ଦିନେ ସୋମବାରରେ ଉଷ୍ମତା ଭରା ସକାଳ ପ୍ରାୟ ୭ଟା ବେଳେ ବନ୍ଦନା କୋଲି ଏବଂ ଗାୟତ୍ରୀ ପାଟିଲ ବ୍ୟତିବ୍ୟସ୍ତ ହୋଇ ମାଛ ନେଇ ଆସିବାକୁ ଥିବା ଡଙ୍ଗାକୁ ମୁମ୍ବାଇର ସସୁନ ଡକ୍ଠାରେ ଅପେକ୍ଷା କରିଥାନ୍ତି।
ସେମାନେ ସେଦିନ ସକାଳେ କୋଲାବାର କୋଲିୱାଡ଼ା ଇଲାକାସ୍ଥିତ ସେମାନଙ୍କ ଘରଠାରୁ ପାଖାପାଖି ୨ କିଲୋମିଟର ଦୂର ପାଦରେ ଚାଲି ଚାଲି ଡକ୍କୁ ମାଛ ନେବା ଲାଗି ଆସିଥିଲେ। ସପ୍ତାହରେ ପାଞ୍ଚଦିନ ସେମାନଙ୍କୁ ଏହି କାମ ନିୟମିତ କରିବାକୁ ହୋଇଥାଏ-ସତେଜ ମାଛ କିଣିବା ଏବଂ ସେଗୁଡ଼ିକୁ ନିକଟସ୍ଥ ମାର୍କେଟରେ ବିକ୍ରି କରିବା (ସେମାନେ କୁହନ୍ତି ଯେ ମଙ୍ଗଳବାର ଏବଂ ଗୁରୁବାର ଅଧିକାଂଶ ଲୋକ ମାଛ ଖାଆନ୍ତି ନାହିଁ, ସେଥିପାଇଁ ଏ ଦୁଇଟି ବାରରେ ମାଛ ବିକ୍ରି କମ୍ ହୋଇଥାଏ)
୫୩ ବର୍ଷୀୟା ବନ୍ଦନା କୁହନ୍ତି, “ରବିବାର ଦିନ ବେପାର ସବୁଠୁ ଅଧିକ ଲାଭଜନକ ହୋଇଥାଏ, କିନ୍ତୁ ଗତକାଲି ସେତେ ଲାଭ ହୋଇନଥିଲା। ଯେକୌଣସି ପ୍ରକାରରେ ମୋତେ କ୍ଷତି ଭରଣା କରିବାକୁ ପଡ଼ିବ ନହେଲେ ଏ ସପ୍ତାହର ସଉଦାପତ୍ର ଯୋଗାଡ଼ କରିବାରେ ମୁଁ ସମସ୍ୟାର ସମ୍ମୁଖିନ ହୋଇପାରେ। ସେ ଏବଂ ୫୧ ବର୍ଷୀୟା ଗାୟତ୍ରୀ, ଦୁହେଁ କୋଲି ସମୁଦାୟ (ମହାରାଷ୍ଟ୍ରରେ ପଛୁଆ ବର୍ଗ ଭାବେ ତାଲିକାଭୁକ୍ତ)ରୁ ଆସିଥାନ୍ତି ଏବଂ ଗତ ୨୮ ବର୍ଷ ଧରି ସେମାନଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ରହିଛି।
ଜେଟୀରେ ଡଙ୍ଗାଗୁଡ଼ିକ ଆସିବା ଆରମ୍ଭ ହୋଇଯାଇଛି ଏବଂ ସେଠାରେ ଡଙ୍ଗା ମାଲିକ କିମ୍ବା ମତ୍ସ୍ୟଜୀବୀଙ୍କ ପାଇଁ ମାଛ ବିକ୍ରି କରିବା ଲାଗି ନିଲାମ ଡାକୁଥିବା ନିଲାମକାରୀମାନଙ୍କୁ ପାଖାପାଖି ୪୦-୫୦ ଜଣ ମହିଳା ଘେରି ରହିଛନ୍ତି। ବନ୍ଦନା ତାଙ୍କୁ କହୁଛନ୍ତି, “ଚଲ, ଆତା ଦେ ୨୦୦ ମଧେ (ଚାଲ, ୨୦୦ ଟଙ୍କାରେ ଦିଅ)”। କିଛି ଚିଙ୍ଗୁଡ଼ି ବଦଳରେ ସେ ୨୪୦ ଟଙ୍କା ଦେଉଛନ୍ତି। ପ୍ରାୟ ୯ଟା ବେଳକୁ, ଖୁବ ଜୋର୍ରେ ମୂଲଚାଲ କରିବା ପରେ ସେ ଓ ଗାୟତ୍ରୀ, ଲୁଣି ଓ ମଧୁର ଜଳ ଚିଙ୍ଗୁଡ଼ି ଏବଂ ବୋମ୍ବିଲ ମାଛ ଏକତ୍ରିତ କରି ନେଇଛନ୍ତି। ନିର୍ଦ୍ଦିଷ୍ଟ ଦିନର ଦରକୁ ଆଧାର କରି ସେମାନେ ୭ରୁ ୧୦ କିଲୋ ମାଛ ପ୍ରତିଥର କିଣିଥାନ୍ତି।
ଗାୟତ୍ରୀଙ୍କୁ ଇସାରା କରି ବନ୍ଦନା କୁହନ୍ତି : “ଘେଟଲା, ନିଘୁୟା (ନେଇଗଲି, ଚାଲ ଯିବା)”










