୭୨ ବର୍ଷିଆ ଆଦିଲକ୍ଷ୍ମୀଙ୍କ ଘରର ଗଳିରାସ୍ତା ଉଠାଣିଆ। ଗତ ବର୍ଷ ଗୋଡରେ ଅସ୍ତ୍ରୋପଚାର ପରେ ଏହି ରାସ୍ତା ଚଢ଼ିବାକୁ ତାଙ୍କୁ କଷ୍ଟ ହେଉଛି। ଦକ୍ଷିଣ ବେଙ୍ଗାଲୁରୁର ସୁଦ୍ଦାଗୁଣ୍ଟେ ପାଲ୍ୟ ଅଞ୍ଚଳର ଭବାନୀ ନଗରର ଏକ ବସ୍ତିରେ ସେ ରୁହନ୍ତି। ବଖରାଏ ଘରେ ପରିବାରର ଅନ୍ୟ ଛଅଜଣଙ୍କ ସହ ସେ ରୁହନ୍ତି।
ଆଦିଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ ୮୩ ବର୍ଷ ବୟସ୍କ କହ୍ନେୟାରାମ କାମ ସନ୍ଧାନରେ ପ୍ରାୟ ୩୦ ବର୍ଷତଳେ ତାମିଲନାଡୁର ମଦୁରାଇ ଜିଲ୍ଲାର ଏକ ଗାଁରୁ ବେଙ୍ଗାଲୁରୁ ଆସିଥିଲେ। ଏଠାରେ କହ୍ନେୟାରାମ୍ ବଢ଼େଇ ଭାବରେ କାମ କଲେ। ଆଦିଲକ୍ଷ୍ମୀ ନିଜର ଦୁଇ ପୁଅ ଓ ଦୁଇ ଝିଅଙ୍କୁ ପାଳି ପୋଷି ବଡ କଲେ।
ସେ କୁହନ୍ତି- ମୁଁ ବୁଢ଼ି ହୋଇଗଲି , ଏହାର ଅର୍ଥ କ’ଣ ମୁଁ ଖାଇବା ଦରକାର ନାହିଁ। ଗତ ୬ ମାସ ହେବ ଯେବେଠାରୁ ତାଙ୍କର ଓ ତାଙ୍କ ସ୍ୱାମୀ, ଦୁହିଁଙ୍କର ରାସନ୍ ବନ୍ଦ ହୋଇଛି , ସେବେଠାରୁ ସେ ବାରମ୍ବାର ଏହି ପ୍ରଶ୍ନ ପଚାରୁଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସେମାନଙ୍କୁ ଜଣଙ୍କ ପିଛା ମାସିକ ମାଗଣା ଚାଉଳ ମିଳୁଥିଲା। ଚାଉଳ ବ୍ୟତୀତ ରିହାତି ଦରରେ ୧୫୦ ଟଙ୍କା ଦେଇ ସେ ଯେଉଁ ଲୁଣ ,ଚିନି , ତେଲ,ସାବୁନ ଇତ୍ୟାଦି ପାଉଥିଲେ ତାହା ମଧ୍ୟ ବନ୍ଦ ହୋଇଯାଇଛି।
ଏ ବୟସ୍କ ଦମ୍ପତିଙ୍କର ମାସିକ ରାସନ୍ ମିଳୁନି କାହିଁକି? ଖାଉଟି ସାମଗ୍ରୀ ଯୋଗାଣ ଦୋକାନରେ ଉଭୟଙ୍କର ଆଙ୍ଗୁଠିଛାପ ବା ଫିଙ୍ଗରପ୍ରିଣ୍ଟ ମେଳ ନହେବାରୁ ଏ ସମସ୍ୟା। ଏହି ଦୋକାନ ସେମାନଙ୍କ ଘର ଠାରୁ ପ୍ରାୟ ଦୁଇ କିମି ଦୂରରେ ଅଛି। ବେଙ୍ଗାଲୁରୁର ରାସନ୍ ଦୋକାନମାନଙ୍କରେ ଫିଙ୍ଗରପ୍ରିଣ୍ଟ ମେଳକ କରିବା ପାଇଁ ଛୋଟ ଛୋଟ ମେସିନ୍ ଯୋଗାଇ ଦିଆଯାଇଛି। ବେଙ୍ଗାଲୁରୁ ସହରରେ ଏଭଳି ୧,୮୦୦ଟି ଦୋକାନ ଅଛି।







