ସେନ୍ତିଲ କୁମାରୀ (୪୦) ମାଛ ବିକ୍ରି କରିବା ଲାଗି ପ୍ରତିଦିନ ଅତିକମ୍‌ରେ ୧୩୦ କିଲୋମିଟର ଯାତ୍ରା କରିଥାନ୍ତି । ସେ କୋଭିଡ-୧୯ ଲକଡାଉନ୍‌ ପରେ ମାଛ ବିକ୍ରି କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ବିଷୟରେ କହିଛନ୍ତି । ସେ କୁହନ୍ତି, ‘‘ମୁଁ ବେଶ୍‌ ଚିନ୍ତାରେ ପଡ଼ିଯାଇଛି, କିନ୍ତୁ ଅଟକି ଯାଇନାହିଁ । ଅଳ୍ପ ରୋଜଗାରରେ ନିଜ ପରିବାର ଚଳାଇବା ପାଇଁ ମୋତେ ସବୁଦିନ ଲମ୍ବା ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି । ମୋ ଉପରେ ଋଣ ବୋଝ ବଢ଼ି ବଢ଼ି ଚାଲିଛି । ମୋ ଝିଅର ଅନଲାଇନ ପାଠପଢ଼ା ପାଇଁ ସ୍ମାର୍ଟଫୋନ୍‌ଟିଏ କିଣିଦେବା ଲାଗି ମଧ୍ୟ ମୋ ପାଖରେ ଯଥେଷ୍ଟ ଟଙ୍କା ନାହିଁ । ମୋ ଉପରେ ଖୁବ୍‌ ବେଶୀ ଦାୟିତ୍ୱର ବୋଝ ରହିଛି ।’’

ତାମିଲନାଡ଼ୁର ମୟିଲାଦୁତୁରାଇ ଜିଲ୍ଲାର ମତ୍ସ୍ୟଜୀବୀମାନଙ୍କ ଗ୍ରାମ ବନଗିରିରେ ସେନ୍ତିଲ କୁମାରୀ ରୁହନ୍ତି । ଏ ଗାଁରେ ବିଭିନ୍ନ ବୟସବର୍ଗର ପ୍ରାୟ ୪୦୦ ମହିଳା ମାଛ ବିକ୍ରି କାମ କରିଥାନ୍ତି । ଏମାନେ ସମସ୍ତେ ୧୧୦୦ ମତ୍ସ୍ୟଜୀବୀ ମହିଳାମାନଙ୍କୁ ନେଇ ଏକ ସମବାୟ ସମିତିର ସଦସ୍ୟ । ଏଠାରେ ସମସ୍ତେ ଭିନ୍ନ ଭିନ୍ନ ଢଙ୍ଗରେ ମାଛ ବିକ୍ରି କରିଥାନ୍ତି: କିଛି ମହିଳା ମୁଣ୍ଡରେ ମାଛ ଟୋକେଇ ମୁଣ୍ଡେଇ ଗାଁର ଗଳିକନ୍ଦିରେ ବୁଲିଥାନ୍ତି । ଆଉ କିଛି ଅଟୋ, ଭ୍ୟାନ କିମ୍ବା ବସ୍‌ରେ ନିଜଟବର୍ତ୍ତୀ ଗାଁଗୁଡ଼ିକୁ ଯାଇ ମାଛ ବିକ୍ରି କରନ୍ତି । ଅନ୍ୟ ମହିଳାମାନେ ବସ୍‌ରେ ନିକଟସ୍ଥ ଜିଲ୍ଲାମାନଙ୍କୁ ଯାଇ ସେଠାକାର ବଜାରରେ ମାଛ ବିକ୍ରି କରିଥାନ୍ତି ।

ସେନ୍ତିଲ କୁମାରୀଙ୍କ ଭଳି, ଅଧିକାଂଶ ମହିଳାଙ୍କ ରୋଜଗାରରେ ହିଁ ଘର ଚଳିଥାଏ। ତେବେ, ବର୍ତ୍ତମାନ ସମୟରେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି। ମହାମାରୀର ପ୍ରଭାବ ଏସବୁ ମହିଳାମାନଙ୍କ ଉପରେ ପଡ଼ିଛି । ପରିବାରର ମୌଳିକ ଆବଶ୍ୟକତା ପୂରଣ କରିବା ଲାଗି, ସେମାନଙ୍କୁ ସାହୁକାର ଏବଂ ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡ଼ିକଠାରୁ ଋଣ କରିବାକୁ ପଡ଼ିଛି । ଏମିତି ଭାବେ ସେମାନେ ଋଣ ଯନ୍ତାରେ ଫସି ଯାଇଛନ୍ତି । ସେମାନେ ଭବିଷ୍ୟତରେ କେବେ ନିଜ କରଜ ସୁଝି ପାରିବେ କି ନାହିଁ ତା’କୁ ନେଇ ସନ୍ଦେହ ରହିଛି । ଗୋଟିଏ ଋଣ ସୁଝିବା ଲାଗି ସେମାନେ ଆଉ ଗୋଟିଏ ଋଣ କରିବାକୁ ବାଧ୍ୟ ହୋଇଥାନ୍ତି, ଏମିତି ଶେଷରେ ସେମାନଙ୍କୁ ମୋଟା ଅଙ୍କର ସୁଧ ଗଣିବାକୁ ପଡ଼ିଥାଏ। ଆଉ ଜଣେ ମହିଳା ମାଛ ବିକାଳି ଅମୃତା (୪୩) କୁହନ୍ତି, ‘‘ମୁଁ ଠିକ୍‌ ସମୟରେ କରଜ ସୁଝି ପାରୁନାହିଁ, ସେଥିପାଇଁ ସୁଧ ପରିମାଣ ବଢ଼ି ବଢ଼ି ଚାଲିଛି ।’’

ରାଜ୍ୟ ସରକାରଙ୍କ କୌଣସି ନୀତିରେ ମହିଳା ମାଛ ବିକ୍ରେତାମାନଙ୍କ ପୁଞ୍ଜି ଏବଂ ଅନ୍ୟାନ୍ୟ  ଆର୍ଥିକ ଆବଶ୍ୟକତା ପୂରଣ କରାଯିବା ପ୍ରତି ଧ୍ୟାନ ଦିଆଯାଇନାହିଁ । ଅନ୍ୟପକ୍ଷରେ ପୁରୁଷମାନଙ୍କ ମଧ୍ୟରେ ବେକାରୀ ସମସ୍ୟା ବଢ଼ୁଥିବା କାରଣରୁ, ଅଣ-ମତ୍ସ୍ୟଜୀବୀ ସମୁଦାୟର ମହିଳାମାନେ ମଧ୍ୟ ମାଛ ବିକ୍ରି କରିବା ଆରମ୍ଭ କରିଛନ୍ତି । ଏହାଫଳରେ ମାଛ ଓ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଛି ଏବଂ ରୋଜଗାର କମିଯାଇଛି । ପୂର୍ବରୁ ଦୈନିକ ୨୦୦ରୁ ୩୦୦ ଟଙ୍କା ରୋଜଗାର ହେଉଥିବା ବେଳେ ଏବେ ୧୦୦ ଟଙ୍କା କିମ୍ବା ବେଳେବେଳେ ତା’ଠାରୁ ମଧ୍ୟ କମ୍‌ ଆୟ ହେଉଛି ।

ଜୀବନ ସଂଘର୍ଷପୂର୍ଣ୍ଣ, ତଥାପି ସେମାନେ ଦିନ ପରେ ଦିନ ପରିଶ୍ରମ କରି ଚାଲିଛନ୍ତି । ବଡ଼ି ଭୋରରୁ ଉଠି ମାଛ ଧରା ବନ୍ଦରକୁ ଯିବା, ମାଛ କିଣିବା, ଗାଳିମନ୍ଦ ଶୁଣିବା, ତଥାପି ନିଜର ସାମର୍ଥ୍ୟ ଅନୁଯାୟୀ ମାଛ ବିକ୍ରି କରିବା ସେମାନେ ଛାଡ଼ି ନାହାନ୍ତି ।

ଭିଡିଓ ଦେଖନ୍ତୁ : ବନଗିରିରେ : ‘ମୁଁ ମାଛ ବିକ୍ରି କରିବାକୁ ଯାଇପାରିବି ନାହିଁ’

ଅନୁବାଦ: ଓଡ଼ିଶାଲାଇଭ୍‍

Nitya Rao

ନିତ୍ୟା ରାଓ ଇଂଲଣ୍ଡର ନରୱିଚ୍ ସ୍ଥିତ ୟୁନିଭର୍ସିଟି ଅଫ୍ ଇଷ୍ଟ ଆଙ୍ଗ୍ଲିଆରେ ଲିଙ୍ଗ ଓ ବିକାଶ ବିଭାଗର ପ୍ରାଧ୍ୟାପିକା ଅଛନ୍ତି। ମହିଳା ଅଧିକାର, ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ଜଣେ ଗବେଷିକା, ଶିକ୍ଷୟିତ୍ରୀ ଓ କର୍ମୀ ଭାବେ ସେ ତିନି ଦଶନ୍ଧି ଧରି ବ୍ୟାପକ ଭାବେ କାମ କରିଆସିଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Nitya Rao
Alessandra Silver

ଇଟାଲି ଜନ୍ମିତ ଆଲେଜାଣ୍ଡ୍ରା ସିଲ୍‌ଭର୍‌ ପୁଡୁଚେରୀର ଅରୋଭିଲ୍ଲେରେ ଅବସ୍ଥାପିତ ଜଣେ ଚଳଚ୍ଚିତ୍ର ନିର୍ମାତା, ଆଫ୍ରିକା ଉପରେ ନିଜର ଚଳଚ୍ଚିତ୍ର ପ୍ରଯୋଜନା ଓ ଫଟୋ ରିପୋର୍ଟ ପାଇଁ ତାଙ୍କୁ ଏକାଧିକ ପୁରସ୍କାର ମିଳିଛି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Alessandra Silver
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE