ପ୍ରତ୍ୟେକ ଦିନ ସକାଳୁ, ସାରା ଶେଖ୍ ପରିବାର କାମକୁ ବାହାରି ଯାଇଥାଏ। ଫାତିମା କେନ୍ଦ୍ରୀୟ ଶ୍ରୀନଗରର ସ୍ଲମ କଲୋନୀସ୍ଥିତ ନିଜ ଘରୁ ସବୁଦିନ ସକାଳ ୯ଟାରେ ବାହାରି ଯାଇଥାନ୍ତି ଏବଂ ସନ୍ଧ୍ୟା ପାଖାପାଖି ୫ଟା ସୁଦ୍ଧା ସହରରେ ପାଖାପାଖି ୨୦ କିଲୋମିଟର ପରିଧି ବୁଲି ବୁଲି ଫିଙ୍ଗା ଯାଇଥିବା ପ୍ଲାଷ୍ଟିକ ବୋତଲ ଓ ପେଟି ଏକାଠି କରିଥାନ୍ତି। ତାଙ୍କ ସ୍ୱାମୀ ମହମ୍ମଦ କୁର୍ବାନ ଶେଖ୍ ବେଳେ ବେଳେ ବୁଲି ବୁଲି ବହୁତ ଆଗକୁ ଚାଲିଯାଇଥାନ୍ତି। ଅଳିଆ ସଂଗ୍ରହ କରୁ କରୁ ସେ କେବେ କେବେ ସହର ସୀମାଠାରୁ ଦୂର ୩୦କିମି ପରିଧିରେ ଥିବା ପଡ଼ା ଓ ଗାଁ ପର୍ଯ୍ୟନ୍ତ ଚାଲିଯାଇଥାନ୍ତି। ଫାତିମାଙ୍କ ଭଳି ସେ ମଧ୍ୟ ତିନି ଚକିଆ ସାଇକେଲ ରିକ୍ସା ବ୍ୟବହାର କରିଥାନ୍ତି, ଯାହାର ପଛରେ ଟେମ୍ପୋ ଭଳି ଦେଖାଯାଉଥିବା କାମ ଚଳା କଣ୍ଟେନର ଲାଗିଥାଏ। ୧୭ରୁ ୨୧ ବର୍ଷ ମଧ୍ୟରେ ସେମାନଙ୍କର ଝିଅମାନେ ଓ ଦୁଇ ପୁଅ ମଧ୍ୟ ଶ୍ରୀନଗରରେ ଅଳିଆ ସଂଗ୍ରହ କାମ କରିଥାନ୍ତି।
ପାଞ୍ଚ ଜଣ ଯାକ ମିଶି ଶ୍ରୀନଗରର ବିଭିନ୍ନ ଘର, ହୋଟେଲ, ନିର୍ମାଣସ୍ଥଳୀ, ପରିବା ବଜାର ଏବଂ ଅନ୍ୟସ୍ଥାନରୁ ପ୍ରତ୍ୟେକ ଦିନ ବାହାରୁଥିବା ମୋଟ ୪୫୦-୫୦୦ ଟନ୍ ଆବର୍ଜନାର କିଛି ଅଂଶ ସଫା କରିଥାନ୍ତି। ଏହି ତଥ୍ୟ ଶ୍ରୀନଗର ମହାନଗର ନିଗମ ପକ୍ଷରୁ ପ୍ରଦାନ କରାଯାଇଛି।ର, ହୋଟେଲ, ନିର୍ମାଣସ୍ଥଳୀ, ପରିବା ପ
ଶେଖ ପରିବାରର ଲୋକମାନଙ୍କ ସହିତ ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ଅନ୍ୟ ଲୋକମାନଙ୍କୁ ମହାନଗର ନିଗମର ବର୍ଜ୍ୟବସ୍ତୁ ପରିଚାଳନା ପ୍ରକ୍ରିୟା ସହ ଯୋଡ଼ିବା ଲାଗି ଔପଚାରିକତା ପୂରଣ କରାଯାଇନାହିଁ। ମହାନଗର ନିଗମ ଆୟୁକ୍ତ ଅତହର ଆମିର୍ ଖାନ୍ କୁହନ୍ତି, ପାଖାପାଖି ୪,୦୦୦ ଲୋକଙ୍କୁ ସହରରେ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ଏବଂ ସେଗୁଡ଼ିକୁ ଗୋଟିଏ ସ୍ଥାନରେ ଜମା କରିବା ଲାଗି ନିୟୋଜିତ କରାଯାଇଛି। ଏମାନଙ୍କୁ ସ୍ଥାୟୀ କିମ୍ବା ଚୁକ୍ତି ଭିତ୍ତିରେ ଚାକିରିରେ ରଖାଯାଇଛି। ଶ୍ରୀନଗର ମହାନଗର ନିଗମର ମୁଖ୍ୟ ପରିମଳ ଅଧିକାରୀ ନଜୀର ଅହମ୍ମଦ କୁହନ୍ତି, “ବର୍ଜ୍ୟବସ୍ତୁ ସଂଗ୍ରହକାରୀମାନେ ଆମର ଶ୍ରେଷ୍ଠ ବନ୍ଧୁ’’। ‘‘ସେମାନେ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରିଥାନ୍ତି, ଯାହାକୁ ୧୦୦ ବର୍ଷରେ ମଧ୍ୟ ବିଘଟନ କରିବା ଅସମ୍ଭବ।’’
ଆବର୍ଜନା ସଂଗ୍ରହକାରୀମାନେ କେବଳ ‘ସ୍ୱାବଲମ୍ବୀ’ ହୋଇନଥାନ୍ତି, ବରଂ ସେମାନେ କୌଣସି ପ୍ରକାରର ବ୍ୟକ୍ତିଗତ ସୁରକ୍ଷା ଉପକରଣ ବିନା ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ କାମ କରିଥାନ୍ତି ଏବଂ କୋଭିଡ-୧୯ ମହାମାରୀ ପରେ ସେମାନଙ୍କ ମୁଣ୍ଡରେ ସବୁବେଳେ ଖଣ୍ଡା ଝୁଲୁଛି। ୪୦ ବର୍ଷୀୟା ଫାତିମା କୁହନ୍ତି, “ମୁଁ ଭଗବାନଙ୍କ ନାମ ନେଇ ପୁଣିଥରେ କାମ କରିବା (ଜାନୁଆରୀ ୨୦୨୧ରେ ଲକଡାଉନ ସାମାନ୍ୟ କୋହଳ ହେବା ପରେ) ଆରମ୍ଭ କରିଥିଲି। ମୁଁ ସଚ୍ଚୋଟ ଉଦ୍ଦେଶ୍ୟ ନେଇ ନିଜ ପରିବାରର ପେଟ ପୋଷିବା ଲାଗି କାମ କରୁଛି ଏବଂ ମୁଁ ସଂକ୍ରମିତ ହେବି ନାହିଁ ବୋଲି ମୋର ବିଶ୍ୱାସ ରହିଛି।”






















