ଯାଦୁ ଦେଖାଇବା ପୂର୍ବରୁ, ଗୁଲାବ ଓ ଶହଜାଦ ଖୁବ ବଡ଼ ପାଟିରେ “ହୁରୁକ ବମ୍ ବମ୍ ଖେଲା!” ବୋଲି ଚିଲ୍ଲାଇଥାନ୍ତି। ଏହା ହେଉଛି ସେମାନଙ୍କ ପାଇଁ “ଆବ୍ରା କା ଡାବ୍ରା”ର ବଙ୍ଗଳା ସଂସ୍କରଣ! ଏହା ସେମାନଙ୍କୁ ୮୦-୯୦ ଦର୍ଶକଙ୍କୁ ଏକ ସମୟରେ ଏକତ୍ରିତ କରିବାରେ ସହାୟକ ହୋଇଥାଏ-ଯେଉଁମାନଙ୍କ ମଧ୍ୟରେ ଥାଆନ୍ତି-ପୁରୁଷ, ମହିଳା ଏବଂ ପିଲାମାନଙ୍କର ଏକ ଦଳ। ଦୁଇ ଭାଇଙ୍କ ମଧ୍ୟରେ ବଡ଼ ଗୁଲାବ, ଜଣେ ଦର୍ଶକ ମିଣ୍ଟୁ ହାଲଦାରଙ୍କ ସହାୟତା ଲୋଡ଼ନ୍ତି। ମିଣ୍ଟୁ ସାହସର ସହିତ ଆଗେଇ ଆସନ୍ତି। ଏହାପରେ ଯାଦୁକରୀ ଆରମ୍ଭ ହୋଇଥାଏ।
ସାନ ଭାଇ ଶହଜାଦଙ୍କୁ ଅଦୃଶ୍ୟ କରିବା ଲାଗି ଗୁଲାବ ପ୍ରତିଶ୍ରୁତି ଦିଅନ୍ତି। ଏହାପରେ ଅଦୃଶ୍ୟ ହେବାକୁ ଥିବା ସାନ ଭାଇ ଏକ ବଡ଼ ଜାଲ ଉପରେ ବସନ୍ତି, ମିଣ୍ଟୁ ଶହଜାଦଙ୍କ ମୁଣ୍ଡ ଉପରେ ଜାଲର ଶେଷ ଭାଗକୁ ବାନ୍ଧି ଦିଅନ୍ତି। ଏହାପରେ ଗୁଲାବ ଦୁଇ ପାଖରୁ ଖୋଲା ଥିବା ଏକ ବାକ୍ସ ଶହଜାଦଙ୍କ ଉପରେ ରଖିଥାନ୍ତି ଏବଂ ଏହାକୁ ଏକ ଚାଦରରେ ଘୋଡ଼ାଇ ଦିଅନ୍ତି। ଦର୍ଶକ ସେମିତି ଦେଖୁଥାନ୍ତି, ଆଗକୁ କ’ଣ ହେବ ସେହି ପ୍ରତୀକ୍ଷାରେ।
ଏହାପରେ, ସେ ତାଙ୍କ ଚାରି ପାଖରେ ଏକ ପଶୁ ହାଡ଼କୁ ବୁଲାଇଥାନ୍ତି ଏକ ‘ମନ୍ତ୍ର’ ଜପ କରି ସେହି ବାଳକଙ୍କୁ ଅଦୃଶ୍ୟ କରିଦେବା ଲାଗି ଉପରେ ଥିବା ଶକ୍ତିକୁ ନିବେଦନ କରିଥାନ୍ତି : “ଅରଘଟ ଖୋପଡ଼ି ମରଘଟ ମସାନ, ବଚ୍ଚା କେ ଲେଜା ତେଲିୟା ମସାନ”। ଏହାପରେ ସେ ବାକ୍ସର ସବୁ କୋଣକୁ ସ୍ପର୍ଶ କରି ଭିତରେ କିଛି ଅଛି କି ନାହିଁ ଅନୁଭବ କରିବା ଲାଗି କୁହନ୍ତି। ମିଣ୍ଟୁ ତାଙ୍କ ଆଜ୍ଞାକୁ ପାଳନ କରି ତାହା କରନ୍ତି, ଏବଂ କୁହନ୍ତି, ବାକ୍ସଟି ପ୍ରକୃତରେ ‘ଖାଲି’ ଅଛି। ଶହଜାଦ କେଉଁଠି ଦେଖାଯାଉନାହାନ୍ତି।
“ମୁଁ ତୁମ ଠାରୁ ଶୁଣିବାକୁ ଚାହେଁ: ଏ ପିଲାଟିକୁ କଷ୍ଟ ହେଉଛି କି? ସମସ୍ତେ ମୋତେ କୁହନ୍ତୁ : ସେ ଅଛି ନା ସେ ନାହିଁ?” ଗୁଲାବ ପଚାରନ୍ତି। ଦର୍ଶକ ତାଙ୍କ କଥାରେ ରାଜି ହୋଇଥାନ୍ତି ଯେ ବର୍ତ୍ତମାନ-ଅଦୃଶ୍ୟ ହୋଇଯାଇଥିବା ଶହଜାଦ ବାସ୍ତବରେ କଷ୍ଟକର ସମୟ ଦେଇ ଗତି କରୁଛନ୍ତି।



