ମଙ୍ଗଲ ସିଂଙ୍କ ୱାଟର ଟର୍ବାଇନ୍ ସଂପର୍କରେ ବର୍ଣ୍ଣନା କରିବା ବେଳେ ୬୦ ବର୍ଷୀୟ ଭାଇଜାନ କୁଶୱାହ କହିଲେ, ‘‘ମୋ ଜୀବନରେ ଥରେ ମାତ୍ର ବିସ୍ମିତ ହୋଇଛି।’’ ଉତ୍ତର ପ୍ରଦେଶ ଲଳିତପୁର ଜିଲ୍ଲାର ଦଶରାର ଗାଁର ଏକ ଉତ୍ତପ୍ତ ଅପରାହ୍ଣ। ଭାଇଜାନ ତାଙ୍କ ୧୫ ଏକର ବିଶିଷ୍ଟ ଫାର୍ମାର ଗୋଟିଏ ଭାଗରେ ଗହମ ବୁଣୁଥିଲେ। ‘‘ପ୍ରାୟ ୩୦ ବର୍ଷ ପୂର୍ବେ ଜଳସେଚନକୁ ସହଜ କରିଥିବା [କିଛି ସମୟ ପାଇଁ] ଏହି ଟର୍ବାଇନ୍ ତିଆରି ହେବା ପୂର୍ବରୁ ଏହି ଜମି ନିଷ୍ଫଳା ଥିଲା।’’
ଟର୍ବାଇନ୍ କେମିତି କାମ କରେ ସେ ସଂପର୍କରେ ବର୍ଣ୍ଣନା କରିବା ପୂର୍ବରୁ ସେ କୁଣ୍ଠାବୋଧ କରୁଥିଲେ। ଗୁଣୁଗୁଣୁ ହୋଇ କହିଲେ, ‘‘ମୁଁ ଶିକ୍ଷିତ ନୁହେଁ।’’ ତାଙ୍କ ଜମିକୁ ଲାଗିଥିବା ସଜନମ୍ ନଦୀ ପାଖରେ ସେ ଏକ କାଠର ଚକ ଦେଖିଥିଲେ। ୧୯୮୭ ମସିହାରେ ସ୍ଥାନୀୟ ଶ୍ରମିକଙ୍କ ଦ୍ୱାରା ଏକ ଛୋଟ ଆଡ଼ି ବନ୍ଧ ତିଆରି ହୋଇଥିଲା। ‘‘ଏକ ଗିଅର ବକ୍ସ ସହ ଚକର ସଂଯୋଗ ହୋଇଥିଲା। ଯେତେବେଳେ ପାଣି ଏହି ଚକ ଭିତର ଦେଇ ପ୍ରବାହିତ ହୁଏ ସେତେବେଳେ ଏହା ଘୂରେ ଏବଂ ଆମ ପାଖରେ [ପ୍ରାୟ ୧-୨ କିଲୋମିଟର ଦୂର] ପାଣି ପହଞ୍ଚିଯାଏ। ମେସିନ୍ ଭିତରକୁ ଜଳ ପ୍ରବାହ ଚାଲୁ କରିବାକୁ ଏବଂ ବନ୍ଦ କରିବାକୁ ମୋତେ କେବଳ ଏହା ଭିତରେ ଏକ କାଠର ଗେଟ୍ ଭର୍ତ୍ତି କରିବାକୁ ହୁଏ।’’
କିନ୍ତୁ ଆମ ଆଲୋଚନା ଅନୁଯାୟୀ ଏହା ଏକ ଯନ୍ତ୍ର ନଥିଲା, ଯାହା ଭାଇଜାନ୍ଙ୍କୁ ଆଶ୍ଚର୍ଯ୍ୟ କରିଥିଲା: ‘‘ମୁଁ ଯେତେବେଳେ ପଚାରିଲି ଏହାର ଦାମ କେତେ, ସେ କହିଲେ ଏହା ମାଗଣା। ପାଣି ଯୋଗାଣ ପାଇଁ ଏହି ଟର୍ବାଇନ୍ ଡିଜେଲ କିମ୍ବା ବିଦ୍ୟୁତ ଆବଶ୍ୟକ କରେ ନାହିଁ। ମୁଁ ବିସ୍ମିତ ହୋଇଥିଲି।’’














