ସେମାନଙ୍କର ୧୨ ଏକର ଜମିକୁ ସେ ଅତି କମ୍ ଦାମରେ ଲିଜ୍ରେ ଦେଇଦେଲେ ଏବଂ ନିଜେ ସିଲେଇ ଶିଖିଲେ । ସେ କହନ୍ତି, “ପିଲାବେଳେ ମୁଁ କିଛିଟା ସିଲେଇ କାମ କରିଥିଲି । ମତେ ଲାଗିଲା, ଏହାକୁ ମୁଁ କାମରେ ଲଗାଇ ପାରିବି ।” ଆଉ ସେ କାମରେ ଲଗାଇଲେ । ତାଙ୍କୁ ମାଲ୍ଲାପ୍ପାଙ୍କ ଋଣ ବି ଶୁଝିବାର ଥିଲା ଏବଂ ପ୍ରାୟତଃ ଗୋତି ଖଟିଲା ଭଳି କାମ କରିବାକୁ ପଡୁଥିଲା । କ୍ଷତିପୂରଣ ବାବଦ କିଛି ଟଙ୍କା ଏବଂ ଗୃହପାଳିତ ପଶୁ ଓ ଅନ୍ୟ ସଂପତ୍ତି ବିକି ମିଳିଥିବା ଟଙ୍କା ଲଗାଇ ତାହା ବି ସେ କଲେ । ଏକା ଏକା ଏସବୁ କରିବା ସମୟରେ ତିନିଟି ଛୋଟ ଝିଅଙ୍କର ସୁରକ୍ଷା ଓ ଭବିଷ୍ୟତକୁ ସେ ଦୃଷ୍ଟିରେ ରଖିଥିଲେ । ବଡ଼ଝିଅ ଦୁହେଁ ସ୍କୁଲରେ ଭଲ ପଢୁଛନ୍ତି । ନିକଟରେ ଏକ ବିଜ୍ଞାନ ପରୀକ୍ଷାରେ ଜଣେ ଝିଅ ୫୦ରୁ ୪୯ ନମ୍ବର ରଖିଛି । ଏବଂ ପାର୍ବତୀଙ୍କ ଲକ୍ଷ୍ୟ, ଯେ ସେମାନେ ‘ଯେତେ ଉପର ପର୍ଯ୍ୟନ୍ତ ଯିବାକୁ ଚାହିଁବେ’ ସେତେ ଯାଏ ସେମାନଙ୍କୁ ପଢ଼ାଇବେ ।
ସିଲେଇ କାମ କାହିଁକି ? ସେ ତାଙ୍କ ଗାଁକୁ ଅନୁଧ୍ୟାନ କରି ଦେଖିଲେ ଏବଂ ଏହା କରିବେ ବୋଲି ସ୍ଥିର କଲେ । “ଆମର ଏଠି ପ୍ରାୟ ୮୦୦ ପରିବାର ଅଛନ୍ତି । ପ୍ରାୟ ସମସ୍ତଙ୍କ ଘରେ ଝିଅଟିଏ ଅଛି । ଯଦିଚ ଏକଥା ସତ ଯେ ମିଳୁଥିବା ସିଲେଇ କାମରୁ ମୋତେ ଖୁବ୍ କମ ପଇସା ମିଳେ, ଏକଥା ବି ସତ ଯେ ଏଠାରେ ସିଲେଇ ଶିଖାଇବାର ସୁଯୋଗ ରହିଛି । ମୋଟ ପରିବାରର ୧୦ ପ୍ରତିଶତ ଯଦି ସେମାନଙ୍କ ଝିଅ ସିଲେଇ ଶିଖୁ ବୋଲି ଚାହାଁନ୍ତି, ମୋର ଏତେ ଛାତ୍ରୀ ହେବେ ଯେ ସମ୍ଭାଳି ପାରିବିନି ।” ଏବଂ ତେଣୁ, ସ୍ୱଳ୍ପ ସହାୟତା ବଳରେ, ସେ ଆଉ ଦୁଇଟି ସିଲେଇ ମେସିନ୍ ଯୋଗାଡ଼ କରିଛନ୍ତି ଏବଂ ତାଙ୍କ ‘ସ୍କୁଲ୍’ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇ ଅଛନ୍ତି । ସେ କହନ୍ତି, “ଏ ଝିଅମାନେ ସ୍କୁଲରେ ଥିବା ବେଳେ ହିଁ ମୁଁ ବେଶୀ କାମ କରିପାରିବି । ଯେମିତି ସେମାନେ ଘରକୁ ଫେରନ୍ତି କୋଳାହଳ ଆରମ୍ଭ ହୋଇଯାଏ ।”
“ତାଙ୍କ ସାହସ ଅତି ଆଶ୍ଚର୍ଯ୍ୟଜନକ,” ଏହା କହନ୍ତି, ଅନନ୍ତପୁରର ଗ୍ରାମ୍ୟ ଉନ୍ନୟନ ଟ୍ରଷ୍ଟ୍ ପରିଚାଳିତ ପରିବେଶ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମାଲ୍ଲା ରେଡ୍ଡି । ତାଙ୍କର ଏହି ସଂସ୍ଥା ବାଳିକାମାନଙ୍କୁ ଶିକ୍ଷା କ୍ଷେତ୍ରରେ ସହାୟତା ପ୍ରଦାନ କରେ । “ତିନିଟି ଛୋଟ ଛୋଟ ଝିଅଙ୍କ ସହ ଏକାକୀ ରହିବା ଏବଂ ଏତେ ସମସ୍ୟାର ମୁକାବିଲା କରିବା ସହଜ ନୁହେଁ । କିନ୍ତୁ ସେ ଏହା କରିପାରିଛନ୍ତି । ତାଙ୍କ କାମ ବିଷୟରେ ତାଙ୍କର ସ୍ପଷ୍ଟ ଧାରଣା ରହିଛି । ଏବଂ ପିଲାମାନଙ୍କ ଭିତରେ ହିଁ ସେ ନିଜ ଭବିଷ୍ୟତ ଦେଖନ୍ତି । ସେମାନେ ହିଁ ତାଙ୍କର ପ୍ରେରଣା ।”
ଏହି ଜିଲ୍ଲାରେ ଅଛନ୍ତି ଶହ ଶହ ପାର୍ବତୀ ଏବଂ କ୍ରିଷ୍ଣାମ୍ମା । ଯେଉଁମାନଙ୍କ ଆଗରେ ବାଧାବିଘ୍ନ ପାହାଡ଼ ଭଳି ଉଭା ହୋଇଛି । ଅନେକ ମହିଳା ଋଣ ଶୁଝିବା ପାଇଁ ଜମି ଓ ଗୃହପାଳିତ ପଶୁ ବିକି ଦେଇଛନ୍ତି । ତଥାପି, ଏ ପର୍ଯ୍ୟନ୍ତ ଋଣଭାର ତଳୁ ମୁକୁଳି ନାହାନ୍ତି। ଅନେକଙ୍କ ପିଲା ଅଧାରୁ ସ୍କୁଲ ଛାଡ଼ିଛନ୍ତି । ଅନେକ ହାଡ଼ଭଙ୍ଗା ପରିଶ୍ରମ କରୁଛନ୍ତି । ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ ପାଇଥିଲେ ସେମାନଙ୍କୁ ଯାହା ମିଳିଥାଆନ୍ତା, ତା ତୁଳନାରେ କମ୍ ମଜୁରି ମିଳୁଛି । କୃଷି କ୍ଷେତ୍ରରେ ସଂକଟ ପ୍ରପୀଡ଼ିତ ଅନ୍ୟାନ୍ୟ ଅଞ୍ଚଳର ପରିବାର ଭଳି ଏହି ଆତ୍ମହତ୍ୟା ପ୍ରପୀଡ଼ିତ ପରିବାର ସମୂହ ମଧ୍ୟ କ୍ଷୁଧା ଓ କଠିନ ପରିସ୍ଥିତିକୁ ଅଙ୍ଗେ ନିଭାଉଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଦ୍ୱିତୀୟ ଥର ପାଇଁ ବି ଆତ୍ମହତ୍ୟା ଦେଖିଛନ୍ତି । ଯେଉଁ ଅଭାବ କାରଣରୁ ପରିବାରର ଜଣେ ଆତ୍ମହତ୍ୟା କରିଥିଲେ ସେଇ କାରଣରୁ ଆଉ ଜଣେ ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ଭଳି ସାରା ଦେଶର ୧୦୦,୦୦୦ରୁ ଅଧିକ ମହିଳା ବଞ୍ଚି ରହିବା ପାଇଁ ସଂଘର୍ଷ କରୁଛନ୍ତି । ଯାହା ଫଳରେ ହୁଏତ ପରବର୍ତ୍ତୀ ପିଢ଼ିର ଅବସ୍ଥା ସୁଧୁରିବ ବୋଲି ଆଶା ରଖିଛନ୍ତି । ପାର୍ବତୀ ମାଲ୍ଲାପ୍ପାଙ୍କ ଭାଷାରେ: “ଏସବୁ କେବଳ ପିଲାମାନଙ୍କ ପାଇଁ ଆଜ୍ଞା । ଆମ ବେଳ ତ ଗଲାଣି ।”
ଏହି ଲେଖାର ଏକ ସଂସ୍କରଣ ୨୬ ଜୁନ୍, ୨୦୦୭ର ଦି ହିନ୍ଦୁରେ ପ୍ରଥମେ ପ୍ରକାଶିତ ହୋଇଥିଲା
ଅନୁବାଦ: ଓଡ଼ିଶାଲାଇଭ୍