ଚିଲତମପଲ୍ଲୀ ପରମେଶ୍ୱରୀ ବେଳେ ବେଳେ କେଉଁଆଡ଼େ ଚାଲି ଯିବେ ବୋଲି ଭାବନ୍ତି। ‘‘କିନ୍ତୁ ମୁଁ ମୋ ପିଲାଙ୍କୁ ଛାଡ଼ି ଯାଇପାରିବି ନାହିଁ। ସେମାନଙ୍କ ପାଇଁ କେବଳ ମୁଁ ଅଛି,’’ ଏହି ୩୦ ବର୍ଷୀୟା ମା’ କୁହନ୍ତି।
ପରମେଶ୍ୱରୀଙ୍କ ସ୍ୱାମୀ ଚିତମପଲ୍ଲୀ କମଲ ଚନ୍ଦ୍ର ଜଣେ ଚାଷୀ ଥିଲେ। ତାଙ୍କୁ ମାତ୍ର ୨୦ବର୍ଷରୁ କିଛି ଅଧିକ ବୟସ ହୋଇଥିବା ବେଳେ ନଭେମ୍ବର ୨୦୧୦ରେ ସେ ଆତ୍ମହତ୍ୟା କରିଥିଲେ। ‘‘ସେ କୌଣସି ଚିଠି ଛାଡ଼ି ଯାଇନଥିଲେ। ଏହାର କାରଣ ହେଉଛି କେମିତି ଭଲ ଭାବେ ଚିଠି ଲେଖି ହେବ ସେ ବୋଧହୁଏ ଜାଣିନଥିଲେ,’’ ମୁହଁରେ ଶୁଖିଲା ହସଟିଏ ହସି ସେ କହିଥାନ୍ତି।
ଆଉ ଏପରି ଭାବେ ସେ ନିଜର ଦୁଇ ପିଲା, ଶେଷାଦ୍ରି ଓ ଅନ୍ନପୂର୍ଣ୍ଣାଙ୍କ ଏକାକୀ ଅଭିଭାବକ ପାଲଟିଗଲେ, ଯିଏକି ଏବେ ଏକ ସରକାରୀ ସ୍କୁଲରେ ପଢ଼ୁଛନ୍ତି ଏବଂ ଘରଠାରୁ ୩୦ କିଲୋମିଟର ଦୂର ଏକ ଛାତ୍ରାବାସରେ ରହୁଛନ୍ତି। ‘‘ସେମାନଙ୍କ କଥା ମୋର ବେଶି ମନେ ପଡ଼ିଥାଏ,’’ ଏହି ମା’ ଜଣଙ୍କ କୁହନ୍ତି, ‘‘ମୁଁ ଜାଣିଛି ଯେ ସେମାନଙ୍କୁ ଠିକ୍ ସମୟରେ ଖାଇବା ମିଳୁଛି’’ ବୋଲି କହି ସେ ନିଜକୁ ଶାନ୍ତ୍ୱନା ଦିଅନ୍ତି।
ପ୍ରତି ମାସରେ ଥରେ ସେମାନଙ୍କୁ ଭେଟିବା ଲାଗି ସେ ଉତ୍ସୁକ ରହିଥାନ୍ତି। ‘‘ଯଦି ମୋ ପାଖରେ ଟଙ୍କା ଅଛି, ମୁଁ (ପିଲାମାନଙ୍କୁ) ୫୦୦ (ଟଙ୍କା) ଦିଏ ଏବଂ ଯଦି କମ୍ ଅଛି, ତା’ହେଲେ ସେମାନଙ୍କୁ ୨୦୦ (ଟଙ୍କା) ଦେଇଥାଏ,’’ ସେ କୁହନ୍ତି।
ସେମାନଙ୍କ ପରିବାର ତେଲେଙ୍ଗାନାରେ ଏକ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ ମାଡ଼ିଗା ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାଏ ଏବଂ ପରମେଶ୍ୱରୀ ଚିଲତମପଲ୍ଲୀ ଗ୍ରାମରେ ଥିବା ଗୋଟିଏ ବଖୁରିକିଆ ଘରେ ରୁହନ୍ତି। ତାଙ୍କ ଘର ଛାତ ତଳକୁ ନଇଁପଡ଼ିଛି ଏବଂ ବାହାରେ ଏକ ଖୋଲା ଛପର ରହିଛି। ତେଲେଙ୍ଗାନାର ଭିକାରାବାଦ ଜିଲ୍ଲାରେ ଥିବା ଏହି ଘର ତାଙ୍କର ପରଲୋକଗତ ସ୍ୱାମୀ କମଲ ଚନ୍ଦ୍ରଙ୍କ ପରିବାର ନାଁରେ ରହିଛି। ତାଙ୍କୁ ବାହା ହେବା ପରେ ପରମେଶ୍ୱରୀ ଏହି ଘରକୁ ଚାଲି ଆସିଥିଲେ।










