କଡ଼ଲୁର ଜିଲ୍ଲାରେ କିଞ୍ଜମପେଟ୍ଟାଇ ଗ୍ରାମର ଜଣେ ମହିଳା ମାଛ କଟାଳି କଲା କୁହନ୍ତି, ‘‘ମହିଳା ମାଛ କଟାଳୀଙ୍କ ପାଇଁ କୌଣସି ସ୍ଥାନ ନାହିଁ’’।
ସିଙ୍ଗାରତୋପ ସେତୁ ତଳେ ୬୦ ବର୍ଷ ବୟସ୍କା କଲା ବସିଥାନ୍ତି। କଡ଼ଲୁର ପୁରୁଣା ସହରର ବନ୍ଦର ପୋତାଶ୍ରୟ ବାହାରେ ଏହି କଂକ୍ରିଟ ଓ ଧାତବ ସେତୁ ଅବସ୍ଥିତ । ଏଠାରେ ପ୍ରାୟ ୨୦-୩୦ ଜଣ ମାଛ ବିକ୍ରେତା ଓ କଟାଳି ବସିଥାନ୍ତି ଏବଂ ସେମାନେ ସମସ୍ତେ ମହିଳା।
କଡ଼ଲୁର ଜିଲ୍ଲାରେ ୫୭.୫ କିଲୋମିଟର ସମୁଦ୍ର ଉପକୂଳ ରହିଛି ଏବଂ ଏଠାରେ ଥିବା ବନ୍ଦର ପୋତାଶ୍ରୟରେ ଗୋଦାମ, ପଣ୍ୟାଗାର, ଦୋକାନ ଏବଂ ମାଛ ଧରା ଡଙ୍ଗା ଭର୍ତ୍ତି ହୋଇ ରହିଥାଏ।
କଲା (କେବଳ ନିଜର ପ୍ରଥମ ନାମ ବ୍ୟବହାର କରିଥାନ୍ତି) କୁହନ୍ତି, ‘‘ବନ୍ଦରକୁ ଅଧିକରୁ ଅଧିକ ସଂଖ୍ୟାରେ ବ୍ୟବସାୟୀ ଓ ଟ୍ରକ ଆସିବା କାରଣରୁ ଆମ ପାଇଁ ସ୍ଥାନାଭାବ ଦେଖା ଦେଇଥିଲା। ଆମକୁ ସେଠାରୁ ତଡ଼ି ଦିଆଗଲା ଏବଂ ଆମେ ବହୁ କଷ୍ଟରେ ଏହି ସର୍ବସାଧାରଣ ସ୍ଥାନରେ ଆସି ରହିଲୁ। ଏହି ସ୍ଥାନଟି ପୋତାଶ୍ରୟ ବାହାରେ ଅଛି।’’
ମାଛ ବିକ୍ରି କରିବା, କାଟିବା, ଶୁଖାଇବା ଏବଂ ମାଛ ଅବଶେଷ ସାମଗ୍ରୀ ବିକ୍ରି କରିବା ଭଳି କାର୍ଯ୍ୟ କରୁଥିବା କଲାଙ୍କ ଭଳି ମହିଳାମାନଙ୍କୁ ଧୀରେ ଧୀରେ ବାହାର କରି ଦିଆଯାଉଛି । ପଢ଼ନ୍ତୁ: ମାଛ ଅବଶେଷ ବିକ୍ରି କରୁଥିବା ପୁଲିଙ୍କ ଦୁଃଖ
ମତ୍ସ୍ୟଜୀବୀ ମହିଳାମାନଙ୍କୁ ସାଧାରଣତଃ ମାଛ ବିକ୍ରେତା ରୂପରେ ଚିତ୍ରିତ କରାଯାଇଥାଏ, କିନ୍ତୁ ଏଭଳି ମହିଳାଙ୍କ ପାଖରେ ଅର୍ଥାଭାବ ରହିଥାଏ କିମ୍ବା ସେମାନେ ଶାରୀରିକ ରୋଗରେ ପୀଡ଼ିତ ହୋଇଥାନ୍ତି, ସେମାନେ ଅନ୍ୟ ବିକ୍ରେତାଙ୍କ ପାଖରେ ବସି ମାଛ କାଟିଥାନ୍ତି ଏବଂ ସଫା କରିବା କାମ କରିଥାନ୍ତି ।
‘‘ଆମେ ବିକ୍ରେତାଙ୍କ ପାଖରେ ବସି ରହିଥାଉ, କାରଣ ସେମାନଙ୍କଠାରୁ ମାଛ କିଣୁଥିବା ଗ୍ରାହକମାନେ ଆମ ପାଖରେ ସେଗୁଡ଼ିକୁ କଟାଇଥାନ୍ତି ଓ ସଫା କରିଥାନ୍ତି। ମାଛ ବିକ୍ରେତାଙ୍କ ପାଖରେ ନବସିଲେ, ଆମର ବେପାର ହେବ ନାହିଁ,’’ କଲା କୁହନ୍ତି।










