ଏହା ପୁରୁଣା ଏବଂ ଏହା ନୂଆ। ଏହା ପୁରାତନ ଏବଂ ଏହା ସମସାମୟିକ। ଏହାର ବିଶେଷ ଐତିହାସିକ ଗୁରୁତ୍ୱ ରହିଛି। ତଥାପି ଏକ ବଡ଼ ଆଧୁନିକ ପ୍ରାସଙ୍ଗିକତା ମଧ୍ୟ ଅଛି। ମଦୁରାଇର କ୍ଷୁଦ୍ରାକୃତି ରୂପ ହେଉଛି ପୁଧୁ ମଣ୍ଡପମ୍। ଏକ ୩୮୪ ବର୍ଷ ପୁରୁଣା ଐତିହାସିକ ଅଟ୍ଟାଳିକା ଯେଉଁଥିରେ ଏକ ସପିଂ କମ୍ପ୍ଲେକ୍ସ ରହିଛି, ଏହା ସେହିପରି ପୁରାତନ ସହରର ମାଧୂର୍ଯ୍ୟକୁ ସାଉଁଟି ରଖିଛି ଏମିତି ଭାବରେ ଯାହା ଏହାର ଅନ୍ୟ କୌଣସି ଅଂଶରେ ବି ନାହିଁ। ଖୁବ୍ ଉଜ୍ଜଳ ଏବଂ ଚମକଦାର କପଡ଼ାରେ ପୋଷାକ ପ୍ରସ୍ତୁତକାରୀମାନଙ୍କଠାରୁ ଆରମ୍ଭ କରି ଦୋକାନମାନଙ୍କରେ ପାରମ୍ପରିକ ବାସନକୁସନ ଏବଂ ରୋଷେଇ ଉପକରଣ ବିକ୍ରି ହୁଏ। ଏ ସ୍ଥାନର ରଙ୍ଗ ଅନେକ।
ଏହା ସେହି ସ୍ଥାନ ଯେଉଁଠାରେ ତାମଲନାଡ଼ରୁ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ମନ୍ଦିର ଉତ୍ସବଗୁଡ଼ିକରେ ଶ୍ରଦ୍ଧାଳୁମାନେ ପିନ୍ଧୁଥିବା ପୋଷାକ ତିଆରି ହୁଏ। ଏବଂ ଏହା ସେହି ସ୍ଥାନ ଯେଉଁଠାରେ ସହରର ୧୫୦ ପୋଷାକ ପ୍ରସ୍ତୁତକାରୀଙ୍କ ମଧ୍ୟରୁ ଏକ ତୃତୀୟାଂଶରୁ ଅଧିକ ମୁସଲମାନ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ସାଧାରଣତଃ ମଦୁରାଇ ଆଖପାଖର ଗ୍ରାମୀଣ ଅଞ୍ଚଳର ହିନ୍ଦୁମାନେ ଖୁବ୍ ଧାର୍ମିକ ବିଶ୍ୱାସର ସହ ପରିଧାନ କରନ୍ତି।
ଆପଣଙ୍କ ସେମାନଙ୍କୁ ପଚାରନ୍ତୁ ମୁସଲମାନ ହୋଇ କେମିତି ଏକ ହିନ୍ଦୁ ଉତ୍ସବ ପାଇଁ ପୋଷାକ ସିଲେଇ କରୁଛନ୍ତି, ଏବଂ ସେମାନେ ଏହାକୁ ଖାରଜ କରିଦେବେ। ଅମୀର ଜନ କୁହନ୍ତୁ, ‘‘ମ୍ୟାଡାମ୍ ! ଏହା ଉତ୍ତର ଭାରତ ନୁହେଁ। ଆମେ ଏକାଠି ପିଢ଼ି ପରେ ପିଢ଼ି ରହିଛୁ ଏବଂ ପରସ୍ପରକୁ ସମ୍ପର୍କୀୟ ଭାବରେ ସମ୍ବୋଧନ କରୁ। ଏଠି କିଛି ଭୁଲ୍ ହେବ କେମିତି?
ପୁଧୁ ମଣ୍ଡପମ୍ର ଅନ୍ୟ ଜଣେ ପୋଷାକ ପ୍ରସ୍ତୁତକାରୀ ୪୨ ବର୍ଷ ବୟସ୍କ ମୁବାରକ ଅଲ୍ଲୀ ପଚାରିଲେ, ‘‘ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି। ଆମେ ପିଢ଼ି ପରେ ପିଢ଼ି ଏହା ହିଁ କରୁଛୁ।










