ବିଜୟା ଫର୍ତାଦେ ଚାରି ବର୍ଷ ତଳୁ ଜେଜେମା ହୋଇଗଲେଣି। ଏକ ଏବେ ତାଙ୍କ ବୟସ ମାତ୍ର ୩୪। ସେ ତାଙ୍କ ଘର ସାମ୍ନାରେ ଏକ ପଥର ଉପରେ ବସିଥିଲେ। ମହାରାଷ୍ଟ୍ର ବିଦ୍ ଜିଲ୍ଲାର ଆର୍ବି ଗାଁରେ ତାଙ୍କ ଘର। ତାଙ୍କୁ ୧୪ ବର୍ଷ ହୋଇଥିବାବେଳେ ବାପା ମା ବାହା କରାଇ ଦେଇଥିଲେ। ତାଙ୍କ ବର ସେତେବେଳକୁ ୧୮ ବର୍ଷର। ବିଜୟା କହିଲେ, “ଆଉ ଦି ବର୍ଷ ଅପେକ୍ଷା କରିବାକୁ ବାପା ମାଙ୍କୁ କହିଥିଲି। କିନ୍ତୁ ସେମାନେ କହିଲେ ଏଇଟା ଠିକ୍ ବୟସ। ମୋର ଅଧିକାଂଶ ସାଙ୍ଗ ବି ଏଇ ବୟସରେ ବାହା ହୋଇଛନ୍ତି। ତେଣୁ ମୁଁ ଭାବିଲି ସେମାନେ ଠିକ୍ କହୁଛନ୍ତି।”
ବାହା ହେବାର ବର୍ଷେ ଭିତରେ ବିଜୟା ମା’ ହେଲେ। ପାଞ୍ଚ ବର୍ଷ ଭିତରେ ତିନିଟି ପିଲାର ମା’- ଦୁଇଟି ଝିଅ ଓ ଗୋଟିଏ ପୁଅ। ସେତେବେଳକୁ ତଥାପି ତାଙ୍କର କିଶୋରୀ ବୟସ ଯାଇ ନଥିଲା। ଛଅ ବର୍ଷ ତଳେ ତାଙ୍କ ବଡ ଝିଅ ସ୍ୱାତୀର ବାହାଘର ହୋଇଥିଲା। ସେତେବେଳକୁ ସେ ୧୩ ବର୍ଷର। ଏହାର ଚାରି ବର୍ଷ ପରେ ସାନ ଝିଅ ଶୀତଲ୍ର ପାଳି ପଡ଼ିଲା। ୧୫ ବର୍ଷରେ ତା’ର ବାହାଘର ହେଲା। ଏବେ ତା’ର ଚାରି ବର୍ଷର ଝିଅଟିଏ ଏବଂ ବର୍ଷକର ପୁଅ।
ମହାରାଷ୍ଟ୍ରର ଗ୍ରାମାଞ୍ଚଳ ଗୁଡିକରେ ରହୁଥିବା ଫର୍ତାଦେ ପରିବାରରେ ବାଲ୍ୟ ବିବାହ ଏକ ସାଧାରଣ କଥା। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ) ୨୦୧୫-୧୬ ତଥ୍ୟ ଅନୁଯାୟୀ ରାଜ୍ୟର ୨୦-୨୪ ବର୍ଷ ମଧ୍ୟରେ ଥିବା ଯୁବତୀଙ୍କ ମଧ୍ୟରୁ ଏକ ତୃତୀୟାଂଶ ୧୮ ବର୍ଷରୁ କମ୍ ବୟସରେ ବିବାହ କରିଥିଲେ। ସେହିଭଳି ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ୧୫-୧୯ ବର୍ଷ ମଧ୍ୟରେ ଥିବା ମହିଳାଙ୍କ ମଧ୍ୟରୁ ୧୦.୪ ପ୍ରତିଶତ ମା’ ହୋଇ ସାରିଥିଲେ ବା ସର୍ବେକ୍ଷଣ ସମୟରେ ଗର୍ଭବତୀ ଥିଲେ।
ଭାରତରେ ବାଲ୍ୟ ବିବାହ ବେଆଇନ। ଝିଅ ୧୮ବର୍ଷରୁ କମ ଏବଂ ପୁଅ ୨୧ ବର୍ଷରୁ କମ୍ ହୋଇଥିଲେ ବିବାହ ଆଇନ ସମ୍ମତ ନୁହେଁ ବୋଲି ସମସ୍ତେ ଜାଣନ୍ତି। ତଥାପି ବିଦ୍ ଜିଲ୍ଲାର ଗ୍ରାମାଞ୍ଚଳଗୁଡ଼ିକରେ ରହୁଥିବା ଫର୍ତାଦେ ପରିବାରେ ବାଲ୍ୟ ବିବାହ ବହୁମାତ୍ରାରେ ଚାଲିଛି। ଏମାନଙ୍କର କୃଷି ଆୟ ଖୁବ କମ୍ ଏବଂ ରୋଜଗାର ପାଇଁ ଏମାନେ ସାଧାରଣତଃ ବାହାରକୁ ଯାଆନ୍ତି । ବିଦ୍ରେ ୨୦-୨୪ ବର୍ଷ ବୟସ୍କା ମହିଳାଙ୍କ ମଧ୍ୟରେ ୫୧.୩ ପ୍ରତିଶତ ମହିଳା ୧୮ ବର୍ଷରୁ କମ୍ ବୟସରେ ବିବାହ କରିଥିଲେ। ସେହିଭଳି ୨୦୧୫-୧୬ ଏନଏଫଏଚ୍ଏସ ତଥ୍ୟ ଅନୁଯାୟୀ ୧୫-୧୯ ବର୍ଷ ମଧ୍ୟରେ ୧୮.୨ ପ୍ରତିଶତ ମହିଳା ମା’ ହୋଇ ସାରିଥିଲେ ବା ସର୍ବେକ୍ଷଣବେଳେ ଗର୍ଭବତୀ ଥିଲେ।
ଜାଗା ପରିବର୍ତ୍ତନ କରିବା ଅଧିକାଂଶ ସମୟରେ ମରାଠାୱାଡ଼ାରେ ସଅଳ ବିବାହକୁ ବାଧ୍ୟ କରେ। ଟ୍ରେଡ୍ ୟୁନିୟନ ଆକଳନ ଅନୁସାରେ ପ୍ରାୟ ୩୦୦,୦୦୦ ଚାଷୀ ଏବଂ ଶ୍ରମିକ ଅମଳ ସମୟରେ ବିଦ୍ରୁ ସ୍ଥାନାନ୍ତର ହୁଅନ୍ତି। ସେମାନେ ମୁଖ୍ୟତଃ ପଶ୍ଚିମ ମହାରାଷ୍ଟ୍ରର କୋହ୍ଲାପୁର, ସାଙ୍ଗଲି ଏବଂ ସତାରା ଜିଲ୍ଲା କିମ୍ବା କର୍ଣ୍ଣାଟକର ବେଲଗାଉଁ ଜିଲ୍ଲାକୁ ଆଖୁ କାଟିବାକୁ ଯାଆନ୍ତି। (ଆଖୁ ବିଲକୁ ଲମ୍ବା ରାସ୍ତା ଦେଖନ୍ତୁ)
ଗତ କିଛି ବର୍ଷ ହେବ ମରାଠାୱାଡ଼ାରୁ ଏହି ସାମୟିକ ସ୍ଥାନାନ୍ତରଣ ବୃଦ୍ଧି ପାଉଛି। ଚାଷରେ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ପାଖାପାଖି ସମାନ ଆୟ ସ୍ଥାନାନ୍ତରଣ ସଂଖା ବଢାଇଛି। କୃଷି କମିଶନଙ୍କ ଦ୍ୱରା ଖରିଫ ଫସଲ ପାଇଁ ଦର ନୀତି (୨୦୧୭-୧୮) ଶୀର୍ଷକ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ କୃଷିରେ ନିବେଶ ଏବଂ ଆୟ ଭିତରେ ବହୁ ଅସାମଞ୍ଜସ୍ୟ ରହିଛି। ପ୍ରାୟ ସବୁ ଫସଲ, ଏପରିକି ଅର୍ଥକରୀ କପା ଚାଷରେ ମଧ୍ୟ ଏହି ଅବସ୍ଥା। ଏଠରେ ଉତ୍କଟ ଜଳ ସମସ୍ୟା ମଧ୍ୟ ଅନ୍ୟ ଏକ କାରଣ। ଯାହା ପାଇଁ କ୍ଷୁଦ୍ର ଚାଷୀମାନେ ମୁଖ୍ୟ ଆୟ ଭାବେ କୃଷି ଉପରେ ନିର୍ଭର କରିପାରନ୍ତି ନାହିଁ। ଏହି କାରଣରୁ ସ୍ଥାନାନ୍ତର ସଂଖ୍ୟା ବୃଦ୍ଧି ପାଉଛି।
ଯେତେବେଳେ ଏହି ପରିବାରଗୁଡ଼ିକ କାମ ପାଇଁ ସ୍ଥାନାନ୍ତର ହୁଅନ୍ତି, ସେତେବେଳେ ଗୋଟିଏ ଝିଅକୁ ଦେଖାଶୁଣା କରିବାରେ ସମସ୍ୟା ହୁଏ ବୋଲି କହନ୍ତି ଅହମ୍ମଦନଗର ଅଞ୍ଚଳର ଶିକ୍ଷାବିତ୍ ହେରାମ୍ଭ କୁଲକର୍ଣ୍ଣି। ଏକ ବେସରକାରୀ ସଂଗଠନରେ କାର୍ଯ୍ୟ କରୁଥିବା ହେରମ୍ଭ କହନ୍ତି, “ଯେତେବେଳେ ଝିଅଟିଏ କିଶୋରୀ ବୟସରେ ପାଦଦିଏ, ସ୍ଥାନାନ୍ତର ହେଉଥିବା ବାପା ମା ତାର ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ନ୍ତି। ସେମାନେ ଶୀଘ୍ର ତାର ବିବାହ କରି ଦିଅନ୍ତି ଏବଂ ଦାୟିତ୍ଵ ସରିଗଲା ବୋଲି ଭାବନ୍ତି।”



