୩୪ ବର୍ଷ ବୟସରେ ଜୁନାଲୀ ରିସଙ୍ଗ ଅପୋଙ୍ଗ ମଦ ପ୍ରସ୍ତୁତ କରିବାରେ ସିଦ୍ଧହସ୍ତ ହୋଇଯାଇଛନ୍ତି। ‘‘ବେଳେ ବେଳେ ଦିନକୁ ମୁଁ ୩୦ ଲିଟର ଅପୋଙ୍ଗ ତିଆରି କରିପାରେ,’’ ସେ କୁହନ୍ତି । ଅଧିକାଂଶ ମଦ ପ୍ରସ୍ତୁତକାରୀ ପ୍ରତି ସପ୍ତାହରେ ଅଳ୍ପ କିଛି ଲିଟର ଅପୋଙ୍ଗ ପ୍ରସ୍ତୁତ କରିଥାନ୍ତି । ପ୍ରସ୍ତୁତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ହାତରେ କରାଯାଏ।

ଆସାମର ବ୍ରହ୍ମପୁତ୍ର ନଦୀରେ ରହିଛି ମାଜୁଲି ଦ୍ୱୀପ। ଏଠାକାର ଏକ ସହର ଗରାମୁରରେ ଜୁନାଲୀଙ୍କ ଘର। ନିଜର ତିନି ବଖୁରିଆ ଘର ଓ ଏହାର ବାଡ଼ିପଟେ ତାଙ୍କର ମଦ ତିଆରି କାରଖାନା ଚାଲିଥାଏ। ବିଶାଳ ବ୍ରହ୍ମପୁତ୍ର ନଦୀରେ ନିୟମିତ ବନ୍ୟା ଆସିଥାଏ, ନଦୀର ଉଚ୍ଛୁଳା ପାଣିରେ ଜୁନାଲୀଙ୍କ ଘର ପାଖରେ ଏକ ପୁଷ୍କରିଣୀ ସୃଷ୍ଟି ହୋଇଛି ।

ସକାଳ ୬ଟା ବେଳେ ଆମେ ଯେତେବେଳେ ତାଙ୍କ କାମ ଦେଖିବାକୁ ପହଞ୍ଚିଲୁ ପୂର୍ବ ଭାରତର ଏହି ଭାଗରେ ସୂର୍ଯ୍ୟ ସେତେବେଳକୁ ପ୍ରାୟ ମୁଣ୍ଡ ଉପରକୁ ଉଠିସାରିଥିଲେ। ମଦ ତିଆରି ପ୍ରକ୍ରିୟା ପାଇଁ ଜୁନାଲୀ ନିଜର ବାଡ଼ି ପଟେ କାଠ ଜାଳିବାକୁ ଚୁଲି ପ୍ରସ୍ତୁତ କରୁଥାନ୍ତି । ତାଙ୍କର ସବୁ ଉପକରଣ ଓ ସରଞ୍ଜାମ ଘର ଭିତରେ ଥୁଆ ହୋଇଛି ।

ଆସାମର ଏକ ଅନୁସୂଚିତ ଜନଜାତି ସମୁଦାୟ ଭାବେ ପରିଗଣିତ ମିସିଂ ସମ୍ପ୍ରଦାୟର ଲୋକମାନେ ପାଚନ ପ୍ରକ୍ରିୟାରେ ପ୍ରସ୍ତୁତ ହେଉଥିବା ଏକ ପାନୀୟ ଅପୋଙ୍ଗ ମଦ ତିଆରି କରିଥାନ୍ତି। ଏହାକୁ ଭୋଜନ ସହିତ ସେବନ କରାଯାଏ। ମିସିଂ ସମୁଦାୟର ଭରତ ଚାଣ୍ଡି କୁହନ୍ତି, ‘‘ଆମ ମିସିଂ ଲୋକମାନଙ୍କ ପାଇଁ, ଯଦି ଅପୋଙ୍ଗ ନାହିଁ ତା’ହେଲେ କୌଣସି ପୂଜା କିମ୍ବା ପର୍ବପର୍ବାଣୀ ପାଳନ କରିବା ସମ୍ଭବ ନୁହେଁ।’’ ଚଣ୍ଡି ଗରାମୁର ବଜାରରେ ମାଜୁଲି କିଚେନ୍‌ ନାମକ ଏକ ଘରୋଇ ଶୈଳୀର ଭୋଜନାଳୟ ପରିଚାଳନା କରିଥାନ୍ତି ।

ଚାଉଳ ଓ ଚେରମୂଳିରେ ପ୍ରସ୍ତୁତ ଏହି ହାଲୁକା କ୍ରିମ୍‌ ରଙ୍ଗର ପାନୀୟକୁ ବିଶେଷ କରି ଜୁନାଲୀଙ୍କ ଭଳି ମିସିଂ ସମୁଦାୟର ମହିଳାମାନେ ପ୍ରସ୍ତୁତ କରିଥାନ୍ତି ଏବଂ ଏହାକୁ ନେଇ ଗରାମୁରରେ ଥିବା ବିଭିନ୍ନ ଦୋକାନ ଓ ହୋଟେଲରେ ବିକ୍ରି କରନ୍ତି । ଜୁନାଲୀ ହସି ହସି କୁହନ୍ତି, ‘‘ପୁରୁଷମାନେ ଏହି କାମକୁ ପସନ୍ଦ କରନ୍ତି ନାହିଁ । ସେମାନଙ୍କ ପାଇଁ ଏହି କାମ ଶାରୀରିକ ଭାବେ କଷ୍ଟକର ହୋଇଥାଏ ଏବଂ ଚେରମୂଳି ଓ ପତ୍ର ସଂଗ୍ରହ କରିବାକୁ ସେମାନେ କ୍ଳାନ୍ତିକର କାମ ବୋଲି ଭାବନ୍ତି ।

PHOTO • Priti David

ଜୁନାଲୀ ରିସଙ୍ଗ ଏକ ବଡ଼ କଢେଇରେ ପାଣି ଗରମ କରୁଛନ୍ତି ଯେଉଁଥିରେ ଚାଉଳ ପକେଇ ଭାତ ରନ୍ଧାଯିବ ଓ ପରେ ଏଥିରେ ଅପୋଙ୍ଗ ପ୍ରସ୍ତୁତ ହେବ

PHOTO • Priti David

ଜୁନାଲୀ ନିଜ ଘର ପାଖରେ ମାଟି ଉପରେ ଥୁଆ ହୋଇଥିବା ଏକ ଧାତବ ଚାଦର ଉପରେ ପୋରୋ (ଧାନ ନଡ଼ା) ଜାଳୁଛନ୍ତି । ସକାଳ ୬ଟାରେ ଏଥିରେ ନିଆଁ ଲଗାଯାଇଥିଲା ଏବଂ ୩-୪ ଘଣ୍ଟା ଜଳିବା ପରେ ଏହାର ପାଉଁଶ ରନ୍ଧା ହୋଇଥିବା ଭାତରେ ମିଶା ହେବ

ଜୁନାଲୀଙ୍କ ସ୍ୱାମୀ, ଉର୍ବର ରିସଙ୍ଗ ସେମାନଙ୍କ ଘରଠାରୁ ଚାଲି ଚାଲି ପାଞ୍ଚ ମିନିଟ୍‌ ଦୂର ବଜାର ଅଞ୍ଚଳରେ ଏକ ଦୋକାନ କରିଛନ୍ତି । ସେମାନଙ୍କ ୧୯ ବର୍ଷ ବୟସ୍କ ପୁଅ ମୃଦୁ ପାବୋଙ୍ଗ ରିସଙ୍ଗ ଜୋରହାଟରେ ହୋଟେଲ ମ୍ୟାନେଜମେଣ୍ଟ ପଢ଼ୁଛନ୍ତି । ସେଠାରେ ପହଞ୍ଚିବାକୁ ହେଲେ ବ୍ରହ୍ମପୁତ୍ରରେ ଗୋଟିଏ ଘଣ୍ଟା ନୌଯାତ୍ରା କରିବାକୁ ହେବ ।

ଜୁନାଲୀଙ୍କ ଶାଶୁ, ଦୀପ୍ତି ରିସଙ୍ଗ, ତାଙ୍କୁ ଅପୋଙ୍ଗ ତିଆରି କରିବା ଶିଖାଇ ଥିଲେ। ଦୁଇ ପ୍ରକାରର ଅପୋଙ୍ଗ ଅଛି: କେବଳ ଭାତକୁ ମୁଖ୍ୟ ଉପାଦାନ ଭାବେ ନେଇ ତିଆରି ହେଉଥିବା ମଦକୁ ନଙ୍ଗଜିନ ଅପୋଙ୍ଗ କୁହାଯାଏ; ଏବଂ ପୋଡ଼ା ଧାନ ନଡ଼ାର ବାସ୍ନା ମିଶ୍ରିତ ପାନୀୟକୁ ପୋରୋ ଅପୋଙ୍ଗ କୁହାଯାଏ। ଗୋଟିଏ ଲିଟର ଅପୋଙ୍ଗ ୧୦୦ ଟଙ୍କାରେ ବିକ୍ରି ହୋଇଥାଏ ଏବଂ ପ୍ରସ୍ତୁତକାରୀ ଏହାର ଅଧା ଅର୍ଥ ପାଇଥାନ୍ତି ।

ଦୁଇ ଦଶନ୍ଧି ଧରି ଏହାର ପ୍ରସ୍ତୁତି କରିବା ପରେ, ଜୁନାଲୀ ଏବେ ଏହାର ପ୍ରସ୍ତୁତି ପ୍ରକ୍ରିୟାର ରୁଟିନ୍‌ ଜାଣି ନେଇଛନ୍ତି। ମାଜୁଲି ଜିଲ୍ଲାର କମଲାବାରୀ ବ୍ଲକରେ ଥିବା ତାଙ୍କ ପଡ଼ାରେ ଯେତେବେଳେ ପରୀ ତାଙ୍କୁ ଭେଟିଥିଲା, ସେ ପୋରୋ ଅପୋଙ୍ଗ ତିଆରି କରୁଥିଲେ। ସକାଳ ସାଢ଼େ ୫ଟାରେ ତାଙ୍କ କାମ ଆରମ୍ଭ ହୋଇଥାଏ। ଘର ପଛ ପଟେ ଏକ ଟିଣ ଚାଦର ଉପରେ ଧାନ ନଡ଼ାରେ ନିଆଁ ଲଗାଇବା ସହିତ ଧୀରେ ଧୀରେ ସେଗୁଡ଼ିକୁ କୁହୁଳାଇ ଥାଆନ୍ତି। ‘‘ଏହା ଜଳିବା ପାଇଁ ୩-୪ ଘଣ୍ଟା ସମୟ ନେଇଥାଏ,’’ ଭାତ ରାନ୍ଧିବାକୁ ଏଣେତେଣେ ଧାଇଁବା ସମୟରେ ସେ ଆମକୁ କହିଥାନ୍ତି । ବେଳେବେଳେ ଆହୁରି ଆଗରୁ ସେ କାମ ଆରମ୍ଭ କରିଥାନ୍ତି, ରାତି ସାରା ଧୀରେ ଧୀରେ ନଡ଼ା ଜାଳିବାକୁ ଛାଡ଼ି ଦିଅନ୍ତି ।

କୁହୁଳୁଥିବା ନଡ଼ା ନିକଟରେ, ଜୁନାଲୀ ଏକ ବଡ଼ କଡ଼େଇରେ ଚୁଲିରେ ପାଣି ବସାଇଥାନ୍ତି । ପାଣି ଫୁଟିବା ପରେ ସେ ଅଳ୍ପ କିଛି କିଛି କରି ତା’ ଭିତରେ ୨୫ କିଲୋଗ୍ରାମ ଚାଉଳ ପକେଇଥାଆନ୍ତି । ‘‘ଏହି କାମ କରିବା ବେଳେ ମୋର ସାମାନ୍ୟ ପିଠି ଯନ୍ତ୍ରଣା ହୁଏ,’’ ସେ ସ୍ୱୀକାର କରନ୍ତି ।

ମାଘ ବିହୁ, ବୋହାଗ ବିହୁ ଏବଂ କାଟୀ ବିହୁ ଭଳି ଅହମୀୟା ପର୍ବପର୍ବାଣୀ ସମୟରେ ଏହି ବିୟର ଚାହିଦା ବଢ଼ିଯାଏ ଏବଂ ଜୁନାଲୀ ଏହାକୁ ତିଆରି କରିବାରେ ବ୍ୟସ୍ତ ହୋଇଯାଆନ୍ତି, ବେଳେବେଳେ ଗୋଟିଏ ଦିନରେ ଦୁଇଟି ପର୍ଯ୍ୟାୟରେ ସେ ଏହାକୁ ତିଆରି କରନ୍ତି

ଭିଡିଓ ଦେଖନ୍ତୁ: ମିସିଂ ସମୁଦାୟର ପାରମ୍ପରିକ ଭାତରେ ତିଆରି ବିୟର ପୋରୋ ଅପୋଙ୍ଗର ପ୍ରସ୍ତୁତି

ଦୁଇଟି ସ୍ଥାନରେ ନିଆଁ ଜଳୁଛି ଏବଂ ଜୁନାଲୀ ତରବର ହୋଇ ଏଣେତେଣେ ଦୌଡ଼ୁଛନ୍ତି, ଗୋଟିଏ ପଟେ ଫୁଟୁଥିବା ଭାତ ଉପରେ ଧ୍ୟାନ ଦେଉଛନ୍ତି ଏବଂ ଅନ୍ୟପଟେ ଏକ ଲମ୍ବା କାଠ ବାଡ଼ି ଧରି ଜଳୁଥିବା ନଡ଼ାକୁ ଆଡ଼େଇ ଦେଉଛନ୍ତି ଯାହାଫଳରେ ଗରମ ସମାନ ଭାବେ ପ୍ରସାରିତ ହୋଇପାରିବ । ଫୁଟୁଥିବା ୨୫ କିଲୋଗ୍ରାମ ଚାଉଳକୁ ଗୋଳେଇବା ସହଜ କାମ ନୁହେଁ ଏବଂ ଜୁନାଲୀ ଏହା କରିବା ସମୟରେ ଶ୍ରମଜନିତ ଶବ୍ଦ ତାଙ୍କ ମୁହଁରୁ ବାହାରି ଆସିଥାଏ। ଏହି ଚାଉଳ ରାସନ ଦୋକାନରୁ କିଣା ହୋଇଥିଲା। ‘‘ଆମେ ମଧ୍ୟ ଧାନ ଚାଷ କରୁ, କିନ୍ତୁ ଆମେ ତା’କୁ ନିଜେ ଖାଇବା ପାଇଁ ରଖିଥାଉ,’’ ସେ କୁହନ୍ତି।

ଭାତ ରାନ୍ଧିବା ପାଇଁ ୩୦ ମିନିଟ୍‌ ସମୟ ଲାଗିବ ଏବଂ ଟିକିଏ ଥଣ୍ଡା ହୋଇଗଲେ, ଜୁନାଲୀ ପୋଡ଼ା ଧାନ ନଡ଼ାର ପାଉଁଶକୁ ସେଥିରେ ମିଶାଇଥାନ୍ତି । ଏହି ପ୍ରକ୍ରିୟା ସହଜ ଲାଗିପାରେ କିନ୍ତୁ ଏଥିରେ ଫୁଟୁଥିବା ଭାତ ସହିତ ଗରମ ପାଉଁଶକୁ ଫେଣ୍ଟିବା ଓ ମିଶାଇବା କାର୍ଯ୍ୟ ସାମିଲ ରହିଥାଏ। ଏଥିପାଇଁ ସେ ନିଜର ଖାଲି ହାତ ବ୍ୟବହାର କରିଥାନ୍ତି। ‘‘ଝୁଡ଼ିରେ ଏହା ସହଜରେ ଥଣ୍ଡା ହୋଇଯାଏ। ଗରମ ଥିବା ସମୟରେ ଆମେ ଭାତ ଓ ପାଉଁଶକୁ ମିଶାଇବା ଆବଶ୍ୟକ ନହେଲେ ଏହା ସହଜରେ ମିଶିବ ନାହିଁ,’’ ଜୁନାଲୀ ବିସ୍ତୃତ ଭାବେ କହିଥାନ୍ତି । ଅତି କଷ୍ଟରେ ସେ ଖାଲି ହାତରେ ସେହି ଗରମ ମିଶ୍ରଣକୁ ପ୍ରସ୍ତୁତ କରିବା ଜାରି ରଖିଥାନ୍ତି।

ଫେଣ୍ଟିବା ସମୟରେ, ଜୁନାଲୀ ଅପୋଙ୍ଗ ପ୍ରସ୍ତୁତ କରିବା ଲାଗି ଚେରମୂଳି ମିଶାଇଥାନ୍ତି। ‘‘ଏଥିରେ ଶହେ ପ୍ରକାରର ଚେରମୂଳି ଓ ପତ୍ର ମିଶାହୁଏ,’’ ସେ କୁହନ୍ତି। ତେବେ ଏସବୁ ସମ୍ପର୍କରେ ସୂଚନା ଦେବାକୁ ସେ ଅନିଚ୍ଛା ପ୍ରକାଶ କରିଥାନ୍ତି। ରକ୍ତଚାପ କମାଇବା ଏବଂ ହଜମ ଶକ୍ତି ବଢ଼ାଇବା ପାଇଁ ମିସିଂ ସମୁଦାୟର ଲୋକମାନେ ବ୍ୟବହାର କରୁଥିବା କିଛି ପତ୍ର ସେ ଏଥିରେ ମିଶାଇଥାନ୍ତି। ସେ କେବଳ ଏତିକି କଥା ହିଁ କହିଥାନ୍ତି।

ଦିନ ବେଳା, ଜୁନାଲୀ ଗରାମୁରର ଚାରି ପାଖରେ ବୁଲିଥାନ୍ତି ଏବଂ ନିଜର ଆବଶ୍ୟକତା ଅନୁଯାୟୀ ପତ୍ର ଓ ଚେରମୂଳି ସଂଗ୍ରହ କରିଥାନ୍ତି। ‘‘ମୁଁ ସେଗୁଡ଼ିକୁ ଶୁଖାଇଥାଏ ଓ ଏହାପରେ ମୋ ମିକ୍ସି (ମିକ୍ସର ଗ୍ରାଇଣ୍ଡର)ରେ ପାଉଡର ପ୍ରସ୍ତୁତ କରିଥାଏ। ପରେ ସେଥିରେ ମୁଁ ଛୋଟ (ମୁଠି ଆକୃତି)ର ଗୁଳା ତିଆରି କରିଥାଏ। ମୋର ଅପୋଙ୍ଗ ରେ ମୁଁ ଶୁଖା ହୋଇ ଗୁଣ୍ଡ ହୋଇଥିବା ଚେରମୂଳିରେ ପ୍ରସ୍ତୁତ ୧୫-୧୬ଟି ଗୁଳା ବ୍ୟବହାର କରିଥାଏ। ଶାଶୁ ଘରଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂର ଫୁଟୁକିରେ ଜନ୍ମିତ ଜୁନାଲୀ ସ୍ଥାନୀୟ ଅଞ୍ଚଳ ବିଷୟରେ ଖୁବ୍‌ ଭଲ ଭାବେ ପରିଚିତ।

PHOTO • Priti David
PHOTO • Riya Behl

ଜୁନାଲୀ କଞ୍ଚା ଚାଉଳ (ବାମ)କୁ ଫୁଟୁଥିବା ପାଣି କଡ଼େଇରେ ପକାଉଛନ୍ତି। ଭାତ ରାନ୍ଧିବା ସମୟରେ ଗୋଳାଇବା ପାଇଁ ସେ ଲମ୍ବା କାଠ ଖଣ୍ଡ (ଡାହାଣ) ଉପଯୋଗ କରିଥାନ୍ତି

PHOTO • Riya Behl

ଜୁନାଲୀକୁ ପୋଡ଼ା ଧାନ ନଡ଼ାକୁ ଆଡ଼େଇବା ଆବଶ୍ୟକ ଯାହାଫଳରେ ଗରମ ସମାନ ରୂପରେ ପ୍ରସାରିତ ହୋଇପାରିବ ଏବଂ ଏହା ଯେମିତି ପାଉଁଶରେ ପରିବର୍ତ୍ତନ ହେବ ନାହିଁ

ବାଉଁଶ ଟୋକେଇରେ ମିଶ୍ରଣକୁ ଥଣ୍ଡା ହେବା ପରେ, ଏହାକୁ ଜୁନାଲୀଙ୍କ ଘରେ ପ୍ରାୟ ୨୦ ଦିନ ପର୍ଯ୍ୟନ୍ତ ପ୍ଲାଷ୍ଟିକ ଥଳିରେ ରଖାଯାଏ। ‘‘ଏହା ପ୍ରସ୍ତୁତ ହୋଇଛି କି ନାହିଁ ତାହା ମୁଁ [ପାଚନର] ଗନ୍ଧରୁ ଜାଣପାରିଥାଏ’’, ସେ କୁହନ୍ତି। ମଦ ରାନ୍ଧିବାର ଅନ୍ତିମ ପର୍ଯ୍ୟାୟ ଆସି ପହଞ୍ଚିଛି: ପାଉଁଶ, ରନ୍ଧା ହୋଇଥିବା ଭାତ ଓ ଚେରମୂଳିର ପାଚନ ମିଶ୍ରଣକୁ କୋନ୍‌ ଆକୃତିର ଟୋକେଇରେ ରଖାଯାଏ, ଯାହାକୁ କଦଳୀପତ୍ରରେ ଘୋଡ଼େଇ ଏକ ଜଳପାତ୍ର ଉପରେ ଝୁଲେଇ ରଖି ଦିଆଯାଏ। ଝୁଡ଼ିରେ ପାଣି ଭର୍ତ୍ତି କରାଯାଏ ଯାହାଫଳରେ ମିଶ୍ରଣରୁ ପ୍ରସ୍ତୁତ ବିୟର ତଳେ ରଖାଯାଇଥିବା ପାତ୍ରରେ ବୁନ୍ଦା ବୁନ୍ଦା ହୋଇପଡ଼ିବ । ୨୫ କିଲୋ ଚାଉଳରୁ ପ୍ରାୟ ୩୦-୩୪ ଲିଟର ଅପୋଙ୍ଗ ପ୍ରସ୍ତୁତ ହୋଇଥାଏ।

ଅହମୀୟା ପର୍ବ – ଜାନୁଆରୀରେ ମାଘ ବିହୁ, ଏପ୍ରିଲରେ ବୋହାଗ ବିହୁ ଏବଂ ଅକ୍ଟୋବରରେ କାଟି ବିହୁ – ସମୟରେ ବିୟର ଚାହିଦା ପ୍ରଚୁର ପରିମାଣରେ ବଢ଼ିଯାଏ, ଜୁନାଲୀ ଏହାର ପ୍ରସ୍ତୁତିରେ ବ୍ୟସ୍ତ ହୋଇଯାଆନ୍ତି । ବେଳେବେଳେ ଗୋଟିଏ ଦିନରେ ସେ ଦୁଇଟି ପର୍ଯ୍ୟାୟରେ ମଦ ପ୍ରସ୍ତୁତ କରିଥାନ୍ତି । ମିସିଂ ସମୁଦାୟର ପର୍ବ ଅଲି-ଆୟୋ ଲିଗାଙ୍ଗ ସମୟରେ ମଧ୍ୟ ଏଭଳି ସ୍ଥିତି ଦେଖାଦିଏ।

ଜୁନାଲୀ ମଦ ପ୍ରସ୍ତୁତି ଏବଂ ଅପୋଙ୍ଗ ବିକ୍ରି ବ୍ୟତୀତ ଅନ୍ୟ କାମ ମଧ୍ୟ କରିଥାନ୍ତି। ସେ ନିକଟସ୍ଥ ଏକ ହୋଟେଲ ପାଇଁ ଲଣ୍ଡ୍ରି କାମ କରନ୍ତି, ମିସିଂ ଖାଦ୍ୟ ରାନ୍ଧିବା ସହିତ ପରିବେଷଣ କରନ୍ତି, ୨୦୦ରୁ ଅଧିକ କୁକୁଡ଼ା ରଖି ସେମାନଙ୍କର ଅଣ୍ଡା ବିକ୍ରି କରନ୍ତି ଏବଂ ନିକଟସ୍ଥ ଘରଗୁଡ଼ିକରେ ବାଲ୍‌ଟିରେ ଗରମ ପାଣି ଯୋଗାଇ ଦେଇଥାନ୍ତି । ସେ କୁହନ୍ତି ଯେ, ଅପୋଙ୍ଗ ତିଆରି କରିବା ଏକ ଆରାମଦାୟକ ରୋଜଗାର। ‘‘ଯଦି ମୁଁ ଏଥିରେ ୧,୦୦୦ ଟଙ୍କା ନିବେଶ କରିବି, ତା’ହେଲେ ମୁଁ ୩,୦୦୦ ଟଙ୍କା ପାଇପାରିବି,’’ ସେ କୁହନ୍ତି । ‘‘ତେଣୁ ଏହି କାମକୁ ମୁଁ ପସନ୍ଦ କରିଥାଏ।’’

PHOTO • Riya Behl

ଭାତ ରନ୍ଧା ସରିବା ପରେ ତା’ ଉପରେ ପୋଡ଼ା ଧାନ ନଡ଼ାର ପାଉଁଶ ପଡ଼ିଛି ଏବଂ ଏହାକୁ ଏକ ବଡ଼ ବାଉଁଶ ଝୁଡ଼ିକୁ ଅଜାଡ଼ି ଦିଆଯାଇ ପରବର୍ତ୍ତୀ ପର୍ଯ୍ୟାୟର ପ୍ରସ୍ତୁତି ପାଇଁ ନିଆଯାଉଛି

PHOTO • Priti David

ଜୁନାଲୀ ଏକ ଧାତବ ଥାଳି ସାହାଯ୍ୟରେ କଡ଼େଇରୁ ରନ୍ଧା ହୋଇଥିବା ଭାତକୁ ଏକ ବଡ଼ ବାଉଁଶ ଥାଳି ଉପରକୁ ଥଣ୍ଡା ହେବା ଲାଗି ବାହାର କରି ଦେଇଥାନ୍ତି

PHOTO • Priti David

ଭାତ ଓ ପୋଡ଼ା ଧାନ ନଡ଼ାରେ ଏବେ ଗୁଣ୍ଡ ହୋଇଥିବା ଚେରମୂଳିର ବିଶେଷ ସଂଗ୍ରହକୁ ମିଶାଇବାର ସମୟ ଆସିଛି

PHOTO • Riya Behl

କେବଳ ନିଜର ଖାଲି ହାତକୁ ଉପଯୋଗ କରି ଜୁନାଲୀ ଭାତର କୌଣସି ବିଣ୍ଡାକୁ ଭାଙ୍ଗି ସେଥିରେ ଚେରମୂଳି ମିଶାଇଥାଆନ୍ତି

PHOTO • Riya Behl

ଜୁନାଲୀ ଏକ ଶାନ୍ତ କ୍ଷଣକୁ ଉପଭୋଗ କରୁଛନ୍ତି ଅନ୍ୟଥା ତାଙ୍କର ସକାଳ ସମୟ ବ୍ୟସ୍ତବହୁଳ ଥାଏ

PHOTO • Riya Behl

‘ଏଥିରେ (ଅପୋଙ୍ଗରେ) ଶହେ ପ୍ରକାର ଚେରମୂଳି ଓ ପତ୍ର ମିଶିଥାଏ,’ ଜୁନାଲୀ କୁହନ୍ତି, ସେସବୁ ନାଁ ପ୍ରକାଶ କରିବାକୁ ସେ ରାଜି ନୁହନ୍ତି

PHOTO • Riya Behl

ଏସବୁ ପତ୍ରରେ ରକ୍ତଚାପ କମେଇବା ଏବଂ ହଜମ ଶକ୍ତି ସୁଧାରିବାର ଗୁଣ ରହିଛି ବୋଲି ମିସିଂ ଲୋକମାନେ ଜାଣନ୍ତି

PHOTO • Priti David

‘ମୁଁ ସେଗୁଡ଼ିକୁ ଶୁଖାଇଥାଏ ଓ ଏହାପରେ ମୋ ମିକ୍ସି (ମିକ୍ସର ଗ୍ରାଇଣ୍ଡର)ରେ ପାଉଡର ପ୍ରସ୍ତୁତ କରିଥାଏ। ପରେ ସେଥିରେ ମୁଁ ଛୋଟ (ମୁଠି ଆକୃତି)ର ଗୁଳା ତିଆରି କରିଥାଏ। ମୋର ଅପୋଙ୍ଗରେ ମୁଁ ଶୁଖା ହୋଇ ଗୁଣ୍ଡ ହୋଇଥିବା ଚେରମୂଳିରେ ପ୍ରସ୍ତୁତ ୧୫-୧୬ଟି ଗୁଳା ବ୍ୟବହାର କରିଥାଏ’

PHOTO • Priti David

ଚେରମୂଳି ଓ ପତ୍ରଗୁଡ଼ିକୁ ଶୁଖାଇ ପାଉଡର ପ୍ରସ୍ତୁତ କରାଯାଏ, ଏହା ଅପୋଙ୍ଗର ସ୍ୱାଦ ଓ ଶକ୍ତିକୁ ବଢ଼ାଇ ଦିଏ ବୋଲି କୁହାଯାଏ

PHOTO • Priti David

ପଚିଥିବା ଭାତକୁ ଏକ ହଳଦିଆ ପ୍ଲାଷ୍ଟିକ ଶିଟରେ ଭର୍ତ୍ତି କରାଯାଏ ଏବଂ ୧୫-୨୦ ଦିନ ପର୍ଯ୍ୟନ୍ତ ଅଲଗା ରଖି ଦିଆଯାଏ

PHOTO • Priti David

ତାଙ୍କ ରୋଷେଇ ଘର କୋଣରେ, ଜୁନାଲୀଙ୍କର ଏକ କୋନ ଆକୃତିର ବାଉଁଶ ଝୁଡ଼ି ଗୋଟିଏ ଧାତବ ତ୍ରିପଦୀ ଉପରେ ଥୁଆ ହୋଇଛି । ଅପୋଙ୍ଗ ମଦ ପ୍ରସ୍ତୁତି କରିବା ଲାଗି ଏହି ଉପକରଣ ବ୍ୟବହାର କରାଯାଏ

PHOTO • Priti David
PHOTO • Priti David

ବିୟର ପ୍ରସ୍ତୁତ କରିବାର ଉପକରଣ (ବାମ) ଏବଂ ଏକ ପ୍ୟାନରେ ବିୟର ଏକତ୍ରିତ କରାଯିବାର କ୍ଲୋଜଅପ୍‌

PHOTO • Priti David

ଗରାମୁରରେ ଥିବା ନିଜର ମାଜୁଲି କିଚେନ୍‌ ରେସ୍ତୋରାଁରେ ମିସିଂ ଖାଦ୍ୟ ପରିବେଷଣ କରୁଛନ୍ତି ଭାରତ ଚାଣ୍ଡି

PHOTO • Priti David

ଆସାମର ମାଜୁଲି ଦ୍ୱୀପରେ ଥିବା ଗରାମୁର ସ୍ଥିତ ନିଜ ଘର ବାହାରେ ଛିଡ଼ା ହୋଇଛନ୍ତି ଜୁନାଲୀ


ଅନୁବାଦ : ଓଡ଼ିଶାଲାଇଭ୍‍

Priti David

ପ୍ରୀତି ଡେଭିଡ୍‌ ପରୀର କାର୍ଯ୍ୟନିର୍ବାହୀ ସମ୍ପାଦିକା। ସେ ଜଣେ ସାମ୍ବାଦିକା ଓ ଶିକ୍ଷୟିତ୍ରୀ, ସେ ପରୀର ଶିକ୍ଷା ବିଭାଗର ମୁଖ୍ୟ ଅଛନ୍ତି ଏବଂ ଗ୍ରାମୀଣ ପ୍ରସଙ୍ଗଗୁଡ଼ିକୁ ପାଠ୍ୟକ୍ରମ ଓ ଶ୍ରେଣୀଗୃହକୁ ଆଣିବା ଲାଗି ସ୍କୁଲ ଓ କଲେଜ ସହିତ କାର୍ଯ୍ୟ କରିଥାନ୍ତି ତଥା ଆମ ସମୟର ପ୍ରସଙ୍ଗଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଯୁବପିଢ଼ିଙ୍କ ସହ ମିଶି କାମ କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Priti David
Photographs : Riya Behl

ରିୟା ବେହ୍‌ଲ ପିପୁଲ୍‌ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆ (PARI)ର ବରିଷ୍ଠ ସହକାରୀ ସଂପାଦକ । ଜଣେ ମଲ୍‌ଟିମିଡିଆ ସାମ୍ବାଦିକ ହିସାବରେ ସେ ଲିଙ୍ଗଗତ ଏବଂ ଶିକ୍ଷା ସମ୍ବନ୍ଧୀୟ ବିଷୟରେ ଲେଖାଲେଖି କରନ୍ତି । PARI ପାଇଁ ରିପୋର୍ଟଂ କରୁଥିବା ଛାତ୍ରଛାତ୍ରୀ ଏବଂ PARIର ଲେଖାକୁ ଶ୍ରେଣୀଗୃହରେ ପହଞ୍ଚାଇବା ଲକ୍ଷ୍ୟରେ ଶିକ୍ଷକମାନଙ୍କ ସହିତ ମଧ୍ୟ ରିୟା କାର୍ଯ୍ୟ କରନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Riya Behl
Editor : Vinutha Mallya

ବିନୁତା ମାଲ୍ୟା ଜଣେ ସାମ୍ବାଦିକା ଓ ସମ୍ପାଦିକା। ପୂର୍ବରୁ ସେ ପିପୁଲ୍ସ ଆର୍କାଇଭ୍‌ ଅଫ ରୁରଲ ଇଣ୍ଡିଆର ସମ୍ପାଦକୀୟ ମୁଖ୍ୟ ଥିଲେ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Vinutha Mallya
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE