ମାଗଣାରେ ମଧ୍ୟାହ୍ନଭୋଜନ ଭଳି କିଛି ନାହିଁ।
ସମ୍ଭବତଃ, ଆପଣ ଏକ ଭାଗ୍ୟବାନ୍ ଗାଈ, ଯାହାକି ଆସାମରେ ଶକ୍ତିଶାଳୀ ବ୍ରହ୍ମପୁତ୍ର ନଦୀ ମଧ୍ୟରେ ଥିବା ଏକ ଦ୍ୱୀପ, ମାଜୁଲିର ଏକ ବ୍ୟସ୍ତବହୁଳ ନୌକାଘାଟ କମଳାବାଡ଼ି ଘାଟରେ ଥିବା ଖାଦ୍ୟ ଷ୍ଟଲଗୁଡ଼ିକୁ ଚାହିଁରହିଛି ।
ମୁକ୍ତା ହଜାରିକା ଏହିସବୁ କଥାକୁ ଭଲ ଭାବେ ଜାଣିଛନ୍ତି। ଆମ ସହ କଥୋପକଥନ ମଝିରେ ସେ ହଠାତ୍ ଅଟକିଗଲେ, ଯେତେବେଳେ ସେ ନିଜର ଭୋଜନାଳୟ ସାମ୍ନାରେ କିଛି ଖଡ଼ଖଡ଼ ଶବ୍ଦ ଶୁଣିଲେ ଯେଉଁଠାରେ ଗୋଟିଏ ଗାଈ ଜବରଦସ୍ତ ପଶିଆସି କାଉଣ୍ଟରରେ ରଖାଯାଇଥିବା କିଛି ଖାଦ୍ୟ ଖାଇବାକୁ ଚେଷ୍ଟା କରୁଥିଲା।
ସେ ଗାଈଟିକୁ ପରିସରରୁ ଘଉଡ଼ାଇଦେଲେ, ବୁଲିପଡ଼ିଲେ ଏବଂ ହସିଲେ, ‘‘ମୁଁ ମୋର ହୋଟେଲ୍କୁ [ଖାଦ୍ୟ ଷ୍ଟଲ]କୁ ଗୋଟିଏ ମିନିଟ୍ରୁ ଅଧିକ ସମୟ ପାଇଁ ବି ଛାଡ଼ିଯାଇପାରିବି ନାହିଁ। ନିକଟରେ ଚରୁଥିବା ଗାଈଗୁଡ଼ିକ ଖାଇବାପାଇଁ ଆସନ୍ତି ଏବଂ ଏହି ସ୍ଥାନରେ ଘଣ୍ଟାଚକଟା କରିଦିଅନ୍ତି।’’
୧୦ଟି ଆସନ ବିଶିଷ୍ଟ ଏହି ଭୋଜନାଳୟରେ ମୁକ୍ତା ତିନି ଜଣଙ୍କର କାମ କରନ୍ତି: ରୋଷେୟା, ଖାଦ୍ୟ ପରଷୁଥିବା ବ୍ୟକ୍ତି ଓ ମାଲିକ। ତେଣୁ ହୋଟେଲଟି ତାଙ୍କ ନାମ ଅନୁସାରେ – ‘ହୋଟେଲ୍ ହଜାରିକା’ ହେବା ଯଥାର୍ଥ।
କିନ୍ତୁ ଷଷ୍ଠ ବର୍ଷ ପାଇଁ ସଫଳତାର ସହ ଚାଲୁଥିବା ହୋଟେଲ୍ ହଜାରିକା ୨୭ ବର୍ଷୀୟା ମୁକ୍ତାଙ୍କର ଏକମାତ୍ର ଉପଲବ୍ଧି ନୁହେଁ। ସେ ମନୋରଞ୍ଜନ ଦୁନିଆର ତିନିଟି କ୍ଷେତ୍ରରେ ମଧ୍ୟ ପ୍ରତିଷ୍ଠିତ - ଜଣେ ଅଭିନେତା, ନୃତ୍ୟଶିଳ୍ପୀ ଓ ଗାୟକ – ସେ ମଧ୍ୟ ଜଣେ ଦକ୍ଷ ମେକ୍ଅପ୍ ଆର୍ଟିଷ୍ଟ ଯିଏକି ଅବସରର ଚାହିଦା ଅନୁସାରେ ମାଜୁଲିର ଲୋକମାନେ ଯେପରି ଅତି ସୁନ୍ଦର ଦେଖାଯିବେ ଏବଂ ଅନୁଭବ କରିବେ ତାହା ସୁନିଶ୍ଚିତ କରନ୍ତି।
ଆମକୁ ଏହା ଦେଖିବାକୁ ଥିଲା। କିନ୍ତୁ ଏହି ସମୟରେ ତାଙ୍କୁ ଲୋକଙ୍କୁ ଖାଦ୍ୟ ଦେବାକୁ ଥିଲା।

















