"ଆଜି ପର୍ଯ୍ୟନ୍ତ କେହି ମୋର ସାକ୍ଷାତକାର ନେଇନାହାନ୍ତି। ମୁଁ ସବୁ କିଛି କହିବି ........।"
'ସବୁକିଛି' ଭିତରେ ଅଛି ବଞ୍ଚିବା ପାଇଁ ମୁମ୍ବାଇର ଖାର୍ ପଶ୍ଚିମ ସହରତଳରେ ଏକାଧିକ ଘରେ ପ୍ରାୟ ୭୦ ବର୍ଷର ପାଇଖାନା ସଫା, ଓଳେଇବା, ସଫା କରିବା ଓ ଘରପୋଛିବା। ୧୯୮୦ ଦଶକର ଶେଷ ଭାଗରେ ଓ ୧୯୯୦ ଦଶକର ଆଦ୍ୟଭାଗରେ ଭାତେରି ସରବ୍ଜିତ୍ ଲୋହାତ ଗୋଟିଏ ସମୁଦାୟ ଅଟ୍ଟାଳିକାର ୧୫-୧୬ ଘର ସଫାକରିବା ପାଇଁ ମାସକୁ ୫୦ ଟଙ୍କା ପାଉଥିଲେ। ଏଥିସହ ବଳକା ଖାଦ୍ୟ ଓ ରୋଷେଇ ଘରେ ନଷ୍ଟ ହୋଇ ଯାଇଥିବା ସାମଗ୍ରୀ।
"ମୋର ନାମ ଭାତେରି ଦେବୀ। ମୁଁ ପ୍ରକୃତରେ ହରିଆଣାର ରୋହତକ ଜିଲ୍ଲାର ସାଂଘି ଗ୍ରାମରୁ ଆସିଛି। ମୁଁ ମୁମ୍ବାଇ କେଉଁ ବର୍ଷ ଆସିଲି ତାହା ମୋର ମନେ ନାହିଁ। କିନ୍ତୁ ସେତେବେଳେ ମୋର ନୂଆ ନୂଆ ବିବାହ ହୋଇଥିଲା। ଆମର ଜଣେ ସମ୍ପର୍କିୟଙ୍କ ବଦଳରେ ମୋ ଶାଶୁ ମୋ ପାଇଁ ଏହି କାମ ବୁଝିଦେଇଥିଲେ। ମୋ ସ୍ୱାମୀ (ସେ ମଧ୍ୟ ଜଣେ ସଫେଇ କର୍ମଚାରୀ ଥିଲେ ) ଏଠାକୁ ଆସିବାର ଅଳ୍ପ କେଇ ବର୍ଷ ପରେ ମୃତ୍ୟୁବରଣ କଲେ। ସେତେବେଳେ ମୋ ପୁଅ ମାତ୍ର ଦୁଇ/ତିନି ବର୍ଷର। ସେ ଦାଦରରେ କାମ କରୁଥିଲେ। ଲୋକାଲ ଟ୍ରେନ୍ରେ ଘରକୁ ଫେରିବା ସମୟରେ ସେ ଟ୍ରେନ୍ର ଦ୍ୱାରରେ ଠିଆ ହୋଇଥିଲେ ଓ ଗୋଟିଏ ବିଦ୍ୟୁତ୍ ଖୁଣ୍ଟ ତାଙ୍କ ଦେହରେ ବାଜିଲା ଓ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଲା।"
ଏହା କେଇ ଦଶକ ତଳର କଥା, କିନ୍ତୁ ଯେତେବେଳେ ସେ ଏହା ବର୍ଣ୍ଣନା କରୁଥିଲେ, ମନେ ହେଉଥିଲା ସେ ଯନ୍ତ୍ରଣା ଏବେ ବି ଅଛି। ଭାତେରି ଦେବୀ ଖୁବ୍ ଜୋରସୋରରେ ବିଶ୍ୱାସ ଦେଉଥିଲେ। ମେ ମୁମ୍ବାଇ ବାନ୍ଦ୍ରା ଇଷ୍ଟର ବାଲ୍ମୀକି ନଗରରେ ବାସ କରନ୍ତି। ଆଧାରକାର୍ଡରେ ତାଙ୍କର ଜନ୍ମ ୧୯୩୨ ମସିହାରେ ବୋଲି ସୂଚିତ କରାଯାଇଛି। ଯାହାର ଅର୍ଥ ତାଙ୍କ ବୟସ ୮୬। କିନ୍ତୁ ତାଙ୍କୁ ମୁହଁର ଗାର ଓ କୁଞ୍ଚନ ଦେଖିଲେ ମନେହେଉଥିଲା ତାଙ୍କ ବୟସ ୯୦ରୁ ଅଧିକ। ସେ ମଧ୍ୟ ତାହା କୁହନ୍ତି। ତାଙ୍କ ପୁଅ ହରିଶ ଚଳିତ ବର୍ଷ ଜୁନ୍ ୩୦ ତାରିଖରେ ମୃତ୍ୟୁ ବରଣ କଲା। ତା’ର ବୟସ ୭୦ ପାର କରିଥିଲା। ବିବାହ ବେଳକୁ ଭାତେରିଙ୍କ ବୟସ ଥିଲା ମାତ୍ର ୧୨ ବା ୧୩। ଏହାପରେ ସେ ତାଙ୍କ ସ୍ୱାମୀ ସରବଜିତ୍ ଲୋହାତଙ୍କ ସହ ମୁମ୍ବାଇ ଆସିଥିଲେ।
ତାଙ୍କର ସମଗ୍ର ପରିବାର (ଏବଂ ସ୍ୱାମୀଙ୍କର ଅଧିକାଂଶ ସମ୍ପର୍କୀୟ) ହରିଆଣାରୁ ଆସି ମୁମ୍ବାଇରେ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଘରୋଇ ସଫେଇ କର୍ମଚାରୀ। ଏହି ଅଞ୍ଚଳରେ ରହୁଥିବା ଅଧିକାଂଶ ଲୋକ ଭାତେରିଙ୍କ ପରି ବାଲ୍ମୀକି ସମୁଦାୟର ଦଳିତ, ଯେଉଁମାନେ କି ବିଭିନ୍ନ ସମୟରେ କାମର ସନ୍ଧାନରେ ହରିଆଣାରୁ ମୁମ୍ବାଇ ଚାଲିଆସିଥିଲେ। ଭାତେରିଙ୍କ ପରି ସେମାନେ ସମସ୍ତେ ଘରେ ହରିଆଣି ଭାଷାରେ କଥାବାର୍ତ୍ତା କରନ୍ତି। ମୁମ୍ବାଇର ଅନେକ ବାଲ୍ମୀକି ବସ୍ତିରେ ହରିଆଣାର ଲୋକମାନେ ରହନ୍ତି। ବିଶେଷକରି ଭନ୍ଦୁପ୍ ଟ୍ୟାଙ୍କ୍ ରୋଡ୍, ଜାମ୍ବିଭିଲ୍ଲି, ମାଟୁଙ୍ଗା, ଲେବର୍ କ୍ୟାମ୍ପ, ବିଖ୍ରୋଲି ଓ ଚେମ୍ବୁର୍ରେ।





