ଭିତରେ ଦୁଇଟି ଶିଶୁ ଅଛନ୍ତି, ରୋପି ଘରୋଇ ପ୍ରସୂତି କ୍ଲିନିକ୍ର ଡାକ୍ତରଙ୍କୁ ଆତ୍ମବିଶ୍ୱାସର ସହ କହିଲେ - ଯଦିଓ ତାଙ୍କ ପାଖରେ କୌଣସି ଅଲଟ୍ରାସାଉଣ୍ଡ ରିପୋର୍ଟ ନ ଥିଲା ।
ରୋପି ମାନୁ ବେଟେ ପ୍ରାୟ ଦୁଇ ବର୍ଷ ପୂର୍ବର ଏହି ଘଟଣାକୁ କିଛିଟା ଖୁସି ଓ ବହୁତ ଆନନ୍ଦର ସହ ବର୍ଣ୍ଣନା କଲେ । ସେ ଡାକ୍ତର ଷ୍ଟେଥୋସ୍କୋପ ବ୍ୟବହାର କରିବାର ଅନୁକରଣ କରି କହିଲେ, “କାନ ମେ ୱ ଲଗାୟା [ସେ କାନରେ ତାକୁ ଲଗାଇଲେ]’’। ଦୁର୍ବଳ ଗର୍ଭବତୀ ମହିଳାଙ୍କ ମଧ୍ୟମ ଆକାରର ପେଟକୁ ଡାକ୍ତର ଶେଷ ଦୃଷ୍ଟି ଦେଲେ ଏବଂ ରୋପିଙ୍କ ଯାଆଁଳା ଶିଶୁଙ୍କ ପୂର୍ବାନୁମାନ ସହ ସେ ସହମତ ନୁହଁନ୍ତି ବୋଲି କହିଲେ ।
କ୍ଲିନିକ୍ର ଡେଲିଭରି ରୁମ୍ରେ ଏକ ଷ୍ଟୁଲ ଉପରେ ବସିବା ପାଇଁ ପଛକୁ ଫେରିବା ପୂର୍ବରୁ ସେ ପୁଣିଥରେ କହିଥିଲେ, “ମେଡାମ୍, ଦୋ ହୋତା, ଦୋ [ଦୁଇଟି ମ୍ୟାଡାମ୍, ଦୁଇଟି ପିଲା ହେବେ] ।’’ ପ୍ରାୟ ୭୦ ବର୍ଷୀୟା ରୋପି – ଏବଂ ସେତେବେଳେ ଯନ୍ତ୍ରଣାରେ କାତର ହେଉଥିବା ଗର୍ଭବତୀ ମହିଳା ଉଭୟ, ଉତ୍ତର-ପୂର୍ବ ମହାରାଷ୍ଟ୍ରର ମେଲଘାଟ ଜଙ୍ଗଲ ସୀମାନ୍ତରେ ଥିବା ତାଙ୍କ ଗାଁ ଜାଇତାଦେହିଠାରୁ ୨୦ କିଲୋମିଟର ଦୂରରେ ଥିବା ପାରାଟୱାଡ଼ା ସହରରେ ଥିଲେ ।
ସନ୍ଧ୍ୟା ସୁଦ୍ଧା ଏକ ଶିଶୁପୁତ୍ର ଜନ୍ମ ହେଲା ଏବଂ କିଛି ସେକେଣ୍ଡ ପରେ ଦ୍ୱିତୀୟ ଶିଶୁର ମୁଣ୍ଡ ବାହାରିଲା । ଏଥର ଗୋଟିଏ ଝିଅ, ତା’ର ଯାଆଁଳା ଭଉଣୀ।
କାଦୁଅରେ ନିର୍ମିତ ତାଙ୍କର ପାରମ୍ପରିକ ଘରର ବାରଣ୍ଡାର ଏକ ମୁଣ୍ଡରେ ଖାଲି କାଠ ଖଟ ଉପରେ ବସି ରୋପି ଜୋରରେ ହସିଲେ । ଘରର ଚଟାଣ ଗୋବରରେ ଲିପା ହୋଇ ଚିକ୍ଚିକ୍ ହୋଇଥିଲା । ଭିତରେ, କାଠର ଛାତ ଥିବା ତିନିଟି କୋଠରୀ ଖାଲି ଥିଲା, ତାଙ୍କର ଦୁଇ ପୁଅ ପରିବାର ଚାଷ କରୁଥିବା ଦୁଇ ଏକର ଜମିରେ କାମ କରିବାକୁ ବାହାରକୁ ଯାଇଥିଲେ ।
ସେ କୋର୍କୁ ଭାଷାରେ ଏକ ଅପଶବ୍ଦ କହିଲେ – ଯାହାର ଆକ୍ଷରିକ ଅର୍ଥ ଗଧର ଗୁପ୍ତାଙ୍ଗ ହେବ – ଏଥିସହ ସେ ଆହୁରି ହସିଲେ, ତାଙ୍କ ମୁହଁରେ ଅଙ୍କିତ ରେଖାସବୁ ଆହୁରି ଗଭୀର ହୋଇଗଲା। ସହରର ଜଣେ ଡାକ୍ତରଙ୍କୁ ଗାଳି ଦେବା କଥାକୁ ମନେ ପକାଇ ସେ କହିଲେ, ‘‘ତାହା ହିଁ ମୁଁ ତାଙ୍କୁ କହିଥିଲି’’।











