ଚଳିତବର୍ଷ ଏପ୍ରିଲ ୧୦ ତାରିଖ ରାତି ୧୦.୩୦ରେ, ହାଇଉଲ୍ ରେହମାନ୍ ଅନ୍ସାରୀ ମୁମ୍ବାଇର ଲୋକମାନ୍ୟ ତିଲକ ଟର୍ମିନସ୍ରେ ଥିଲେ । ଝାଡ଼ଖଣ୍ଡ ରାଞ୍ଚି ଜିଲ୍ଲାର ହାଟିଆ ରେଲୱେ ଷ୍ଟେସନକୁ ଯିବା ପାଇଁ ସେ ରାତି ୧୨ଟା ୩୦ରେ ପହଞ୍ଚିବାକୁ ଥିବା ହାଟିଆ ଏକ୍ସପ୍ରେସ୍କୁ ଅପେକ୍ଷା କରିଥିଲେ । ସେଠାରୁ ରେହମାନ୍ ଗୋଟିଏ ଅଟୋରିକ୍ସାରେ ବସ୍ଷ୍ଟାଣ୍ଡ ଯାଏଁ ଯିବେ ଏବଂ ତା’ପରେ ପଡ଼ୋଶୀ ଛତ୍ରା ଜିଲ୍ଲାରେ ଥିବା ନିଜ ଗାଁ ଆସାରିଆକୁ ବସ୍ରେ ଯିବେ ।
ଏହି ପୁରା ଯାତ୍ରା ତାଙ୍କୁ ଦେଢ଼ ଦିନ ସମୟ ନେବ ।
କିନ୍ତୁ ଟ୍ରେନ୍ ଆସିବା ପୂର୍ବରୁ ଷ୍ଟେସନର ଗୋଟିଏ ଏକାନ୍ତ କୋଣରେ ଛିଡ଼ା ହୋଇଥିବା ୩୩ ବର୍ଷୀୟ ରେହମାନ ଗୋଟିଏ ବର୍ଷ ଭିତରେ ଦ୍ୱିତୀୟ ଥର ସେ କାହିଁକି ମୁମ୍ବାଇ ଛାଡ଼ି ଯାଉଛନ୍ତି ସେ ବାବଦରେ ଆମକୁ କହିଲେ ।
ସେ ଘରକୁ ଯିବା ପାଇଁ ଟ୍ରେନ୍କୁ ଅପେକ୍ଷା କରିବାର କିଛି ଦିନ ପୂର୍ବରୁ ତାଙ୍କର ନୂଆ ନିଯୁକ୍ତିଦାତା କହିଥିଲେ ଯେ କାମ ଧିମେଇ ଯାଇଛି । ସେ କହିଲେ, ‘ରେହମାନ୍, ଦୁଃଖିତ, ଆମେ ଆଉ ତୁମକୁ ରଖିପାରିବୁ ନାହିଁ । ତୁମେ ପରେ ଆଉଥରେ ଚେଷ୍ଟା କରିପାର ।’’ ଏବଂ ଏମିତି ସେ ନିଜର ଏହି ଚାକିରି ହରାଇଲେ - ଯାହା କି ଆରମ୍ଭ ବି ହୋଇ ନ ଥିଲା ।
ଜାମଶେଦପୁରର କରିମ୍ ସିଟି କଲେଜ୍ରୁ ମାସ୍ କମ୍ୟୁନିକେସନ୍ରେ ବିଏ କରିବା ପରେ ୧୦ ବର୍ଷ ପୂର୍ବରୁ ରେହମାନ ମୁମ୍ବାଇ ଆସିଥିଲେ । ସେ ଜଣେ ଭିଡିଓ ଏଡିଟର ଭାବେ ପ୍ରୋଜେକ୍ଟ ଭିତ୍ତିକ କାମ ପାଇଥିଲେ । ଏଥିରୁ ସହରରେ ନିଜର ଚଳିବା ଏବଂ ଘରକୁ କିଛି ଟଙ୍କା ପଠାଇବା ପାଇଁ ଯଥେଷ୍ଟ ଆୟ କରୁଥିଲେ ।




