କିଛି ମାସ ପୂର୍ବେ ଭର୍ସୋବା ଜେଟିରେ ଦିନେ ସକାଳେ, ମୁଁ ରାମ୍ଜିଭାଇଙ୍କୁ ପଚାରିଲି, ସେହି ଉପନଦୀର ଧାରରେ କିଏ ବସିଥିଲା, ସେ ସେଠାରେ କଣ କରୁ୍ଥିଲା। “ଟାଇମ୍ପାସ୍” ବୋଲି ସେ ଉତ୍ତର ଦେଲେ । “ମୁଁ ଏହାକୁ ଘରକୁ ନେବି ଓ ଖାଇବି ।’’ ସେ ସେହି ସମୟରେ ଧରିଥିବା ଏକ ଛୋଟ ତେଙ୍ଗଡା ( ଏକ ପ୍ରକାରର କ୍ୟାଟ୍ଫିସ୍) ଉଦ୍ଦେଶ୍ୟରେ କହିଲେ । ଗତକାଲି ରାତିରେ ସେହି ଉପନଦୀରେ ଜାଲ ବିଛେଇଥିବା ଅନ୍ୟ ମତ୍ସଜୀବୀମାନେ ମଧ୍ୟ ସେମାନଙ୍କ ଜାଲ ପରିଷ୍କାର କରୁଥିବା ମୁଁ ଦେଖିବାକୁ ପାଇଲି ।
“ଖାଡିରେ ମାଛ ଧରିବା ଆଜିକାଲି ପ୍ରାୟତଃ ସମ୍ଭବ ହେଉନାହିଁ,” ବୋଲି ସାରା ଜୀବନ, ପ୍ରାୟ ୭୦ରୁ ଅଧିକ ବର୍ଷ, ଉତ୍ତର ମୁମ୍ବାଇର କେ-ପଶ୍ଚିମ ୱାର୍ଡର ଏହି ମତ୍ସ୍ୟଜୀବୀ ଗ୍ରାମ ଭର୍ସୋବା କୋଲିୱାଡାରେ ବିତେଇଥିବା ଭଗବାନ ନାମଦେବ ଭାଞ୍ଜି କୁହନ୍ତି । “ଆମେ ଯେତେବେଳେ ଯୁବକ ଥିଲୁ, ସେତେବେଳେ ଏହି ଉପକୂଳ ମରିସସ୍ରେ ଥିବା ଏକ ଉପକୂଳ ପରି ମନେ ହେଉଥିଲା । ତୁମେ ଯଦି ପାଣିରେ ଏକ ମୁଦ୍ରା ପକେଇବ, ତେବେ ତୁମେ ତାହା ଦେଖିବା ସମ୍ଭବ ହେଉଥିଲା… ସେତେବେଳେ ପାଣି ଏପରି ସ୍ୱଚ୍ଛ ଥିଲା ।
ବେଳେବେଳେ ଯେଉଁ ମାଛଗୁଡିକ ଭଗବାନଙ୍କ ପଡୋଶୀରେ ଥିବା ଜାଲରେ ପଡ଼ୁଛନ୍ତି –ବର୍ତ୍ତମାନ ଗଭୀର ସମୁଦ୍ରରେ ଜାଲ ପକାଯାଉଛି-ସେଗୁଡିକ ମଧ୍ୟ ପ୍ରାୟତଃ ଛୋଟ ଆକାର ବିଶିଷ୍ଟ ହୋଇଥାଏ।‘‘ପୂର୍ବେ ଆମକୁ ବଡ଼ ବଡ଼ ପୋମଫ୍ରେଟ୍ ମିଳୁଥିଲା କିନ୍ତୁ ବର୍ତ୍ତମାନ କେବଳ ଛୋଟ ଆକାରର ମିଳୁଛି । ଏହା ଆମର ବ୍ୟବସାୟକୁ ବହୁଳ ଭାବେ ପ୍ରଭାବିତ କରୁଛି’’, ବୋଲି ୪୮ ବର୍ଷ-ବୟସ୍କ ପ୍ରିୟ ଭାଞ୍ଜି, ଭଗବାନଙ୍କ ଜ୍ୱାଇଁ ଯିଏ ଗତ ୨୫ବର୍ଷ ଧରି ମାଛ ବିକ୍ରି କରିଆସୁଛନ୍ତି, କୁହନ୍ତି ।
ଏଠାରେ ରହୁଥିବା ପ୍ରାୟ ସମସ୍ତଙ୍କ – କୋଲିୱାଡାରେ ରହୁଥିବା ୧,୦୭୨ ପରିବାର ବା ୪,୯୪୩ ଲୋକ ମାଛ ଧରିବା କାମରେ ନିୟୋଜିତ ଅଛନ୍ତି (୨୦୧୦ ସମୁଦ୍ରୀ ମତ୍ସ୍ୟ ଜନଗଣନା)- ପାଖରେ କ୍ରମଶଃ ଅନ୍ତର୍ଦ୍ଧାନ ହୋଇଯାଉଥିବା ବା ହ୍ରାସ ପାଉଥିବା ମାଛ ବିଷୟରେ କହିବାକୁ କିଛି ନା କିଛି କାହାଣୀ ଅଛି । ଏଥିପାଇଁ ସେମାନେ ଆଞ୍ଚଳିକ ପ୍ରଦୂଷଣଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ଉତ୍ତାପନକୁ ଦାୟୀ କରନ୍ତି- ସହରର ଉପକୂଳବର୍ତ୍ତୀ ଅଞ୍ଚଳରେ ଉଭୟର ମିଳିତ ପ୍ରଭାବ ଯୋଗୁଁ ଭର୍ସୋବାରେ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ ଅନୁଭୂତ ହେଉଛି ।











