ଏଇଟି ଉଜ୍ଜ୍ୱଳ ଲାଲ ରଙ୍ଗରେ ରଙ୍ଗେଇ ଦିଆଯାଇଛି ଏବଂ ନାଁ ଲେଖା ହୋଇଛି : କେଏଫସି।
କିନ୍ତୁ ଏଠାରେ ଯିଏ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ତାଙ୍କ ନାଁ ଦିବଙ୍ଗତ କଲୋନେଲ ସାଣ୍ଡର୍ସ ନୁହେଁ ଯିଏକି ମୂଳ କେଏଫସିର ପ୍ରତିଷ୍ଠାତା। ମୂଳ କେଏଫସିରେ ‘କେ’ ଅକ୍ଷରର ଅର୍ଥ ଥିଲା ‘କେଣ୍ଟୁକୀ’। ଅନ୍ୟପଟେ ଏଠାରେ କୁଲାମୋରାର ୩୨ ବର୍ଷ ବୟସ୍କ ବିମନ ଦାସ ଗୋଟିଏ ମହଲା ବିଶିଷ୍ଟ ଏକ ରେସ୍ତୋରାଁ ଚଳାଉଛନ୍ତି।
ଆସାମର ମାଜୁଲି ନଦୀ ଦ୍ୱୀପରେ ଥିବା ଏହି ଛୋଟିଆ ଗାଁର ନାଁ ହେଉଛି ନତୂନ କୁଲାମୋରା ଚାପୋରୀ। କୁଲାମୋରାରେ ମୁଖ୍ୟତଃ ଚାଷୀ ଏବଂ କୃଷି ଶ୍ରମିକମାନେ ବସବାସ କରନ୍ତି। କେବଳ ଏଠାକାର ୪୮୦ ଜଣ ବାସିନ୍ଦା (୨୦୧୧ ଜନଗଣନା ଅନୁଯାୟୀ) ନୁହନ୍ତି, ବରଂ ଏହି ଦ୍ୱୀପକୁ ଆସୁଥିବା ଆଗନ୍ତୁକମାନେ ଶୀଘ୍ର ଭୋଜନ ପାଇଁ କେଏଫସି ସନ୍ଧାନ କରିଥାନ୍ତି। ସବୁ ଯାତ୍ରା ଗାଇଡ୍ମାନେ ଏହାକୁ ଉଚ୍ଚ ମାନ୍ୟତା ଦେଇଛନ୍ତି।
୨୦୨୨ ମେ ମାସର ଗରମ ଅପରାହ୍ଣରେ ରାତ୍ରୀ ଭୋଜନ ପାଇଁ ନିଜର ରେସ୍ତୋରାଁ ଖୋଲିବା ସମୟରେ ବିମନ କହିଥାନ୍ତି, ‘‘ମୁଁ ୨୦୧୭ରେ କେଏଫସି ଆରମ୍ଭ କରିଥିଲି, ଏହାକୁ ଏକ ଠେଲା ଗାଡ଼ିରେ ଚଲାଉଥିଲି। କାନ୍ଥଗୁଡ଼ିକ ଭିତରୁ ଏବଂ ବାହାରୁ ଉଜ୍ଜ୍ୱଳ ଲାଲ ରଙ୍ଗରେ ରଙ୍ଗା ହୋଇଛି। ଟାଣ ଖରାରେ ଛେଳି, କଳା ହଂସ, ଗୋରୁଗାଈମାନେ ବୁଲୁଛନ୍ତି।











