“ଝରିଆରେ ମୋ ଘରେ ଗତ ୪-୫ ମାସ ହେଲା କରେଣ୍ଟ ନ ଥିଲା। ମୋର ଦୁଇ ଭାଇ ଭଉଣୀ ଏବଂ ମୁଁ ଗୋଟିଏ ଟର୍ଚ୍ଚ ସାହାଯ୍ୟରେ ଟିକେ ଟିକେ ପାଠ ପଢ଼ୁ, ହେଲେ ୩୦-୪୫ ମିନିଟ୍ ପରେ ଟର୍ଚ୍ଚକୁ ପୁଣି ଥରେ ଚାର୍ଜ କରିବାକୁ ପଡ଼େ।”
ସାନ୍ତାଳ ଆଦିବାସୀ ସମୁଦାୟର ୧୩ ବର୍ଷର ଝିଅ ସୋମବାରି ବାସ୍କେ। ଭାଟିନ୍ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ସେ ପଢ଼ୁଛି, ସେ ବିଦ୍ୟାଳୟ ଶେଷ କରିବାକୁ ସଂକଳ୍ପବଦ୍ଧ। “ମୁଁ ଭଲ ପାଠ ପଢ଼ିବାକୁ ଚାହେଁ। ମୋର କେବଳ ସେଇଟା ହିଁ ସ୍ୱପ୍ନ।”
ଜାଦୁଗୋରା ବ୍ଲକ୍ ଅନ୍ତର୍ଗତ ଗୋଟିଏ ଗାଁ ହେଉଛି ଝରିଆ। ଜନସଂଖ୍ୟା ପାଖାପାଖି ୧୦୦୦ ହେବ। ସାକ୍ଷରତା ହାର ହେଉଛି ୫୯ ପ୍ରତିଶତ ଯାହାକି ଝାଡ଼ଖଣ୍ଡର ହାରାହାରି ପ୍ରତିଶତ ୬୬ରୁ ବି କମ୍। ପୂର୍ବ ସିଂହଭୂମ ଜିଲ୍ଲାରେ ଝରିଆରେ ହିଁ କେବଳ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଛି, ତେଣୁ ସୋମବାରି ଘରଠାରୁ ଚାରି କିଲୋମିଟର ଦୂର ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ଯାଏ।
ଏହି ରିପୋର୍ଟର୍ ପାଖ ଗାଁ ଖରିଆ କୋଚାକୁ ଯାଇଥିବା ସମୟରେ, ଛୋଟ ଝିଅ ସୋମବାରି ହିଁ ଆଗେଇ ଆସି ମୋ ପାଇଁ ଶବର ଭାଷାରୁ ହିନ୍ଦୀ ଅନୁବାଦକର କାମ କରିଥିଲା। ପୂର୍ବ ସିଂହଭୂମ ଜିଲ୍ଲାର ଶବର ସମୁଦାୟର ଲୋକମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ସେ ମୋତେ ସାହାଯ୍ୟ କରିଥିଲା। ତାର ମାତୃଭାଷା ସାନ୍ତାଳୀ ବ୍ୟତୀତ ସୋମବାରି ଶବର, ହୋ, ହିନ୍ଦୀ ଏବଂ ବଙ୍ଗଳା ଭାଷା ଜାଣିଛି।







