ଦଙ୍ଗଲ ଚଳଚ୍ଚିତ୍ର ବକ୍ସ ଅଫିସରେ ରେକର୍ଡ କରିବା ସହିତ କେବଳ ହରିୟାଣାରେ ନୁହେଁ, ବରଂ କୁସ୍ତି ପ୍ରତି ଆଗ୍ରହୀ ଥିବା ଅନ୍ୟ ଅଞ୍ଚଳର ଝିଅମାନଙ୍କୁ ମଧ୍ୟ ଅନୁପ୍ରାଣିତ କରିଛି । ଏହା ଉତ୍ସାହ ଏବଂ ଊର୍ଜାର ଏକ ନୂତନ ତରଙ୍ଗ ଆଣିଛି। ଦୁଇ ଜଣ ଉତ୍ସାହୀ ପ୍ରତିଯୋଗୀ ଶିବାଙ୍ଗୀ (୧୯) ଏବଂ ଅଞ୍ଜଳି (୨୦)ଙ୍କ ସହିତ କଥା ହୋଇ ଫୈଜାବାଦରେ ଆମେ ଏହାକୁ ଖୁବ ନିକଟରୁ ଅନୁଭବ କରିଥିଲୁ।
ଉତ୍ତର ପ୍ରଦେଶର ଫୈଜାବାଦସ୍ଥିତ ଗୋସାଇଗଞ୍ଜରେ ପ୍ରତିବର୍ଷ ଜାନୁଆରୀ ଏବଂ ଫେବୃଆରୀ ମାସ ମଧ୍ୟରେ ସାଧାରଣତଃ ବାର୍ଷିକ କୁସ୍ତି ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ଏହାର ନାମକରଣ ମଧ୍ୟ ଯଥୋଚିତ ଭାବେ ‘ମହାଦଙ୍ଗଲ’ (ବିଶାଳ କୁସ୍ତି ପ୍ରତିଯୋଗିତା) କରାଯାଇଥିଲା। ତେବେ ସାମାନ୍ୟ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଚାରିବର୍ଷ ତଳେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଝିଅମାନଙ୍କୁ ଭାଗ ନେବାର ସୁଯୋଗ ମିଳିଥିଲା। ଗୋରଖପୁରର ଶିବାଙ୍ଗୀ ଏବଂ ଲକ୍ଷ୍ନୌର ଅଞ୍ଜଳୀ ଏଥିରେ ଅଂଶଗ୍ରହଣ କରିଥିଲେ।
ଆମେ ପ୍ରଥମ ଥର ପାଇଁ ସେମାନଙ୍କୁ ଶୂନ୍ୟରେ କଳାକୌଶଳ ପ୍ରଦର୍ଶନ କରୁଥିବା ଦେଖିଲୁ। ସେମାନେ ପ୍ରାୟତଃ ଅସମ୍ଭବ ଲାଗୁଥିବା କୌଶଳ ଦେଖାଉଥିଲେ। କାହାର ଜିତିବାର ଅଧିକ ସୁଯୋଗ ରହିଛି ଏବଂ କିଏ ତାଙ୍କ ଖେଳରେ ସୁଧାର ଆଣିପାରିବେ ସେ ବିଷୟରେ ଆମେ ସେମାନଙ୍କ ସହ କଥା ହୋଇଥିଲୁ।
ଜାତୀୟସ୍ତରର ଖେଳାଳୀ ଶିବାଙ୍ଗୀଙ୍କଠାରେ ଆତ୍ମବିଶ୍ୱାସ ଖୁବ୍ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଥାଏ। ସେ ଆମକୁ କହିଥିଲେ ଯେ, ଜଣେ ପେସାଦାର କୁସ୍ତିଯୋଦ୍ଧା ଭାବେ ସେ ୭୦ରୁ ଅଧିକ ପଦକ ହାସଲ କରିଛନ୍ତି। ସ୍ମିତହାସ୍ୟ ସହିତ ସେ କହିଥିଲେ, ‘‘ମୁଁ କେବେହେଲେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପରାଜିତ ହୋଇନାହିଁ। ମୁଁ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ପ୍ରତିଯୋଗିତାରେ ଜିତିଛି।’’ ଗୋରଖପୁରରେ କୁସ୍ତି ଅଭ୍ୟାସ ପାଇଁ ଏକ ଭଲ କୁସ୍ତି ଆଖଡ଼ା ନାହିଁ, ତଥାପି ଶିବାଙ୍ଗୀ ଅନେକ ବର୍ଷ ଏଠାରେ ଅଭ୍ୟାସ କରିଛନ୍ତି। ଏ ସମ୍ପର୍କରେ ସେ ଆମକୁ କୁହନ୍ତି, ‘‘ତେବେ ସବୁବେଳେ ମ୍ୟାଟ୍ରେ ଅଭ୍ୟାସ କରିବାର ସୁଯୋଗ ମିଳିଛି।’’ ପ୍ରଥମେ ତାଙ୍କୁ ରାଜ୍ୟସ୍ତରୀୟ ମୁକାବିଲା ପାଇଁ ଚୟନ କରାଯାଇଥିଲା ଏବଂ ବର୍ତ୍ତମାନ ସେ ଅଧିକ ଔପଚାରିକ ପ୍ରଶିକ୍ଷଣ ନେଉଛନ୍ତି। ପ୍ରାରମ୍ଭିକ ଅବସ୍ଥାରେ, ତାଙ୍କୁ ପରିବାର ଲୋକଙ୍କ ସମର୍ଥନ ମିଳୁନଥିଲା, କିନ୍ତୁ ଧୀରେ ଧୀରେ ସେମାନେ ରାଜି ହେଲେ-ଏମିତି ଭାବେ ସେ ୭୦ଟି ପଦକ ଜିତିବାରେ ସକ୍ଷମ ହେଲେ। ଶିବାଙ୍ଗୀ ଏବେ ଛୋଟ ଛୋଟ ଝିଅମାନଙ୍କୁ କୁସ୍ତି ଏବଂ ଆଥଲେଟିକ୍ସ ପ୍ରଶିକ୍ଷଣ ଦେଉଛନ୍ତି, ଏହାକୁ ମଧ୍ୟ ସେ ଖୁବ୍ ଭଲ ପାଆନ୍ତି।


