ଦକ୍ଷିଣ ଦିଲ୍ଲୀର ଏକ ପବରେ ତିନି ବନ୍ଧୁଙ୍କର ବିୟର ମୂଲ୍ୟ ସେମାନଙ୍କୁ ସେଠାରେ ବିଶ୍ୱକପ୍ ମ୍ୟାଚ ଦେଖିବାରୁ ନିରୁତ୍ସାହିତ କରିପାରେ ଯାହାକି ଇଶ୍ୱରୀଙ୍କର ୧୭ଜଣିଆ ପରିବାରର ମାସିକ ଆୟ- କେବଳ ମାତ୍ର ୧,୦୦୦ଟଙ୍କା-ମିରଟ ନିକଟସ୍ଥ ଖେର୍ଖି ଗାଁରେ ଫୁଟବଲ୍ଗୁଡିକୁ ସିଲେଇ କରି ମିଳେ। ଘରର ସମସ୍ତ ଦୈନନ୍ଦିନ କାର୍ଯ୍ୟ କରିବା ପାଇଁ ସେମାନେ ସକାଳୁ ଶଯ୍ୟା ତ୍ୟାଗ କରନ୍ତି, ପୁରୁଷମାନେ ବାହାରକୁ କାମ କରିବା ପାଇଁ ଯିବା ପରେ, ଘରର ସମସ୍ତ ମହିଳା ଓ ପିଲାମାନେ ରୁଟିନ୍ ସାତଘଣ୍ଟିଆ କଷ୍ଟକର କାର୍ଯ୍ୟରେ ମନୋନିବେଶ କରନ୍ତି। ନିଜର ୬୦ ବର୍ଷରେ ଉପନୀତ ହୋଇଥିବା ଇଶ୍ୱରୀ କୁହନ୍ତି, ପରିବାରର ମହିଳାମାନେ କରୁଥିବା ଏହି କାର୍ଯ୍ୟକୁ ନେଇ ପୁରୁଷମାନେ କୌଣସି ଆପତ୍ତି କରନ୍ତି ନାହିଁ ଯେହେତୁ ସେମାନଙ୍କୁ କଞ୍ଚା ମାଲ୍ ଆଣିବା ଓ ଉତ୍ପାଦିତ ଦ୍ରବ୍ୟଗୁଡିକୁ ଦେବା ବ୍ୟତିତ ଅନ୍ୟ କୌଣସି କାମ ପାଇଁ ଘର ବାହାରକୁ ଯିବା ପାଇଁ ପଡ଼େ ନାହିଁ। ଏହି ପରିବାରର ଅନ୍ୟ ଏକ ଆର୍ଥିକ ଉତ୍ସ ହେଉଛି ଏକ ଛୋଟିଆ କୃଷି ଜମି- ଏହି ଫୁଟବଲ୍-ସିଲେଇ ବ୍ୟବସାୟରେ ନିୟୋଜିତ ଥିବା ମିରଟ ଚାରିପଟେ ଥିବା ପାଖାପାଖି ୫୦ଟି ଗାଁର ଲୋକମାନଙ୍କର ଏହିପରି ଆୟର ଅନ୍ୟ କୌଣସି ଉତ୍ସ ନାହିଁ।
ଇଶ୍ୱରୀଙ୍କର ପରିବାର ହେଉଛି ଦଳିତ ସଂପ୍ରଦାୟର- ମିରଟ ଚାରିପଟେ ଥିବା ପ୍ରାୟ ଅଧିକାଂଶ ୫୦ - ବିଷମ ଗାଁରେ ‘ଫୁଟବଲ୍ ନିର୍ମାତାମାନେ’ ହେଉଛନ୍ତି ମୁସଲିମ୍ କିମ୍ବା ଭୂମିହୀନ ଦଳିତ ଶ୍ରମିକ। ହାରାହାରି ସାତ ଘଣ୍ଟାରେ ଜଣେ ବୟସ୍କ ତିନୋଟି ଫୁଟବଲ୍ ସିଲେଇ କରିପାରିବ; ଏକ ପିଲା ଅତି ବେଶିରେ ଦୁଇଟି କରିପାରିବ। ଏଥିପାଇଁ ସେମାନଙ୍କୁ ପ୍ରତି ଛୋଟରୁ ମଧ୍ୟମ ଧରଣର ବଲ୍ ପାଇଁ ୩ ଟଙ୍କା ଓ ବଡ ବଲ୍ ପାଇଁ ୫ ଟଙ୍କା ପାରିଶ୍ରମିକ ଦିଆଯାଏ। ଏକ ଛଅ ଜଣିଆ ପରିବାର ଦିନକୁ ଆଠଟି ଫୁଟବଲ୍ ତିଆରି କରିପାରନ୍ତି, ମାସକୁ ୬୦୦ରୁ ୯୦୦ ଟଙ୍କାଠାରୁ ଅଧିକ ରୋଜଗାର କରିବା କଥା ଚିନ୍ତା କରିପାରନ୍ତି ନାହିଁ, ଏହି ମୂଲ୍ୟ ଚାହିଦା ଅନୁସାରେ ବଦଳିଥାଏ। ଏପରିକି ସ୍ଥାନୀୟ ବଜାରରେ ଫୁଟବଲ୍ର ମୂଲ୍ୟ ୧୦୦ଟଙ୍କାରୁ ୩୦୦ଟଙ୍କା ମଧ୍ୟରେ ରହିଥାଏ। ଯଦି ସିଲେଇ ଖୋଲିଯାଏ, ଏହାର ମରାମତି ବାବଦକୁ ଖର୍ଚ୍ଚ କଣ୍ଟ୍ରାକ୍ଟର ଶ୍ରମିକମାନଙ୍କର ମଜୁରିରୁ କାଟି ଦିଅନ୍ତି। ଅତ୍ୟଧିକ ନଷ୍ଟ କ୍ଷେତ୍ରରେ, ଯେପରିକି ବ୍ଲାଡର୍ କଣା ହେବା, ଏହାର ସମୁଦାୟ ମୂଲ୍ୟ ନିର୍ମାତାମାନଙ୍କଠାରୁ ଆଦାୟ କରାଯାଏ।
ଭାରତ ହେଉଛି ପାକିସ୍ତାନ ପରେ ଦ୍ୱିତୀୟ ସର୍ବାଧିକ ଫୁଟବଲ୍ ତିଆରି କରୁଥିବା ଦେଶ; ପାକିସ୍ତାନର ସିଆଲକୋଟ ଏବଂ ଭାରତର ଜଳନ୍ଧର ଓ ମିରଟ ହେଉଛି କ୍ରୀଡା ଉପକରଣର ମୁଖ୍ୟ ଉତ୍ପାଦନ କେନ୍ଦ୍ର। ଏହି ବର୍ଷ ବିଶ୍ୱ କପ୍ ଉପଲକ୍ଷେ ସିଆଲକୋଟ ପାଖାପାଖି ୫୫ ମିଲିୟନ ଫୁଟବଲ୍ ଜର୍ମାନୀକୁ ରତ୍ପାନି କରିଛି; ଜଳନ୍ଧର ୨୦୦୨ ମସିହାରେ ’ଷ୍ଟାର କଣ୍ଟ୍ରାକ୍ଟ’ ପାଇଥିଲା। ଯେତେବେଳେ ବିଶ୍ୱକପ ନିକଟତର ହୁଏ, ଫୁଟବଲ୍ର ଚାହିଦା ହଠାତ୍ ବୃଦ୍ଧି ପାଏ, ଅନେକ କଣ୍ଟ୍ରାକ୍ଟର ଦିନକୁ ୨୫,୦୦୦ ଫୁଟବଲ୍ ତିଆରି କରିବାକୁ କୁହନ୍ତି। ଏହି କ୍ୱଚିତ୍ ବମ୍ପର ଉତ୍ସବ ସମୟରେ ବଲ୍ ପିଛା ମଜୁରୀ ମାତ୍ର ୫୦ ପଇସା ବୃଦ୍ଧି ପାଇଥାଏ। କୌଣସି ୟୁନିୟନର ଅଭାବ, ମୂଲଚାଲ କରିବାର ଅକ୍ଷମତା କିମ୍ବା ବିକଳ୍ପ ରୋଜଗାରର ଅଭାବରୁ ସେମାନେ ସହଜରେ ରାଜି ହୋଇ ଯାଆନ୍ତି। ସେମାନେ ଯଦି ପ୍ରଚଳିତ ରେଟରେ କାମ କରିବାକୁ ଅରାଜି ହୁଅନ୍ତି, ଅନ୍ୟ କେହି ଏହାଠାରୁ କମ୍ ମୂଲ୍ୟରେ କାମ କରିବାକୁ ରାଜି ହୋଇଯିବ- ଏହି ଉପାୟରେ ,ସେମାନେ ଅନ୍ତତଃ ପକ୍ଷେ ’କିଛି’ ରୋଜଗାର କରିପାରୁଛନ୍ତି।
ଫୁଟଵଲ ନିର୍ମାତାମାନଙ୍କର ’ମୁଖ୍ୟାଳୟ’ ଭାବରେ ଜଣାଶୁଣା ସିସୋଲାର ଛୋଟ ଘର ଏବଂ ସଂକୀର୍ଣ୍ଣ ଗଳିଗୁଡ଼ିକୁ ଯେକୌଣସି ଦିନ ଗଲେ ଦେଖିବେ, ମହିଳା ଓ ପିଲାମାନେ ରଙ୍ଗୀନ ପଞ୍ଚଭୁଜାକାର ରବର ସାମଗ୍ରୀକୁ ଏକ ଦୋମୁନିଆ ଛୁଞ୍ଚି ସାହାଯ୍ୟରେ ବ୍ୟବସାୟ ପାଇଁ ବ୍ୟବହୃତ କାଠ ଯନ୍ତ୍ର ଉପରେ ନଇଁ କରି ସିଲେଇ କରୁଥିବେ। ଯାହାର ଆଙ୍ଗୁଠି ଯେତେ ଚଞ୍ଚଳ, ମୁନିଆ ଛୁଞ୍ଚି ଦ୍ୱାରା ଛିଦ୍ରଗୁଡିକ ସେତେ ଶିଘ୍ର ହୋଇଥାଏ ଯେଉଁଗୁଡିକୁ ସିଲ୍କ ସୂତା ଦ୍ୱାରା ସିଲେଇ କରାଯାଇଥାଏ। ଅନେକ ଘଣ୍ଟାଧରି ଟେରେଇ ଚାହିଁବା ଦ୍ୱାରା ଦୃଷ୍ଟି ଶକ୍ତିର କ୍ଷତି ନିଶ୍ଚିତ ରୂପେ ଘଟିଥାଏ। ସ୍ଥାନୀୟ କର୍ମକର୍ତ୍ତା ଶେର ମହମ୍ମଦ ଖାନ କୁହନ୍ତି,"ସଠିକ୍ ଭାବରେ ବସିବା ପାଇଁ ସେମାନଙ୍କୁ କେହି କେବେବି ଟ୍ରେନିଂ ଦେଇନାହାନ୍ତି ଏବଂ ସେମାନେ ପିଠି ଯନ୍ତ୍ରଣାରେ ପୀଡିତ ହୁଅନ୍ତି"। କୌଣସି ସ୍ଥାନୀୟ ସ୍ୱାସ୍ଥ୍ୟସେବା ଉପଲବ୍ଧ ନଥିବାରୁ, ଗ୍ରାମବାସୀମାନେ ଦେଶୀ ଓ ଘରୋଇ ଉପଚାର ଉପରେ ନିର୍ଭର କରିବାକୁ ପସନ୍ଦ କରନ୍ତି। ଯଦିଓ ସେଠାରେ ଅଳ୍ପ କେତେକ ଡାକ୍ତର ଅଛନ୍ତି, ସେମାନେ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଅସମର୍ଥ।



