ସନ୍ଧ୍ୟାବେଳେ ସେ ଏକ ପରିତ୍ୟକ୍ତ ବଗିଚାକୁ ଚାଲିଚାଲି ଗଲେ । ସେଠାରେ ଏକ ବେଞ୍ଚ ଉପରେ ବସିଲେ ଓ ଗୋଟିଏ ବଡ଼ ବାଡ଼ି ଓ ଏକ ଛୋଟ ଫୋନ୍ ତାଙ୍କ ପାଖରେ ରଖିଲେ । ବର୍ଷକ ମଧ୍ୟରେ ବଗିଚାଟି ଦ୍ୱିତୀୟ ଥର ପାଇଁ ନିସ୍ତବ୍ଧ ହୋଇଯାଇଥିଲା। ସମସ୍ତ ପିଲା ଓ ବୟସ୍କମାନେ ପୁଣିଥରେ ସେମାନଙ୍କ ଘରେ ଆବଦ୍ଧ ହୋଇଗଲେ ।
ସେ ଗତ କିଛି ଦିନ ହେବ ଏହି ବଗିଚାକୁ ଯାଉଥିଲେ।ଅନ୍ଧକାର ବଢିବା ସହିତ ଷ୍ଟ୍ରୀଟ୍ଲାଇଟ୍ଗୁଡ଼ିକ ଜଳି ଉଠିଲା ଓ ଏହାର ଆଲୋକରେ ଶାଖାଗୁଡ଼ିକର ଛାଇ ଭୂମି ଉପରେ ପ୍ରତୀୟମାନ ହେଲା। ମୃଦୁ ପବନରେ ଘୂରି ଘୂରି ତଳେ ପଡୁଥିବା ଗଛର ଶୁଖିଲା ପତ୍ରଗୁଡ଼ିକ ସତେ ଯେପରି ମନର ବ୍ୟାକୁଳତାକୁ ବଢ଼ାଉଥିଲା। ତାଙ୍କ ଭିତର ଅନ୍ଧକାର ଆହୁରି ଗଭୀର ହେଉଥିଲା। ସେ ସେଠାରେ ଅନେକ ଘଣ୍ଟା ପର୍ଯ୍ୟନ୍ତ ବସି ରହିଲେ, ଶାନ୍ତ କିନ୍ତୁ ଭୀତତ୍ରସ୍ତ ଭାବେ ।
ଯୁବକ ଜଣକ, ଯାହାର ବୟସ ବୋଧହୁଏ ୨୦ବର୍ଷରୁ ଟିକିଏ ଅଳ୍ପ ବା ବେଶୀ ହେବ, ଏଠାର ଜଣେ ପରିଚିତ ମୁହଁ ଥିଲେ – ଅଥଚ, ଅନେକ ଲୋକଙ୍କ ପାଇଁ ସେ ଅଜଣା ଥିଲେ । ତାଙ୍କର ୟୁନିଫର୍ମ ତାଙ୍କ କାମ ବିଷୟରେ କହୁଥିଲା – ସେ ନିକଟବର୍ତ୍ତୀ ଏକ ବହୁତଳ କୋଠାରେ ସିକ୍ୟୁରିଟି ଗାର୍ଡ ଥିଲେ । ତାଙ୍କର ନାମ .. ଜାଣିବା କ’ଣ ଦରକାର? ସାତବର୍ଷ ଧରି ଗାର୍ଡ ଭାବେ କାମ କରିବା ପରେ ମଧ୍ୟ ସେ ସେମାନଙ୍କ ଆପାର୍ଟମେଣ୍ଟର ଜମିଦାରମାନଙ୍କ ପାଇଁ ଜଣେ ଅପରିଚିତ ବ୍ୟକ୍ତି ହୋଇ ରହିଛନ୍ତି ।
ସେ ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡରୁ ଆସିଥିଲେ । ତାଙ୍କ ବାପା ଜଣେ ସ୍ଥାନୀୟ କବି ଓ କଥାକାର ହୋଇଥିବାବେଳେ ସାହିତ୍ୟ ମାଧ୍ୟମରେ ନିଜର ମତାମତ ରଖି ହତ୍ୟାର ଶିକାର ହୋଇଥିଲେ । ତାଙ୍କର ସାମଗ୍ରିକ ସାହିତ୍ୟ କୃତୀକୁ ଭୟରେ ଜଳାଇ ଦିଆଗଲା । କେବଳ ଗୋଟିଏ ଭଙ୍ଗା ଓ ପୋଡ଼ି ଅଙ୍ଗାର ହୋଇଯାଇଥିବା କୁଡ଼ିଆ ରହିଯାଇଥିଲା ,ଆଉ ରହିଯାଇଥିଲେ ଜଣେ ଅସହାୟ ମା ଓ ତାଙ୍କର ଦଶ ବର୍ଷର ପୁଅ । ସେ ଭୟରେ ଆତଙ୍କିତ ହୋଇପଡ଼ିଥିଲେ – ଯଦି ସେମାନେ ତାଙ୍କଠାରୁ ତାଙ୍କ ପୁଅକୁ ଛଡ଼ାଇ ନେବେ, ତାହାହେଲେ କ’ଣ ହେବ? ସେ ତାଙ୍କ ପୁଅକୁ ଦଉଡ଼ିବାକୁ କହିଲେ, ଯେତେଦୂର ସମ୍ଭବ ସେତେ ଦୂର ପର୍ଯ୍ୟନ୍ତ ।
ସେ ପଢ଼ିବାକୁ ଚାହିଁଥିଲେ, ଭଲ ଜୋତା ପିନ୍ଧିବାକୁ ଚାହିଁଥିଲେ ହେଲେ, ମୁମ୍ବାଇ, ଯେଉଁ ସହରକୁ ସେ ନିଜର ଦୁଃଖ ଦୂର କରିବା ଆଶାରେ ଆସିଥିଲେ, ସେହି ସହରର ରେଳ ଷ୍ଟେସନରେ ଅନ୍ୟମାନଙ୍କ ଜୋତା ପରିଷ୍କାର କରିବା କାମରେ ନିଜକୁ ନିୟୋଜିତ କରିବାକୁ ବାଧ୍ୟ ହୋଇଥିଲେ । ସେ ନାଳ ସଫା କଲେ, ନିର୍ମାଣସ୍ଥଳଗୁଡ଼ିକରେ କାମ କଲେ – ଆଉ ଧୀରେ ଧୀରେ ନିଜକୁ ଗାର୍ଡ ପଦକୁ ଉନ୍ନୀତ କଲେ । ତାଙ୍କ ମା’ଙ୍କ ପାଖକୁ ଅର୍ଥ ପଠାଇବାକୁ ସମର୍ଥ ହେବାପାଇଁ ଏହା ଯଥେଷ୍ଟ ଥିଲା । ବର୍ତ୍ତମାନ ତାଙ୍କ ମା’ ମଧ୍ୟ ଅତିଶୀଘ୍ର ତାଙ୍କର ବିବାହ କରିଦେବାକୁ ଚାହିଁଲେ ।



