଯ୍ୟନ୍ତ ବସି ରହେ। ଏହା ପରେ ମୁଁ ଘରକୁ ଯାଏ। ବର୍ତ୍ତମାନ ଏହା ମୋର ଜୀବନ। କେତେକ ଦିନ ମୁଁ ତିରିଶ ଟଙ୍କା ରୋଜଗାର କରେ, କେତେବେଳେ ୫୦। ଅନେକ ସମୟରେ କିଛି ବି ନୁହେଁ।’’
ସେ ନୂଆ ଜୋତା ତିଆରି କରିପାରିବେକି? ‘‘ ନାଁ ନାଁ ତାହା କେମିତି କରିବାକୁ ହୁଏ ତାହା ମୁଁ ଜାଣେନି। ମୁଁ କେବଳ ଯାହା ଛିଣ୍ଡି ଯାଇଥାଏ ତାହା ମରାମତି କରେ। ମୁଁ ଜୋତା ପିଲିସି କରିପାରିବି। ହିଲ୍ ଏବଂ ସୋଲ୍ ସଜାଡ଼ି ପାରିବି।’’
ଅନ୍ୟ ଦୁଇଜଣ ପୁରୁଷ ଚମଡ଼ା କର୍ମୀଙ୍କର ଭାମାବାଈଙ୍କଠାରୁ କେହି ଗଜ ଦୂରରେ ଦୋକାନ ଅଛି। ସେମାନଙ୍କ ଦର ଅଧିକା। ସେମାନେ କୁହନ୍ତି ଦୈନିକ ୨୦୦-୪୦୦ଟଙ୍କା ରୋଜଗାର କରନ୍ତି, ବେଳେ ବେଳେ ଅଧିକ।
ଭାମାବାଈ ତାଙ୍କ ଧୂଷର ଟୁଲ୍ବକ୍ସ ଖୋଲନ୍ତି। ଘୋଡ଼ଣିର ଭିତର ପାର୍ଶ୍ୱରେ ଦେବୀଙ୍କ ଫଟୋ ଲଗାଇଛନ୍ତି। ଉପର ଟ୍ରେଟି ଚାରି ଭାଗ ହୋଇଛି। ଏବଂ ଏଥରେ ସୂତା ଏବଂ ଛୁଞ୍ଚି ଅଛି। ଏହା ତଳେ ଚମଡ଼ା କାମର ଉପକରଣ ରହିଛି। ସେ ସେଗୁଡ଼ିକୁ ବାହାରକୁ କାଢ଼ନ୍ତି।

ସେ ପଚାରିଲେ, ‘‘ଆପଣ ମୋ ଉପକରଣଗୁଡ଼ିକର ଫଟୋ ନେଲେ। କିନ୍ତୁ ଆପଣ ମୋ ଦେବୀମାନଙ୍କର ଗୋଟିଏ ଫଟୋ ନେଲେ କି?’’ ମନେହେଉଥଲା ସେଇମାନେ ହିଁ କେବଳ ଯାହାଙ୍କୁ ସେ ନିଜର କହିପାରନ୍ତି।

Namita Waikar
ତାଙ୍କର କର୍ମଦିବସର ଶେଷରେ ସବୁକିଛି ଉପକରଣ ବାକ୍ସ ଭିତରକୁ ଫେରିଯାଏ। ଏପରିକି ସେ ପାଣି ପିଇବା ପାଇଁ ବ୍ୟବହାର କରୁଥିବା ଷ୍ଟିଲ ଗ୍ଲାସ୍ ମଧ୍ୟ। ଅନ୍ଭିଲ୍, କାଠଖଣ୍ଡ, ଚିପ୍ସ ପ୍ୟାକେଟ୍ ପରି ଛୋଟ ଛୋଟ ଜିନିଷ ଏବଂ କିଛି ଅର୍ଥ ଥିବା ଛୋଟ କପଡ଼ା ପୁଟୁଳି, ସବୁକିଛି ଏକ ଅଖା ବସ୍ତାରେ ଟାଇଟ ହୋଇ ବନ୍ଧାହୁଏ। ବାକ୍ସ ଏବଂ ବସ୍ତା ରାସ୍ତା ଆରପଟେ ଥିବା ଫାଷ୍ଟଫୁଡ୍ ରେଷ୍ଟୁରାଣ୍ଟ ବାହାରେ ଏକ ଧାତବ ବାକ୍ସରେ ଚାବି ପଡ଼ି ରହେ। ସେ କୁହନ୍ତି,‘‘ଭଗବାନ ମତେ ଏହି ଛୋଟ ଛୋଟ ବାଟରେ ସାହାଯ୍ୟ କରନ୍ତି, ସେମାନେ ମୋ ଜିନିଷକୁ ଏଠାରେ ରଖବାକୁ ଦିଅନ୍ତି।’’
ଭାମାବାଈ ତାଙ୍କ ଛୋଟ ଦୋକାନଠାରୁ ପ୍ରାୟ ପାଞ୍ଚକିଲୋମିଟର ଦୂରରେ ବାସ କରନ୍ତି। ସେ କୁହନ୍ତି ମୁଁ ସବୁଦିନ ସକାଳେ ଏବଂ ସନ୍ଧ୍ୟାରେ ଘଣ୍ଟାଏ ଲେଖାଏଁ ଚାଲେ। ରାସ୍ତାରେ ଅନେକ ଥର ଅଟକେ ଏବଂ ବିନ୍ଧୁଥିବା ଆଣ୍ଠୁ ଏବଂ ପିଠିକୁ ବିଶ୍ରାମ ଦେବା ପାଇଁ ରାସ୍ତାରେ କେତେକ ସ୍ଥାନରେ ବସେ। ଦିନେ ମୁଁ ଗୋଟିଏ ଅଟୋ ରିକ୍ସାରେ ଆସିଲି ଏଥିପାଇଁ ମତେ ପ୍ରାୟ ୪୦ଟଙ୍କା ଦେବାକୁ ହେଲା। ଗୋଟିଏ ଦିନର ରୋଜଗାର ଗଲା।’’ ବେଳେ ବେଳେ ଫାଷ୍ଟଫୁଡ଼ ରେଷ୍ଟୁରାଣ୍ଟର ଡେଲିଭରି ବୟମାନେ ରାସ୍ତାରେ ଗଲା ବେଳେ ତାଙ୍କୁ ମୋଟର ସାଇଲେକରେ ବସାଇ ନେଇଯାଆନ୍ତି।
ତାଙ୍କ ଘର ଦୋକାନଠାରୁ ସାମାନ୍ୟ ବଡ଼। ଆଠ-ରେ-ଆଠ ଫୁଟ କୋଠରି। ରାତି ୭ଟା ୧୫ ବେଳକୁ ଏହା ଭିତର ଘୋର ଅନ୍ଧାର। ତେଲ ଦୀପରୁ ସାମାନ୍ୟ ଆଲୋକ ଆସୁଥାଏ। ସେ କୁହନ୍ତି, ‘‘ଯେମିତି ଆମେ କାନଗରା ଗ୍ରାମରେ ମୋ ଘରେ ଦୀପ ଲଗାଉଥିଲୁ।’’ ତାଙ୍କର ବିଦ୍ୟୁତ ସଂଯୋଗ ନାହିଁ, ଦେୟ ଦେଇ ନ ପାରିବାରୁ ତାହା କଟିଯାଇଛି।
ଗଦି ନ ଥିବା ଏକ ଲୁହା ଖଟ ଏକମାତ୍ର ଆସବାବପତ୍ର। ଏହା ସଫା ହୋଇଥବା ବାସନ ରଖିବା ପାଇଁ ମଧ୍ୟ କାମ ଦିଏ। କାନ୍ଥରେ ଗୋଟିଏ ଝରକା ଲାଗିଲା। ରୋଷେଇ କରିବା ସ୍ଥାନରେ କିଛି ବାସନ କିମ୍ବା ଟିଣ ଅଛି। ‘‘ମୋର ଗୋଟିଏ ଷ୍ଟୋଭ ଅଛି ତାହା ମୁଁ ଗୋଟିଏ ଲିଟର କିରୋସିନି ଶେଷ ହେବା ପର୍ଯ୍ୟନ୍ତ ବ୍ୟବହାର କରିପାରିବି। ଏହା ପରେ ମୋତେ ପରବର୍ତ୍ତୀ ମାସରେ ରେସନକାର୍ଡରେ ଏହା କିଣିବା ପାଇଁ ଅପେକ୍ଷା କରିବାକୁ ହେବ।’’
ଭାମାବାଈଙ୍କ ବାହୁରେ ଦେବୀମାନଙ୍କର ଛୋଟଚିତ୍ର ଏବଂ ତାଙ୍କ ସ୍ୱାମୀ, ବାପା, ଭାଇ, ମା, ଭଉଣୀ ଏବଂ ତାଙ୍କର ସାଙ୍ଗିଆ ଟାଟୁ ହୋଇଛି। ସବୁଗୁଡ଼ିକ ସ୍ଥାୟୀ ଭାବରେ ନୀଳରଙ୍ଗରେ।

Namita Waikar
ବର୍ଷ ବର୍ଷର କଠିନ ପରିଶ୍ରମ ଦ୍ୱାରା ସେ ବାସ୍ତବବାଦୀ ଏବଂ ସ୍ୱାଧୀନ ହୋଇଛନ୍ତି। ସହରରେ ତାଙ୍କର ଦୁଇଭାଇ ଅଛନ୍ତି, ଜଣେ ଭଉଣୀ ଗାଁରେ ଏବଂ ଅନ୍ୟ ଜଣେ ମୁମ୍ବାଇରେ ଅଛି। ତାଙ୍କର ସବୁ ଭାଈଭଉଣୀଙ୍କର ପରିବାର ଅଛି। ତାଙ୍କ ଗାଁରୁ ସମ୍ପର୍କୀୟମାନେ ଯେତେବେଳେ ପୁନେରେ ଥାଆନ୍ତି ବେଳେ ବେଳେ ତାଙ୍କ ଦୋକାନରେ ପହଞ୍ଚନ୍ତି।
ସେ କୁହନ୍ତି, ‘‘କିନ୍ତୁ ମୁଁ କେବେ ବି ସେମାନଙ୍କ ପାଖକୁ ଯାଏ ନାହିଁ। ମୋ ଦୁଃଖ ମୁଁ କାହା ସହିତ ଭାଗ କରେ ନାହିଁ। ମୁଁ ଆପଣଙ୍କୁ ସବୁକିଛି କହୁଛି, କାରଣ ଆପଣ ମୋତେ ପଚାରିଲେ। ଏହି ଦୁନିଆରେ ପ୍ରତ୍ୟେକଙ୍କୁ ନିଜ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ ପଡ଼େ।’’
ଆମେ ଯେତେବେଳେ ତାଙ୍କ ଦୋକାନରେ ବସିଥିଲୁ, ଜଣେ ମହିଳା ଭିତରକୁ ଅନାଇଲେ ଏବଂ ଗୋଟେ ଛୋଟ ପ୍ଲାଷ୍ଟିକ୍ ବ୍ୟାଗ ବଢ଼ାଇ ଦେଲେ। ଭାମାବାଈ ହସିଲେ: ‘‘ମୋର କେହି ଜଣ ବନ୍ଧୁ ଅଛନ୍ତି। ଯେଉଁ ମହିଳାମାନେ ଘରୋଇ ସହାୟିକା। ବେଳେ ବେଳେ ସେମାନେ କାମ କରିବା ସ୍ଥାନରୁ ପାଉଥବା ବଳକା ଖାଦ୍ୟ ମୋ ସହ ବାଣ୍ଟନ୍ତି।

Namita Waikar
ଜଣେ ଗ୍ରାହକ ତାଙ୍କ କଳା ଚମଡ଼ା ଜୋତା ଏବଂ ଦୁଇହଳ ବ୍ରାଣ୍ଡେଡ୍ ସ୍ପୋର୍ଟ୍ସ ଫୁଟ୍ ଗିଅର ମରାମତି ପାଇଁ ଦେଇଯାଇଛନ୍ତି। ସେ ଗୋଟିକ ପରେ ଗୋଟିକକୁ ସିଲେଇ କରିଛନ୍ତି ଏବଂ କଳା ଜୋତା ପଲିସି କରିଛନ୍ତି। ହଳ ପିଛା ମାତ୍ର ୧୬ଟଙ୍କା ପାଇଁ ଭାମାବାଈ ଏହି ଚିରା, ଏକଦା ଦାମି ଜୋତାରେ ନୂଆ ଜୀବନ ଦେଇଛନ୍ତି। ଏହାକୁ ମରାମତି କରି ସେ ଗ୍ରାହକଙ୍କୁ ସମାନ ମାନର ଏକ ନୂଆ ହଳ କିଣିବା ପାଇଁ କେଇ ହଜାର ଟଙ୍କାରୁ ରକ୍ଷା କରିଛନ୍ତି। ଯଦିଓ ସେ ଏହା ଜାଣନ୍ତି ସେ ଏହା ଜଣାନ୍ତିନି। ସେ କେବଳ ଛିଣ୍ଡି ଯାଇଥବା ସୋଲ ମରାମତି କରନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଯାହା-ଭାଙ୍ଗିଯାଏ-ମୁଁ-ସଜାଡ଼ି-ଦିଏ

