ଏମ୍. ମାଧନ ଜାଣନ୍ତି ଯେ ୬୦ ଫୁଟ ଉଚ୍ଚ ଗଛ ଉପରେ ଚଢ଼ି ମହୁ ସଂଗ୍ରହ କରିବା, ବଣୁଆ ହାତୀରେ ଭର୍ତ୍ତି ମୁଦୁମଲାଇର ଘଞ୍ଚ ଜଙ୍ଗଲରେ କାମ କରିବା ଏବଂ ଶିକାରକୁ ଚାହିଁ ରହିଥିବା ପ୍ରାୟ ୬୫ଟି ବାଘଙ୍କ ମଧ୍ୟରେ ବନ୍ୟ ପରିବେଶରେ ରହିବାର ପରିଣତି କ’ଣ ହୋଇପାରେ ।
ଏଥିରୁ କେଉଁଟି ହେଲେ ତାଙ୍କୁ ଭୟଭୀତ କରାଇ ପାରିନଥିଲା । କେତୋଟି ବାଘକୁ ଅତି ପାଖରୁ ଦେଖିଛନ୍ତି ବୋଲି ଆମେ ଯେତେବେଳେ ତାଙ୍କୁ ପଚାରୁ, ସେ ହସି ଦିଅନ୍ତି: “ମୁଁ ଗଣିବା ବନ୍ଦ କରିଦେଇଥିଲି !”
କିନ୍ତୁ ଏବେ ଏକ ଭିନ୍ନ ଧରଣର ଆଚ୍ଛନ୍ନ ବିପଦ ତାଙ୍କୁ ଚିନ୍ତାରେ ପକାଇଛି । ମାଧନ ଏବଂ ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ଅଞ୍ଚଳରେ ପ୍ରାୟ ୯୦ଟି ପରିବାର ରହୁଥିବା ସାତଟି ପଲ୍ଲୀରୁ ଗୋଟିଏ ବେନ୍ନେର ଅନ୍ୟ ବାସିନ୍ଦାମାନଙ୍କୁ ହୁଏତ ଖୁବ୍ ଶୀଘ୍ର ନିଜ ନିଜର ପୈତୃକ ଘର ଓ ଜମି ଛାଡ଼ି ଯିବାକୁ ପଡ଼ିବ ।
ଜଙ୍ଗଲ ଭିତରେ ଥିବା ତାଙ୍କର ଘରବାଡ଼ି ଆମକୁ ଦେଖାଇ ଦିଅନ୍ତି ମାଧନ । ତାଙ୍କ ପରିବାରର ମାଟି ଏବଂ ନଡ଼ା ଛପର ଘରର ଠିକ୍ ପରେ ପରେ ରହିଛି ଦେବୀ ମାରିଆମ୍ମାଙ୍କ ମନ୍ଦିର ଏବଂ ଗହଳିଆଗଛ ପୁଞ୍ଜର ଛାଇ ତଳେ ଥିବା କବରସ୍ଥଳୀ, ଯେଉଁଠି ତାଙ୍କ ପୂର୍ବଜଙ୍କ ପିଢ଼ିର ଅନେକ ଭୂମିତଳେ ବିଶ୍ରାମ ନେଉଛନ୍ତି । ଆମକୁ ସେ ଦେଖାଇ ଦିଅନ୍ତି, ପାହାଡ଼ ଉପତ୍ୟକାର ଏକ ଝରଣା ଏବଂ ଭୋକିଲା ପଶୁମାନଙ୍କ ଦାଉରୁ ରକ୍ଷା କରିବା ଲାଗି କଣ୍ଟାବୁଦାରେ ଘେରା ତାଙ୍କ ପରିବାରର ପରିବା ଚାଷଜମି। ସେ କହନ୍ତି, “ଏହା ଆମର ଘର ।”


