୭୨ ବର୍ଷିଆ ଆଦିଲକ୍ଷ୍ମୀଙ୍କ ଘରର ଗଳିରାସ୍ତା ଉଠାଣିଆ। ଗତ ବର୍ଷ ଗୋଡରେ ଅସ୍ତ୍ରୋପଚାର ପରେ ଏହି ରାସ୍ତା ଚଢ଼ିବାକୁ ତାଙ୍କୁ କଷ୍ଟ ହେଉଛି। ଦକ୍ଷିଣ ବେଙ୍ଗାଲୁରୁର ସୁଦ୍ଦାଗୁଣ୍ଟେ ପାଲ୍ୟ ଅଞ୍ଚଳର ଭବାନୀ ନଗରର ଏକ ବସ୍ତିରେ ସେ ରୁହନ୍ତି। ବଖରାଏ ଘରେ ପରିବାରର ଅନ୍ୟ ଛଅଜଣଙ୍କ ସହ ସେ ରୁହନ୍ତି।
ଆଦିଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ ୮୩ ବର୍ଷ ବୟସ୍କ କହ୍ନେୟାରାମ କାମ ସନ୍ଧାନରେ ପ୍ରାୟ ୩୦ ବର୍ଷତଳେ ତାମିଲନାଡୁର ମଦୁରାଇ ଜିଲ୍ଲାର ଏକ ଗାଁରୁ ବେଙ୍ଗାଲୁରୁ ଆସିଥିଲେ। ଏଠାରେ କହ୍ନେୟାରାମ୍ ବଢ଼େଇ ଭାବରେ କାମ କଲେ। ଆଦିଲକ୍ଷ୍ମୀ ନିଜର ଦୁଇ ପୁଅ ଓ ଦୁଇ ଝିଅଙ୍କୁ ପାଳି ପୋଷି ବଡ କଲେ।
ସେ କୁହନ୍ତି- ମୁଁ ବୁଢ଼ି ହୋଇଗଲି , ଏହାର ଅର୍ଥ କ’ଣ ମୁଁ ଖାଇବା ଦରକାର ନାହିଁ। ଗତ ୬ ମାସ ହେବ ଯେବେଠାରୁ ତାଙ୍କର ଓ ତାଙ୍କ ସ୍ୱାମୀ, ଦୁହିଁଙ୍କର ରାସନ୍ ବନ୍ଦ ହୋଇଛି , ସେବେଠାରୁ ସେ ବାରମ୍ବାର ଏହି ପ୍ରଶ୍ନ ପଚାରୁଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସେମାନଙ୍କୁ ଜଣଙ୍କ ପିଛା ମାସିକ ମାଗଣା ଚାଉଳ ମିଳୁଥିଲା। ଚାଉଳ ବ୍ୟତୀତ ରିହାତି ଦରରେ ୧୫୦ ଟଙ୍କା ଦେଇ ସେ ଯେଉଁ ଲୁଣ ,ଚିନି , ତେଲ,ସାବୁନ ଇତ୍ୟାଦି ପାଉଥିଲେ ତାହା ମଧ୍ୟ ବନ୍ଦ ହୋଇଯାଇଛି।
ଏ ବୟସ୍କ ଦମ୍ପତିଙ୍କର ମାସିକ ରାସନ୍ ମିଳୁନି କାହିଁକି? ଖାଉଟି ସାମଗ୍ରୀ ଯୋଗାଣ ଦୋକାନରେ ଉଭୟଙ୍କର ଆଙ୍ଗୁଠିଛାପ ବା ଫିଙ୍ଗରପ୍ରିଣ୍ଟ ମେଳ ନହେବାରୁ ଏ ସମସ୍ୟା। ଏହି ଦୋକାନ ସେମାନଙ୍କ ଘର ଠାରୁ ପ୍ରାୟ ଦୁଇ କିମି ଦୂରରେ ଅଛି। ବେଙ୍ଗାଲୁରୁର ରାସନ୍ ଦୋକାନମାନଙ୍କରେ ଫିଙ୍ଗରପ୍ରିଣ୍ଟ ମେଳକ କରିବା ପାଇଁ ଛୋଟ ଛୋଟ ମେସିନ୍ ଯୋଗାଇ ଦିଆଯାଇଛି। ବେଙ୍ଗାଲୁରୁ ସହରରେ ଏଭଳି ୧,୮୦୦ଟି ଦୋକାନ ଅଛି।
ଏହି ସହର ଓ ସାରା ଭାରତରେ ରାସନ୍ କାର୍ଡ ସହ ଆଧାର ତଥ୍ୟ ସଂଯୁକ୍ତ ହୋଇଛି। ଯେତେଥର ଲୋକମାନେ ସେମାନଙ୍କର ମାସିକ ରାସନ୍ ଆଣିବାକୁ ଯିବେ ସେତେଥର ସେତେଥର ସେମାନଙ୍କୁ ପରିଚୟ ପ୍ରମାଣ ଭାବରେ ଫିଙ୍ଗରପ୍ରିଣ୍ଟ ମିଳାଇବାକୁ ହେବ। କର୍ଣ୍ଣାଟକରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କ ପାଇଁ ଆଧାର ଓ ରାସନ୍ କାର୍ଡ ସଂଯୋଗ ବାଧ୍ୟତାମୂଳକ ହୋଇଛି ନା ନାହିଁ ତା’ ନେଇ ସଠିକ୍ ତଥ୍ୟ ମିଳି ନଥିଲେ ମଧ୍ୟ ଜୁନ୍ ୨୦୧୭ ଶେଷ ସୁଦ୍ଧା ଏହା କରିବାକୁ କୁହାଯାଇଛି। ଏହା ରାଜ୍ୟର ପ୍ରାୟ ୮ନିୟୁତ ( ଆକଳନରେ ଫରକ ରହିଛି ) ବିପିଲ୍ କାର୍ଡଧାରକଙ୍କୁ ପ୍ରଭାବିତ କରିଛି। କର୍ଣ୍ଣାଟକର ଖାଦ୍ୟ ଓ ଖାଉଟି ଯୋଗାଣ ମନ୍ତ୍ରୀ ୟୁ.ଟି. ଖାଦେର୍ ଆଧାର ସହ ସଂଯୁକ୍ତ ହୋଇନଥିବା ରାସନକାର୍ଡ ମୂଲ୍ୟହୀନ ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିବା ଶୁଣାଯାଉଛି।
ତେବେ ଯେତେବେଳେ ୨୦୦୯ ମସିହାରେ ଆଧାର ପରିଚୟ ବ୍ୟବସ୍ଥା ଆରମ୍ଭ ହେଲା ସେତେବେଳେ ଏହା ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଏକ ଇଚ୍ଛାଧୀନ ବ୍ୟବସ୍ଥା ଭାବରେ ପରିଗଣିତ ହେଉଥିଲା। ସମୟକ୍ରମେ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଯଥା ଏଲପିଜି ସଂଯୋଗ , ମେଧାବୃତ୍ତି ଇତ୍ୟାଦି ପାଇବା ପାଇଁ ଅଧାର ସଂଯୋଗ ବାଧ୍ୟତାମୂଳକ କରାଗଲା। ଆଧାର ପରିଚୟ ସଂଖ୍ୟା ବହୁ ସେବା ସହ ସଂଯୋଗ କରାଗଲା। ଏପରିକି ଘରୋଇ ଅପରେଟର୍ ଯୋଗାଉଥିବା ବ୍ୟାଙ୍କ ଆକାଉଣ୍ଟ , ମୋବାଇଲ୍ ଫୋନ୍ ସଂଯୋଗକୁ ମଧ୍ୟ ଅଧାର ସହ ସଂଯୁକ୍ତ କରାଗଲା। କିନ୍ତୁ ଏ ବ୍ୟବସ୍ଥାରେ ଥିବା ଅନେକ ତ୍ରୁଟି , ଠକେଇର ଅଧିକ ଆଶଙ୍କା ଏବଂ ଭାରତୀୟ ନାଗରିକଙ୍କ ଉପରେ ସରକାରଙ୍କ ଗୁଇନ୍ଦା ନଜର ଆଦି ବିଭିନ୍ନ ପ୍ରସଙ୍ଗ ନେଇ କ୍ରମଶଃ ସମାଲୋଚନା ବୃଦ୍ଧିପାଇଥିଲା। ନିକଟରେ ଭାରତର ସୁପ୍ରିମକୋର୍ଟ ଅଧାରର ସମ୍ବିଧାନିକ ବୈଧତା ନେଇ ଦାଖଲ ହୋଇଥିବା ଅସଂଖ୍ୟ ପିଟିସନର ଶୁଣାଣି କରୁଛନ୍ତି।
ଏ ମଧ୍ୟରେ ୨୦୧୬ ଆଦ୍ୟଭାଗରୁ ନିଜ ନିଜର ଆଧାର କାର୍ଡ ପାଇ ମଧ୍ୟ କହ୍ନେୟା ରାମ୍ ଓ ଆଦିଲକ୍ଷ୍ମୀ ହତାଶ ହୋଇଛନ୍ତି। ଆମକୁ କୁହାଯାଉଛି , ପୁଣିଥରେ ଆଧାର ପ୍ରସ୍ତୁତି କେନ୍ଦ୍ରରେ ଫିଙ୍ଗରପ୍ରିଣ୍ଟ ଦିଅ। ଆମେ ବୟସ୍କ ହୋଇଯାଇଥିବାରୁ ଆମର ଫିଙ୍ଗରପ୍ରିଣ୍ଟ ଦୋକାନର ମେସିନ୍ ସହ ମେଳ ଖାଉନି ବୋଲି କହିଛନ୍ତି କହ୍ନେୟା ରାମ୍ ।
କିନ୍ତୁ ଏଠି ଆଉ ଏକ ସମସ୍ୟା ଅଛି। "ତୁମକୁ ଆଧାର ପଞ୍ଜିକରଣ ପାଇଁ ଆଙ୍ଗୁଠି ଛାପ ଦେବାକୁ ହେବ। ବିଭିନ୍ନ ସୁବିଧା ପାଇବା ପାଇଁ ଏହି ଆଙ୍ଗୁଠିଛାପ ହିଁ ତୁମ ପରିଚୟର ପ୍ରମାଣ। ଟେକ୍ନୋଲୋଜି କିନ୍ତୁ ବୁଝିପାରେନି ହାତରେ କଠିନ ପରିଶ୍ରମ କରୁଥିବା ଶ୍ରମିକମାନଙ୍କର ଫିଙ୍ଗରପ୍ରିଣ୍ଟରେ ତୃଟି ରହୁଛି କିମ୍ବା ବୟସାଧିକ୍ୟ ଯୋଗୁଁ ଫିଙ୍ଗରପ୍ରିଣ୍ଟ ବଦଳିଯାଉଛି ।" ଏକଥା ବୁଝାଇ କୁହନ୍ତି ବୈଶ୍ୱିକ ମାନବାଧିକାର ସଂଗଠନ ଆର୍ଟିକିଲ୍ ୧୯ର ଜଣେ ନ୍ୟାୟିକ ଗବେଷକ ବିଦୁଷୀ ମର୍ଦ୍ଦା। ଏହା ପୂର୍ବରୁ ସେ ବେଙ୍ଗାଲୁରୁସ୍ଥ ଦି ସେଣ୍ଟର ଫର୍ ଇଣ୍ଟରନେଟ୍ ଆଣ୍ଡ ସୋସାଇଟି ପାଇଁ କାମ କରୁଥିଲେ। ଯେଉଁ ବର୍ଗର ଲୋକମାନଙ୍କ ପାଇଁ ଆଧାର ନିରାପତ୍ତା ଦେଉଛି ବୋଲି କୁହାଯାଉଛି, ସେମାନଙ୍କ ପାଇଁ ଆଧାର ଏକ ସମସ୍ୟା ବହୁଳ ଟେକ୍ନୋଲୋଜି ବ୍ୟବହାର କରୁଛି ବୋଲି ସେ କହିଛନ୍ତି।"
ଆଦିଲକ୍ଷ୍ମୀ ଓ କହ୍ନେୟା ରାମ ସେମାନଙ୍କ ବଡ଼ ପୁଅ ପାଖରେ ରୁହନ୍ତି। ସେ ଜଣେ ନିର୍ମାଣ ଶ୍ରମିକ। ତାଙ୍କର ପତ୍ନୀ ଓ ତିନି ସନ୍ତାନ ଅଛନ୍ତି। ସେମାନଙ୍କ ସାନପୁଅ ବଢ଼େଇ ଭାବରେ କାମ କରନ୍ତି ଓ ଅଲଗା ରୁହନ୍ତି।
“ପୁଅ ଉପରେ ନିର୍ଭର କରିବା ଆମ ସମ୍ମାନ ନଷ୍ଟ କରୁଛି। ତା’ର ତିନୋଟି ସନ୍ତାନ। ସେ ସେମାନଙ୍କୁ ଖାଇବାକୁ ଦେବ, ପାଠ ପଢ଼ାଇବ। ଆମ ପାଇଁ ସେମାନେ କାହିଁକି ତାଙ୍କ ଖାଦ୍ୟ ସାମଗ୍ରୀ ଭାଗ କରିବେ?” ଏହା ପ୍ରଶ୍ନ କରନ୍ତି ଅସହାୟ ଆଦିଲକ୍ଷ୍ମୀ ।
ସେମାନଙ୍କର ମାସିକ ୫୦୦ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ସ୍ୱାସ୍ଥ୍ୟ ଜନିତ ଖର୍ଚ୍ଚରେ ଚାଲିଯାଏ। ନିକଟରେ ଆଦିଲକ୍ଷ୍ମୀଙ୍କର ଆକ୍ଷିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇଛି। ଗତ ବର୍ଷ ଦୁର୍ଘଟଣାରେ ଗୋଡ଼ ଭାଙ୍ଗି ଯାଇଥିଲା। କହ୍ନେୟା ରାମଙ୍କର ହୃଦ୍ ସମସ୍ୟା ଅଛି। ଆଣ୍ଠୁ ଯନ୍ତ୍ରଣା ସହ ସବୁବେଳେ ମୁଣ୍ଡ ବି ବୁଲାଏ।
ଗୋଟିଏ ରାସନ୍ ଦୋକାନର ତତ୍ତ୍ୱାବଧାରକ ନିଜ ନାମ ଗୋପନ ରଖିବାକୁ ଅନୁରୋଧ କରି ଲେଖକଙ୍କୁ କହିଥିଲେ – ବୃଦ୍ଧାବସ୍ଥାରେ କେବଳ ରାସନ୍ କାର୍ଡ ହିଁ ଯଥେଷ୍ଟ ହେବା ଉଚିତ୍। ତେବେ ପରିବାରର ଜଣେ ସଦସ୍ୟ ତାଙ୍କ ଫିଙ୍ଗରପ୍ରିଣ୍ଟକୁ ଚିହ୍ନଟ କରିବା ଦରକାର। କିନ୍ତୁ କ’ଣ ହେବ ଯଦି ଉଭୟ ପତି-ପତ୍ନୀଙ୍କର ବାୟୋମେଟ୍ରିକ୍ ମେଳ ନ ଖାଇବ ?
ତତ୍ତ୍ୱାବଧାରକ ଜଣକ କହିଲେ “ଯଦି ବି ମୁଁ ସେମାନଙ୍କୁ ବହୁ ଆଗରୁ ଜାଣିଥିବି ତଥାପି ସେମାନଙ୍କର ବାୟୋମେଟ୍ରିକ୍ ଟେଷ୍ଟ ବିଫଳ ହେଲେ ମୁଁ ସେମାନଙ୍କ ରାସନ୍ ଦେଇ ପାରିବିନି। ସେମାନଙ୍କୁ ପୁଣି ଥରେ ନାମ ପଞ୍ଜିକରଣ କରାଇ ଫିଙ୍ଗରପ୍ରିଣ୍ଟ ମେଳ କରାଇବାକୁ ହେବ। ସେମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଯଥା ଖାଦ୍ୟ ଓ ଖାଉଟି ଯୋଗାଣ ବିଭାଗ, ବେଙ୍ଗାଲୁରୁ ଉନ୍ନୟନ ନିଗମ କିମ୍ବା ଅନ୍ୟ ପଞ୍ଜିକରଣ କେନ୍ଦ୍ରରେ ପୁନଃ ପଞ୍ଜିକରଣ କରାଇବାକୁ ହେବ," ସେ କହିଥିଲେ। ତେବେ ଯଦି ପୁଣି ଫିଙ୍ଗରପ୍ରିଣ୍ଟ ମେଳ ନଖାଇଲା ତା’ହେଲେ କ’ଣ କରାଯିବ ଏ ନେଇ ସ୍ପଷ୍ଟ ତଥା ସଠିକ୍ ସୂଚନା କାହା ପାଖରେ ନାହିଁ। ସେହି ସମାନ ଆଙ୍ଗୁଠି ହୋଇଥିବା ହେତୁ ଫିଙ୍ଗରପ୍ରିଣ୍ଟ ମେଳ ନ ଖାଇବାର ଆଶଙ୍କା ଏପରି କ୍ଷେତ୍ରରେ ଅଧିକ।
ନିଜ ଘରକ ୧୦ ଫୁଟ ଚାଲିବାକୁ ଆଦିଲକ୍ଷ୍ମୀଙ୍କୁ କଷ୍ଟ ହେଉଛି। ପ୍ରଶାସନ କେମିତି ଚିନ୍ତା କରୁଛି ସେ ନିଜ ପରିଚୟକୁ ପ୍ରମାଣିତ କରିବା ପାଇଁ ସହର ସାରା ବିଭିନ୍ନ ସ୍ଥାନକୁ ଦୌଡିବେ?
“ସାରା ଦେଶରେ ଆଧାର କାର୍ଡ ଥିବା ନିୟୁତ ନିୟୁତ ଭାରତୀୟ- ବରିଷ୍ଠ ନାଗରିକ ,ଛୋଟ ପିଲା, ଭିନ୍ନକ୍ଷମ ଏବଂ ଯେଉଁମାନେ ଶାରୀରିକ ଶ୍ରମ କରୁଥିବା ଶ୍ରମିକ ସେମାନଙ୍କ ବାୟୋମେଟ୍ରିକକୁ ମେସିନ୍ ଚିହ୍ନି ନ ପାରିବାର କଠୋର ବାସ୍ତବତା ସହ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। ବୈଷୟିକ ବିଶେଷଜ୍ଞତା ଥିବା ଏହି ବ୍ୟବସ୍ଥା ପାଖରେ ତୃଟି ସୁଧାରିବା ପାଇଁ କୌଣସି ଉପାୟ ନାହିଁ। ତେଣୁ ସେମାନଙ୍କୁ ନିଜର ପରିଚୟ ପ୍ରମାଣିତ କରିବା ପାଇଁ ବିଭିନ୍ନ କାର୍ଯ୍ୟାଳୟକୁ ଦୌଡ଼ିବାକୁ ହେବ”, ଏକଥା କହିଛନ୍ତି ଖାଦ୍ୟ ଅଧିକାର କର୍ମୀ ତଥା ବେଙ୍ଗାଲୁରୁସ୍ଥ ନ୍ୟାସନାଲ୍ ଆଇନ୍ କଲେଜର ପ୍ରଫେସର୍ କ୍ଷିତିଜ ଉର୍ସ।
ଆଦିଳକ୍ଷ୍ମୀଙ୍କ ଘର ଠାରୁ ମାତ୍ର ୨୦୦ ମିଟର ଦୂରରେ ରହୁଥିବା ବିଜୟଲକ୍ଷ୍ମୀ ମଧ୍ୟ ବର୍ଷେରୁ ଅଧିକ ସମୟ ହେବ ଖାଉଟି ସାମଗ୍ରୀ ପାଉ ନାହାନ୍ତି। ସେ ଆଗରୁ ନିର୍ମାଣ ଶ୍ରମିକ ଭାବରେ କାମ କରୁଥିଲେ ଏବଂ ଏବେ ପରିବା ବିକ୍ରି କରୁଛନ୍ତି। ବାୟୋମେଟ୍ରିକ୍ ତ୍ରୁଟିର ଆଉ ଏକ ଉଦାହରଣ ସେ। ସେ କୁହନ୍ତି, "ମୁଁ ଏ ସମସ୍ୟା ସୁଧାରିବା ପାଇଁ ଦୁଇଥର ଚେଷ୍ଟା କରିଛି କିନ୍ତୁ ମୋର ଦୁର୍ଭାଗ୍ୟ’। ପରିବା ବିକି ଦିନକୁ ପାଉଥିବା ୧୫୦ ଟଙ୍କାରେ ବିଜୟଲକ୍ଷ୍ମୀ ଚଳିଯା’ନ୍ତି।"
କେବଳ ବୟସ୍କ ବା ଶାରୀରିକ ଶ୍ରମ କରୁଥିବା ଶ୍ରମିକ ଯେ ଆଧାରର ବୈଷୟିକ ଅସାମର୍ଥ୍ୟର ମୂଲ୍ୟ ଦେଉଛନ୍ତି ତା’ ନୁହେଁ, ପିଲାମାନେ ମଧ୍ୟ ଏହାର ମୂଲ୍ୟ ଦେଉଛନ୍ତି।
ପଶ୍ଚିମ ବେଙ୍ଗାଲୁରୁର କଟନପେଟ୍ ବଜାର ନିକଟସ୍ଥ ଏକ ବସ୍ତିରେ ରହୁଥିବା ଦୁଇ ଭାଇ କିଶୋର, ୧୪ ଓ କୀର୍ତ୍ତନ, ୧୩ ମଧ୍ୟ ବାୟୋମେଟ୍ରିକ୍ ତଥ୍ୟ ମେଳ ଖାଉନଥିବା କାରଣରୁ ଦୁଇବର୍ଷ ହେବ ନିଜ ନିଜର ରାସନ୍ ପାଇ ନାହାନ୍ତି। ଯଦି ଗୋଟିଏ ଛୋଟ ପିଲାର ୧୫ ବର୍ଷ ପୂର୍ବରୁ ଆଧାର ନମ୍ବର ହୋଇଥାଏ ତେବେ ସେହି ବୟସ ଆସିଲେ ପୁଣି ଥରେ ବାୟୋମେଟ୍ରିକ୍ ତଥ୍ୟ ଦେବାକୁ ହୁଏ। କିନ୍ତୁ ଯଦି ଏହି ମଝି ସମୟ ମଧ୍ୟରେ ବାୟୋମେଟ୍ରିକ୍ ତଥ୍ୟରେ ତ୍ରୁଟି ଆସେ ତେବେ ? ତା’ ହେଲେ ତୁମେ ତୁମ ରାସନ୍ ପାଇବନି। ସେମାନଙ୍କ ପିତାମାତା ମ୍ୟୁନିସିପାଲଟିର ସଫେଇ କର୍ମଚାରୀ। ଦୁହିଁଙ୍କର ମାସିକ ଦରମା ୧୨,୦୦୦ ଟଙ୍କା।
କିଶୋର ଜଣେ ମେଧାବୀ ଛାତ୍ର। ଦୁଇ ବର୍ଷ ତଳେ ଏକ ଘରୋଇ ସ୍କୁଲରେ ତାଙ୍କର ନାମ ଲେଖା ଯାଇଥିଲା। କିନ୍ତୁ ଏହାର ଆକାଶଛୁଆଁ ଖର୍ଚ୍ଚ ଓ ରାସନ୍ ନ ମିଳିବା ଯୋଗୁଁ ତାଙ୍କ ପିତାମାତା ତାଙ୍କୁ ସେଠାରୁ ଆଣି ଏକ ସରକାରୀ ସ୍କୁଲରେ ନାମ ଲେଖାଇଲେ। ଏବେ ସେ ଆଖପାଖ ଅଞ୍ଚଳରେ ଦୁଗ୍ଧ ଯୋଗାଣ କରି ପରିବାରର ରୋଜଗାରରେ ଯୋଗଦାନ କରୁଛନ୍ତି। ସେ ସକାଳ ୪ଟାରେ ଉଠନ୍ତି, ଦୁଗ୍ଧ ଯୋଗାଇବାକୁ ସକାଳ ୬ଟା ସୁଦ୍ଧା ଘର ଛାଡନ୍ତି। ସେ କାମ ସାରି ସକାଳ ୯ଟା ବେଳକୁ ସ୍କୁଲ୍ ଦୌଡନ୍ତି। ଅପରାହ୍ନ ୪ଟାରେ ସ୍ମୁଲ୍ ସରିବା ପରେ ଘରକୁ ଫେରି ପୁଣି ଦୁଗ୍ଧର ସଂଧ୍ୟା ବଣ୍ଟନ ଶେଷ କରନ୍ତି। ଏସବୁ କାମ ସରିବା ବେଳକୁ ରାତି ୮ଟା ହୋଇଯାଏ।
ତାହେଲେ ହୋମୱାର୍କର କ’ଣ ହୁଏ? “ମୁଁ ସ୍କୁଲରେ ଯେତେ ସମ୍ଭବ ହୋମୱାର୍କ ସାରିନିଏ”, କୁହନ୍ତି କିଶୋର। ଦିନରେ ପ୍ରାୟ ଆଠ ଘଣ୍ଟାର ପରିଶ୍ରମରେ ସେ ମାସକୁ ୩,୫୦୦ ଟଙ୍କା ପାଆନ୍ତି। ସେସବୁକୁ କିଶୋର ବାପା-ମା’ଙ୍କୁ ଦେଇଦିଅନ୍ତି। ଏହି ଅର୍ଥରେ ପରିବାରର କିଛି ଖର୍ଚ୍ଚ ମେଣ୍ଟିଯାଏ। ଅଧିକାଂଶ ସମୟରେ ଏହି ଅର୍ଥରେ ସେମାନେ ନିଜ ପଡ଼ୋଶୀ ଯେଉଁମାନଙ୍କ ପାଖରେ ବଳକା ରାସନ୍ ଚାଉଳ ଥାଏ ତାହା ୧୫ ଟଙ୍କା ଦରରେ କିଣନ୍ତି। କିନ୍ତୁ ଯଦି ଏହି ଦୁଇପିଲା ସେମାନଙ୍କ ରାସନ ପାଉଥା’ନ୍ତେ ତେବେ ସେମାନେ ସମସ୍ତେ ସାତ କେଜି ଲେଖାଏଁ ମାଗଣା ଚାଉଳ ପାଉଥା’ନ୍ତେ।
ସେମାନେ ବର୍ଷ ବର୍ଷ ଧରି ସେହି ରାସନ୍ ଦୋକାନକୁ ଯାଉଥିଲେ ବି ଫିଙ୍ଗରପ୍ରିଣ୍ଟ ନ ମିଶିବା ସବୁ ଚିହ୍ନା ପରିଚୟକୁ ମୂଲ୍ୟହୀନ କରିଦେଇଛି। ଖାଦ୍ୟ ଅଧିକାର ଅଭିଯାନର ଜଣେ କର୍ମୀ ରେଶମା କୁହନ୍ତି, “ଡିଲର୍ ତୁମକୁ ଚିହ୍ନି ଥାଇପାରେ କିନ୍ତୁ ମେସିନ୍ ଚିହ୍ନିନି।"
ଅନୁବାଦ: ଓଡ଼ିଶାଲାଇଭ୍