“କେଉଁଠୁ ଗୋଟିଏ ଟଙ୍କା ସୁଦ୍ଧା ଆସିଲା ନାହିଁ। ଆମେ ଖାଇବୁ କ’ଣ? ବଞ୍ଚିବୁ କେମିତି?” ମୁମ୍ବାଇରେ ଅଟକି ରହିଥିବା ବିହାରର ୨୭ ବର୍ଷୀୟ ଶ୍ରମିକ ଏପ୍ରିଲରେ ମୋତେ କହିଥିଲେ। ଏହା ସେତେବେଳର ସମୟ ଯେତେବେଳେ ମାର୍ଚ୍ଚ ୨୪,୨୦୨୦ରେ ଅଚାନକ ଘୋଷିତ କରାଯାଇଥିବା ୨୧ ଦିନିଆ ଲକଡାଉନକୁ ଆଗକୁ ବଢ଼ାଇ ଦିଆଯାଇଥିଲା। ଏହି କାରଣରୁ ତାଙ୍କ ଭଳି ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଚାକିରି ଏବଂ ରୋଜଗାର ବିନା ଅଲଗା ଅଲଗା ଜାଗାରେ ଫସି ରହିଥିଲେ, ଅନେକ ଲୋକଙ୍କୁ ସେହିସବୁ ସହର ଛାଡ଼ି ନିଜ ଘରକୁ ଯିବାକୁ ପଡ଼ିଥିଲା, ଯେଉଁଠି ସେମାନେ କାମ କରୁଥିଲେ।
ମୁଁ ତାଙ୍କ ସହିତ ପ୍ରଥମ ଥର ସେତିକି ବେଳେ କଥା ହୋଇଥିଲି ଯେତେବେଳେ ସେ ସହାୟତା ପାଇଁ ଉଦ୍ଦିଷ୍ଟ ହେଲ୍ପଲାଇନକୁ କଲ୍ କରୁଥିଲେ, ଯେଉଁଠି ମୁଁ ସ୍ୱେଚ୍ଛାସେବୀ ଭାବେ କାମ କରୁଥିଲି। ସେ ମୋତେ ତାଙ୍କର ସମସ୍ୟା ବିଷୟରେ କହିଥିଲେ ଏବଂ ପରେ ଏକ ଚଳଚ୍ଚିତ୍ର ପାଇଁ ସାକ୍ଷାତକାର ଦେବା ଲାଗି ସେ ସହମତ ହୋଇଥିଲେ, କିନ୍ତୁ ଏହି ସର୍ତ୍ତରେ ଯେ ତାଙ୍କର ନାମ ଏବଂ ଅନ୍ୟ ବିବରଣୀକୁ ଗୁପ୍ତ ରଖାଯିବ।
ମେ ମାସରେ ଯେତେବେଳେ ଆମେ ଚଳଚ୍ଚିତ୍ର ନିର୍ମାଣ ଆରମ୍ଭ କଲୁ, ସେ କୌଣସି ପ୍ରକାରେ ନିଜ ଗ୍ରାମକୁ ଫେରିବା ଲାଗି ଚେଷ୍ଟା କରୁଥିଲେ। ସେ ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରବାସୀମାନଙ୍କ ସହାୟତା ପାଇଁ ଅଧିକ କିଛି କରୁନାହାନ୍ତି। “ଆମେ ଟ୍ରେନ ପାଇଁ ଫର୍ମ ଭରିବାରେ ନିୟୋଜିତ ରହିଛୁ। ଆମ ପାଖରେ ଯେତିକି ଟଙ୍କା ଥିଲା ଆମେ ଖର୍ଚ୍ଚ କରି ଦେଇଛୁ”, ସେ କହିଥିଲେ। ଘରକୁ ଯିବା ଲାଗି ଟିକେଟ ପାଇବାର ଅର୍ଥ ଏକ ଅବ୍ୟବସ୍ଥିତ ଏବଂ ଅନିଶ୍ଚିତ ଆବେଦନ ପ୍ରକ୍ରିୟା ଦେଇ ଗତି କରିବା ଯାହା ତାଙ୍କର ଅଳ୍ପ କିଛି ସଞ୍ଚୟକୁ ନଷ୍ଟ କରି ଦେଇଛି।


