ନିଜ ଘର ବାହାରେ ଥିବା ଖୋଲା ଭାଟିରେ ମାଠିଆ ପୋଡ଼ିବା ପୂର୍ବରୁ ଏହାକୁ ରଙ୍ଗ କରୁଥିବା ରେଖା କୁମ୍ଭକାର କହିଥିଲେ, “ଆମେ ଏହି ଗ୍ରୀଷ୍ମ ହରାଉଛୁ!’’ ଲକ୍ ଡାଉନ୍ ସମୟରେ ସେ ନିଜ ଘର ଭିତରେ ମାଠିଆ ତିଆରି କରୁଥିଲେ, କେବଳ ବେଳେବେଳେ କାମକୁ ବାହାରକୁ ଆଣୁଥିଲେ ।
ଲାଲ୍ ମାଟିର ମାଠିଆ ସାଧାରଣତଃ ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ବଜାରରେ ବିକ୍ରି ହୋଇଥାନ୍ତା । ସେ ସମୟରେ ଛତିଶଗଡର ଧମତାରୀ ସହରର କୁମ୍ଭାରମାନଙ୍କ ସାହି କୁମ୍ଭାରପଡ଼ାର ଘର ବାହାରେ ସବୁଆଡ଼େ ଏହା ରଖାଯାଇଥାଏ । ରେଖା କହିଥିଲେ, ‘‘ଯେମିତି ବଜାରରେ ପରିବା ବିକାଳୀଙ୍କୁ ସକାଳ ୭ରୁ ଦିନ ୧୨ ଟା ପର୍ଯ୍ୟନ୍ତ ବିକ୍ରୟ ପାଇଁ ଅନୁମତି ଦିଆଯାଉଛି, ଆମକୁ ମଧ୍ୟ ସେମିତି ଅନୁମତି ଦେବା ଉଚିତ୍, ନଚତ୍ ଆମେ ଅସୁବିଧାରେ ପଡ଼ିବୁ ।
ଠିକ୍ ସେତିକିବେଳେ ଭୁବନେଶ୍ୱରୀ କୁମ୍ଭକାର ମୁଣ୍ଡରେ ଖାଲି ବାଉଁଶ ଟୋକେଇ ନେଇ କୁମ୍ଭାରପଡ଼ାକୁ ଫେରି ଆସିଲେ । ସେ କହିଲେ, ‘‘ମୁଁ ସକାଳୁ ସହରର ବିଭିନ୍ନ କଲୋନୀକୁ ମାଟି ହାଣ୍ଡି ବିକ୍ରି କରିବାକୁ ଯାଇଥିଲି। ଆଠଟି ବିକ୍ରି କଲି ଏବଂ ଆଉ ଆଠଟି ନେଇ ରାସ୍ତାକୁ ଯାଉଛି । କିନ୍ତୁ ମୋତେ ଶୀଘ୍ର ଫେରିବାକୁ ପଡିବ କାରଣ ମଧ୍ୟାହ୍ନରେ ଲକଡାଉନ୍ ପୁଣି ଆରମ୍ଭ ହେବ । ଯେହେତୁ ଆମକୁ ବଜାରକୁ ଯିବାକୁ ଅନୁମତି ନାହିଁ, ଆମେ ଅଧିକ ବିକ୍ରୟ କରିବାକୁ ଅସମର୍ଥ । ଗୋଟିଏ ପରିବାର ସରକାର ଯୋଗାଇଥିବା କେବଳ ଚାଉଳ ଏବଂ ଟ. ୫୦୦ରେ କିପରି ବଞ୍ଚିବ ? ”
କୁମ୍ଭାରପଡ଼ାର କୁମ୍ଭକାରମାନେ - ଏଠାରେ ଥିବା ସମସ୍ତ ପରିବାର କୁମ୍ଭାର ଓବିସି ସମୂହର ଅଂଶ – ପ୍ରତିଟି ବଡ଼ ମାଠିଆକୁ ଟ. ୫୦-୭୦ ରେ ବିକ୍ରି କରନ୍ତି । ପ୍ରତ୍ୟେକ ପରିବାର ସବୁଠାରୁ ଅଧିକ ବିକ୍ରୀ ହେଉଥିବା ମାର୍ଚ୍ଚରୁ ମେ ମାସ ମଧ୍ୟରେ ୨୦୦-୭୦୦ ମାଠିଆ ବିକ୍ରି କରନ୍ତି । ଏହି ସମୟରେ ଲୋକମାନେ ପାଣି ସାଇତିବା ଏବଂ ଏହାକୁ ଥଣ୍ଡା ରଖିବା ପାଇଁ ମାଠିଆ କିଣନ୍ତି । ମାଠିଆ ତିଆରିର ସଂଖ୍ୟା ପରିବାରର କେତେଜଣ ସଦସ୍ୟ ଏହି କାମରେ ସାହାଯ୍ୟ କରନ୍ତି ତାହା ଉପରେ ନିର୍ଭର କରେ । ଅନ୍ୟ ଋତୁରେ କୁମ୍ଭାରମାନେ ପୂଜା ପର୍ବ ପାଇଁ ଛୋଟ ମୂର୍ତ୍ତୀ, ଦିଓ୍ୱାଲି ସମୟରେ ଦୀପ ବିବାହ ରୀତିନୀତି ପାଇଁ ଛୋଟ ହାଣ୍ଡି ଏବଂ ଅନ୍ୟ କେତେକ ସାମଗ୍ରୀ ତିଆରି କରନ୍ତି ।
ମୌସୁମୀ ସମୟରେ, ଜୁନ୍ ମଧ୍ୟଭାଗରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ, ସେମାନଙ୍କ କାମ ବନ୍ଦ ହୋଇଯାଏ । ଏହି ସମୟରେ ଓଦା ମାଟି ଶୁଖେନାହିଁ , ଏବଂ ଘର ବାହାରେ କାମ କରିବା ସମ୍ଭବ ନୁହେଁ । ଏହି ମାସଗୁଡିକରେ, କେତେକ କୁମ୍ଭାର (କୌଣସି ପରିବାରର କିଛି ଚାଷ ଜମି ନାହିଁ) ଦିନକୁ ଟ.୧୫୦-୨୦୦ ମଜୁରୀରେ କୃଷି ଶ୍ରମିକ କାମ ଖୋଜନ୍ତି ।




