“ଆମେ ଯଦି କାମ ବନ୍ଦ କରିଦେଉ, ତା’ହେଲେ ସାରା ଦେଶ ଅସୁଖୀ ହୋଇପଡ଼ିବ।”

ବାବୁ ଲାଲଙ୍କ ଏହି କଥା ପଦକର ଅର୍ଥ ସେତେବେଳେ ଆହୁରି ଭଲ ଭାବେ ବୁଝି ହୁଏ, ଯେତେବେଳେ ସେ ପୁଣି କହନ୍ତି, “କ୍ରିକେଟ୍ ଖେଲନେ କୋ ନହିଁ ମିଲେଗା କିସିକୋ ଭି (କେହି ଆଉ କ୍ରିକେଟ୍ ଖେଳିପାରିବେନି)।”

ଉତ୍ତର ପ୍ରଦେଶର ମିରଟ ଅନ୍ତର୍ଗତ ଶୋଭାପୁର ବସ୍ତିରେ ଅବସ୍ଥିତ ବିଭିନ୍ନ ଟ୍ୟାନେରୀରେ ପ୍ରସ୍ତୁତ ଚମଡ଼ାରୁ ତିଆରି ହୁଏ କ୍ରିକେଟର ସେହି ଲାଲ ଓ ଧଳା ରଙ୍ଗର ବଲ୍, ଯାହାକୁ ବ୍ୟାଟରମାନେ ଭୟ କରନ୍ତି ଏବଂ ବୋଲରମାନେ ଭଲ ପାଆନ୍ତି ,ଏବଂ ଯାହାକୁ ମନଭରି ଉପଭୋଗ କରନ୍ତି ଲକ୍ଷ ଲକ୍ଷ ଦର୍ଶକ।  ମିରଟ୍ ନଗରୀର ଏକମାତ୍ର ଏହି ଅଞ୍ଚଳରେ ଚମଡ଼ା କାରିଗରମାନେ ଜୀବଜନ୍ତୁଙ୍କ କଞ୍ଚା ଛାଲକୁ ଆଲମ୍-ଟ୍ୟାନିଂ (ଆଲୁମିନିୟମ ଏବଂ ପଟାସିୟମ୍ ଫସଫେଟ୍ ମିଶ୍ରଣରୁ ପ୍ରସ୍ତୁତ ଲବଣରେ ଭିଜାଇ) ପଦ୍ଧତିରେ ପ୍ରକ୍ରିୟାକରଣ କରନ୍ତି ଏବଂ ଏଥିରୁ ହିଁ କ୍ରିକେଟ୍ ବଲ୍ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ ମିଳିଥାଏ। କଞ୍ଚା ଛାଲକୁ ବ୍ୟବହାର ଉପଯୋଗୀ ଚମଡ଼ାରେ ରୂପାନ୍ତରିତ କରିବା ପ୍ରକ୍ରିୟାକୁ ‘ଟ୍ୟାନିଂ’ କୁହାଯାଏ।

ବାବୁ ଲାଲ କହନ୍ତି, “କେବଳ ଆଲମ୍ ଟ୍ୟାନିଂ ପଦ୍ଧତିରେ ହିଁ ଛାଲରେ ଥିବା ଦାନାଗୁଡ଼ିକ ମେଲା ହୋଇଥାଏ ଏବଂ ଏହା ଭିତର ଦେଇ ସହଜରେ ରଙ୍ଗ ପ୍ରବେଶ କରିପାରେ।” କେନ୍ଦ୍ରୀୟ ଚମଡ଼ା ଗବେଷଣା ସଂସ୍ଥା ପକ୍ଷରୁ ଷାଠିଏ ଦଶକରେ କରାଯାଇଥିବା ଗବେଷଣା ହିଁ ତାଙ୍କର ଏହି ବିବୃତିର ସତ୍ୟତା ପ୍ରମାଣିତ କରେ। ଗବେଷଣାରୁ ଜଣାପଡ଼ିଥିଲା ଯେ, ବୋଲରଙ୍କ ହାତରୁ ନିର୍ଗତ ଝାଳ କିମ୍ବା ବଲ୍‌କୁ ଚମକାଇବା ପାଇଁ ବୋଲରମାନେ ସେଥିରେ ଝାଳ କିମ୍ବା ପାଟିର ଲାଳ ଲଗାଇଲେ ବି ବଲ୍ ଖରାପ ହୋଇଯାଏ ନାହିଁ- ଏବଂ ଏହା ଫଳରେ ବୋଲରଙ୍କ ହାତରୁ ମ୍ୟାଚ୍ ବିଜୟର ସୁଯୋଗ ଖସି ଯାଏ ନାହିଁ।

ଶୋଭାପୁରରେ ତାଙ୍କ ମାଲିକାନାରେ ଥିବା ଟ୍ୟାନେରୀର ଗୋଟିଏ କୋଣରେ ପ୍ଲାଷ୍ଟିକ୍ ଚଉକିରେ ବସିଥିଲେ ବାଆଷଠି ବର୍ଷୀୟ ଏହି ବ୍ୟକ୍ତି ଜଣକ; ତାଙ୍କ ଆଗରେ ଚମକୁ ଥିଲା ଘରର ଚୂନଦିଆ ଚଟାଣ। ସେ କହନ୍ତି, “୨୦୦ ବର୍ଷ ହେଲା ଚମଡ଼ା ତିଆରି କରିଆସୁଛନ୍ତି ଆମ ପୂର୍ବପୁରୁଷ।”

Left: Bharat Bhushan standing in the godown of his workplace, Shobhapur Tanners Cooperative Society Limited .
PHOTO • Shruti Sharma
Right: In Babu Lal’s tannery where safed ka putthas have been left to dry in the sun. These are used to make the outer cover of leather cricket balls
PHOTO • Shruti Sharma

ତାଙ୍କ କର୍ମସ୍ଥଳୀ ଶୋଭାପୁର ଟ୍ୟାନର୍ସ୍ କୋଅପରେଟିଭ୍ ସୋସାଇଟି ଲିମିଟେଡର ଗୋଦାମ ଘରେ ଠିଆ ହୋଇଛନ୍ତି ଭାରତ ଭୂଷଣ। ଡାହାଣ: ବାବୁଲାଲଙ୍କ ଟ୍ୟାନେରୀରେ ‘ସଫେଦ କା ପୁଠା’ଗୁଡ଼ିକୁ ଖରାରେ ଶୁଖିବା ପାଇଁ ଛାଡ଼ି ଦିଆଯାଇଛି। ଏଗୁଡ଼ିକ କ୍ରିକେଟ୍ ବଲର ବାହ୍ୟ ଆବରଣ ପ୍ରସ୍ତୁତିରେ ବ୍ୟବହୃତ ହୁଏ

ଆମେ କଥାବାର୍ତ୍ତା କରୁଥିବା ବେଳେ ଭିତରକୁ ଆସନ୍ତି ଆଉ ଜଣେ ଟ୍ୟାନର, ଭାରତ ଭୂଷଣ। ୧୩ ବର୍ଷ ବୟସରୁ ହିଁ ଏହି ଶିଳ୍ପରେ କାମ କରିଆସୁଛନ୍ତି ୪୩ ବର୍ଷୀୟ ଭାରତ। ଦୁହେଁ ପରସ୍ପରକୁ ଅଭିବାଦନ ଜଣାଇ କହନ୍ତି, “ଜୟ ଭୀମ ! (ଆମ୍ବେଦକରଙ୍କର ଜୟ)।”

ଚଉକିଟିଏ ପାଖକୁ ଟାଣି ଆଣି ଆମ ସହ ଯୋଗ ଦିଅନ୍ତି ଭାରତ। ଭଦ୍ରତା ଦୃଷ୍ଟିରୁ ଅନିଚ୍ଛା ପ୍ରକାଶ ପୂର୍ବକ ବାବୁଲାଲ ମୋତେ ପଚାରନ୍ତି, “ଗନ୍ଦ ନହିଁ ଆ ରହି (ଆପଣଙ୍କୁ ଦୁର୍ଗନ୍ଧ ହେଉନି କି) ?” ଆମ ଚାରିପଟେ କୁଣ୍ଡ ଭିତରେ ଭିଜୁଥିବା ଛାଲଗୁଡ଼ିକରୁ ବାହାରୁଥିବା ଉତ୍କଟ ଦୁର୍ଗନ୍ଧ ଦୃଷ୍ଟିରୁ ସେ ଏହା ପଚାରନ୍ତି। ଚମଡ଼ା କାମ କରୁଥିବା କାରିଗରମାନଙ୍କ ପ୍ରତି ଅନ୍ୟମାନଙ୍କର ହେୟଜ୍ଞାନ ଏବଂ ଆକ୍ରୋଶମୂଳକ ଦୃଷ୍ଟିଭଙ୍ଗୀକୁ ଇଙ୍ଗିତ କରି ଭାରତ କଥା ଆଗକୁ ବଢ଼ାନ୍ତି, “ପ୍ରକୃତରେ, କେତେକ ଲୋକଙ୍କର ନାକ ଅନ୍ୟମାନଙ୍କ ତୁଳନାରେ ଲମ୍ବା- ସେମାନେ ବହୁ ଦୂରରେ ଥାଇ ବି ଚମଡ଼ା କାମର ଗନ୍ଧ ବାରିପାରନ୍ତି।”

ଭାରତଙ୍କ ମନ୍ତବ୍ୟକୁ ଆଉ ଟିକେ ସ୍ପଷ୍ଟ କରିବା ପାଇଁ ବାବୁଲାଲ କହନ୍ତି, “ଆମର ଏହି ଜୀବିକା କାରଣରୁ ହିଁ ଗତ ପାଞ୍ଚରୁ ସାତ ବର୍ଷ ହେଲା ଆମକୁ ଅନେକ ସମସ୍ୟାର ମୁକାବିଲା କରିବାକୁ ପଡୁଛି।”

ଭାରତର ବିଭିନ୍ନ ପୁରାତନ ନିର୍ମାଣ ଶିଳ୍ପ ମଧ୍ୟରୁ ଚମଡ଼ା ଶିଳ୍ପ ଅନ୍ୟତମ। ଏଥିରେ ଚାଳିଶ ଲକ୍ଷରୁ ଅଧିକ ଲୋକ କାମ କରୁଛନ୍ତି ଏବଂ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଅଧୀନସ୍ଥ ଚମଡ଼ା ରପ୍ତାନୀ ପରିଷଦ ଅନୁସାରେ ୨୦୨୧-୨୦୨୨ ବର୍ଷରେ ଏହି ଶିଳ୍ପରୁ ପୃଥିବୀର ମୋଟ ଚମଡ଼ା ଉତ୍ପାଦନର ପାଖାପାଖି ୧୩ ପ୍ରତିଶତ ଉତ୍ପାଦିତ ହୋଇଥିଲା।

ଶୋଭାପୁରରେ ରହିଥିବା ପ୍ରାୟ ସବୁ ଟ୍ୟାନେରୀର ମାଲିକ ଓ କର୍ମଚାରୀମାନେ ଜାଟବ ସଂପ୍ରଦାୟର (ଉତ୍ତର ପ୍ରଦେଶରେ ଅଧିସୂଚିତ ଜାତି ରୂପେ ତାଲିକାଭୁକ୍ତ)। ଭାରତଙ୍କ ଆକଳନ ଅନୁସାରେ ଏହି ଅଞ୍ଚଳରେ ୩,୦୦୦ ଜାଟବ ପରିବାର ବସବାସ କରନ୍ତି ଏବଂ ଆଜିକାଲି ପ୍ରାୟ “୧୦୦ଟି ପରିବାରର ଲୋକେ ଏହି କାମ କରୁଛନ୍ତି।” ଏଠାକାର ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ଶୋଭାପୁରର ଲୋକସଂଖ୍ୟା ୧୬,୯୩୧ ଏବଂ ମୋଟାମୋଟି ଅଧା ବାସିନ୍ଦା ଅଧିସୂଚିତ ଜାତି ସଂପ୍ରଦାୟ ଅନ୍ତର୍ଭୁକ୍ତ (୨୦୧୧ ଜନଗଣନା ଅନୁସାରେ)।

ମିରଟ ନଗରୀର ପଶ୍ଚିମ ପଟେ ରହିଥିବା ଶୋଭାପୁର ବସ୍ତିର ଆଠଟି ଟ୍ୟାନେରୀ ମଧ୍ୟରୁ ଗୋଟିକର ମାଲିକ ବାବୁଲାଲ। ଭାରତ କହନ୍ତି, “ପରିଶେଷରେ ଆମେ ଯାହା ପ୍ରସ୍ତୁତ କରୁ ତାକୁ କୁହାଯାଏ ସଫେଦ କା ପୁଠା (ଛାଲର ଧଳା ରଙ୍ଗର ପଛଭାଗ)। ଏହା କ୍ରିକେଟ ବଲ୍‌ର ବାହ୍ୟ ଆବରଣ ପ୍ରସ୍ତୁତିରେ ବ୍ୟବହୃତ ହୁଏ।” ଛାଲ ପ୍ରକ୍ରିୟାକରଣରେ, ସ୍ଥାନୀୟ ଭାଷାରେ ଫିଟକରୀ କୁହାଯାଉଥିବା ପଟାସିୟମ ଆଲୁମିନିୟମ ସଲଫେଟ୍ ବ୍ୟବହାର କରାଯାଏ।

Left : Babu Lal at his tannery.
PHOTO • Shruti Sharma
Right: An old photograph of tannery workers at Shobhapur Tanners Cooperative Society Limited, Meerut
PHOTO • Courtesy: Bharat Bhushan

ବାମ: ତାଙ୍କ ଟ୍ୟାନେରୀରେ ବାବୁଲାଲ। ଡାହାଣ: ମିରଟର ଶୋଭାପୁର ଟ୍ୟାନରସ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ କର୍ମଚାରୀମାନଙ୍କର ଏକ ପୁରୁଣା ଫଟୋ

ଦେଶ ବିଭାଜନ ପରେ ହିଁ ପାକିସ୍ତାନର ସିଆଲକୋଟରୁ ବିଭିନ୍ନ କ୍ରୀଡ଼ା ସାମଗ୍ରୀ ପ୍ରସ୍ତୁତି ଶିଳ୍ପ ମିରଟକୁ ଉଠିଆସିଥିଲା। ବାବୁଲାଲ ରାଜପଥ କଡ଼ରେ ଥିବା ସେହି ସ୍ଥାନକୁ ଦେଖାଇ ଦିଅନ୍ତି ଯେଉଁଠାରେ କ୍ରୀଡ଼ା ସାମଗ୍ରୀ ଶିଳ୍ପର ସହାୟତା ପାଇଁ ଜିଲ୍ଲା ଶିଳ୍ପ ବିଭାଗ ପକ୍ଷରୁ ୧୯୫୦ ମସିହାରେ ଏକ ଚମଡ଼ା ଟ୍ୟାନିଂ ତାଲିମ କେନ୍ଦ୍ର ଖୋଲିଥିଲା।

ଭାରତ କହନ୍ତି ଯେ କେତେକ ଟ୍ୟାନର ଏକାଠି ହୋଇ “୨୧ ଜଣ ସଦସ୍ୟ ବିଶିଷ୍ଟ ଶୋଭାପୁର ଟ୍ୟାନରସ୍ କୋଅପରେଟିଭ ସୋସାଇଟି ଲିମିଟେଡ୍ ଗଠନ କରିଥିଲେ। ଯେହେତୁ ଆମେ ବ୍ୟକ୍ତିଗତ ଟ୍ୟାନେରୀ କେନ୍ଦ୍ର ବାବଦ ଖର୍ଚ୍ଚ ତୁଲାଇ ପାରିବୁ ନାହିଁ, ତେଣୁ ଆମେ ଏହି କେନ୍ଦ୍ରକୁ ବ୍ୟବହାର କରୁ ଏବଂ ଭାଗ ବାଣ୍ଟି ଏହାର ପରିଚାଳନା ବାବଦ ଖର୍ଚ୍ଚ ତୁଲାଇଥାଉ।”

*****

ତାଙ୍କ ବ୍ୟବସାୟ ପାଇଁ କଞ୍ଚାମାଲ କିଣିବା ସକାଶେ ଭାରତ ପ୍ରତ୍ୟୁଷରୁ ଉଠନ୍ତି। ମିରଟ ଷ୍ଟେସନରୁ ହାପୁଡ଼କୁ ଭୋର ୫ଟା ୩୦ରେ ଯାଉଥିବା ଖୁରଜା ଜଙ୍କସନ୍ ଏକସପ୍ରେସ୍ ଟ୍ରେନ୍ ଧରିବା ପାଇଁ ସେ ଭାଗୁଆଳି ଭଡ଼ାରେ ଚାଲୁଥିବା ଅଟୋରେ ପାଞ୍ଚ କିଲୋମିଟର ଯାତ୍ରା କରନ୍ତି। ସେ କହନ୍ତି, “ରବିବାର ଦିନ ହାପୁଡ଼ ଚମଡ଼ା ପେଣ୍ଠ (କଞ୍ଚା ଛାଲ ବଜାର)ରୁ ଆମେ ଛାଲ କିଣୁ। ସାରା ଦେଶରୁ ଏହି ସବୁ ଛାଲ ଆସି ଏଠାରେ ପହଞ୍ଚି ଥାଏ।”

ଶୋଭାପୁରଠାରୁ ୪୦ କିଲୋମିଟର ଦୂର ହାପୁଡ଼ର ଏହି ସାପ୍ତାହିକ ବଜାରରେ ୨୦୨୩ ମାର୍ଚ୍ଚ ମାସରେ ଗୋଟିଏ ଗାଈ ଛାଲର ଦର ଗୁଣମାନ ଭିତ୍ତିରେ ୫୦୦ରୁ ୧,୨୦୦ ଟଙ୍କା ଯାଏ ରହିଥିଲା।

ଗୃହପାଳିତ ପଶୁର ଖାଦ୍ୟ, ରୋଗ ଓ ଅନ୍ୟାନ୍ୟ କେତେକ କାରଣ ଉପରେ ଛାଲର ଗୁଣମାନ ନିର୍ଭର କରେ ବୋଲି ବାବୁଲାଲ ବୁଝାଇ ଦିଅନ୍ତି। “ସାଧାରଣତଃ ରାଜସ୍ଥାନରୁ ଆସୁଥିବା ଛାଲ ଉପରେ କୀକର (କଣ୍ଟା ବଗୁଲି ବା ବବୁଲ୍) ଗଛର କଣ୍ଟା ଚିହ୍ନ ରହିଥାଏ ଏବଂ ହରିଆଣାରୁ ଆସୁଥିବା ଛାଲ ଉପରେ ଠିକ୍ ଚିହ୍ନ ରହିଥାଏ। ଏଗୁଡ଼ିକ ଦ୍ୱିତୀୟ ମାନର ଛାଲ। ”

୨୦୨୨-୨୩ରେ ୧ ଲକ୍ଷ ୮୪ ହଜାରରୁ ଅଧିକ ଗୃହପାଳିତ ପଶୁ ଚର୍ମ ଗଣ୍ଠି ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ ଏବଂ ଏହା ଫଳରେ ଅଚାନକ ବହୁ ପରିମାଣର ଛାଲ ବଜାରକୁ ଆସିଯାଇଥିଲା। କିନ୍ତୁ ଭାରତ କହନ୍ତି, “ଆମେ ସେଗୁଡ଼ିକୁ କିଣିଲୁ ନାହିଁ କାରଣ (ସେଗୁଡ଼ିକରେ) ବଡ଼ ବଡ଼ ଦାଗ ରହିଥିଲା ଏବଂ କ୍ରିକେଟ୍ ବଲ୍ ପ୍ରସ୍ତୁତକାରୀମାନେ ତାହା ବ୍ୟବହାର କରିବାକୁ ମନା କରିଦେଲେ।”

Hide of cattle infected with lumpy skin disease (left). In 2022-23, over 1.84 lakh cattle deaths were reported on account of this disease.
PHOTO • Shruti Sharma
But Bharat (right) says, 'We could not purchase them as [they had] big marks and cricket ball makers refused to use them'
PHOTO • Shruti Sharma

ଗଣ୍ଠି ଚର୍ମରୋଗରେ ପୀଡ଼ିତ ଗୃହପାଳିତ ପଶୁଙ୍କ ଛାଲ (ବାମ)। ୨୦୨୨-୨୩ରେ ୧ ଲକ୍ଷ ୮୪ ହଜାରରୁ ଅଧିକ ଗୃହପାଳିତ ପଶୁ ଚର୍ମ ଗଣ୍ଠି ରୋଗରେ ପ୍ରାଣ ହରାଇଥିଲେ ଏବଂ ଅଚାନକ ବହୁ ପରିମାଣର ଛାଲ ବଜାରକୁ ଆସିଯାଇଥିଲା। କିନ୍ତୁ ଭାରତ (ଡାହାଣ) କହନ୍ତି, 'ଆମେ ସେଗୁଡ଼ିକୁ କିଣିଲୁ ନାହିଁ କାରଣ, ସେଗୁଡ଼ିକରେ ବଡ଼ ବଡ଼ ଦାଗ ରହିଥିଲା ଏବଂ କ୍ରିକେଟ୍ ବଲ୍ ପ୍ରସ୍ତୁତକାରୀମାନେ ତାହା ବ୍ୟବହାର କରିବାକୁ ମନା କରିଦେଲେ'

ବେଆଇନ କଂସେଇଖାନା ବନ୍ଦ କରିବା ଲାଗି ୨୦୧୭ ମାର୍ଚ୍ଚ ମାସରେ ଜାରି ରାଜ୍ୟ ସରକାରଙ୍କ ଆଦେଶନାମା ସେମାନଙ୍କୁ କ୍ଷତିଗ୍ରସ୍ତ କରିଛି ବୋଲି ଚମଡ଼ା ଶିଳ୍ପର ବହୁ କର୍ମଚାରୀ କହନ୍ତି। ହତ୍ୟା କରିବା ଉଦ୍ଦେଶ୍ୟରେ ଗୃହପାଳିତ ପଶୁ ବଜାରରେ ପଶୁମାନଙ୍କ କିଣାବିକା ବନ୍ଦ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିର ଅଳ୍ପ କିଛି ଦିନ ପରେ ଏହି ଆଦେଶନାମା ଜାରି କରାଯାଇଥିଲା। ଏହା ଫଳରେ, ଭାରତ କହନ୍ତି, “ଏବେ ବଜାରର ଆକାର (ପୂର୍ବ ତୁଳନାରେ) ଅଧାରୁ କମ୍ ହୋଇଯାଇଛି। ବେଳେବେଳେ, ରବିବାର ଦିନ ବି ଏହା ଆଦୌ ଖୋଲିନାହିଁ।”

ଗୋ-ରକ୍ଷକମାନଙ୍କ ଯୋଗୁଁ ଗୃହପାଳିତ ପଶୁ ଏବଂ ସେମାନଙ୍କ ଛାଲ ପରିବହନ ଲାଗି ଲୋକେ ଭୟ କରୁଛନ୍ତି। ବାବୁଲାଲ କହନ୍ତି, “ଏମିତି କି ଆଜିକାଲି ପଞ୍ଜୀକୃତ ଅନ୍ତଃରାଜ୍ୟ ପରିବହନକାରୀ ସଂସ୍ଥା ବି ଏହି କଞ୍ଚାମାଲ ନେବାକୁ ଡରୁଛନ୍ତି। ପରିସ୍ଥିତି ଏବେ ଏମିତି ହୋଇଗଲାଣି।” ମିରଟ ଓ ଜଳନ୍ଧରର ବିଭିନ୍ନ ବଡ଼ ବଡ଼ କ୍ରିକେଟ କମ୍ପାନୀକୁ ୫୦ ବର୍ଷରୁ ଅଧିକ ସମୟ ହେଲା କଞ୍ଚାମାଲ ଯୋଗାଣ କରିଆସୁଥିବା ସତ୍ତ୍ୱେ ସେମାନଙ୍କ ଜୀବନ ପ୍ରତି ଏବେ ବିପଦ ଆଶଙ୍କା ରହିଛି ଏବଂ ଜୀବିକା ଅର୍ଜନ ହ୍ରାସ ପାଇବାରେ ଲାଗିଛି। ସେ ଆହୁରି କହନ୍ତି, “ବିପଦ ସମୟରେ କେହି ଆମ ପାଖରେ ଠିଆ ହେଉନାହାନ୍ତି। ହମେଁ ଅକେଲେ ହି ସମ୍ଭାଲନା ପଡତା ହୈ (ଆମକୁ ନିଜ ସମସ୍ୟା କଥା ନିଜେ ହିଁ ବୁଝିବାକୁ ପଡୁଛି)।”

୨୦୧୯ରେ ‘ଭାଓଲେଣ୍ଟ କାଓ ପ୍ରୋଟେକସନ୍ ଇନ୍ ଇଣ୍ଡିଆ’ ନାମକ ଏକ ମାନବିକ ଅଧିକାର ଉପରେ ନଜର ରଖୁଥିବା ସଂସ୍ଥା ପକ୍ଷରୁ ପ୍ରକାଶିତ ଗୋ-ରକ୍ଷକମାନଙ୍କ ଆକ୍ରମଣ ସଂପର୍କିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, “୨୦୧୫ ମେ ଏବଂ ୨୦୧୮ ଡିସେମ୍ବର ମାସ ମଧ୍ୟରେ, ୧୨ଟି ଭାରତୀୟ ରାଜ୍ୟରେ ଅନ୍ୟୂନ ୪୪ ଜଣ ଲୋକଙ୍କୁ ହତ୍ୟା କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୩୬ ଜଣ ମୁସଲମାନ। ସେହି ଏକା ସମୟ ମଧ୍ୟରେ ୨୦ଟି ରାଜ୍ୟରେ ସଂଘଟିତ ଭିନ୍ନ ଭିନ୍ନ ୧୦୦ଟି ଘଟଣାରେ ପ୍ରାୟ ୨୮୦ ଜଣ ଆହତ ହୋଇଛନ୍ତି।”

ବାବୁଲାଲ କହନ୍ତି, “ମୋ ବ୍ୟବସାୟ ସଂପୂର୍ଣ୍ଣ ରୂପେ ଆଇନସମ୍ମତ ଏବଂ ଏହା ରସିଦ ଆଦାନପ୍ରଦାନ ଭିତ୍ତିରେ ଚାଲେ। ତଥାପି ସେମାନଙ୍କର ସମସ୍ୟା ରହିଛି।”

Left : Buffalo hides drying in the sun at the government tanning facility in Dungar village near Meerut.
PHOTO • Shruti Sharma
Right: Bharat near the water pits. He says, 'the government constructed amenities for all stages of tanning here'
PHOTO • Shruti Sharma

ବାମ: ମିରଟ ନିକଟ ଡୁଙ୍ଗର ଗାଁରେ ଅବସ୍ଥିତ ସରକାରୀ ଟ୍ୟାନିଂ କେନ୍ଦ୍ରରେ ଖରାରେ ମଇଁଷି ଛାଲ ଶୁଖାଯାଉଛି। ଡାହାଣ: ପାଣିକୁଣ୍ଡ ନିକଟରେ ଭାରତ। ସେ କହନ୍ତି, ‘ଟ୍ୟାନିଂର ସମସ୍ତ ପର୍ଯ୍ୟାୟ ପାଇଁ ସରକାର ଏଠାରେ ସୁବିଧା କରିଛନ୍ତି’

୨୦୨୦ ମସିହା ଜାନୁଆରୀରେ ଶୋଭାପୁରର ଟ୍ୟାନରମାନେ ଆଉ ଏକ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ – ପ୍ରଦୂଷଣ କରୁଥିବା କାରଣରୁ ସେମାନଙ୍କ ବିରୋଧରେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ରୁଜୁ କରାଯାଇଥିଲା। ଭାରତ କହନ୍ତି, “ସେମାନେ ସେଥିରେ ଆଉ ଏକ ସର୍ତ୍ତ ରଖିଥିଲେ ଯେ, ଜାତୀୟ ରାଜପଥରୁ କୌଣସି ଟ୍ୟାନେରୀ କାମ ଦେଖା ନଯିବା ଉଚିତ।” ସରକାର ସବୁ ଟ୍ୟାନେରୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦିଗରେ ସୁବିଧା କରିବା ଲାଗି ଜନସ୍ୱାର୍ଥ ସମ୍ବଳିତ ମାମଲାରେ ଉଲ୍ଲେଖ କରାଯାଇଥିଲେ ହେଁ ତାହା କରିବା ବଦଳରେ ସ୍ଥାନୀୟ ପୋଲିସ ସବୁ ଟ୍ୟାନେରୀ ବନ୍ଦ କରିବା ଲାଗି ନୋଟିସ୍ ଦେଇଥିଲା ବୋଲି ସେ କହନ୍ତି।

ବାବୁଲାଲ କହନ୍ତି, “ସରକାର ହମେଁ ବ୍ୟବସ୍ଥା ବନାକେ ଦେ ଅଗର ଦିକ୍କତ ହୈ ତୋ। ଜୈସେ ଡୁଙ୍ଗର ମେଁ ବନାଇ ହୈ ୨୦୦୩-୪ ମେଁ (ଯଦି କୌଣସି ସମସ୍ୟା ରହିଛି ତେବେ ସରକାର ଆମ ପାଇଁ ଉପଯୁକ୍ତ ବନ୍ଦୋବସ୍ତ କରି ଦେବା ଉଚିତ, ଯେମିତି କି ସେମାନେ ୨୦୦୩-୪ରେ ଡୁଙ୍ଗର ଗାଁରେ ଟ୍ୟାନିଂ କେନ୍ଦ୍ର ସ୍ଥାପନ କରିଥିଲେ।”

ଭାରତ କହନ୍ତି, “ଆମର ଚିନ୍ତା ଏତିକି ଯେ ପୌର ମହାନିଗମ ନର୍ଦ୍ଦମା ତିଆରି କାମ ଶେଷ କରିନାହିଁ।” ଆଜିକୁ ୩୦ ବର୍ଷ ହେଲା ଏହି ଅଞ୍ଚଳ ପୌର ମହାନିଗମ ପରିସରଭୁକ୍ତ ହୋଇଛି। “ସମତୁଲ କରାଯାଇ ନଥିବାରୁ ବିଭିନ୍ନ ସ୍ଥାନରେ ବିଚ୍ଛିନ୍ନ ଅବସ୍ଥାରେ ରହିଥିବା ବାସୋପଯୋଗୀ ଜମିରେ ବର୍ଷା ଦିନେ ପାଣି ଜମିଯାଏ।”

*****

ଶୋଭାପୁରର ଆଠଟି ଟ୍ୟାନେରୀରେ ଶହ ଶହ ସଂଖ୍ୟାରେ କ୍ରିକେଟ ବଲ୍ ତିଆରିରେ ବ୍ୟବହୃତ ହେବାକୁ ଥିବା ଧଳା ଛାଲ ରଖାଯାଇଥାଏ। ଟ୍ୟାନେରୀରେ କାର୍ଯ୍ୟରତ ଚମଡ଼ା କାରିଗରମାନେ ପ୍ରଥମେ ଏଥିରୁ ମଇଳା ଓ ଧୂଳିମାଟି ସଫା କରନ୍ତି ଏବଂ ପ୍ରତି ଛାଲର ପ୍ରକ୍ରିୟାକରଣ କରି ଚମଡ଼ାରେ ପରିଣତ କରିବା ବାବଦରେ ୩୦୦ ଟଙ୍କା ଲେଖାଏଁ ରୋଜଗାର କରନ୍ତି।

ବାବୁଲାଲ କହନ୍ତି, “ଛାଲଗୁଡ଼ିକୁ ସଫା କରି ଏହାର ଆର୍ଦ୍ରତା ଫେରାଇ ଆଣିବା ପରେ ଗୁଣମାନ ଭିତ୍ତିରେ, ଖାସ୍ କରି ମୋଟେଇ ଭିତ୍ତିରେ, ଆମେ ସେଗୁଡ଼ିକୁ ଅଲଗା ଅଲଗା କରୁ।” ମୋଟା ଛାଲଗୁଡ଼ିକର ଆଲମ୍ ଟ୍ୟାନିଂ କରିବା ଲାଗି ୧୫ ଦିନ ଲାଗିଯାଏ। ପତଳା ଛାଲଗୁଡ଼ିକର ଭେଜିଟେବଲ୍-ଟ୍ୟାନିଂ ବା ପ୍ରାକୃତିକ ପରିବାପତ୍ର ପ୍ରୟୋଗ କରି ଟ୍ୟାନିଂ କରିବାରେ ୨୪ ଦିନ ଲାଗିଯାଏ। “ସେଗୁଡ଼ିକୁ ଏକାଠି କରି ପ୍ରକ୍ରିୟାକରଣ କରାଯାଉଥିବାରୁ ପ୍ରତିଦିନ ଗୋଟିଏ ବ୍ୟାଚ୍ ବା ଗୋଟିଏ ଗାଣ୍ଠି ଚମଡ଼ା ପ୍ରସ୍ତୁତ ହୋଇଯାଏ।”

Left: A leather-worker washes and removes dirt, dust and soil from the raw hide. Once clean and rehydrated, hides are soaked in a water pit with lime and sodium sulphide. 'The hides have to be vertically rotated, swirled, taken out and put back into the pit so that the mixture gets equally applied to all parts,' Bharat explains.
PHOTO • Shruti Sharma
Right: Tarachand, a craftsperson, pulls out a soaked hide for fleshing
PHOTO • Shruti Sharma

ବାମ: ଜଣେ ଚମଡ଼ା କାରିଗର କଞ୍ଚା ଛାଲକୁ ସଫା କରି ସେଥିରୁ ମଇଳା, ଧୂଳି ଓ ମାଟି ସଫା କରନ୍ତି। ଥରେ ସଫା ହୋଇ ଆର୍ଦ୍ରତା ଫେରି ଆସିବା ପରେ ଚମଡ଼ାଗୁଡ଼ିକୁ ଚୂନ ଓ ସୋଡିୟମ ସଲଫେଟ୍ ଥିବା ଗୋଟିଏ ପାଣିକୁଣ୍ଡରେ ଭିଜାଯାଏ। ଏହି ପ୍ରକ୍ରିୟା ସଂପର୍କରେ ବୁଝାଇ ଦେବାକୁ ଯାଇ ଭାରତ କହନ୍ତି ‘ଛାଲଗୁଡ଼ିକୁ ସିଧା ଭାବରେ ଧରି ବୁଲାଇ ବୁଲାଇ ଘୂରାଯାଏ ଏବଂ କୁଣ୍ଡରୁ ବାହାର କରାଯାଇ ବାରମ୍ବାର ବୁଡ଼ାଇ ଦିଆଯାଏ, ଯାହା ଫଳରେ କୁଣ୍ଡରେ ଥିବା ମିଶ୍ରଣ ଚମଡ଼ାର ସବୁ ଅଂଶରେ ସମାନ ଭାବରେ ଲାଗି ପାରିବ।’ ଡାହାଣ: ଛାଲରୁ ମାଂସ ଛଡ଼ାଇବା ଲାଗି ଗୋଟିଏ ଭିଜା ଛାଲକୁ ବାହାର କରୁଛନ୍ତି ଜଣେ କାରିଗର, ତାରାଚାନ୍ଦ

Left: A rafa (iron knife) is used to remove the flesh. This process is called chillai
PHOTO • Shruti Sharma
Right: A craftsperson does the sutaai (scraping) on a puttha with a khaprail ka tikka (brick tile). After this the hides will be soaked in water pits with phitkari (alum) and salt
PHOTO • Shruti Sharma

ବାମ: ଛାଲରୁ ମାଂସ ଛଡ଼ାଇବାରେ ଗୋଟିଏ ରଫା (ଲୁହାର ଛୁରୀ) ବ୍ୟବହାର କରାଯାଏ। ଏହି ପ୍ରକ୍ରିୟାକୁ କୁହାଯାଏ ଚିଲ୍ଲାଇ। ଡାହାଣ: ଜଣେ କାରିଗର ଗୋଟିଏ ପୁଠା ଉପରେ ଖପରଲି କା ଟିକ୍କା (ଖପରା ଖଣ୍ଡ) ସହାୟତାରେ ସୁତାଇ (ଚାଞ୍ଛିବା କାମ) କରନ୍ତି। ଏହା ପରେ ଏହି ଛାଲଗୁଡ଼ିକୁ ଫିଟକାରୀ (ଫିଟିକିରି) ଏବଂ ଲୁଣ ମିଶା ପାଣି ଥିବା କୁଣ୍ଡରେ ଭିଜାଇ ଦିଆଯିବ

ଏହା ପରେ ଛାଲଗୁଡ଼ିକୁ ଚୂନ ଓ ସୋଡିୟମ୍ ଫସଫେଟ୍ ମିଶ୍ରିତ ପାଣିକୁଣ୍ଡରେ ତିନି ଦିନ ପାଇଁ ବୁଡ଼ାଇ ରଖାଯାଏ ଏବଂ ତା’ପରେ ଏଗୁଡ଼ିକୁ ସମତଳ ଭୂମିରେ ବିଛାଇ ଗୋଟିଏ ଧାରୁଆ ଲୁହା ଉପକରଣରେ ଏଥିରେ ଲାଗିଥିବା ଲୋମ ସଫା କରାଯାଏ। ଏହି ପ୍ରକ୍ରିୟାକୁ କୁହାଯାଏ ସୁତାଇ। ଭାରତ କହନ୍ତି, “ଛାଲର ଦାନା ଭଳି କୋଷଗୁଡ଼ିକ ଫୁଲିଯାଇଥିବାରୁ ଏଥିରୁ ସହଜରେ ଲୋମ ସଫା ହୋଇଯାଏ।” ଛାଲଗୁଡ଼ିକୁ ଫୁଲାଇବା ପାଇଁ ପୁଣି ଭିଜାଇ ରଖାଯାଏ।

ବାବୁଲାଲଙ୍କ ପାଖରେ କାମ କରୁଥିବା ଅଭିଜ୍ଞ କାରିଗର ୪୪ ବର୍ଷୀୟ ତାରାଚାନ୍ଦ ଗୋଟିଏ ରଫା କିମ୍ବା ଛୁରୀ ବ୍ୟବହାର କରି ବହୁ ଯତ୍ନ ସହକାରେ ଚମଡ଼ାର ଭିତର ପାଖରୁ ମାଂସ ବାହାର କରନ୍ତି। ଏହା ପରେ ଛାଲଗୁଡ଼ିକରୁ ଚୂନ ଚିହ୍ନ ଛଡ଼ାଇବା ଲାଗି  ସେଗୁଡ଼ିକୁ ସାଦା ପାଣିରେ ତିନି ଦିନ ଲାଗି ଭିଜାଇ ରଖାଯାଏ। ତା’ପରେ ଏହାକୁ ସାରା ରାତି ପାଇଁ ହାଇଡ୍ରୋଜେନ୍ ପେରକ୍ସାଇଡ୍ ମିଶ୍ରିତ ପାଣିରେ ଭିଜାଇ ରଖାଯାଏ। ବାବୁଲାଲ କହନ୍ତି ଯେ ଚମଡ଼ାକୁ ଜୀବାଣୁମୁକ୍ତ ଏବଂ ଧଳା ରଙ୍ଗର କରିବା ଲାଗି ଏହା କରାଯାଏ। ସେ ଆହୁରି କହନ୍ତି, “ଏକ୍ ଏକ୍ କରକେ ସାରି ଗନ୍ଦ-ଗନ୍ଦଗୀ ନିକାଲି ଜାତି ହୈ (ଗୋଟିଏ ପରେ ଗୋଟିଏ କରି ଏହାର ସବୁ ଗନ୍ଧ ଓ ମଇଳା ଛଡ଼ାଇ ଦିଆଯାଏ)।”

ଭାରତ କହନ୍ତି, “ବଲ୍ ନିର୍ମାଣକାରୀଙ୍କ ପାଖରେ ଖୁବ୍ ଭଲ ଭାବରେ ସଫା ହୋଇଥିବା ଚମଡ଼ା ପହଞ୍ଚେ।”

ପ୍ରକ୍ରିୟାକରଣ କରାଯାଇଥିବା ଗୋଟିଏ ଛାଲ ବଲ୍ ନିର୍ମାତାଙ୍କୁ ୧,୭୦୦ ଟଙ୍କା ହିସାବରେ ବିକ୍ରି କରାଯାଏ। ଛାଲର ତଳଭାଗକୁ ଦେଖାଇ ଭାରତ ବୁଝାଇ ଦିଅନ୍ତି, “୧୮ରୁ ୨୪ଟି ଅତି ଉତ୍ତମ ଗୁଣମାନର ବା ପ୍ରଥମ ଶ୍ରେଣୀର କ୍ରିକେଟ୍ ବଲ୍ ଏହି ଭାଗରୁ ହୋଇଥାଏ। କାରଣ ଏହା ଚମଡ଼ାର ସବୁଠୁ ଶକ୍ତ ଭାଗ। ଏଥିରୁ ତିଆରି ବଲକୁ କୁହାଯାଏ ବିଲାତି ଗେନ୍ଦ (ବିଦେଶୀ ବଲ୍) ଏବଂ  ଏଥିରୁ ଗୋଟିଏ ଗୋଟିଏ ବଲ୍ (ଖୁଚୁରା ବଜାରରେ) ୨,୫୦୦ ଟଙ୍କାରୁ ଅଧିକ ଦରରେ ବିକ୍ରି କରାଯାଏ।”

Left : Raw hide piled up at the Shobhapur Tanners Cooperative Society Limited
PHOTO • Shruti Sharma
Right: 'These have been soaked in water pits with boric acid, phitkari [alum] and salt. Then a karigar [craftsperson] has gone into the soaking pit and stomped the putthas with his feet,' says Babu Lal
PHOTO • Shruti Sharma

ବାମ: ଶୋଭାପୁର ଟ୍ୟାନରସ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ ପରିସରରେ ଗଦା ହୋଇଥିବା କଞ୍ଚା ଛାଲ। ଡାହାଣ: ବାବୁଲାଲ କହନ୍ତି, ‘ଏଗୁଡ଼ିକ ବୋରିକ୍ ଏସିଡ୍, ଫିଟକାରି (ଫିଟିକିରି) ଏବଂ ଲୁଣ ମିଶ୍ରିତ ପାଣିରେ ଭିଜା ଯାଇଛି। ତା’ପରେ ଜଣେ କାରିଗର କୁଣ୍ଡ ଭିତରକୁ ଯାଇ ଏହି ପୁଠାଗୁଡ଼ିକୁ ପାଦରେ ମାଡ଼ି ଚକଟି ଦେଇଛନ୍ତି'

Left: Bharat in the Cooperative Society's tanning room.
PHOTO • Shruti Sharma
Right: 'Raw hide is made into a bag and bark liquor is poured into it to seep through the hair grains for vegetable-tanning. Bharat adds , 'only poorer quality cricket balls, less water-resistant and with a hard outer cover are made from this process'
PHOTO • Shruti Sharma

ବାମ: ତାଙ୍କ ଟ୍ୟାନିଂ କକ୍ଷରେ ଭାରତ। ଡାହାଣ: ଭାରତ କହନ୍ତି, ‘କଞ୍ଚା ଛାଲକୁ ବ୍ୟାଗ୍ ଆକାରରେ ତିଆରି କରି ସେଥିରେ ଥିବା ଦାନା ଭଳି ଲୋମକୁ ଭିଜାଇବା ଲାଗି ସେହି ବ୍ୟାଗରେ ଗଛ ବକଳରୁ ପ୍ରସ୍ତୁତ ମଦ ଭରିଦିଆଯାଏ। ଏଥିରୁ କେବଳ ନିମ୍ନମାନର କ୍ରିକେଟ ବଲ୍ ତିଆରି ହୁଏ, ଯେଉଁଗୁଡ଼ିକ ସେତେ ବେଶୀ ଜଳ ପ୍ରତିରୋଧକ ନୁହେଁ ଏବଂ ଏଗୁଡ଼ିକର ବାହ୍ୟ ଆବରଣ ଖୁବ୍ କଠିନ’

ବାବୁଲାଲ କହନ୍ତି, “ଅନ୍ୟ ଅଂଶଗୁଡ଼ିକ ସେତେ ବେଶୀ ଶକ୍ତ ନୁହନ୍ତି ଏବଂ ପତଳା ମଧ୍ୟ। ତେଣୁ ଏଥିରୁ ତିଆରି ବଲ୍ ଶସ୍ତା ଏବଂ ଏଗୁଡ଼ିକର ଆକାର ଖୁବ୍ ଶୀଘ୍ର ନଷ୍ଟ ହୋଇଯାଉଥିବାରୁ ଏଥିରେ ଅଳ୍ପସଂଖ୍ୟକ ଓଭର ଖେଳି ହୁଏ।” ତୁରନ୍ତ ହିସାବ କରି ଭାରତ କହନ୍ତି, “ଗୋଟିଏ ପୂରା ପୁଠାରୁ ମୋଟ ୧୦୦ ପ୍ରକାର ବଲ୍ ତିଆରି ହୋଇପାରେ। ଗୋଟିଏ ଗୋଟିଏ ବଲ୍ ୧୫୦ ଟଙ୍କା ହିସାବରେ ବିକ୍ରି ହେଲେ ବି ଗୋଟିଏ ପୁଠାରୁ ବଲ୍ ପ୍ରସ୍ତୁତକାରୀ ଅତି କମ୍‌ରେ ୧୫,୦୦୦ ଟଙ୍କା ରୋଜଗାର କରନ୍ତି।”

“କିନ୍ତୁ ଆମେ ଏଥିରୁ କ’ଣ ପାଉ?” ବାବୁଲାଲଙ୍କ ଆଡ଼କୁ ଚାହିଁ ଭାରତ କହନ୍ତି। ସେମାନେ ଗୋଟିଏ ଖଣ୍ଡ ଚମଡା଼ରୁ ୧୫୦ ଟଙ୍କା ଲେଖାଏଁ ରୋଜଗାର କରନ୍ତି। ଭାରତ କହନ୍ତି, “କଞ୍ଚାମାଲ ଏବଂ ମୋ କାରିଗରମାନଙ୍କର ସାପ୍ତାହିକ ମଜୁରି ବାବଦରେ ପ୍ରାୟ ୭୦୦ ଟଙ୍କା ଖର୍ଚ୍ଚ ହୁଏ। ଏହି ସବୁ କ୍ରିକେଟ୍ ବଲ୍ ପାଇଁ ଯେଉଁ ଚମଡ଼ା ଦରକାର ହୁଏ, ତାହାକୁ ଆମେ ହାତଗୋଡ଼ ଲଗାଇ ତିଆରି କରୁ। କିନ୍ତୁ, ବଲ୍ ଉପରେ ବଡ଼ ବଡ଼ କମ୍ପାନୀର ନାଁ ସହିତ ଆଉ କ’ଣ ଛପା ହୋଇଥାଏ ବୋଲି ଆପଣ ଜାଣନ୍ତି କି ? ‘ଫିଟିକିରିରେ ଟ୍ୟାନିଂ ହୋଇଥିବା ଛାଲ’। ମୁଁ ଜାଣେନା ଏହାର ଅର୍ଥ ଖେଳାଳିମାନେ ଜାଣିଛନ୍ତି କି ନାହିଁ।”

*****

“ପ୍ରକୃତରେ କ’ଣ ଆପଣ ଭାବୁଛନ୍ତି ଯେ ପ୍ରଦୂଷଣ, ଦୁର୍ଗନ୍ଧ ଏବଂ ଏସବୁ ଦୃଶ୍ୟ (ଏହି ଶିଳ୍ପର) ବାସ୍ତବ ସମସ୍ୟା?”

ପଶ୍ଟିମ ଉତ୍ତର ପ୍ରଦେଶର ଏ ଅଞ୍ଚଳରେ ଆଖୁ କିଆରିର ପୃଷ୍ଠଭାଗରେ ଦୂର ଦିଗବଳୟରେ ସୂର୍ଯ୍ୟ ଅସ୍ତ ହେଉଥିଲେ। ଟ୍ୟାନେରୀର କାରିଗରମାନେ ନିଜ ନିଜ ଘରକୁ ଫେରିଯିବା ପୂର୍ବରୁ କର୍ମସ୍ଥଳୀରେ ଜଲଦି ଜଲଦି ଗାଧୁଆପାଧୁଆ ସାରି କାମ କରିବା ବେଳର ପୋଷାକ ବଦଳାଉ ଥିଲେ।

The smell of raw hide and chemicals hangs over the tannery
PHOTO • Shruti Sharma
Workers take a quick bath and change out of their work clothes (left) before heading home
PHOTO • Shruti Sharma

ଟ୍ୟାନେରୀ ଚାରିପଟେ ଲାଗି ରହିଥାଏ କଞ୍ଚା ଛାଲ ଏବଂ ରାସାୟନିକ ଦ୍ରବ୍ୟର ଗନ୍ଧ। କାରିଗରମାନେ ନିଜ ନିଜ ଘରକୁ ଫେରିଯିବା ପୂର୍ବରୁ ଜଲଦି ଜଲଦି ଗାଧୁଆପାଧୁଆ ସାରି କର୍ମସ୍ଥଳୀରେ ବ୍ୟବହୃତ ପୋଷାକ ବଦଳାଇ ନିଅନ୍ତି

ଭାରତ କହନ୍ତି, “ମୁଁ ମୋ ପୁଅର ନାଁର ପ୍ରଥମ ଅକ୍ଷର ଅନୁସାରେ ଚମଡ଼ା ଉପରେ AB ଚିହ୍ନ ରଖେ।” ଦୃଢ଼ କଣ୍ଠରେ ସେ ଆହୁରି କହନ୍ତି, “ମୁଁ ତାକୁ ଚମଡ଼ା କାମ କରିବାକୁ ଦେବି ନାହିଁ। ଆମ ପରବର୍ତ୍ତୀ ପିଢ଼ି ଶିକ୍ଷିତ ହେଉଛନ୍ତି। ସେମାନେ ଅନ୍ୟ ଦିଗରେ ଆଗେଇ ଯିବେ ଏବଂ ଚମଡ଼ା କାମର ଅନ୍ତ ଘଟିବ।”

ଆମେ ଚାଲି ଚାଲି ରାଜପଥ ଆଡ଼କୁ ଯିବା ସମୟରେ ଭାରତ କହନ୍ତି, “ଜଣେ କ୍ରିକେଟ ଖେଳିବା ଦିଗରେ ଯେତେ ଆଗ୍ରହୀ, ଆମେ ଚମଡ଼ା କାମ ପ୍ରତି ସେତେ ଆଗ୍ରହୀ ନୋହୁଁ। ଏଥିରୁ (ଏହି କାମରୁ) ଆମେ ଜୀବିକା ଅର୍ଜନ କରୁ; ଆମ ପାଖରେ ଅନ୍ୟ କିଛି ବିକଳ୍ପ ନଥିବାରୁ ହିଁ ଆମେ ଏହା କରୁ।”

ଏହି ଲେଖା ପ୍ରସ୍ତୁତି ନିମନ୍ତେ ସେମାନଙ୍କର ମୂଲ୍ୟବାନ ସମୟ ଦେଇଥିବାରୁ ଏବଂ ରିପୋର୍ଟିଂର ସମସ୍ତ ପର୍ଯ୍ୟାୟରେ ସହାୟତା କରିଥିବାରୁ ଏହି ରିପୋର୍ଟର, ପ୍ରବୀଣ କୁମାର ଏବଂ ଭାରତ ଭୂଷଣଙ୍କୁ ଧନ୍ୟବାଦ ଦିଅନ୍ତି ଏହି ଲେଖା ପ୍ରସ୍ତୁତିରେ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (MMF) ପ୍ରଦତ୍ତ ଏକ ଫେଲୋସିପର ସହାୟତା ରହିଛି

ଅନୁବାଦ : ଓଡ଼ିଶାଲାଇଭ୍‍

Shruti Sharma

ଶ୍ରୁତି ଶର୍ମା ଜଣେ ଏମଏମଏଫ୍ ପରୀ ବ୍ୟକ୍ତିତ୍ୱ (୨୦୨୨-୨୦୨୩)। ସେ କୋଲକାତାର ସେଣ୍ଟର ଫର୍ ଷ୍ଟଡିଜ୍ ଇନ୍ ସୋସିଆଲ୍ ସାଇନ୍ସରେ ଭାରତରେ କ୍ରୀଡା ସାମଗ୍ରୀ ନିର୍ମାଣର ସାମାଜିକ ଇତିହାସ ସଂପର୍କରେ ପିଏଚଡି କରିବା ଦିଗରେ କାମ କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Shruti Sharma
Editor : Riya Behl

ରିୟା ବେହ୍‌ଲ ପିପୁଲ୍‌ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆ (PARI)ର ବରିଷ୍ଠ ସହକାରୀ ସଂପାଦକ । ଜଣେ ମଲ୍‌ଟିମିଡିଆ ସାମ୍ବାଦିକ ହିସାବରେ ସେ ଲିଙ୍ଗଗତ ଏବଂ ଶିକ୍ଷା ସମ୍ବନ୍ଧୀୟ ବିଷୟରେ ଲେଖାଲେଖି କରନ୍ତି । PARI ପାଇଁ ରିପୋର୍ଟଂ କରୁଥିବା ଛାତ୍ରଛାତ୍ରୀ ଏବଂ PARIର ଲେଖାକୁ ଶ୍ରେଣୀଗୃହରେ ପହଞ୍ଚାଇବା ଲକ୍ଷ୍ୟରେ ଶିକ୍ଷକମାନଙ୍କ ସହିତ ମଧ୍ୟ ରିୟା କାର୍ଯ୍ୟ କରନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Riya Behl
Photo Editor : Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ବିନାଇଫର୍ ଭାରୁଚ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE