ସେଦିନ ରାତିରେ ପାହାଡ଼ର ସମ୍ପୂର୍ଣ୍ଣ ଗୋଟିଏ ପାର୍ଶ୍ୱ ତଳକୁ ଭୁଶୁଡ଼ି ପଡ଼ିଲା।
ରାତି ପ୍ରାୟ ୧୧ଟା ବାଜିଥିଲା, ସେମାନଙ୍କ ପଡ଼ାରେ ୪-୫ଟି ଘର ପରସ୍ପର ସହ ଲାଗି ରହିଥିଲା। ଏଥିରେ ଯୌଥ ପରିବାର ୧୭ଜଣିଆ ସଦସ୍ୟଙ୍କ ସହିତ ଅନୀତା ବକାଡେ ଶୋଇଥିଲେ। ସେ କୁହନ୍ତି, “ଖୁବ୍ ଜୋରରେ ଘଡ଼ଘଡ଼ ଶବ୍ଦ ଶୁଣି ଆମେ ଉଠିପଡ଼ିଲୁ, ଏବଂ କ’ଣ ଘଟୁଛି ତାହା ତୁରନ୍ତ ଜାଣିପାରିଲୁ। ଆମେ ଅନ୍ଧାରରେ ଦୌଡ଼ିବା ଆରମ୍ଭ କଲୁ। ସେତେବେଳକୁ ଆମ ଘର ପାଖ ଘରଗୁଡ଼ିକ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା।”
ମହାରାଷ୍ଟ୍ରର ସତାରା ଜିଲ୍ଲା ଅନ୍ତର୍ଗତ ପାଟଣ ତାଲୁକାରେ ସହ୍ୟାଦ୍ରୀ ପାର୍ବତ୍ୟ ଶୃଙ୍ଖଳା ମଧ୍ୟରେ ମୀରଗାଓଁ ଅବସ୍ଥିତ। ମୀରଗାଓଁରେ ଯେଉଁଦିନ ଏହି ଭୂସ୍ଖଳନ ଘଟଣା ଘଟିଲା, ଅନୀତାଙ୍କ ଘର କୌଣସି ପ୍ରକାରେ ବର୍ତ୍ତି ଯାଇଥିଲା। କିନ୍ତୁ ଚଳିତ ବର୍ଷ ଜୁଲାଇ ୨୨ତାରିଖରେ ଘଟିଥିବା ଏହି ଘଟଣା କାରଣରୁ ସେ ନିଜ ଯୌଥ ପରିବାରର ୧୧ ଜଣ ସଦସ୍ୟଙ୍କୁ ହରାଇଥିଲେ। ଏମାନଙ୍କ ମଧ୍ୟରେ ସବୁଠୁ ସାନ ଥିଲେ ତାଙ୍କର ୭ ବର୍ଷୀୟ ପୁତୁରା ଯୁବରାଜ ଏବଂ ବଡ଼ ଥିଲେ ତାଙ୍କର ଜଣେ ଦୂର ସମ୍ପର୍କୀୟା ୮୦ ବର୍ଷ ବୟସ୍କା ଯଶୋଦା ବକାଡ଼େ।
ପରଦିନ ସକାଳେ, ବିପର୍ଯ୍ୟୟ ଉଦ୍ଧାରକାରୀ ଦଳ ପହଞ୍ଚିଲା, ଏବଂ ମଧ୍ୟାହ୍ନ ବେଳକୁ ୪୩ ବର୍ଷୀୟା ଅନୀତା ଏବଂ ଗାଁର ଅନ୍ୟମାନଙ୍କୁ କୋୟନାନଗର ଗ୍ରାମରେ ଥିବା ଜିଲ୍ଲା ପରିଷଦ ବିଦ୍ୟାଳୟକୁ ସ୍ଥାନାନ୍ତର କରାଗଲା। ଏହି ବିଦ୍ୟାଳୟ ମିରଗାଓଁଠାରୁ ପାଖାପାଖି ୬ କିଲୋମିଟର ଦୂର। ବିଶାଳ କୋୟନା ନଦୀବନ୍ଧ ତଥା ଜଳବିଦ୍ୟୁତ ପ୍ରକଳ୍ପଠାରୁ ପ୍ରାୟ ୫ କିଲୋମିଟର ଦୂରରେ ମିରଗାଓଁ ଗ୍ରାମ ଅବସ୍ଥିତ।










