ତାଙ୍କ ଅଫିସରେ କର୍ମଚାରୀଙ୍କ ପିଲାଙ୍କ ପାଇଁ ଏକ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଏବଂ ଏଥିପାଇଁ ସେ ସୋନୁକୁ ଏକ ପେଣ୍ଟିଙ୍ଗ୍ ସମ୍ପୂର୍ଣ୍ଣ କରିବାରେ ସହାୟତା କରୁଛନ୍ତି। ପ୍ରତିଯୋଗିତାର ବିଷୟବସ୍ତୁ ଥିଲା, ‘‘ମୋର ସ୍ୱପ୍ନର ଭାରତ’’। ପ୍ରତିଯୋଗିତା ପାଇଁ ଚିତ୍ର ଦାଖଲ କରିବା ଲାଗି ଆଜି ଶେଷ ତାରିଖ ଥିଲା। ସୋନୁର ପେଣ୍ଟିଙ୍ଗ ପ୍ରାୟତଃ ସମ୍ପୂର୍ଣ୍ଣ ହେବାକୁ ଯାଉଥିଲା। ତାଙ୍କ ଝିଅ ବାରମ୍ବାର ତାଙ୍କୁ କହୁଥିଲା, ‘‘ମା’, ଆସ, ମୋ ପାଖରେ ବସ, ପ୍ଲିଜ୍’’, କିନ୍ତୁ ସକାଳୁ ତାଙ୍କ ମନ ବେରଙ୍ଗ ଚିନ୍ତାଧାରାରେ ବୁଡ଼ି ରହିଥିଲା। ଏପରିକି, କାମ କରିବା ସମୟରେ ମଧ୍ୟ ତାଙ୍କ ମନ ଖବର ପାଖରେ ଥିଲା। ତେବେ, ଅନିଚ୍ଛା ସତ୍ତ୍ୱେ ସେ ଯାଇ ନିଜ ଝିଅ ପାଖରେ ବସିପଡ଼ିଲେ।
ସେ ଯେମିତି ତାକୁ ନିଜ କୋଳରେ ଶୁଆଇ ଦେଲେ, ଝିଅର ମୁହଁରେ ହସ ଖେଳିଗଲା। ସୋନୁ ଉତ୍ସାହିତ ହୋଇ ନିଜ ପେଣ୍ଟିଂ ଆଡ଼କୁ ଇସାରା କରି କହିଲା, ‘‘ଦେଖ ମା’!’’ ଅନ୍ୟପଟେ, ଟିଭିରେ ଗେରୁଆ ପୋଷାକ ପିନ୍ଧି ଜଣେ ମହିଳା ଘୃଣାସୂଚକ ମନ୍ତବ୍ୟ ଦେଉଥିଲେ। ଧର୍ମ ସଂସଦର ଏହି କ୍ଲିପ୍ ଭାଇରାଲ ହୋଇଥିଲା। ସେ ଜାଣିନଥିଲେ ଯେ ଅନ୍ୟମନସ୍କ ହୋଇ ଦୁଇଟି ମଧ୍ୟରୁ ସେ କେଉଁ କାମଟି କରୁଥିଲେ – ଟିଭିରେ ଘୃଣା ପ୍ରଚାର କରୁଥିବା ସେହି ମହିଳାଙ୍କୁ ଶୁଣୁଥିଲେ ନା ନିଜ ଝିଅର ପେଣ୍ଟିଂ ଦେଖୁଥିଲେ। ପେଣ୍ଟିଂରେ, ଏକ ସୁନ୍ଦର ପୃଷ୍ଠଭୂମି ସମ୍ମୁଖରେ ଛଅ କିମ୍ବା ସାତ ଜଣ ଲୋକଙ୍କ ଚିତ୍ର ରହିଥିଲା। ସଞ୍ଜ ନଇଁବା ବେଳର କମଳା ରଙ୍ଗ ଆକାଶ ତଳେ ପୁରୁଷ, ମହିଳା, ଶିଶୁ, ସବୁଜ କ୍ଷେତରେ ଛିଡ଼ା ହୋଇଥିଲେ।
ସେ ଜାଣିପାରୁନଥିଲେ ଯେ ପେଣ୍ଟିଂରେ ଥିବା ରଙ୍ଗର ପ୍ରଭାବ ଅଧିକ ଥିଲା ନା ସେ ମହିଳାଙ୍କ ଶବ୍ଦ ଅଧିକ ହିଂସାତ୍ମକ ଥିଲା। କିନ୍ତୁ, ତାଙ୍କ ପାଇଁ ଲୁହଭିଜା ଆଖିରେ ଏସବୁ ଛୋଟ ଓ ଧଳା ମଣିଷ ଚରିତ୍ର ଉପରେ ନଜର ପକାଇ ରଖିବା କଷ୍ଟକର ହୋଇଯାଇଥିଲା, ଯେଉଁମାନଙ୍କୁ ସେମାନଙ୍କର ଧାର୍ମିକ ପରିଚୟ ଅନୁସାରେ ଅଙ୍କା ଯାଇଥିଲା – ଜଣଙ୍କ ମୁଣ୍ଡରେ ଟୋପି ଥିଲା, ଆଉ ଜଣଙ୍କ ମୁଣ୍ଡରେ ହିଜାବ୍ ଥିଲା, ଜଣେ ବ୍ୟକ୍ତିଙ୍କ ଗଳାରେ ଚମକୁ ଥିବା କ୍ରସ୍ ଝୁଲୁଥିଲା, ଜଣଙ୍କ ମଥାରେ ସିନ୍ଦୂର ଭରିଥିଲା ଏବଂ ଆଉ ଜଣେ ମୁଣ୍ଡରେ ପଗଡ଼ି ବାନ୍ଧିଥିଲେ। ପ୍ରତ୍ୟେକଙ୍କ ମୁହଁରେ ସ୍ମିତହାସ୍ୟ ଥିଲା। ସେହି ଅଜଣା ଲୋକମାନେ ପରସ୍ପରର ହାତ ଧରିଥିଲେ। ଏହା ଦେଖି ଯେତେବେଳେ ତାଙ୍କ ଆଖି ଲୁହରେ ଭରିଗଲା, ଲାଗିଲା ଯେମିତି ଗେରୁଆ, ସବୁଜ ଓ ଧଳା, ସବୁ ରଙ୍ଗ ସାମାନ୍ୟ ମିଶି ଯାଇଛନ୍ତି।


