ଐନୁଲ ଯେତେବେଳେ ଆମରୋହାରୁ ଦିଲ୍ଲୀ ଆସିବା ପାଇଁ ବଡ଼ି ଭୋରରୁ କାଶୀ ବିଶ୍ୱନାଥ ଏକ୍ସପ୍ରେସ ଚଢ଼ିଲେ ସେ ଖୁବ୍ ଭୟଭୀତ ଥିଲେ। ‘ମୁଁ ଖୁବ୍ ଭୟଭୀତ ଥିଲି, ମୁଁ ଭାବୁଥିଲି ମୁଁ ବମ୍ବେକୁ ଯାଉଛି, ମୁଁ ଏତେ ଦୂରକୁ ଯାଉଛି। ସେମାନେ ମୋ’ ସହିତ କିପରି ବ୍ୟବହାର କରିବେ? ମୁଁ କିପରି ଚଳିବି?’ ନିଜର ଉତ୍ସୁକତା ଯୋଗୁ ଏହି ୧୭ ବର୍ଷୀୟା ଝିଅ ଜଣକ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସାଧାରଣ ବଗିରେ ରାତି ସାରା ଅନିଦ୍ରା ରହିଲେ।
ତାଙ୍କର ଶ୍ୱଶୁର ଆଲିମ୍ ସେହି ବଗିରେ ଯାତ୍ରା କରୁଥିଲେ। ଦିଲ୍ଳୀରୁ ଆଉ ଏକ ଟ୍ରେନରେ ବସିବା ପରେ ସେମାନେ ବାନ୍ଦ୍ରା ଟର୍ମିନସରେ ଓହ୍ଲାଇଲେ। ସେ ଭିକାରୀ ଭାବେ ମକଦୁମ ଅଲି ମାହିମି ଦରଘା ବାହାରେ ବସିବା ପୂର୍ବରୁ ଐନୁଲଙ୍କୁ ମାହିମିର ନୟି ବସ୍ତି କଲୋନୀରେ ଥିବା ତାଙ୍କ ନୂଆ ଘରକୁ ନେଇଗଲେ।
ଐନୁଲ ଶେଖ୍ ମଧ୍ୟ ତିନି ବର୍ଷ ପରେ କିଛି ଦିନ ପାଇଁ ଏହି କାମ କରିଥିଲେ। ଏହା କେନ୍ଦ୍ରୀୟ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ତାଙ୍କର ୧୮ ମାସର ପୁଅ ଚିକିତ୍ସିତ ହେବାରେ ସହାୟକ ହୋଇଥିଲା। ସେ କେଉଁ ରୋଗରେ ପୀଡ଼ିତ ଐନୁଲ ତାହା ଜାଣନ୍ତି ନାହିଁ। ସେ କହନ୍ତି, ‘ମୁଁ କାହା ପାଖରୁ ଋଣ ପାଇପାରିଲି ନାହିଁ (ମେଡିକାଲ ବିଲ ପାଇଁ) କାରଣ କିଏ ତାକୁ ପରିଶୋଧ କରିଥାନ୍ତା?’
ମୁମ୍ବାଇକୁ ଆସିବାବେଳେ ତାଙ୍କର ଉତ୍କଣ୍ଠା ଅମୂଳକ ନଥିଲା।
ସେଦିନ ଟ୍ରେନରେ ଐନୁଲଙ୍କ ପାଖରେ ଗୋଟିଏ ବ୍ୟାଗରେ କେବଳ କିଛି ଲୁଗାପଟା ଥିଲା। ଶାଶୂଘରକୁ ନେବାପାଇଁ ସେ ଗୋଟିଏ ପରେ ଗୋଟିଏ ବାସନ ବାସନକୁସନ କିଣିଥିବାବେଳେ ସେ ସମସ୍ତ ବିକ୍ରି ହୋଇଯାଇଥିଲା। ଖୁବ୍ କମ୍ ବୟସରୁ ସେ ଦୀର୍ଘଦିନ ଧରି କଠିନ ପରିଶ୍ରମ କରିଥିଲେ। ଅନ୍ୟମାନଙ୍କ ବାସନକୁସନ ଧୋଇବା, ଘର ସଫା କରିବା, କୃଷିକ୍ଷେତ୍ରରେ କାମ କରିବା ପ୍ରଭୃତି। ‘କିଛି ଟଙ୍କା ବିନିମୟରେ ମୋତେ ଖାଇବାକୁ ମିଳିଯାଉଥିଲା ମୁଁ ଟଙ୍କାକୁ ବାକ୍ସରେ ରଖି ରଖି ମୋ ବିବାହ ପାଇଁ ସଞ୍ଚୟ କରିଥିଲି। ମୁଁ ପ୍ରାୟ ୫,୦୦୦ ଟଙ୍କା ସଞ୍ଚୟ କରିଥିଲି। ପରେ ସେ ଟଙ୍କାକୁ ନେଇ ଏକ ସ୍ଥାନୀୟ ଦୋକାନକୁ ଯାଇ ପିତ୍ତଳର ବାଲ୍ଟି, ଥାଳି, କର୍ଚୁଲି ଏପରିକି ଏକ ଡେକ୍ଚି ବି କିଣିଥିଲି। ’







