ସକାଳ ୯.୦୦ ରେ, ଯେତେବେଳେ ସହରତଳି ଉତ୍ତର ମୁମ୍ବାଇରେ ସ୍ଥିତ ବୋରିଭାଲି ଷ୍ଟେସନ୍ରେ ପହଞ୍ଚିବା ପାଇଁ ଗହଳି ମଧ୍ୟରେ ଯାତ୍ରୀମାନେ ସଂଘର୍ଷ କରୁଥାନ୍ତି ଓ ଯେତେବେଳେ ଦୋକାନୀମାନେ ସେମାନଙ୍କ ଦୋକାନର ସଟର୍ସ ଉଠାଇବା କାର୍ଯ୍ୟ ଆରମ୍ଭ କରନ୍ତି, ସେହି ସମୟରେ ୨୪ ବର୍ଷ ବୟସ୍କ ଲକ୍ଷ୍ମଣ କଟପ୍ପା ମଧ୍ୟ ତାଙ୍କ କାର୍ଯ୍ୟଦିବସ ଆରମ୍ଭ କରନ୍ତି ।
କାନ୍ଧରେ ସୂତା କପଡାର ଏକ ଥଳି ଧରି ସେ ତାଙ୍କ ସ୍ତ୍ରୀ ରେଖା ଓ ତାଙ୍କର ୧୩ ବର୍ଷ ବୟସ୍କ ସାନ ଭାଇ ଏଲାପ୍ପାଙ୍କ, ସହିତ ଖାଲି ପାଦରେ ଚାଲି ଚାଲି ଏକ ବନ୍ଦ ଦୋକାନ ଆଗରେ ଅଟକିଯାଆନ୍ତି । ସେଠାରେ ସେ ତାଙ୍କ ଥଳି ଖୋଲନ୍ତି ଓ ଏଥିରୁ ଏକ ଲମ୍ବା ସବୁଜ ଘାଗରା, ମୁଣ୍ଡରେ ବନ୍ଧା ଯାଉଥିବା ଏକ ପଟି, ବନ୍ଦର (ହଳଦିଆ ଅକ୍ସାଇଡ୍ ଗୁଣ୍ଡ) ଓ ନାଲି କୁମ୍କୁମ୍ ଥିବା ଏକ ବାକ୍ସ, ମାଳିରୁ ପ୍ରସ୍ତୁତ ବେକର କିଛି ଅଳଙ୍କାର, ଏକ ଛୋଟ ଦର୍ପଣ, ଚାବୁକ୍ ଓ ବଳାଗଣ୍ଠି ପାଇଁ ଘୁଙ୍ଗୁର୍ ଆଦି ବାହାରିଥିଲା।
ବନ୍ଦଥିବା ଦୋକାନ ସମ୍ମୁଖରେ ଠିଆହୋଇ, ଲକ୍ଷ୍ମଣ ନିଜେ ପିନ୍ଧିଥିବା ପ୍ୟାଣ୍ଟ ଉପରେ ସ୍କର୍ଟ ପିନ୍ଧିଲେ ଓ ତାଙ୍କର ଟି-ସାର୍ଟକୁ ବାହାର କରିଦେଲେ । ତା’ପରେ ସେ ତାଙ୍କର ଅନାବୃତ ଛାତି ଓ ମୁହଁକୁ କିଛି ହଳଦିଆ ଓ ନାଲି ପେଷ୍ଟରେ ପେଣ୍ଟ କରିବାକୁ ଆରମ୍ଭ କଲେ ଓ ଅଳଙ୍କାର ସବୁ ପିନ୍ଧିଲେ । ଏଲପ୍ପା ମଧ୍ୟ ସେହିପରି କଲେ । ସେମାନେ ବଡ ବଡ ଘଣ୍ଚି ଲାଗି ତିଆରି ହୋଇଥିବା ଏକ ଅଣ୍ଟା ପଟିକୁ ସେମାନଙ୍କ ସ୍କର୍ଟରେ ଲଗାଇଲେ ଓ ସେମାନଙ୍କ ବଳାଘଣ୍ଟିରେ ଘୁଙ୍ଗୁରଗୁଡିକ ବାନ୍ଧିଲେ । ରେଖା ସେମାନଙ୍କ ପଛରେ ଗୋଟିଏ ଢୋଲକ ଧରି ବସିଲେ ।
ତା’ପରେ ଆରମ୍ଭ ହେଲା ଅଭିନୟ । ଏହା ହେଉଛି ମାର୍ଚ୍ଚ ୨୦୨୦ରେ ତାଲାବନ୍ଦ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବ ସମୟର କଥା ।






















