ବେଳେବେଳେ ମହୁମାଛିମାନେ ଆସନ୍ନ ବିପଦ ବିଷୟରେ ଜାଣିପାରନ୍ତି ଓ ଧୂଆଁ ଉପରକୁ ନଉଠିବା ପୂର୍ବରୁ ଦଂଶନ କରିଥାନ୍ତି । କିନ୍ତୁ ଅଏଣ୍ଟମେଣ୍ଟ ବା ସୁରକ୍ଷା ପୋଷାକମାନ ନିତାଇ ଓ ତାଙ୍କ ସହକର୍ମୀମାନଙ୍କ କୌଣସି କାମରେ ଆସିନଥାଏ । “ଆମେ କେବଳ ମାଛିର ଶୁଂକକୁ ଆମ ଆଙ୍ଗୁଠି ସହାୟତାରେ ବାହାର କରିଦେଉ । ଥରେ ଜଣେ ଲୋକକୁ ୩୦୦-୪୦୦ ମହୁମାଛି ଏକାସଙ୍ଗେ ଦଂଶନ କରିଥିଲେ। ସେ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଉଠିପାରିଲେ ନାହିଁ ବା ଖାଇପାରିଲେ ନାହିଁ ।’’
ନିତାଇ ଦୁଇଟି ଜିନିଷ ଉପରେ ବିଶ୍ୱାସ ରଖନ୍ତି : ତାଙ୍କର ଡେଉଁରିଆ ଓ ବନ୍ବିବି, ଜଙ୍ଗଲ ଓ ଲୋକଙ୍କ ରକ୍ଷକ, ସୁନ୍ଦରବନର ପରମପୂଜ୍ୟ ଭଗବାନ।
“ପରିସ୍ଥିତିର କଠୋରତାକୁ ଦୃଷ୍ଟିରେ ରଖି, ବିଭିନ୍ନ ଭାବେ ମା’ଙ୍କ ନାମ ଗାନ କରାଯାଏ,” ବୋଲି ସେ କୁହନ୍ତି । ଆମେ ତାଙ୍କୁ ଏକ ଗୀତ ଆବୃତ୍ତି କରିବାକୁ କହିଲୁ ଓ ସେ ଅଣନିଶ୍ୱାସି ହୋଇ ଦ୍ରୁତ ଗତିରେ ବଙ୍ଗାଳି ଭାଷାରେ ଗୋଟିଏ ଆବୃତ୍ତି କଲେ, ଯାହା ମହୁ ସଂଗ୍ରାହକମାନେ ଘର ଛାଡି ଜଙ୍ଗଲକୁ ଯିବା ବେଳେ ଗାଇଥାନ୍ତି ।
ଯେପରି ସବୁବେଳେ ସୁନ୍ଦରବନରେ ରହିବାବେଳେ ହୋଇଥାଏ, ଆଲୋଚନା ମଧ୍ୟ ବାଘମାନଙ୍କ ଉପରେ କେନ୍ଦ୍ରିତ ହୋଇଗଲା । ଓ ପ୍ରତ୍ୟେକଙ୍କ ପାଖରେ ଗୋଟିଏ ବା ଦୁଇଟି କାହାଣୀ ବର୍ଣ୍ଣନା କରିବାକୁ ଥିଲା. “ଥରେ ମୋର ଜଣେ ବନ୍ଧୁଙ୍କ ବାଘ ସହିତ ମୁହାଁମୁହିଁ ହୋଇଥିଲା ଓ ସେ ଡରରେ ବରଫ ପାଲଟି ଯାଇଥିଲେ,’’ ନିତାଇ ମନେପକାନ୍ତି । “ମୁଁ ବୋନ୍ବିବିଙ୍କ କେତେକ ମନ୍ତ୍ର ଗାନ କଲି – କିନ୍ତୁ ସେ ତାକୁ ରକ୍ଷା କଲେ ନାହିଁ ଓ ବାଘ ତାଙ୍କୁ ମାରିଦେଲା । ମୁଁ ତାଙ୍କ ଶରୀର ପାଇଲି ଓ ତାଙ୍କ ଘରକୁ ନେଇଗଲି । ବହୁ ବର୍ଷ ପୂର୍ବେ, ପ୍ରାୟ ୧୫୦-୨୦୦ ଲୋକ ଜଙ୍ଗଲରେ ଗୋଟିଏ ବାଘକୁ ଘେରିଗଲେ । ତଥାପି ଏହା ୧-୨ଜଣ ଲୋକଙ୍କୁ ଟାଣିନେଲା ।
ଏପରି ଏକ ସମୟ ଥିଲା, ସେ କୁହନ୍ତି, ଯେତେବେଳେ ବାଘ ମାରିଲେ ସରକାରଙ୍କ ତରଫରୁ ପୁରସ୍କାର ମିଳୁଥିଲା । “କିନ୍ତୁ ବର୍ତ୍ତମାନ, କେହି ମଧ୍ୟ ସେମାନଙ୍କୁ ସ୍ପର୍ଶ କରିପାରିବେନାହିଁ, ଆଇନ୍ଗୁଡିକ କାରଣରୁ ।’’ ନିତାଇ ପରି ସୁନ୍ଦରବନରେ ବସବାସ କରୁଥିବା ଅନ୍ୟମାନେ ବେଳେବେଳେ ଏହା ଭାବନ୍ତି ଯେ ରାଜ୍ୟ ସରକାର ଲୋକମାନଙ୍କ ତୁଳନାରେ ବାଘଗୁଡିକୁ ଅଧିକ ସୁରକ୍ଷା ପ୍ରଦାନ କରୁଛନ୍ତି। “କାଳେ ବାଘମାନଙ୍କ ନିଦ ଖରାପ ହୋଇଯିବ, ସେଥିପାଇଁ ଆମେ ଜଙ୍ଗଲକୁ ମଧ୍ୟ ଯାଇ ପାରୁନାହୁଁ ’’ ବୋଲି ସେ ଥଟ୍ଟା କରି କୁହନ୍ତି । କିନ୍ତୁ ସେ ଜାଣିଛନ୍ତି ଯେ ବାଘ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଏହା ସ୍ଥାନୀୟ ବନ ସୁରକ୍ଷା କମିଟିର ସଦସ୍ୟ, ଯାହା ହେଉଛି ସରକାରଙ୍କ ବନ ପରିଚାଳନା ନୀତିର ଅଂଶବିଶେଷ । ‘‘ଯଦି ବାଘ ରହିବେନାହିଁ, ତେବେ ସୁନ୍ଦରବନ ମଧ୍ୟ ରହିବ ନାହିଁ । ଲୋକମାନେ ଜଙ୍ଗଲ ଭିତରକୁ ପଶିବେ ଓ ଏହାକୁ ନଷ୍ଟ କରିଦେବେ, ଏଥିରୁ ଏହାକୁ କେହି ମଧ୍ୟ ରକ୍ଷା କରିପାରବେ ନାହିଁ ।’’
ଆମେ ନିତାଇର ଛୋଟ ଓ ସଂକୀର୍ଣ୍ଣ ଘର ଭିତରକ ଗଲୁ, ଯେଉଁଠାରେ ଚଟାଣ ଉପରେ ଆଲୁମିନିୟମ୍ ପାତ୍ର ଓ କ୍ୟାନ୍ରେ ସେ ମହୁ ସାଇତି ରଖିଛନ୍ତି । “ଏହି ସବୁ ମହୁର ରଙ୍ଗ ଓ ସ୍ୱାଦ, ଏହା କେଉଁ ଗଛ ଓ ଫୁଲ – କେୱରା, ଗୋରାନ୍, ଖୋଲ୍ସି –ରୁ ବାହାର କରାଯାଇଛି ଓ କେଉଁ ଋତୁରେ ବାହାର କରାଯାଇଛି, ତାହା ଉପରେ ନିର୍ଭର କରିଥାଏ।’’ କିନ୍ତୁ ବ୍ୟବସାୟ ପାଇଁ ବ୍ୟବହାର ହେଉଥିବା ମହୁ ବର୍ଷ ସାରା ସମାନ ଦେଖାଯାଏ ଓ ଏହାର ସ୍ୱାଦ ମଧ୍ୟ ସମାନ ରହିଥାଏ।