‘‘ସେମାନେ କହିଲେ ଆମ ଜୀବନରେ ବହୁ ଅନୁକୂଳ ପରିବର୍ତ୍ତନ ହେବ, କିନ୍ତୁ ସେମାନେ ଆମକୁ ଧୋକ୍କା ଦେଲେ’’ କହିଛନ୍ତି ଜୁନୱାନି ଗ୍ରାମର ପ୍ରୀତମ୍ କୁଞ୍ଜମ୍। ‘‘ଆମ ଜମି ନେବା ପରେ ଅଧିକାରୀମାନେ ଆମକୁ ଲିଜ୍ର କେବଳ ଏକ ଛୋଟିଆ ଅଂଶ ଫେରାଇଥିଲେ ଏବଂ ଆମକୁ ଭରସା ଦେଇଥିଲେ ଯେ ଆମେ ସବୁ ପାଇବୁ। ଆମ ମଧ୍ୟରୁ ଅନେକ ଘର, ବାରି, ଜମି ସବୁକିଛି ହରାଇଛୁ କିନ୍ତୁ ପ୍ରକୃତରେ ଆମେ ଆମର ଜଙ୍ଗଲ, ବିସ୍ତୀର୍ଣ୍ଣ ଘାସଜମି, ସାର୍ବଜନୀନ ଜମି, ଶ୍ମଶାନ ଏବଂ ଖେଳ ପଡ଼ିଆ ସବୁକିଛି ହରାଇଲୁ। ଆମେ ମାସ ମାସ ଧରି ଆମର ଜମି ଫେରିପାଇବା ପାଇଁ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ୁଛୁ।’’
ଛତିଶଗଡ଼ର ଧାମତରି ଜିଲ୍ଲାର ଜୁନୱାନିର ବାସିନ୍ଦା, ଏହି ସ୍ଥାନ ରାଇପୁରଠାରୁ ୧୪୦ କିଲୋମିଟର ଦୂରରେ ଅବସ୍ଥିତ। ସେମାନେ ଡିସେମ୍ବର ୨୦୧୫ରେ ତାଙ୍କର ଜମି ଫେରାଇ ଆଣିବା ପାଇଁ ସଂଗ୍ରାମ ଆରମ୍ଭ କରିଥିଲେ। ସେମାନେ ଅନୁସୂଚିତ ଜନଜାତି ଏବଂ ଅନ୍ୟ ପାରମ୍ପରିକ ବନବାସୀ ଆଇନ କିମ୍ବା ଜଙ୍ଗଲ ଅଧିକାର ଆଇନ (ଏଫଆରଏ) ଅଧିନରେ ତାଙ୍କର ଜମି ଅଧିକାର ପାଇବା ପାଇଁ ଲଢ଼ୁଛନ୍ତି। ଏହି ଆଇନ ଡିସେମ୍ବର ୨୦୦୬ରେ ପ୍ରଣୟନ କରାଯାଇଥିଲା, ଜାନୁଆରୀ ୦୧, ୨୦୦୮ରେ ବଳବତ୍ତର ରହିଥିଲା। ଏଫଆରଏ ଦେଶବ୍ୟାପି ବନବାସୀମାନଙ୍କର ପାରମ୍ପରିକ ଜଙ୍ଗଲ ଅଧିକାର ଫେରାଇ ଆଣିବା ପାଇଁ ସୁବିଧା ପ୍ରଦାନ କରେ। ଏହା ଲଘୁ, ଜଙ୍ଗଲଜାତ ଉତ୍ପାଦ ବ୍ୟବହାର ଓ ଅନାବାଦୀ ଗୋଚର ଜମି ବ୍ୟବହାର ପାଇଁ ଗୋଷ୍ଠୀକୁ ଅଧିକାର ମଞ୍ଜୁରୀ କରେ ଏବଂ ଡିସେମ୍ବର ୧୩, ୨୦୦୫ ଅନୁଯାୟୀ ଆଦିବାସୀମାନେ ଚାଷ କରୁଥିବା ଜମି ଉପରେ ବ୍ୟକ୍ତିଗତ ଅଧିକାର ମଧ୍ୟ ପ୍ରଦାନ କରେ।
ଛତିଶଗଡ଼ ସରକାର ଦାବି କରୁଛନ୍ତି ଯେ ଏଫଆରଏ ଅଧିନରେ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଜମି ଅଧିକାର ଆଦିବାସୀମାନଙ୍କୁ ପ୍ରଦାନ କରିଛନ୍ତି, ରାୟପୁରରେ ନଭେମ୍ବର ୧୫, ୨୦୧୫ରେ ଆୟୋଜିତ ଜଙ୍ଗଲ ଅଧିକାର କର୍ମଶାଳାରେ ତଥ୍ୟ ଉପସ୍ଥାପନ କରାଯାଇଥିଲା, ଯେଉଁଠାରେ ଉଭୟେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ପ୍ରତିନିଧି ଉପସ୍ଥିତ ରହିଥିଲେ, ଏକ ଭିନ୍ନ ବାସ୍ତବତା ଦର୍ଶାଇଥିଲା।
ରାଜ୍ୟ ସରକାର ଗତ ସାତ ବର୍ଷ ମଧ୍ୟରେ ୬୦ ପ୍ରତିଶତ ଆଦିବାସୀଙ୍କ ଦ୍ୱାରା ବ୍ୟକ୍ତିଗତ ଦାବି ଖାରଜ କରିଛନ୍ତି - ବା ଏହା ଏଫଆରଏ ଅଧିନରେ କରାଯାଇଥିବା ପ୍ରାୟ ୫୧୨,୦୦୦ ଦାବି। ନିୟମରେ ଦର୍ଶାଯାଇଛି ଯେ ଜଣେ ବୟସ୍କ ବ୍ୟକ୍ତିଙ୍କ ପିଛା ୨.୫ ଏକର ନିର୍ଦ୍ଧାରିତ ହୋଇଛି ଯେତେବେଳେ କି ଛତିଶଗଡ଼ ସରକାର ପ୍ରତି ପରିବାର ପିଛା ହାରାହାରି ୨ ଏକର ଜଙ୍ଗଲ ଜମିକୁ କେବଳ ସ୍ୱୀକୃତି ଦେଇଛନ୍ତି।
ଯେତେବେଳେ କି ଛତିଶଗଡ଼ର ୪୪ ପ୍ରତିଶତ ଜମି ହେଉଛି ଜଙ୍ଗଲ ଜମି, ଏହି ଅଧିକାର ହକ୍ଦାର ଲୋକମାନଙ୍କୁ ମଞ୍ଜୁର କରାନଯିବା କାରଣରୁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ସମାନ କର୍ମଶାଳାରେ ଉପସ୍ଥାପିତ ତଥ୍ୟରୁ ଜଣାପଡ଼ିଛି ଯେ କେରଳ ଏବଂ ତ୍ରିପୁରା ସମାନ ପ୍ରକାରର ବ୍ୟକ୍ତିଗତ ଦାବିର ମାତ୍ର ୩୪ ପ୍ରତିଶତ ଅଗ୍ରାହ୍ୟ କରିଛନ୍ତି।
ପଞ୍ଚାୟତର ଭୋଟର ତାଲିକା ଅନୁଯାୟୀ ଜୁନୱାନିରେ ୨୬୫ ଜଣ ଭୋଟର ରହିଛନ୍ତି - ତେବେ ବ୍ୟକ୍ତିଗତ ଅଧିକାର ଭାବରେ ସେମାନଙ୍କର ହକ୍ ହେଉଛି ୬୬୨ ଏକର। କିନ୍ତୁ ସ୍ଥାନୀୟ କର୍ମୀ ବେଣିପୁରୀ ଗୋସ୍ୱାମୀ କହନ୍ତି ଯେ ‘‘ଦଶନ୍ଧି ଦଶନ୍ଧି ପୁରୁଣା ରେକର୍ଡ ବ୍ୟବହାର କରାଯାଇଛି ଏବଂ ବ୍ୟକ୍ତିଗତ ଲିଜ୍ରେ ମାତ୍ର ୧୮୦ ଏକର ଜମି ଦିଆଯାଇଛି। ମଧୁ ସରିନ୍, ଭୁବନେଶ୍ୱର ଭିତ୍ତିକ ପରିବେଶ ଓ ସ୍ଥାୟୀ ସମସ୍ୟାର ନୀତି ଗୋଷ୍ଠୀ ଓ ଗବେଷଣା ଅନୁଷ୍ଠାନ ବସୁନ୍ଧରାର କାର୍ଯ୍ୟନିର୍ବାହୀ କମିଟିର ସଭାପତି କହିଛନ୍ତି ଯେ ‘‘ଆମ ଆଇନ୍ ଜଣେ ବୟସ୍କଙ୍କୁ ୨.୫ ଏକର ଜମି ପାଇଁ ଅନୁମତି ଦିଏ । କିନ୍ତୁ ସେମାନଙ୍କୁ ଛୋଟ ଜମି ଦିଆଯାଇଛି, ତାହାବି କେବଳ ବାପାଙ୍କ ନାମରେ।’’ ମହିଳାମାନଙ୍କୁ ଜୁନୱାନିରେ କୌଣସି ଜମି ଦିଆଯାଇନାହିଁ, କୁଞ୍ଜମ୍ କହନ୍ତି। ‘‘କୌଣସି ଗୋଟିଏ ମହିଳାଙ୍କ ନାମ ପଞ୍ଜୀକୃତ ହୋଇନାହିଁ।’’ ଏବଂ ସେ କହନ୍ତି ଯେ କୌଣସି ଚିହ୍ନଟକରଣ ବା ମାନଚିତ୍ର ଏହି ଲିଜ୍ ସହିତ ପ୍ରଦାନ କରାଯାଇନାହିଁ।




