"ମୁଁ ମୋ ଜୀବନରେ ନଦୀ ଏପରି ଉଗ୍ର ରୂପ ଧାରଣ କରିବା କେବେ ଦେଖିନାହିଁ" କହନ୍ତି ୫୫ ବର୍ଷ ବୟସ୍କ ସକୁବାଇ ୱାଘ। ସେଦିନ ଅଗଷ୍ଟ ୪ ତାରିଖରେ ସେ ଓ ତାଙ୍କର ୨୦ ବର୍ଷର ପୁଅ ମନୋଜ ଦିନ ୧୦ଟା ବେଳେ ଘରେ ଥିଲେ। ସେ ମନେପକାନ୍ତି "ବାହାରେ ଖୁବ୍ ଜୋର୍ରେ ବର୍ଷା ହେଉଥିଲା। ହଠାତ ଆମ କୁଡ଼ିଆ ଘର ଭିତରକୁ ଖୁବ୍ ଜୋରରେ ପାଣିର ଢ଼େଉ ମାଡ଼ି ଆସିଲା। କିଛି ସମୟ ପାଇଁ ଆମେ ବେକେ ପାଣିରେ ରହିଥିଲୁ, ପରସ୍ପରର ହାତ ଧରିଥିଲୁ। ଆଖି ପିଛୁଳାକେ ମୋର କଷ୍ଟ ଅର୍ଜିତ ସମ୍ପତ୍ତିକୁ ଏକାଠି କରି ସଜାଇଥିବା ଘରଦ୍ୱାର ଜିନିଷପତ୍ର ସବୁକିଛି ପାଣି ଧୋଇ ନେଇଗଲା।"
ଏହି ଆତଙ୍କର ୨୦ ମିନିଟ୍ ପରେ, ସକୁବାଇ ଏବଂ ମନୋଜ କୌଣସି ମତେ ପାଖରେ ଥିବା ଟିକେ ଢ଼ିପ ଜାଗାକୁ ଆସିଲେ, ସେଠାରୁ ସେମାନେ ଧ୍ୱଂସର ତାଣ୍ଡବ ଦେଖୁଥିଲେ। ସେ ଦିନ ସକାଳେ ବୈତରଣୀ ନଦୀର ଜଳ ତାଙ୍କ କୁଡ଼ିଆ ସହିତ ଗେଟ୍ସ କେଏଚ୍ ଗ୍ରାମ ଯାହାକି ମହାରାଷ୍ଟ୍ରର ପାଲଘଡ଼ ଜିଲ୍ଲାର ବଡ଼ାତାଲୁକ୍ରେ ଅବସ୍ଥିତ ସେହି ଗ୍ରାମର କୁଡ଼ିଆଗୁଡ଼ିକ ମଧ୍ୟ ଧ୍ୱଂସ କରିଦେଲା। ବହୁ ଘଣ୍ଟା ପରେ ସନ୍ଧ୍ୟା ବେଳକୁ ପାଣି ଛାଡ଼ିବା ଆରମ୍ଭ ହେଲା।
"ନଦୀ କୂଳରେ ଥିବା ଭଙ୍ଗା କୁଡ଼ିଆକୁ ଦେଖାଇ ସକୁବାଇ କହନ୍ତି ଏହି ହେଉଛି ମୋର ସଂସାର (ଘରଦ୍ୱାର)।" କାଦୁଆ ମାଟି ଉପରେ ଭଙ୍ଗା ଟାଇଲି ଗୋଟିଏ ଉପରେ ଗୋଟିଏ ଛକି ରଖାଯାଇଛି, ଚାଳରୁ ଓ କାନ୍ଥରୁ ବାଉଁଶ ବାହାରକୁ ବାହାରି ରହିଛି ଏବଂ ଟାର୍ପୋଲିନ୍ ସିଟ୍ ପଡ଼ିଛି। ବାସି ଭାତ, ପିଆଜ ଏବଂ ଆଳୁର ପୋଚା ଗନ୍ଧ, ଚାରି ଦିନ ହେଲା କାଦୁଅରେ ପଡ଼ିରହିଛି, ମେଘ ପରି ଝୁଲିଛି। "ମୁଁ ଏ ଦୁର୍ଗନ୍ଧ ସହ୍ୟ କରିପାରୁନାହିଁ, ମୋତେ ବାନ୍ତି ମାଡ଼ୁଛି," କହନ୍ତି ସକୁବାଇ।











