ସେଦିନ ରାତିରେ ମୀନା ଶୋଇପାରିନଥିଲେ। ବର୍ଷା ପାଣି ତାଙ୍କ ଘର ଭିତରେ ପଶିଯାଇଥିଲା। ପତଳା ତାରପଲିନ ବେଶୀ ସମୟ ପର୍ଯ୍ୟନ୍ତ ବର୍ଷା ପାଣି ମାଡ଼କୁ ସହିପାରିନଥିଲା ଏବଂ କେଇ ମିନିଟ ମଧ୍ୟରେ ଫାଟି ଯାଇଥିଲା। ମୀନା ଓ ତାଙ୍କ ପରିବାର ଦୌଡ଼ି ଯାଇ ନିକଟରେ ବନ୍ଦ ପଡ଼ିଥିବା ଏକ ଦୋକାନ ଆଗରେ ଆଶ୍ରୟ ନେଇଥିଲେ।
“ବର୍ଷା ଛାଡ଼ିବା ପର୍ଯ୍ୟନ୍ତ ଆମେ ସେଠାରେ ସାରା ରାତି ବସି ରହିଲୁ (ଜୁଲାଇ ପ୍ରାରମ୍ଭରେ)”, ସେ କୁହନ୍ତି। ଏ କଥା କହିବା ବେଳେ ସେ ଏକ ଅପରାହ୍ଣରେ ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ଧଳା ପ୍ରିଣ୍ଟ ହୋଇଥିବା ଚଟେଇ ଉପରେ ବସି ରହିଥିଲେ ପାଖରେ ତାଙ୍କର ୨ ବର୍ଷର ଝିଅ ଶମା ଶୋଇଥିଲା।
ସେଦିନ ବର୍ଷା ଛାଡ଼ିବା ପରେ, ମୀନା ଫେରିଆସି ପୁଣି ଥରେ ତାଙ୍କ ଘର ସଜାଡ଼ିଥିଲେ। ସେତେବେଳକୁ ସେମାନଙ୍କର ଆସବାବପତ୍ର-ବାସନକୁସନ, ଖାଦ୍ୟସାମଗ୍ରୀ, ସ୍କୁଲ ବହି-ଭାସି ଯାଇଥିଲା।
“ଆମ ପାଖରେ ଥିବା ମାସ୍କ ମଧ୍ୟ ଭାସିଯାଇଥିଲା,” କୁହନ୍ତି ମୀନା। ଲକଡାଉନ ଆରମ୍ଭ ହେବା ସମୟରେ ସ୍ୱେଚ୍ଛାସେବୀମାନେ ସବୁଜ ରଙ୍ଗର ମାସ୍କ ଦେଇଥିଲେ। “ଆମେ ମାସ୍କ ପିନ୍ଧିଲେ କ’ଣ ହେବ”? ସେ ପଚାରନ୍ତି। “ଆମେ ଏଠାରେ ମଲା ମଣିଷଙ୍କ ପରି ରହୁଛୁ, କରୋନାକୁ ଡରୁଛି କିଏ?”
ମୀନା (କେବଳ ନିଜର ପ୍ରଥମ ନାମ ବ୍ୟବହାର କରିଥାନ୍ତି) ଏବଂ ତାଙ୍କ ପରିବାର- ସ୍ୱାମୀ ଓ ଚାରି ପିଲା-ସେମାନଙ୍କ ଆଖି ସାମ୍ନାରେ ନିଜର ଜିନିଷପତ୍ର ଭାସିଯିବା ଅନେକ ଥର ଦେଖିଛନ୍ତି। ପ୍ରତିଥର ମୌସୁମୀ ଋତୁ ଆସିଲେ ସେମାନଙ୍କ ସହିତ ଏକାଧିକ ବାର ଏପରି ଘଟିଥାଏ। ସବୁବର୍ଷ ଏମିତି ହୁଏ। ଉତ୍ତର ମୁମ୍ବାଇର ଉପସହରାଞ୍ଚଳ କାନ୍ଦିଭଲି ଇଷ୍ଟର ଫୁଟପାଥରେ ଥିବା ସେମାନଙ୍କ କୁଡ଼ିଆ ପ୍ରବଳ ବର୍ଷାରେ ଭାଙ୍ଗିଯାଇଥାଏ।
କିନ୍ତୁ ଗତବର୍ଷ ପର୍ଯ୍ୟନ୍ତ, ଯେତେବେଳେ ଖୁବଜୋରରେ ବର୍ଷା ହେଉଥିଲା, ସେମାନଙ୍କ ପରିବାର ନିକଟରେ ନିର୍ମାଣାଧୀନ କୋଠାକୁ ଚାଲିଯାଇ ସେଠାରେ ଆଶ୍ରୟ ନେଉଥିଲେ। ବର୍ତ୍ତମାନ ଏହା ବନ୍ଦ ହୋଇଯାଇଛି। ପ୍ରାୟ ୩୦ ବର୍ଷ ବୟସ୍କା ମୀନା କୁହନ୍ତି, “ଆମେ ଏମିତି ବର୍ଷା ସହ ଅଭ୍ୟସ୍ତ, କିନ୍ତୁ ଚଳିତ ବର୍ଷ କରୋନା ଆମ ପାଇଁ କଷ୍ଟକର ପରିସ୍ଥିତି ଆଣିଛି। ଆମେ ସେସବୁ କୋଠାରେ ଯାଇ ଆଶ୍ରୟ ନେଉଥିଲୁ। ସେଠାକାର ଜଗୁଆଳି ଆମକୁ ଜାଣିଛି। ଏପରିକି ଅପରାହ୍ଣରେ ଦୋକାନୀମାନେ ସେମାନଙ୍କ ଦୋକାନ ବାହାରେ ଆମକୁ ବସିବାକୁ ଦେଉଥିଲେ। କିନ୍ତୁ ଏବେ ସେମାନେ ଆମକୁ ସେମାନଙ୍କ ପାଖ ଦେଇ ଚାଲି ଚାଲି ଯିବାକୁ ମଧ୍ୟ ଦେଉନାହାନ୍ତି।”













