ସନ୍ଦିପନ ୱାଲଭେଙ୍କ ପାଇଁ ଏହି ଅନୁରୋଧଟି ଅସାଧାରଣ ନଥିଲା। ମୃତମହିଳାଙ୍କର ଆତ୍ମୀୟ ତାଙ୍କୁ ଏକ ସବୁଜ ରଙ୍ଗର ଚିକ୍ମିକ୍ ଶାଢୀ ବଢାଇ କହିଲେ, "ଦୟାକରି ଚିତାରେ ଅଗ୍ନି ସଂଯୋଗ କରିବା ପୂର୍ବରୁ ପାର୍ଥିବ ଶରୀର ଉପରେ ଏହି ଶାଢୀଟିକୁ ଘୋଡାଇ ଦିଅ"। ତାଙ୍କୁ ଯେପରି କୁହାଗଲା ସେ ସେପରି କଲେ।
ମହାରାଷ୍ଟ୍ରର ଓସମାନାବାଦ ସହରର ଶ୍ମଶାନରେ ଏକ ଧାଡିରେ ରଖାଯାଇଥିବା ୧୫ଟି ମୃତ ଶରୀର ମଧ୍ୟରୁ ୱାଲଭେଙ୍କୁ ସତ୍କାର କରିବାକୁ କୁହାଯାଇଥିବା ମୃତଶରୀରଟିକୁ ସେ ଚିହ୍ନଟ କଲେ। ବ୍ୟକ୍ତିଗତ ସୁରକ୍ଷା ଉପକରଣ ପରିଧାନ କରି ଓ ହାତରେ ହସ୍ତାବରଣ ପିନ୍ଧି ସେ ଅତି ସତର୍କତାର ସହିତ ଶାଢୀଟିକୁ ଶରୀର ଥିବା ଧଳା ବାୟୁରୋଧି ବ୍ୟାଗ୍ ଉପରେ ଯେଉଁପରି ରଖିବା କଥା ସେପରି ରଖିଦେଲେ। ସେ କହିଲେ,"ସେହି ମୃତ ମହିଳାଙ୍କର ଅତ୍ମୀୟମାନେ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଯିବେ ବୋଲି ଭୟଭୀତ ଥିଲେ"।
୨୦୨୦ ମସିହା ମାର୍ଚ୍ଚରୁ ଏହି ମହାମାରୀ ଆରମ୍ଭ ହେବାଠାରୁ, ଓସମାନାବାଦ ପୌର ପରିଷଦର କର୍ମଚାରୀ ୪୫ ବର୍ଷୀୟ ୱାଲଭେ ଏହି କୋଭିଡ-୧୯ରେ ମୃତକଙ୍କ ଶବ ସତ୍କାର କରିଆସୁଛନ୍ତି। ସେ ସେହି ଦିନଠାରୁ ୧୦୦ରୁ ଅଧିକ ମୃତଦେହ ସତ୍କାର କରିସାରିଲେଣି। ସେ କୁହନ୍ତି, ଏହି ବର୍ଷ ଏପ୍ରିଲ୍ ମାସ ଆରମ୍ଭରୁ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଗ୍ରାମାଞ୍ଚଳରେ ତୀବ୍ର ଗତିରେ ବ୍ୟାପିଯାଇଛି ଓ ପ୍ରତ୍ୟେକ ଦିନ ଶ୍ମଶାନକୁ ୧୫-୨୦ଟି ଶବ ସତ୍କାର ପାଇଁ ଆସୁଛି। ଏହା ୱାଲଭେ ଓ ତାଙ୍କର ସହଯୋଗୀମାନଙ୍କ ଉପରେ ଅଧିକ ଚାପ ପକାଉଛି ଏବଂ ଏହା ଲୋକମାନଙ୍କୁ ଅଧିକ ଆତଙ୍କିତ କରିଦେଇଛି ।
ୱାଲଭେ କୁହନ୍ତି,"ଭୂତାଣୁର ଭୟ ଅନେକଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ନଦେବାକୁ ବାଧ୍ୟ କରିଛି"। ତେଣୁ ଆମେ ଚିତାରେ ଅଗ୍ନି ସଂଯୋଗ କରିବା ପୂର୍ବରୁ ସେମାନେ ଆମକୁ ସମସ୍ତ ଆଵଶ୍ୟକ ବିଧି ପାଳନ କରିବା ପାଇଁ କୁହନ୍ତି। ଏହା ହେଉଛି ସବୁଠାରୁ କଷ୍ଟକର ସମୟ। ଶବ ଦାହ ସମୟରେ ଚାରିପଟେ ପରିବାର ବର୍ଗ ନରହିବା ଦୃଶ୍ୟ ଦେଖିବା ହେଉଛି ହୃଦୟ ବିଦାରକ। କିନ୍ତୁ ମୃତକଙ୍କ ଶବ ସତ୍କାର କିପରି ହେଉଛି ସେମାନେ ଜାଣିପାରନ୍ତି ନାହିଁ ବୋଲି ମନେପକାଇ ନିଜ ମନକୁ ସାନ୍ତ୍ୱନା ଦେବାକଥା।









