“ତିନିଟି ଟ୍ରାକ୍ଟର, ଛଅଟି ଟ୍ରାକ୍ଟର ଟ୍ରଲି ଏବଂ ୨ରୁ ୩ଟି କାର୍, ଜାନୁଆରୀ ୨୪ ସକାଳେ ଆମ ଗାଁରୁ ଦିଲ୍ଲୀ ଯିବାକୁ ବାହାରିବ,” ହରିୟାଣାର କନ୍ଦରୌଲି ଗାଁର ଚିକୁ ଢାଣ୍ଡା କହିଲେ । ଏହି ୨୮ବର୍ଷୀୟ କୃଷକ ଜଣକ ଆହୁରି କହିଲେ କି “ଆମେ ଟ୍ରାକ୍ଟର ରାଲିରେ ଯୋଗ ଦେବାକୁ ଯାଉଛୁ । ମୁଁ ମୋ ନିଜ ଟ୍ରାକ୍ଟର ଚଲାଇ ଦିଲ୍ଲୀ ଯିବି।”
ହରିଆଣା-ଦିଲ୍ଲୀ ସୀମାବର୍ତ୍ତୀ ସିଂଘୁକୁ ଚିକୁଙ୍କର ଏହା ଷଷ୍ଠ ଯାତ୍ରା। ସବୁ ଥର ସେ ୨୦୨୦ ସେପ୍ଟେମ୍ବରେ ସଂସଦରେ ଗୃହୀତ କୃଷି ଆଇନଗୁଡ଼ିକ ବିରୋଧରେ ସିଂଘୁରେ ଆନ୍ଦୋଳନରତ ହଜାର ହଜାର କୃଷକଙ୍କ ସହ ସାମିଲ ହୁଅନ୍ତି । ପ୍ରତି ଥର ସେ କନ୍ଦରୌଲିରୁ ଯମୁନାନଗର ଜିଲ୍ଲା ପର୍ଯ୍ୟନ୍ତ ୧୫୦ କିଲୋମିଟର ରାସ୍ତାରେ ପ୍ରାୟ ଚାରି ଘଣ୍ଟା ଧରି ଯାତ୍ରା କରନ୍ତି । ଆନ୍ଦୋଳନ ପ୍ରତି ତାଙ୍କର ସମର୍ଥନ ଜଣାଇବା ପାଇଁ ପ୍ରତି ଥର ସିଂଘୁରେ ସେ ଅତି କମ୍ରେ ତିନି ରାତି ବିତାଇଛନ୍ତି ।
ପ୍ରତି ଥର ତାଙ୍କ ସହ ତାଙ୍କ ସଂପର୍କୀୟ ଭାଇ ୨୨ ବର୍ଷୀୟ ମନିନ୍ଦର ଢାଣ୍ଡା ମଧ୍ୟ ଯାତ୍ରା କରନ୍ତି. ଯିଏ କି କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରେ ଆଇନ ପଢୁଛନ୍ତି । ସେମାନେ ହରିଆଣାର ବହୁସଂଖ୍ୟକ କୃଷକମାନଙ୍କର ଜାଟ୍ ସଂପ୍ରଦାୟ ଅନ୍ତର୍ଭୁକ୍ତ-ସେମାନଙ୍କ ପରିବାର ଏକାଠି ରହନ୍ତି ଏବଂ ପରିବାରର ମାଲିକାନାରେ ଥିବା ୧୬ ଏକର ଜମିରେ ପନିପରିବା, ଗହମ ଓ ଧାନ ଚାଷ କରନ୍ତି ।
ମନିନ୍ଦର କହିଲେ, “ଆମେ ଆମ ଫସଲକୁ ସ୍ଥାନୀୟ APMC ମଣ୍ଡିରେ ବିକି ପ୍ରତି ବର୍ଷ ଏକର ପିଛା ୪୦,୦୦୦ରୁ ୫୦,୦୦୦ ଟଙ୍କା ରୋଜଗାର କରିବାରେ ସମର୍ଥ । ପ୍ରତି ବର୍ଷ ଫସଲ ଉତ୍ପାଦନ ବାବଦ ଖର୍ଚ୍ଚ ବଢ଼ିବାରେ ଲାଗିଛି, ହେଲେ MSP (ନ୍ୟୂନତମ ସମର୍ଥନ ମୂଲ୍ୟ)ବଢୁନାହିଁ ।” ଏହି ରୋଜଗାରରୁ ତାଙ୍କର ଆଠ ଜଣିଆ ପରିବାର ଚଳେ ।
ଏହି ସଂପର୍କୀୟ ଦୁଇ ଭାଇଙ୍କ ପରିବାର ଭଳି କନ୍ଦୌରଲି ଗାଁର ୧,୩୧୪ ଜଣ ବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶ ଲୋକ ଚାଷବାସ କରନ୍ତି । ସେମାନଙ୍କ ମଧ୍ୟରୁ କେତେ ଜଣ, କୃଷକ ଆନ୍ଦୋଳନ ସଂପର୍କିତ ବିଷୟରେ ସଂଯୋଜନା ଓ ସମନ୍ୱୟ ସ୍ଥାପନ ପାଇଁ ଜାନୁଆରୀ ମଧ୍ୟ ଭାଗରେ ଅନୌପଚାରିକ ଭାବରେ ଏକ କମିଟି ଗଠନ କଲେ। ଭାରତୀୟ କିଷାନ ୟୁନିଅନ (ଗାଁର ଅଧିକାଂଶ କୃଷକ ଏହି ସଂଘ ସହିତ ଅନୁବନ୍ଧିତ)ର ଜୋନ୍ସ୍ତରୀୟ ସବ୍ କମିଟି ଭଳି ବ୍ୟାପକ ବିଷୟବସ୍ତୁ ଉପରେ ଧ୍ୟାନ ନ ଦେଇ,ଏହି କମିଟି କେବଳ ସ୍ଥାନୀୟ ଅଞ୍ଚଳ ସଂପର୍କିତ ନିଷ୍ପତ୍ତି ଉପରେ ଧ୍ୟାନକେନ୍ଦ୍ରିତ କରେ। ଚିକୁ କହିଲେ, “ଗାଁର କମିଟି ଏହା ଠିକ୍ କରେ ଯେ ଆନ୍ଦୋଳନରେ ଯୋଗ ଦେବାକୁ ଯାଇଥିବା ଲୋକଙ୍କ ଚାଷଜମି ଦେଖାରଖା କରିବାର ପାଳି କାହାର । ସେମାନେ ସିଂଘୁରେ ଥିବା ଲୋକଙ୍କୁ ଖାଦ୍ୟ ଯୋଗାଇବା କଥା ମଧ୍ୟ ବୁଝନ୍ତି ।”
ଆନ୍ଦୋଳନକାରୀ କୃଷକମାନଙ୍କୁ ସମର୍ଥନ ଜଣାଇ କନ୍ଦରୌଲି ଗାଁରୁ ଏ ପର୍ଯ୍ୟନ୍ତ ୨ ଲକ୍ଷ ଟଙ୍କା ଦାନ ଦିଆଯାଇଛି । ମନିନ୍ଦର କହିଲେ, ଏହି ଟଙ୍କା ଦିଲ୍ଲୀ ସୀମାକୁ ଯାଉଥିବା ଲୋକଙ୍କ ହାତରେ ପଠାଇ ଦିଆଯାଏ ଏବଂ ସେମାନେ ଏହାକୁ ରାଜଧାନୀ ନଗରୀରେ ଏବଂ ଆଖପାଖର ଆନ୍ଦୋଳନ ସ୍ଥଳରେ ଥିବା କୃଷକ ସଂଘ ପ୍ରତିନିଧିମାନଙ୍କୁ ହସ୍ତାନ୍ତର କରନ୍ତି । ଜାନୁଆରୀ ୨୪ ତାରିଖରେ କନ୍ଦରୌଲିରୁ ବାହାରିଥିବା ଏକ ଟ୍ରାକ୍ଟର ଯାତ୍ରା ସମୟରେ ଆଉ ୧ ଲକ୍ଷ ଟଙ୍କା ଦାନ ଦିଆଯାଇଥିଲା ଏବଂ ଗାଁର ଆଉ କେତେକ ଲୋକ ଆନ୍ଦୋଳନ ସ୍ଥଳରେ ଚାଲିଥିବା ବିଭିନ୍ନ ଲଙ୍ଗର (ସାମୂହିକ ରନ୍ଧାଘର) ପାଇଁ ଡାଲି, ଚିନି, କ୍ଷୀର ଓ ଗହମ ଭଳି ଖାଦ୍ୟ ସାମଗ୍ରୀ ମଧ୍ୟ ଦାନ ଦେଇଛନ୍ତି ।
ଦିଲ୍ଲୀର ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ କୃଷକମାନେ ଗତ ନଭେମ୍ବର ୨୬ ତାରିଖରୁ ସେହି ତିନିଟି ଆଇନ ବିରୋଧରେ ପ୍ରତିବାଦ କରୁଛନ୍ତି ଯେଉଁଗୁଡ଼ିକୁ କେନ୍ଦ୍ର ସରକାର ପ୍ରଥମେ ୨୦୨୦ ଜୁନ୍ ୫ ତାରିଖ ଦିନ ଅଧ୍ୟାଦେଶ ଆକାରରେ ଜାରି କଲେ, ତା’ ପରେ ସେପ୍ଟେମ୍ବର ୧୪ ତାରିଖ ଦିନ ଏସବୁକୁ ସଂସଦରେ ଉପସ୍ଥାପନ କରିବା ପରେ ତରବରିଆ ଭାବେ ସେହି ମାସ ୨୦ ତାରିଖ ଦିନ ଏଗୁଡ଼ିକୁ ଆଇନ ରୂପରେ ଗୃହୀତ କରାଇନେଲେ । ଏହି ତିନିଟି ଆଇନ ହେଲା: କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ (ପ୍ରସାର ଓ ସୁଯୋଗ) ଆଇନ, ୨୦୨୦ ; ଦରଦାମ ପ୍ରତିଶ୍ରୁତି ଓ କୃଷିକ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତୀକରଣ ଏବଂ ସୁରକ୍ଷା) ବୁଝାମଣା ଆଇନ, ୨୦୨୦ ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦ ।
କୃଷକମାନଙ୍କ ଦୃଷ୍ଟିରେ ଏହି ଆଇନଗୁଡ଼ିକ ଲାଗୁ ହେଲେ କୃଷି କ୍ଷେତ୍ରରେ ବଡ଼ ବଡ଼ କମ୍ପାନୀର କ୍ଷମତା ପ୍ରୟୋଗର ପରିସର ବୃଦ୍ଧି ନିମନ୍ତେ ସୁଯୋଗ ସୃଷ୍ଟି ହେବ ଏବଂ ଏହା ସେମାନଙ୍କ ଜୀବିକାକୁ ବିପର୍ଯ୍ୟସ୍ତ କରିଦେବ । ଏହି କମ୍ପାନୀଗୁଡ଼ିକ, ଫସଲର ନ୍ୟୂନତମ ସମର୍ଥନ ମୂଲ୍ୟ ( MSP), କୃଷିଜାତ ସାମଗ୍ରୀ ବିପଣନ କମିଟି (APMC), ରାଜ୍ୟ ସରକାରଙ୍କ ଦ୍ୱାରା ଫସଲ କ୍ରୟ ସମେତ କୃଷକଙ୍କ ପାଇଁ ରହିଥିବା ବିଭିନ୍ନ ପ୍ରମୁଖ ସହଯୋଗ ବ୍ୟବସ୍ଥାକୁ ଏଡ଼ାଇ ଯିବେ । ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ସବୁ ନାଗରିକମାନଙ୍କର ଆଇନର ଆଶ୍ରୟ ନେବା ଅଧିକାରକୁ ଅକାମୀ କରିଦେଉଥିବା କାରଣରୁ ମଧ୍ୟ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଇଛି ।
ଜାନୁଆରୀ ୨୬, ଗଣତନ୍ତ୍ର ଦିବସ ପାଳନ ଅବସରରେ ରାଜଧାନୀରେ ଏକ ଅଭୂତପୂର୍ବ ଟ୍ରାକ୍ଟର ରାଲି ଆୟୋଜନ ନିମନ୍ତେ କୃଷକମାନେ ଯୋଜନା କରିଛନ୍ତି । ଚିକୁ ଓ ମନିନ୍ଦର ଏହି ପ୍ରତିବାଦ ପ୍ୟାରେଡ୍ରେ ଅଂଶଗ୍ରହଣ କରିବାକୁ ସ୍ଥିର କରିଛନ୍ତି । ସ୍ପଷ୍ଟତଃ କ୍ରୋଧଭରା କଣ୍ଠରେ ମନିନ୍ଦର କହନ୍ତି, “ଏମିତି ନୁହଁ ଯେ ବର୍ତ୍ତମାନର ବ୍ୟବସ୍ଥା ସଂପୂର୍ଣ୍ଣ ଠିକ୍’’। କିନ୍ତୁ ଏହି ତିନିଟି ଆଇନ ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି ।”
ଅନୁବାଦ - ଓଡ଼ିଶାଲାଇଭ୍