ଦଶରଥ ସିଂହ ଚଳିତ ବର୍ଷ ଆରମ୍ଭରୁ ଗୋଟିଏ ରାସନକାର୍ଡ ପାଇବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଉମରିଆ ଜିଲ୍ଲାର ସ୍ଥାନୀୟ ଅଧିକାରୀମାନେ ତାଙ୍କୁ କହି ଆସୁଛନ୍ତି ଯେ ତାଙ୍କର ଆବେଦନ ଏପର୍ଯ୍ୟନ୍ତ ପଡ଼ି ରହିଛି ।
ସେ ଅଭିଯୋଗ କରନ୍ତି, ‘‘ସେମାନଙ୍କର ପରାମର୍ଶ ହେଉଛି ଯଦି ମୁଁ ଟ, ୧,୫୦୦ ଦେବି ତା’ହେଲେ ମୋ ଫର୍ମ ଗ୍ରହଣ କରାଯିବ । କିନ୍ତୁ ମୁଁ ଦେଇନାହିଁ…’’
ଦଶରଥ ମଧ୍ୟପ୍ରଦେଶର ଉମରିଆ ଜିଲ୍ଲାର ବନ୍ଧୋଗଡ଼ ତହସିଲର କାଟାରିୟା ଗ୍ରାମରେ ବାସ କରନ୍ତି । ସେ ତାଙ୍କ ଜମିରେ କାମ କରନ୍ତି ଏବଂ ପ୍ରତିମାସ କେଇଦିନ ପାଇଁ ନିକଟସ୍ଥ ଏମ୍ଜିଏନ୍ଆର୍ଇଜିଏ ସ୍ଥଳରେ ଟ. ୧୦୦ ଦୈନିକ ମଜୁରୀରେ କାମ କରନ୍ତି । ସେ ଅଧିକାଂଶ ସମୟରେ ସ୍ଥାନୀୟ ଘରୋଇ ସାହୁକାରମାନଙ୍କଠାରୁ ଛୋଟ ଋଣ ଉପରେ ନିର୍ଭର କରନ୍ତି- ଥରେ ଲକ୍ଡାଉନ୍ ସମରେ ସେ ଟ. ୧୫୦୦ ଧାର୍ କରିଥିଲେ ।
ଦାରିଦ୍ର୍ୟରେଖା ତଳେ ଥିବା ପରିବାର ପାଇଁ ସାଧାରଣ ସମୟରେ ଏହା ଗୁରୁତ୍ୱପୂର୍ଣ୍ଣ, ଯାହାକି ଲକ୍ଡାଉନ୍ ସମୟରେ ଆହୁରି ଅଧିକ ଉପଯୋଗୀ ହୋଇଥାଆନ୍ତା । ରାସନ କାର୍ଡ ବିନା- ଦଶରଥଙ୍କ ପରିବାର ବଜାରରୁ ଖାଦ୍ୟ ଶସ୍ୟ କିଣିବାକୁ ବାଧ୍ୟ ହେଉଛନ୍ତି। ଦଶରଥଙ୍କ ପତ୍ନୀ, ୨୫ବର୍ଷ ବୟସ୍କା ସରିତା ସିଂହ କୁହନ୍ତି, ‘‘ଚାଷ ଆମକୁ କିଛି ପରିମାଣରେ ବଞ୍ଚିବାରେ ସାହାଯ୍ୟ କରୁଛି । ତାଙ୍କ ପରିବାରର ୨.୫ ଏକରରୁ କମ୍ ଜମି ଅଛି । ଯେଉଁଥିରେ ସେମାନେ ମୁଖ୍ୟତଃ ଗହମ ଓ ମକା ସହିତ କୋଡୋ ଏବଂ କୁଟକି ବାଜରା ଚାଷ କରନ୍ତି ।
ଏ ମଧ୍ୟରେ ୪୦ବର୍ଷ ବୟସ୍କ ଦଶରଥ ଗୋଟିଏ ରାସନ କାର୍ଡ଼ ପାଇବା ପାଇଁ ତାଙ୍କ ଭାଗ୍ୟ ପରୀକ୍ଷା କରିବା ଜାରି ରଖିଛନ୍ତି । ‘‘ସେ କୁହନ୍ତି, ‘‘ଚଳିତବର୍ଷ ଜାନୁଆରୀ ୨୬ ତାରିଖ [କାଟାରିଆରେ] ଗ୍ରାମସଭାରେ ମୋତେ କୁହାଗଲା ଯେ ଏହି କାର୍ଡ ପାଇଁ ଗୋଟିଏ ଫର୍ମ ଅଛି ଏବଂ ମୋତେ ଏହା ଭରିବାକୁ ହେବ ।’’
ସରପଞ୍ଚ କହିଲେ, ସେ ସେମାନଙ୍କ ଗାଁଠାରୁ ପ୍ରାୟ ୭୦ କିଲୋମିଟର ଦୂର ମାନପୁର ସହରରେ ଥିବା ଲୋକ ସେବା କେନ୍ଦ୍ରକୁ ଯିବା ଉଚିତ୍ । ବସ୍ରେ ସେଠାକୁ ଥରେ ଯିବା ପାଇଁ ଟ. ୩୦ ଦରକାର ହୋଇଥାଏ । ଦଶରଥ ସେଠାକୁ ଫେବୃଆରୀ ଏବଂ ମାର୍ଚ୍ଚରେ ଦୁଇଥର ଯାଇସାରିଲେଣି – ସମୁଦାୟ ଚାରୋଟି ବସ୍ଯାତ୍ରା ଏବଂ ଟିକେଟ । ମାର୍ଚ୍ଚ ୨୩ରେ (ମଧ୍ୟପ୍ରଦେଶରେ) ଲକ୍ଡାଉନ୍ ଆରମ୍ଭ ହେବା ପୂର୍ବରୁ ସେ ମଧ୍ୟ ବନ୍ଧଗଡ଼ ସହରରେ ଥିବା ତହସିଲସ୍ତରୀୟ କାର୍ଯ୍ୟାଳୟକୁ ଯାଇଥିଲେ, ଯାହାକି ତାଙ୍କ ଗାଁଠାରୁ ପ୍ରାୟ ୩୦ କିଲୋମିଟର ଦୂର । ସେଠାରେ ତାଙ୍କୁ ଏକ ଭିନ୍ନ ଆଇଡି ଆଣିବାକୁ କୁହାଗଲା ଏବଂ ଏହି କାରଣରୁ ଫର୍ମ ପ୍ରକ୍ରିୟା ହୋଇପାରିଲା ନାହିଁ ।
ସେହି ଭିନ୍ନ ଆଇଡି ପାଇଁ, ମାନପୁର କେନ୍ଦ୍ରରେ ଥିବା ଅଧିକାରୀମାନେ ଦଶରଥଙ୍କୁ କାର୍କେଲିରେ ଥିବା ବ୍ଲକ୍ସ୍ତରୀୟ ଅଫିସ୍କୁ ଯିବାକୁ କହିଲେ, ଯାହାକି ୪୦ କିଲୋମିଟର ଦୂର । ‘‘ସେମାନେ କହିଲେ ଯେ, ତାଙ୍କ ନାମରେ ଆଉ ଏକ ଭିନ୍ନ ଆଇଡି କାର୍ଡ ଆବଶ୍ୟକ । ମୋ କାର୍ଡ ମୋ ଭାଇମାନଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହିତ ଯୁଗ୍ମ ଭାବରେ ଥିଲା । ତେଣୁ ମୁଁ କାର୍କେଲିକୁ ଗଲି ଏବଂ ଏକ ଭିନ୍ନ ଆଇଡି ଆଣିଲି ।’’ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଦଶରଥ ଏହା କହିଥିଲେ ।






