ସେ ଜଣେ ଶିକାରୀ, ଚାଷୀ, ଝୁଡ଼ି ବୁଣାଳି ଏବଂ ସ୍ଥାନୀୟ ପରିଷଦର ମୁଖିଆ। ମାକା ଲିଙ୍ଗିଙ୍କ ବିଷୟରେ ବଢ଼େଇ ଚଢେ଼ଇ କହିବା ଅନାବଶ୍ୟକ । ଠିକ୍ସେଇଭଳି ଢଙ୍ଗରେ ହିଁ ଅରୁଣାଚଳ ପ୍ରଦେଶର ଇଦୁ ମିଶମି ସଂପ୍ରଦାୟର ଏହି ବୟୋଜ୍ୟେଷ୍ଠ ବ୍ୟକ୍ତି ଜଣକ ତାଙ୍କ ଜୀବନ ବିତାଇ ଆସିଛନ୍ତି ।
ଭାରତର ପୂର୍ବ ସୀମାନ୍ତରେ ସ୍ଥିତ ଅରୁଣାଚଳ ପ୍ରଦେଶର ଅତି ଦୁର୍ଗ ଅଞ୍ଚଳରେ ଜୀବନଧାରଣ କରିବା ଲାଗି ତାଙ୍କୁ ମଧ୍ୟ ତାଙ୍କ ପିଢ଼ିର ଅନ୍ୟ ଅନେକଙ୍କ ଭଳି ବିଭିନ୍ନ କୌଶଳ ଶିଖିବାକୁ ପଡ଼ିଥିଲା।
“ଆମେ ଗାଁରେ କିଛି ହେଲେ କିଣୁ ନଥିଲୁ । ସେଭଳି ବ୍ୟବସ୍ଥା ହିଁ ନଥିଲା । ଆମକୁ ନିଜକୁ ନିଜେ ସବୁକିଛି ଉତ୍ପାଦନ କରିବାକୁ ପଡୁଥିଲା । ଆମେ ଚାଷବାସ କରୁଥିଲୁ, ଶିକାର କରୁଥିଲୁ ଏବଂ ବିଭିନ୍ନ ଜିନିଷ ତିଆରି କରୁଥିଲୁ,” ୬୦ରୁ ଅଧିକ ବର୍ଷ ବୟସର ଲିଙ୍ଗି କହନ୍ତି । ସେକଥା କହୁଥିଲା ବେଳେ ତାଙ୍କ ହାତ ଦୁଇଟି ନୂଆ ଝୁଡ଼ିଟିଏ ବୁଣିବାରେ ଲାଗିଥାଆନ୍ତି ।
ସାରା ଅରୁଣାଚଳ ପ୍ରଦେଶରେ ବିକ୍ଷିପ୍ତ ଭାବେ ରହିଛନ୍ତି ଇଦୁ ମିଶମି ସଂପ୍ରଦାୟର ଲୋକେ । କେତେକ କ୍ଷେତ୍ରରେ ଗୋଟିଏ ପଲ୍ଲୀରେ ମାତ୍ର ଦୁଇଟି କି ତିନିଟି ପରିବାର ଅଛନ୍ତି । ଆନିନି ମଣ୍ଡଳ ନିକଟ ଦିବଙ୍ଗ ଉପତ୍ୟକାରେ ଅବସ୍ଥିତ ଲିଙ୍ଗିଙ୍କ ଗାଁ ଆହୁନ୍ଲିର ଲୋକସଂଖ୍ୟା ମାତ୍ର ୧୧ ।











