୩୪ ବର୍ଷ ବୟସରେ ଜୁନାଲୀ ରିସଙ୍ଗ ଅପୋଙ୍ଗ ମଦ ପ୍ରସ୍ତୁତ କରିବାରେ ସିଦ୍ଧହସ୍ତ ହୋଇଯାଇଛନ୍ତି। ‘‘ବେଳେ ବେଳେ ଦିନକୁ ମୁଁ ୩୦ ଲିଟର ଅପୋଙ୍ଗ ତିଆରି କରିପାରେ,’’ ସେ କୁହନ୍ତି । ଅଧିକାଂଶ ମଦ ପ୍ରସ୍ତୁତକାରୀ ପ୍ରତି ସପ୍ତାହରେ ଅଳ୍ପ କିଛି ଲିଟର ଅପୋଙ୍ଗ ପ୍ରସ୍ତୁତ କରିଥାନ୍ତି । ପ୍ରସ୍ତୁତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ହାତରେ କରାଯାଏ।
ଆସାମର ବ୍ରହ୍ମପୁତ୍ର ନଦୀରେ ରହିଛି ମାଜୁଲି ଦ୍ୱୀପ। ଏଠାକାର ଏକ ସହର ଗରାମୁରରେ ଜୁନାଲୀଙ୍କ ଘର। ନିଜର ତିନି ବଖୁରିଆ ଘର ଓ ଏହାର ବାଡ଼ିପଟେ ତାଙ୍କର ମଦ ତିଆରି କାରଖାନା ଚାଲିଥାଏ। ବିଶାଳ ବ୍ରହ୍ମପୁତ୍ର ନଦୀରେ ନିୟମିତ ବନ୍ୟା ଆସିଥାଏ, ନଦୀର ଉଚ୍ଛୁଳା ପାଣିରେ ଜୁନାଲୀଙ୍କ ଘର ପାଖରେ ଏକ ପୁଷ୍କରିଣୀ ସୃଷ୍ଟି ହୋଇଛି ।
ସକାଳ ୬ଟା ବେଳେ ଆମେ ଯେତେବେଳେ ତାଙ୍କ କାମ ଦେଖିବାକୁ ପହଞ୍ଚିଲୁ ପୂର୍ବ ଭାରତର ଏହି ଭାଗରେ ସୂର୍ଯ୍ୟ ସେତେବେଳକୁ ପ୍ରାୟ ମୁଣ୍ଡ ଉପରକୁ ଉଠିସାରିଥିଲେ। ମଦ ତିଆରି ପ୍ରକ୍ରିୟା ପାଇଁ ଜୁନାଲୀ ନିଜର ବାଡ଼ି ପଟେ କାଠ ଜାଳିବାକୁ ଚୁଲି ପ୍ରସ୍ତୁତ କରୁଥାନ୍ତି । ତାଙ୍କର ସବୁ ଉପକରଣ ଓ ସରଞ୍ଜାମ ଘର ଭିତରେ ଥୁଆ ହୋଇଛି ।
ଆସାମର ଏକ ଅନୁସୂଚିତ ଜନଜାତି ସମୁଦାୟ ଭାବେ ପରିଗଣିତ ମିସିଂ ସମ୍ପ୍ରଦାୟର ଲୋକମାନେ ପାଚନ ପ୍ରକ୍ରିୟାରେ ପ୍ରସ୍ତୁତ ହେଉଥିବା ଏକ ପାନୀୟ ଅପୋଙ୍ଗ ମଦ ତିଆରି କରିଥାନ୍ତି। ଏହାକୁ ଭୋଜନ ସହିତ ସେବନ କରାଯାଏ। ମିସିଂ ସମୁଦାୟର ଭରତ ଚାଣ୍ଡି କୁହନ୍ତି, ‘‘ଆମ ମିସିଂ ଲୋକମାନଙ୍କ ପାଇଁ, ଯଦି ଅପୋଙ୍ଗ ନାହିଁ ତା’ହେଲେ କୌଣସି ପୂଜା କିମ୍ବା ପର୍ବପର୍ବାଣୀ ପାଳନ କରିବା ସମ୍ଭବ ନୁହେଁ।’’ ଚଣ୍ଡି ଗରାମୁର ବଜାରରେ ମାଜୁଲି କିଚେନ୍ ନାମକ ଏକ ଘରୋଇ ଶୈଳୀର ଭୋଜନାଳୟ ପରିଚାଳନା କରିଥାନ୍ତି ।
ଚାଉଳ ଓ ଚେରମୂଳିରେ ପ୍ରସ୍ତୁତ ଏହି ହାଲୁକା କ୍ରିମ୍ ରଙ୍ଗର ପାନୀୟକୁ ବିଶେଷ କରି ଜୁନାଲୀଙ୍କ ଭଳି ମିସିଂ ସମୁଦାୟର ମହିଳାମାନେ ପ୍ରସ୍ତୁତ କରିଥାନ୍ତି ଏବଂ ଏହାକୁ ନେଇ ଗରାମୁରରେ ଥିବା ବିଭିନ୍ନ ଦୋକାନ ଓ ହୋଟେଲରେ ବିକ୍ରି କରନ୍ତି । ଜୁନାଲୀ ହସି ହସି କୁହନ୍ତି, ‘‘ପୁରୁଷମାନେ ଏହି କାମକୁ ପସନ୍ଦ କରନ୍ତି ନାହିଁ । ସେମାନଙ୍କ ପାଇଁ ଏହି କାମ ଶାରୀରିକ ଭାବେ କଷ୍ଟକର ହୋଇଥାଏ ଏବଂ ଚେରମୂଳି ଓ ପତ୍ର ସଂଗ୍ରହ କରିବାକୁ ସେମାନେ କ୍ଳାନ୍ତିକର କାମ ବୋଲି ଭାବନ୍ତି ।






















