ସମୟ ଅପରାହ୍ଣ ୫ଟା ଠୁ ଟିକିଏ ଅଧିକ ହେବ । ଅନେକ ମହିଳା ପଛକୁ ପଛକୁ ଯାଇ ଘର ଆଡକୁ ଯାଉଥିବା ଡଙ୍ଗା ପାଖକୁ ଯିବାକୁ ଆରମ୍ଭ କଲେଣି: କିଛି ଘରେ ଛାଡ଼ି ଆସିଥିବା ସେମାନଙ୍କ ପିଲାମାନଙ୍କୁ ଖୁଆଇବା ପାଇଁ ଓ ସେମାନଙ୍କ ଯତ୍ନ ନେବା ପାଇଁ ଘରକୁ ଯିବାକୁ ତରବର ହେଉଛନ୍ତି ଓ ଅନ୍ୟମାନେ ସେମାନଙ୍କ ସ୍ୱାମୀମାନେ କାଳେ ରାଗି ପ୍ରଚଣ୍ଡ ହୋଇଯିବେ, ସେହି ଭୟରେ ଶୀଘ୍ର ଘରକୁ ଫେରିବାକୁ ଚାହୁଁଛନ୍ତି । ବନ ବିଭାଗର ପ୍ରତିକ୍ରିୟା ବିଷୟରେ ଜାଣିବା ପାଇଁ ଅନିମା ଓ ଅନ୍ୟ କିଛି ଦୃଢମନା ହୋଇ କୁଲ୍ଟାଲିରେ ରହିବାକୁ ଓ ନିଜ ଦଳର ପ୍ରତିନିଧିତ୍ୱ କରିବାକୁ ଚାହିଁଲେ ।
ସେମାନେ ହତାର ଚାରିଆଡେ ଚାଲିଚାଲି, ଏକ ପଙ୍କିଳ ସବୁଜ ପୋଖରୀ ଧାରରେ ଯାଇ ପହଞ୍ଚିଲେ, ଯେଉଁଠାରେ ଜବତ କରାଯାଇଥିବା ସେମାନଙ୍କ ତାଳ ଗଣ୍ଡିର ଡଙ୍ଗା ସବୁ ଥାକ ମାରି ରଖାଯାଇଥିଲା । ଏହା ଦେଖି ମହିଳାମାନେ ଆତଙ୍କିତ ହୋଇଗଲେ; ସେମାନଙ୍କ ଡଙ୍ଗାରୁ କାଠ ଖଣ୍ଡ ଖସି ପାଣିରେ ମିଳେଇବା ଆରମ୍ଭ ହେଲାଣି । “ଆମର ଡଙ୍ଗାଗୁଡିକୁ ଭଙ୍ଗାଯାଇ ଛୋଟ ଛୋଟ ଖଣ୍ଡରେ ପରିଣତ କରାଯାଇଛି ଓ ସେଗୁଡ଼ିକୁ ପାଣିକୁ ଫିଙ୍ଗି ଦିଆଯାଇଛି । ଏହି ନଦୀରେ ନିଶ୍ଚିତ ଭାବେ ଲକ୍ଷ ଲକ୍ଷ ଟଙ୍କା (ଭାସମାନ ହୋଇ)ମହଜୁଦ ଥିବ,” ବୋଲି ଗୀତା ସାହୁ ନାମକ ଜଣେ ମତ୍ସ୍ୟଜୀବୀ ମହିଳା କୋମଳତା ସହିତ କହିଲେ । ତାଙ୍କର ଓ ତାଙ୍କ ସହିତ ଠିଆ ହୋଇ ଏବେ ମଧ୍ୟ ଅପେକ୍ଷା କରୁଥିବା ତାଙ୍କ ସହକର୍ମୀମାନଙ୍କ କୋପ ନିଶ୍ଚିତ ଭାବେ ଯଥାର୍ଥ ଅଟେ, ଏଥିରେ କୌଣସି ସନ୍ଦେହ ନାହିଁ ।
ଏକମାତ୍ର ସାଧନ
ଧିରେ ଧିରେ ଅପେକ୍ଷା କରିରହିଥିବା ପୁରୁଷ/ମହିଳାମାନେ ଏହାର ନିର୍ମାଣ ଖର୍ଚ୍ଚ ବିଷୟରେ ଆଲୋଚନା କରିବାକୁ ଲାଗିଲେ: ତାଳ ଗଣ୍ଡି ଯାହାକୁ ଖୋଳି ଏହା ନିର୍ମାଣ କରାଯାଏ, ତାହାର ମୂଲ୍ୟ, ବଟାଳିରେ ଏହାକୁ କାଟିବା ଖର୍ଚ୍ଚ ଓ ପିଚୁ ଆବରଣର ରକ୍ଷଣାବେକ୍ଷଣ କରିବା ଖର୍ଚ୍ଚ, ସବୁ ମିଶାଇ ପ୍ରାୟ ୫୦୦୦ ଟଙ୍କା ହେବ । ପ୍ରତ୍ୟେକ ଥର ଜବତ ହେବା ପରେ, ପୁଣିଥରେ ଏକ ନୂଆ ଡଙ୍ଗା ତିଆରି କରିବା ପାଇଁ ସେମାନଙ୍କୁ ଏହି ବଡ ଖର୍ଚ୍ଚ ମୁଣ୍ଡାଇବାକୁ ପଡିଥାଏ । “ଏତେ ପରିମାଣର ଟଙ୍କା ଏକାଠି କରିବା ପାଇଁ ସେମାନଙ୍କୁ ଦୁଇ ରୁ ତିନି ମାସ ସମୟ ଲାଗିଥାଏ । ବନ ବିଭାଗ ଦ୍ୱାରା ଅନୁମତି ପ୍ରାପ୍ତ କାଠ ଡଙ୍ଗାର ମୂଲ୍ୟ ଅତ୍ୟଧିକ ହୋଇଥିବାରୁ ଏଥିପାଇଁ ବ୍ୟୟ କରିବାକୁ ଆମର ସାମର୍ଥ୍ୟ ନାହିଁ ,” ବୋଲି ବିନା ବାଗ୍ ନାମକ ଜଣେ ମତ୍ସ୍ୟଜୀବୀ କୁହନ୍ତି ।
ସେମାନେ ଆଉ କିଛି ବାଟ ଚାଲିଚାଲି ଗଲେ ଓ ସେଠାରେ ଜବତ ହୋଇଥିବା କିଛି ପବନଫୁଲା ଡଙ୍ଗା କେତେକ ଗଛ ମଝିରୁ ବାହାରକୁ ବାହାରି ରହିଥିବା ଦେଖିବାକୁ ପାଇଲେ, ଯାହା ଏବେ ମଧ୍ୟ ଟାଣୁଆ ଅବସ୍ଥାରେ ରହିଛି । ଡଙ୍ଗା ଓ ପବନଫୁଲା ଡଙ୍ଗାଗୁଡ଼ିକ ହେଉଛି କଙ୍କଡା ଓ ମାଛ ଧରିବା ପାଇଁ ଜଣେ ମତ୍ସ୍ୟଜୀବୀର ଏକମାତ୍ର ସମ୍ବଳ, ସେମାନଙ୍କ ଜୀବିକା ଅର୍ଜନର ଏକମାତ୍ର ସାଧନ। ବର୍ତ୍ତମାନ ଅନିମା ଅତ୍ୟଧିକ ରାଗିଗଲାଣି : ‘‘କାହିଁକି ଆମର ଡଙ୍ଗାସବୁ ଜବତ କରିବେ ଓ ଆମ ପେଟକୁ ଲାତ ମାରିବେ? ଆମକୁ ଦରମା ମିଳେନି, ତାହା ଆପଣ ଜାଣନ୍ତି । ଏହା କୋଲ୍କାତା ସହର ନୁହେଁ, ଯେଉଁଠାରେ ଲୋକମାନେ ପ୍ରତିମାସରେ ବ୍ୟାଙ୍କରେ କିଛି ଅର୍ଥ ଜମା କରିବା ପାଇଁ ମଧ୍ୟ ଉପାର୍ଜନ କରିଥାନ୍ତି । ରାନ୍ଧିବା ପାଇଁ କେହି ମଧ୍ୟ ମୋତେ ବ୍ୟାଗ୍ ଭର୍ତ୍ତି ପରିବା ଦେବାକୁ ଯାଉନାହାନ୍ତି । ଏଠାରେ ଜୀବନ ସମ୍ପୂର୍ଣ୍ଣ ଭିନ୍ନ ଅଟେ’’।