ଶିବପୂଜନ ପାଣ୍ଡେ ଅନ୍ୟ ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କଠାରୁ ଫୋନ କଲ୍ ପାଇବା ପରେ ତୁରନ୍ତ ଏକ ତତ୍କାଳ ଟ୍ରେନ୍ ଟିକେଟ୍ ବୁକ୍ କରିଥିଲେ ଏବଂ ଉତ୍ତର ପ୍ରଦେଶର ମିର୍ଜାପୁର ଷ୍ଟେସନରୁ ଜୁଲାଇ ୪ ତାରିଖରେ ଟ୍ରେନ୍ ଧରିଥିଲେ।
ପରଦିନ ସେ ମୁମ୍ବାଇରେ ପହଞ୍ଚିଥିଲେ। ଏତେ ତରବର ହୋଇ ପହଞ୍ଚିବା ସତ୍ତ୍ୱେ ୬୩ ବର୍ଷୀୟ ଶିବପୂଜନ ତାଙ୍କ ଟ୍ୟାକ୍ସିକୁ ବଞ୍ଚାଇ ପାରିନଥିଲେ।
ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଲିମିଟେଡ ପକ୍ଷରୁ ଏହାକୁ ନିଲାମ କରି ଦିଆଯାଇଥିଲା।– ମହାମାରୀ ଜନିତ ଲକଡାଉନ କାରଣରୁ ଅନେକ ମାସ ପର୍ଯ୍ୟନ୍ତ ମହାନଗରର ବିମାନ ବନ୍ଦରରେ ବିନା ଯାତ୍ରୀରେ ପଡ଼ି ରହିଥିବା ୪୨ଟି ଟ୍ୟାକ୍ସି ମଧ୍ୟରୁ ଏହା ଥିଲା ଅନ୍ୟତମ।
ଏମିତି ଭାବେ ଶିବପୂଜନ ତାଙ୍କର ଜୀବିକା ହରାଇଲେ- ସେ ୧୯୮୭ ଠାରୁ ଟ୍ୟାକ୍ସି ଚଳାଇ ଆସୁଛନ୍ତି ଏବଂ ୨୦୦୯ରେ ଋଣ ନେଇ ସେ ନିଜର କଳା-ହଳଦିଆ ମାରୁତି ଓମ୍ନି କିଣିଥିଲେ।
“ଏହା କରିବା ପରେ ସେମାନେ କ’ଣ ପାଇଛନ୍ତି?” ଦିନେ ଅପରାହ୍ଣରେ ସହାର ବିମାନ ବନ୍ଦର ନିକଟବର୍ତ୍ତୀ ଫୁଟପାଥରେ ଛିଡ଼ା ହୋଇ ସେ ଅସନ୍ତୁଷ୍ଟ ହୋଇ ପଚାରିଥାନ୍ତି। “ଏହି କାମ କରି ମୁଁ ମୋ ସାରା ଜୀବନ ବିତାଇ ଦେଇଛି। ଆମ ପାଖରେ ଅଳ୍ପ ଯାହା କିଛି ଥିଲା ସେମାନେ ଛଡ଼ାଇ ନେଲେ। ବର୍ତ୍ତମାନ ସେମାନେ ଆମର ସବୁଠୁ ବଡ଼ କ୍ଷତି କରିଛନ୍ତି।”
ନିକଟରେ ସଞ୍ଜୟ ମାଲି ମଧ୍ୟ ଏପରି କଠୋର ଜୋରିମାନାର ଶିକାର ହୋଇଛନ୍ତି। ତାଙ୍କର ୱାଗନ ଆର ‘କୁଲ୍ କ୍ୟାବ’ ମାର୍ଚ୍ଚ ୨୦୨୦ ପରଠାରୁ ହିଁ ଉତ୍ତର ମୁମ୍ବାଇର ମରୋଲ ଇଲାକାସ୍ଥିତ ଆନ୍ନାୱାଡ଼ିର ଏକ ପାର୍କିଂରେ ଛିଡ଼ା ହୋଇଥିଲା, ଏହି ସ୍ଥାନ ସହାର ଅନ୍ତର୍ଜାତୀୟ ବିମାନ ବନ୍ଦରଠାରୁ ବେଶୀ ଦୂରରେ ନଥିଲା।
୨୯ ଜୁନ୍, ୨୦୨୧ ରାତିରେ ତାଙ୍କ କାରକୁ ପାର୍କିଂ ସ୍ଥଳରୁ ହଟାଇ ଦିଆଗଲା। ପରଦିନ ଜଣେ ବନ୍ଧୁ ତାଙ୍କୁ ସୂଚନା ଦେଲେ। ୪୨ ବର୍ଷୀୟ ସଞ୍ଜୟ କୁହନ୍ତି ଯେ, “ମୁଁ ଜାଣିନାହିଁ ଯେ କ’ଣ ହେବ”।














